ପ୍ରମୂଖ ଖବର
  • ପୁରୀ : ୧୧ ଦିନର ସେବା ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ, ପୁଣି ବଡ଼ଦେଉଳରେ ବାଜିଲା ବିଜେ କାହାଳୀ ଓ ଘଣ୍ଟ
  • ||
  • ଭୁବନେଶ୍ଵର : ଏବେ ବି ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ମୟୂରଭଞ୍ଜରେ ସବୁଠୁ କମ୍
  • ||

ମିଠା ମାୟାଜାଲରେ ମାତୃତ୍ୱ, ଛୁଆ ପଛରେ ଧାଇଁଲା ସଦ୍ୟ ପ୍ରସବା ଗାଈ...

ସମ୍ବଲପୁର,୦୧/୦୭: ମାତୃତ୍ୱ । ଆବେଗ, ଆଦର ଓ ଆତୁରତାର ଆଶୀର୍ବାଦଟିଏ । ଛୁଆ ପାଇଁ ସାରା ଦୁନିଆ ସହ ଲଢ଼ିପାରୁଥିବା ଆୟୁଧଟିଏ । ନିଜଠୁ ବେଶୀ ସନ୍ତାନ କଥା ଭାବୁଥିବା ମୂର୍ତ୍ତିମନ୍ତ ପ୍ରତୀକଟିଏ । ମଣିଷ  ହେଉ କି ପଶୁ ସବୁଠି ମା’ ମନରୁ ଝରିପଡ଼େ ମମତା । ଯେଉଁଠି ମଣିଷ ହାରି ଯାଏ ସେଠି ମମତା ଜିତେ । ଯେଉଁଠି ବାହୁବଳକାଟୁ କରେନି ସେଠି ମମତା ଡୋରି ଟାଣିନିଏ । ମାତୃତ୍ୱ ମମତା ଓ ମାନବିକତାର ଏଭଳି ଏକ ମହାର୍ଘ୍ୟ ସଙ୍ଗମ ଦେଖିବାକୁ ମିଳିଥିଲା ସମ୍ବଲପୁର ସହରର ଅଶୋକା ଟକିଜ୍‌ଠାରେ ।  

ରବିବାର । ସମୟ ଅପରାହ୍ନ ସାଢ଼େ ୧ । ସଦ୍ୟ ପ୍ରସବା ଗାଈଟିଏ ନବଜାତ ବାଛୁରି ପଛରେ ଧାଉଁଥିଲା । ବାଛୁରିକୁ ଧରି ୨ ଜଣ ବାଇକ୍‌ରେ ବୋହି ନେଉଥିଲେ ।ବାଇକ୍‌ ବେଗ ସହ ଖୁରାମିଶାଇ ଦୌଡୁଥିଲା ଅସୁସ୍ଥ ଗାଈ । ମମତାର ଅଦୃଶ୍ୟ ଡୋରି ବାନ୍ଧି ଗାଈକୁ ଚିକିତ୍ସାଳୟ ପର୍ଯ୍ୟନ୍ତ ନେବାକୁ ବିଛା ଯାଇଥିବା ମିଠା ମାୟାଜାଲ ଫସିଯାଇଥିଲା ମା’ । ଚିକିତ୍ସା ପାଇଁ ଧରା  ଛୁଆଁ ଦେଉନଥିବା ଅବୋଲକରା ଗାଈ ଶେଷରେ ମା’ ହେବା ପରେ ଛୁଆକୁ ଅନୁସରଣ କରିକରି ଅଜାଣତରେ  ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା ।  

ଅଶୋକା ଟକିଜ ନିକଟରେ ଏହି ଗାଈର ମାଲିକଙ୍କ  ଘର । କିଛି ଦିନ ହେଲା ଗାଈଟି ମାଲିକଙ୍କୁ ଧରାଛୁଆଁ  ଦେଉନଥିଲା । ଗାଈର ଶରୀର ଅସୁସ୍ଥ ଥିବା ଜାଣି ତାକୁ  ପଶୁ ଡାକ୍ତରଙ୍କୁ ଦେଖାଇବାକୁ ମାଲିକ ଶତ ଚେଷ୍ଟା  କରିଥିଲେ । ହେଲେ ଗାଈର ଜିଦ୍‌ ଆଗରେ ମାଲିକଙ୍କର  ଶତ ଚେଷ୍ଟା ବିଫଳ ହୋଇଥିଲା । ଯେତେ ବାହୁବଳ ଓ  ବୁଦ୍ଧିବଳ ଲଗାଇଲେ ବି ଗାଈକୁ ନେଇ ଡାକ୍ତରଖାନା  ପର୍ଯ୍ୟନ୍ତ ପହଞ୍ଚିପାରିନଥିଲେ । ଅମାନିଆ ଅନ୍ତସ୍ୱତ୍ତ୍ୱା ଗାଈ  ସେମିତି ବାହାରେ ବୁଲୁଥିଲା । ମାଲିକ ନିରାଶ ହୋଇ  ଘରକୁ ଫେରିଥିଲେ ।  

କିନ୍ତୁ ଗତ ୨ ଦିନ ତଳେ ଗାଈଟି ଏକ ବାଛୁରି ଜନ୍ମ  କରିଥିବା ଜାଣିବାକୁ ପାଇଥିଲେ । ଗାଈକୁ ଡାକ୍ତରଖାନା  ପର୍ଯ୍ୟନ୍ତ ପହଞ୍ଚାଇବାକୁ କଅଁଳା ବାଛୁରିକୁ ସେ ଅସ୍ତ୍ର  କରିଥିଲେ । ମା’ ଗାଈକୁ ସିନା ଟେକି ଡାକ୍ତରଖାନା  ପର୍ଯ୍ୟନ୍ତ ନେଇ ପାରିଲେନି । ହେଲେ ନବଜାତ ବାଛୁରିକୁ  ତ ଟେକି ପାରିବେ । ଛୁଆକୁ ଛାଡ଼ି ମା’ ରହିପାରିବନି,  ପିଛା କରି ଆପେ ଚାଲି ଆସିବ । ଏହା ଚିନ୍ତା କରି ସେ  ବାଛୁରିଟିକୁ ବାଇକ୍‌ରେ ଧରି ଉଠାଇ ନେଇଥିଲେ । ଛୁଆକୁ  ବାଇକ୍‌ରେ କିଏ ନେଉଯାଉଥିବାର ଦେଖି ମା’ ମଧ୍ୟ  ପଛରେ ଦଉଡ଼ିଥିଲା । ଆଗପଛ ଭଲମନ୍ଦ ବାଛବିଚାର  ନ କରି ଛୁଆକୁ ଫେରାଇ ଆଣିବାକୁ ଆପ୍ରାଣ ଉଦ୍ୟମ  କରିଥିଲା । ‘ମୋ ଛୁଆକୁ କୁଆଡ଼େ ନେଉଛ? ଏଇ ଦୁଇ  ଦିନ ହେଲା ସେ ଜନ୍ମ ହୋଇଛି । ମୋ କ୍ଷୀର ନ ଖାଇଲେ  ସେ ବଞ୍ଚିବନି । ଭାରି କଷ୍ଟରେ ତାକୁ ମୁଁ ଜନ୍ମ କରିଛି । ତାକୁ  ମୋ ପାଖରୁ ଦୂରେଇ ନିଅନି’ ଏମିତି ଅନେକ ଅକୁହା  କଥା ବୋଧେ ମା’ ଗାଈ କହୁଥିଲା । ଏସବୁ ଶବ୍ଦକୁ  ମଣିଷ ଶୁଣି ପାରୁନଥିଲା, ହେଲେ ବାଛୁରି ପଛରେ  ବିକଳରେ ଦୌଡ଼ୁଥିବା ମା ମୁହଁରୁ ଏହି ସବୁ ଅକୁହା  ବେଦନାକୁ ସ୍ପଷ୍ଟ ବାରି ହେଉଥିଲା । ସେଠାରେ ଉପସ୍ଥିତ  ଥିବା ପ୍ରତ୍ୟେକ ଲୋକଙ୍କ ନଜର ଏହି ମା’-ଛୁଆଙ୍କ  ନିକଟରେ ଅଟକି ରହିଥିଲା । 

ମଣିଷ ବିଛେଇଥିବା ଏହି ମିଠା ମାୟାଜାଲରେ  ମାତୃତ୍ୱ କେତେବେଳେ ଫସି ସାରିଥିଲା ଏକଥା ତ ଗାଈ  ଜାଣିନଥିଲା । ମରିଚିକା ପଛରେ ଧାଇଁଧାଇଁ ସତରେ ଯେ  କେତେବେଳେ ତୃଷ୍ଣା ମେଣ୍ଟିଯାଏ ଏହାର ଅନୁଭବ ପ୍ରଦାନ  କରିଥିଲା ଏହି ସ୍ନେହମୟୀ ସଦ୍ୟ ପ୍ରସବା । ଶେଷରେ  ମାଲିକଙ୍କ ପ୍ରୟାସ ସଫଳ ହେଲା । ଅବୋଲକରା  ଗାଈ ମମତା ଜାଲରେ ବାନ୍ଧି ହୋଇ ଡାକ୍ତରଖାନାରେ  ପହଞ୍ଚିଗଲା । ତା’ର ଚିକିତ୍ସା ମଧ୍ୟ ହେଲା । ସବୁ ପଛରେ  ଏହି ନିରୀହ ଜୀବ ଛାଡ଼ି ଦେଇଗଲା ମା’-ମାତୃତ୍ୱ ଓ  ମମତାର ଏକ ବୃହତ୍‌ ବାର୍ତ୍ତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.