ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାଲେଷ୍ଟାଇନକୁ ନେଇ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ନିଜ ବୟାନରେ ସେ କହିଛନ୍ତି ଯେ ଗାଜାରେ ରହୁଥିବା ପାଲେଷ୍ଟେନୀବାସୀ ତାଙ୍କ ଯୋଜନା ଅନୁଯାୟୀ ଗାଜାକୁ ଫେରିବାର ଅଧିକାର ପାଇବେ ନାହିଁ। ଗାଜା ଉପରେ ଆମେରିକାର ନିୟନ୍ତ୍ରଣ କରିବାକୁ ଯାଉଛି ନେଇ ଘୋଷଣା କରିବା ପରେ ସେ ଏହି ବିବୃତ୍ତି ଦେଇଛନ୍ତି। ଆମେରିକା କେବଳ ପାଲେଷ୍ଟାଇନୀମାନଙ୍କୁ ଅସ୍ଥାୟୀ ଭାବରେ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଯାଉଛି ବୋଲି ପୂର୍ବରୁ ଟ୍ରମ୍ପ ପ୍ରଶାସନର କିଛି ଅଧିକାରୀ ସୂଚନା ଦେଇଥିଲେ।
ସୂଚନା ମୁତାବକ, ଗାଜାକୁ ଆମେରିକାର ନିୟନ୍ତ୍ରଣ କରିବା ପାଇଁ ଯୋଜନା କରୁଛି ବୋଲି ଟ୍ରମ୍ପ ଏକ ସପ୍ତାହ ତଳେ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ଗାଜାକୁ ପଶ୍ଚିମ ଏସିଆର ରିଭିଏରା କରିବା ବିଷୟରେ ଆଲୋଚନା କରାଯାଇଥିଲା। ରିଭିଏରା ହେଉଛି ଏକ ଫରାସୀ ଶବ୍ଦ, ଯାହାର ଅର୍ଥ ହେଉଛି ସମୁଦ୍ର କୂଳରେ ଥିବା ସୁନ୍ଦର ଅଞ୍ଚଳ। ତେବେ ଡୋନାଲ୍ଡ ଟ୍ରମ୍ପ ସୋମବାର ଫକ୍ସ ନ୍ୟୁଜର ବ୍ରେଟ୍ ବେୟରଙ୍କୁ ଏକ ସାକ୍ଷାତକାର ଦେଇଛନ୍ତି। ଏହି ଅବସରରେ ବେର ଟ୍ରମ୍ପଙ୍କୁ ପଚାରିଥିଲେ ଯେ ଗାଜାରେ ଥିବା ପାଲେଷ୍ଟେନୀମାନେ ନିଜ ଦେଶକୁ ଫେରିବାର ଅଧିକାର ପାଇବେ କି ନାହିଁ। ଏହାର ଉତ୍ତରରେ ଟ୍ରମ୍ପ, ନା, ସେମାନେ (ପାଲେଷ୍ଟାଇନବାସୀ) ଫେରିବାର ଅଧିକାର ପାଇବେ ନାହିଁ ବୋଲି କହିଥିଲେ।
ଏହି ଯୋଜନା ପାଇଁ ଟ୍ରମ୍ପ ଆମେରିକାର ସହଯୋଗୀ ରାଷ୍ଟ୍ର ଜୋର୍ଡାନ ଏବଂ ଇଜିପ୍ଟ ଉପରେ ପାଲେଷ୍ଟାଇନବାସୀଙ୍କୁ ନିଜ ଦେଶରେ ସ୍ଥାନ ଦେବାକୁ ଚାପ ପାକଉଛନ୍ତି। ତେବେ ଗାଜାରେ ରହୁଥିବା ପାଲେଷ୍ଟାଇନୀୟମାନଙ୍କ ପାଇଁ ସେ ଏକ ନିରାପଦ ସ୍ଥାନ ସୃଷ୍ଟି କରିବେ ବୋଲି ଟ୍ରମ୍ପ କହିଛନ୍ତି। ଯାହା ବର୍ତ୍ତମାନର ଗାଜାଠୁ ଟିକିଏ ଦୂରରେ ଅବସ୍ଥିତ ହେବ। ପାଲେଷ୍ଟେନୀମାନେ ଏହି ସ୍ଥାନରେ ରହିବାପରେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ଯାହାଦ୍ୱାରା ସେମାନଙ୍କୁ କୈଣସି ବିପଦ ରହିବ ନାହିଁ। ଭବିଷ୍ୟତରେ ଏହା ବହୁତ ସୁନ୍ଦର ପ୍ରକଳ୍ପ ହେବାକୁ ଯାଉଛି ଏବଂ ଏଥିରେ ଅଧିକ ଟଙ୍କା ଖର୍ଚ୍ଚ ହେବ ନାହିଁ ବୋଲି ଆମେରିକା ଘୋଷଣା କରିଛି|