ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ମଦ ପିଇ କାର୍‌ ଚଳାଉଥିଲେ ଡିଜି ଅଫିସ ସୁରକ୍ଷାକର୍ମୀ: ଦୁଇ ବାଇକ୍‌କୁ ପିଟିଲେ, ୩ ଗୁରୁତର

କଟକ,୦୧/୦୭: ରାଜ୍ୟ ପୁଲିସ ମୁଖ୍ୟାଳୟ (ଡିଜି ଅଫିସ୍‌) ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ମଦ୍ୟପ ସିପାହୀର କାର୍‌ ଧକ୍କାରେ ତିନିଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ରବିବାର ସଂଧ୍ୟାରେ ମଦ ନିଶାରେ ଚୁର୍‌ ସଂପୃକ୍ତ ସିପାହୀ ଜଣକ ମଧୁସୂଦନ ସେତୁ ନିକଟରେ ଏହି ସିରିଜ ଦୁର୍ଘଟଣା ଘଟାଇଛନ୍ତି । ତାଙ୍କ କାର୍‌ ଲଗାତାର ଭାବେ ଦୁଇଟି ବାଇକ୍‌କୁ ଖୁବ୍‌ ଜୋର୍‌ରେ ଧକ୍କା ଦେବାରୁ ସେଥିରେ ଥିବା ୩ ଯୁବକ  ଗୁରୁତର ଆହତ ହୋଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ସେମାନଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା ।  ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ  ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ଘଟାଇଥିବା ମଦ୍ୟପ ସିପାହୀଜଣକ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ କର୍ମଚାରୀ ବୋଲି ଜଣାଯାଇଛି । ସିଡିଏ ଫେଜ୍‌-୨ ଥାନା ପୁଲିସ ତାଙ୍କୁ ଅଟକ ରଖିଛି । 

ରବିବାର ସନ୍ଧ୍ୟା ପ୍ରାୟ ୫ଟାରୁ ସାଢ଼େ ୫ଟା  ହେବ । ନରାଜରୁ ମହାନଦୀ ରିଂ ବନ୍ଧ ଦେଇ ନିଜ  ବ୍ୟକ୍ତିଗତ କାର୍‌ରେ ଓଏସ୍‌ଏପି ଷଷ୍ଠ ବାଟାଲିଅନ୍‌ର  ସିପାହୀ ଜଣକ ଫେରୁଥିଲେ । ସେ ଏବେ ରାଜ୍ୟ  ପୁଲିସ ମୁଖ୍ୟାଳୟର ସୁରକ୍ଷା କର୍ମୀ ଭାବେ ନିୟୋଜିତ ।  ବିପରୀତ ଦିଗରୁ ନୟାଗଡ଼ ଅଞ୍ଚଳର ୩ ଜଣ ଯୁବକ  ଦୁଇଟି ବାଇକ୍‌ରେ ଯାଉଥିଲେ । ମଧୁସୂଦନ ସେତୁ  ପାଖରେ ହଠାତ୍‌ କାର୍‌ଟି ଖୁବ୍‌ ଜୋର୍‌ରେ ଦୁଇ ବାଇକ୍‌କୁ ଧକ୍‌କା ଦେଇଥିଲା । ପରେ କାର୍‌ଟି ରାସ୍ତା  କଡ଼ରେ ପିଟି ହୋଇଯାଇଥିଲା । କାର୍‌ ଧକ୍‌କାରେ  ବାଇକ୍‌ରେ ଥିବା ତିନି ଯୁବକ ରାସ୍ତା କଡ଼କୁ ଛିଟ୍‌କି  ପଡ଼ିଥିଲେ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ପରେ  ଶହଶହ ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ ।  ସ୍ଥାନୀୟ ଲୋକେ କାର୍‌ ଚଳାଉଥିବା ସିପାହୀଙ୍କୁ କାବୁ  କରି ପୁଲିସକୁ ଖବର ଦେଇଥିଲେ । ତିନି ଯୁବକଙ୍କୁ  ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏସ୍‌ସିବି ପଠାଇଥିଲେ । ଏସ୍‌ସିବିରେ  ତିନିଟି ଆଇସିୟୁ ବେଡ୍‌ ନଥିବାରୁ ସେମାନଙ୍କୁ ତୁରନ୍ତ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର  କରାଯାଇଥିବା କୁହାଯାଉଛି । ତିନି ଯୁବକ ମୃତ୍ୟୁ  ସହିତ ସଂଗ୍ରାମ କରୁଥିବା ପୁଲିସ ସୂଚନା ଦେଇଛି ।  

ଅନ୍ୟପଟେ କାର୍‌ ଚାଳକ ସିପାହୀ ଜଣକ ପ୍ରଚୁର  ମଦ୍ୟପାନ କରିଥିବା ଦୁର୍ଘଟଣା ସ୍ଥଳରେ ଥିବା ଲୋକ  ପୁଲିସକୁ ଜଣାଇଥିଲେ । ପୁଲିସ ଉକ୍ତ ସିପାହୀକୁ ଧରି  ନେଇ ସିଡିଏ ଫେଜ୍‌-୨ ଥାନାରେ ଅଟକ ରଖିଛି । ଦୁର୍ଘଟଣା ନେଇ ଥାନାରେ ଏଯାବତ କୌଣସି ଏତଲା  ହୋଇନି । ଆହତଙ୍କ ପରିବାର ଲୋକେ ଚିକିତ୍ସାରେ  ବ୍ୟସ୍ତ ଅଛନ୍ତି । ସେମାନେ ପରେ ଆସି ଏତଲା ଦେଲେ  ମାମଲା ରୁଜୁ ହେବ, ନଚେତ ପୁଲିସ ନିଜ ଆଡ଼ୁ ମାମଲା  ରୁଜୁ କରିବ ବୋଲି ଥାନା ଅଧିକାରୀ ପ୍ରିୟଦର୍ଶିନୀ ନନ୍ଦ ସୂଚନା ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର୍‌ ଓ ବାଇକ୍‌  ଦୁଇଟିକୁ ପୁଲିସ ଜବତ କରିଛି । ଆହତମାନଙ୍କ  ପରିଚୟ ଏଯାବତ ମିଳିନଥିବା ପୁଲିସ କହିଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.