ନୂଆଦିଲ୍ଲୀ ୧୨/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପାଲେଷ୍ଟିନୀୟ ଉଗ୍ରବାଦୀ ସଂଗଠନ ହମାସକୁ କଡ଼ା ଚେତାବନୀ ଦେଇଛନ୍ତି । କହିଛନ୍ତି, ଶନିବାର ସୁଦ୍ଧା ଇସ୍ରାଏଲରୁ ଅପହରଣ କରି ନିଆଯାଇଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ଆବଶ୍ୟକ । ନଚେତ୍ ଗାଜାରେ ସବୁ କିଛି ବରବାଦ ହୋଇଯିବ । ଟ୍ରମ୍ପ୍ ଆହୁରି କହିଛନ୍ତି, ଶନିବାର ୧୨ଟା ସୁଦ୍ଧା ସମସ୍ତ ପଣବନ୍ଦୀଙ୍କୁ ଯଦି ଫେରାଇ ଦିଆଯାଏ, ତେବେ ଯୁଦ୍ଧବିରତି ବୁଝାମଣାକୁ ରଦ୍ଦ କରିଦେବା ଉଚିତ । ଯୁଦ୍ଧବିରତି ଜାରି ରହିବା କିମ୍ବା ଏହାକୁ ରଦ୍ଦ କରିବା ନିଷ୍ପତ୍ତି ଇସ୍ରାଏଲ୍ ହିଁ ନେବ । କିନ୍ତୁ ବାକି ସମସ୍ତ ପଣବନ୍ଦୀଙ୍କୁ ଏକସଙ୍ଗେ ମୁକ୍ତ କରାଯିବା ଆବଶ୍ୟକ । ୩-୪ ଜଣିଆ ଗ୍ରୁପ୍ରେ ପଣବନ୍ଦୀଙ୍କୁ ମୁକ୍ତ କରାଯିବା ଉଚିତ ନୁହେଁ । ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ହମାସ ବି ଇସ୍ରାଏଲ ସହ ଯୁଦ୍ଧବିରତି ରଦ୍ଦ କରିବା ନେଇ ଧମକ ଦେଇଥିଲା । ବୁଝାମଣା ନିୟମକୁ ଇସ୍ରାଏଲ୍ ଉଲ୍ଲଂଘନ କରୁଥିବା ଏହା ଅଭିଯୋଗ କରିଥିଲା ।
ଟ୍ରମ୍ପ୍ଙ୍କ କହିବା କଥା ହେଉଛି ଶନିବାର ପର୍ଯ୍ୟନ୍ତ ସମୟସୀମାକୁ ନେଇ ସେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିବେ । କିନ୍ତୁ ସେ ଅଧିକ ସୂଚନା ଦେଇ ନ ଥିଲେ । ତେବେ ସେ କହିଛନ୍ତି, ମୁଁ ପ୍ରକୃତରେ କ’ଣ କହିବାକୁ ଚାହୁଁଛି ତାହା ହମାସ ନିଜ ଆଡୁ ବୁଝିନେବା ଉଚିତ ହେବ । ଏହା ପୂର୍ବରୁ ଗାଜାକୁ କବ୍ଜା କରି ସେଠାରେ ସିଟି ରିସର୍ଟ ନିର୍ମାଣ କରିବା ଲାଗି ଟ୍ରମ୍ପ୍ କହିଥିଲେ । ସେ କହିଥିଲେ, ପାଲେଷ୍ଟିନୀୟ ଲୋକଙ୍କୁ ଗାଜାରୁ ବିସ୍ଥାପିତ କରି ଜୋର୍ଡାନ ଏବଂ ଇଜିପ୍ଟରେ ଥଇଥାନ କରାଯିବା ଉଚିତ । କିନ୍ତୁ ଉଭୟ ଜୋର୍ଡାନ ଓ ଇଜିପ୍ଟ ଏହି ପ୍ରସ୍ତାବିତ ଯୋଜନାକୁ ବିରୋଧ କରିଥିଲେ । ସୂଚନାଥାଉ କି ଯୁଦ୍ଧ ଯୋଗୁ ଗାଜାରେ ୯୨% ଘର କ୍ଷତିଗ୍ରସ୍ତ ହୋଇଛି । ୯୫% ବିଦ୍ୟାଳୟ ନଷ୍ଟ ହୋଇଯାଇଛି । ଗାଜାରେ ୫ କୋଟି ଟନ୍ ଭଗ୍ନାବଶେଷ ପଡ଼ିରହିଛି । ୧୦୦ଟି ଟ୍ରକ୍ ୨୪ ଘଣ୍ଟା କାମରେ ଲାଗିଲେ ବି ଭଗ୍ନାବଶେଷକୁ ହଟାଇବା ଲାଗି ୧୫ ବର୍ଷ ଲାଗିଯିବ । ଏଥିରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ।