ନୂଆଦିଲ୍ଲୀ,୧୪/୦୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେସାକୁ ତେସା ଆମଦାନୀ ଶୁଳ୍କ (ଟାରିଫ୍) ନୀତି ଘୋଷଣା କରିଛନ୍ତି । ଅର୍ଥାତ୍ ଆମେରିକା ଉତ୍ପାଦ ଉପରେ ଯେଉଁ ଦେଶ ଯେତିକି ହାରରେ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି, ସେହି ଦେଶ ସାମଗ୍ରୀ ଉପରେ ଆମେରିକା ବି ଅନୁରୂପ ହାରରେ ଆମଦାନୀ ଶୁଳ୍କ ଲାଗୁ କରିବ ।
ଭାରତରୁ ଆମେରିକାକୁ ରତ୍ପାନି ହେଉଥିବା ବିଭିନ୍ନ ସାମଗ୍ରୀ ଉପରେ ବି ଅନୁରୂପ ଆମଦାନୀ ଶୁଳ୍କ ଲାଗୁ ହେବ । ଟ୍ରମ୍ପ୍ କହିଛନ୍ତି ଆମର ଅନେକ ସହଯୋଗୀ ଶତ୍ରୁଠାରୁ ମଧ୍ୟ ଭୟଙ୍କର । ଅନ୍ୟ ସମସ୍ତ ଦେଶ ତୁଳନାରେ ଭାରତର ଆମଦାନୀ ଶୁଳ୍କ ଅଧିକ । ଏଣୁ ଟାରିଫ୍ ନୀତିରେ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ । ଆମେରିକାର ଅଟୋମୋବାଇଲ ହାର୍ଲେ ଡ୍ୟାଭିଡ୍ସନ୍ ମୋଟର ସାଇକେଲ କିମ୍ବା କାର୍ ଉପରେ ଭାରତ ୧୦୦% ଅଧିକ ଆମଦାନୀ ଶୁଳ୍କ ଆଦାୟ କରୁଛି । ଭାରତର ଅଟୋମୋବାଇଲ୍ ରତ୍ପାନି ଉପରେ ବି ସେହି ହାରରେ ଆମଦାନୀ ଶୁଳ୍କ କଷିବ ଆମେରିକା ।
ଆମେରିକାର ଯେସାକୁ ତେସା ଶୁଳ୍କ ନୀତିରୁ ବଞ୍ଚିବା ପାଇଁ ଭାରତ ୩୦ ଆମେରିକୀୟ ଉତ୍ପାଦରେ ଟାରିଫ୍ କମାଇବାକୁ ବିଚାର କରୁଛି । ସେଠାରୁ ଆସୁଥିବା ଇଭି, ପ୍ରିମିୟମ୍ କାର୍, ମୋଟରସାଇକେଲ, ୱାଇନ୍, ହ୍ୱିସ୍କି ଆଦି ଉପରୁ ଶୁଳ୍କ କମିପାରେ ବୋଲି ଅନୁମାନ କରାଯାଉଛି । ଏସବୁ ସାମଗ୍ରୀ ଉପରେ ଭାରତ ୧୦୦ରୁ ୧୫୦% ପର୍ଯ୍ୟନ୍ତ ଶୁଳ୍କ ଲଗାଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯେଉଁ ରାଷ୍ଟ୍ର ଯେତିକି ଟାରିଫ୍ ଲଦିବେ ଆମେରିକା ବି ସମାନ ମାତ୍ରାରେ ଶୁଳ୍କ କଷିବ । ତେଣୁ ଟ୍ରମ୍ପଙ୍କ ପାଲଟା ଟାରିଫ୍ ବାଣରୁ ମୁକୁଳିବା ପାଇଁ ଭାରତ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ସେତିକି ନୁହେଁ, ଆମେରିକାରୁ ପ୍ରତିରକ୍ଷା ଏବଂ ଶକ୍ତି ଉତ୍ପାଦ ଆମଦାନୀକୁ ବଢ଼ାଇବା ପାଇଁ ବି ବିଚାର କରାଯାଉଛି ।
ଆମେରିକା ସହ ବାଣିଜ୍ୟିକ ସମ୍ପର୍କକୁ ଭାରତ ଖରାପ କରିବାକୁ ଚାହେଁନାହିଁ । ବଜେଟରେ ସରକାର ଇଲେକ୍ଟ୍ରୋନିକ୍ସ, ବୟନ ସାମଗ୍ରୀ ଏବଂ ପ୍ରିମିୟମ ମୋଟର୍ସାଇକେଲ ଭଳି କେତେକ ସାମଗ୍ରୀ ଉପରୁ ଆମଦାନୀ ଶୁଳ୍କ କମାଇଛନ୍ତି । ଏହା ମଧ୍ୟ ଆମେରିକାକୁ ଖୁସି କରିବା ପାଇଁ ଏକ ଉଦ୍ୟମ ବୋଲି କୁହାଯାଇପାରିବ ।
ବର୍ତ୍ତମାନ ଭାରତ ସରକାର ବିଳାସପୂର୍ଣ୍ଣ କାର, ସୋଲାର ସେଲ୍ ଏବଂ କେମିକାଲ ଆଦି ଉପରେ ଅତିରିକ୍ତ ଟାରିଫ୍ କମାଇବା ପାଇଁ ବିଚାର କରୁଛନ୍ତି । ଆଶଙ୍କା କରାଯାଉଛି ଯେ, ଯଦି ଭାରତ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ନ କମାଏ ତେବେ ଆମେରିକା ଭାରତୀୟ ରପ୍ତାନି ଉପରେ ସମାନ ମାତ୍ରାରେ ଶୁଳ୍କ ଲଦିବ ।
ପୂର୍ବରୁ ହିଁ ଟ୍ରମ୍ପ ଭାରତର ବାଣିଜ୍ୟ ନୀତିର ସମାଲୋଚନା କରିଆସିଛନ୍ତି । ଆମେରିକୀୟ ରପ୍ତାନିକୁ ଯେପରି ସକାରାତ୍ମକ ପ୍ରତିକ୍ରିୟା ମିଳିବ ସେଥିପାଇଁ ‘ରେସିପ୍ରୋକାଲ ଟାରିଫ୍’କୁ ସେ ଜୋର ଦେଇ ଆସିଛନ୍ତି ।
ରିପୋର୍ଟ ଅନୁସାରେ, ଆମେରିକାରୁ ଭାରତ ଆସୁଥିବା ୮୦%ରୁ ଊଦ୍ଧ୍ୱର୍ ସାମଗ୍ରୀରେ ୨୦%ରୁ କମ୍ ଟାରିଫ୍ ଲାଗୁଥିବା ବେଳେ ୨୦ଟି ସାମଗ୍ରୀରେ ୧୦୦%ରୁ ଅଧିକ ଟାରିଫ୍ ଲାଗୁଛି । ଏଲନ୍ ମସ୍କଙ୍କ ଟେସ୍ଲା ମଧ୍ୟ ଏହି ଉଚ୍ଚ ଟାରିଫ୍ ଯୋଗୁ ଭାରତକୁ ଆସିପାରିନାହିଁ । ଆମେରିକାରୁ ଆସୁଥିବା ପ୍ରିମିୟମ କାର ଏବଂ ମୋଟର୍ସାଇକେଲ ଉପରେ ତଗ୍ଡା ଶୁଳ୍କ ଲଗାଉଛି ଭାରତ । ପୂର୍ବ କାର୍ଯ୍ୟକାଳରେ ହାର୍ଲେ-ଡେଭିଡ୍ସନ୍ ମୋଟରସାଇକେଲ ଉପରେ ଲାଗୁଥିବା ମୋଟା ଟାରିଫକୁ ସମାଲୋଚନା କରିଥିଲେ ଟ୍ରମ୍ପ ।
ଆମେରିକାରୁ ଆସୁଥିବା ଇଭିଗୁଡ଼ିକ ଉପରେ ଭାରତ ୧୨୫% ଶୁଳ୍କ ଲଗାଉଛି । ସେଠାରୁ ଆସୁଥିବା ୱାଇନ୍, ହ୍ୱିସ୍କି, ରମ୍ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ଉପରେ ୧୫୦%ର ସର୍ବୋଚ୍ଚ ଟାରିଫ୍ ଲାଗୁଛି । ଆଉ ୪୨ଟି ସାମଗ୍ରୀ ଉପରେ ୬୦ରୁ ୧୦୦% ଟାରିଫ୍ ଲାଗୁଥିବାବେଳେ ୧.୯% ଉତ୍ପାଦରେ ୩୦ରୁ୬୦% ଶୁଳ୍କ ଲାଗୁ ହେଉଛି ।
ମୂଲ୍ୟ ହିସାବରେ ଏସବୁ ବର୍ଗରେ ୨୦୨୩-୨୪ରେ ଭାରତକୁ ଆସିଥିବା ମୋଟ ସାମଗ୍ରୀ ମୂଲ୍ୟର ମାତ୍ର ୦.୪% । ତେବେ ଅନୁମାନ କରାଯାଉଛି ଭାରତ ଏହି ବର୍ଗଗୁଡ଼ିକରେ ଟାରିଫ୍ କମାଇପାରେ । ଭାରତକୁ ଆସିଥିବା ୪,୦୦୦ କୋଟି ଡଲାର ମୂଲ୍ୟର ଆମଦାନୀରେ ୮୧.୮% ଏଭଳି ବର୍ଗରେ ଅଛି, ଯେଉଁଗୁଡ଼ିକ ଉପରେ ୧୦% କିମ୍ବା ଏହାଠାରୁ କମ୍ ଟାରିଫ୍ ଲାଗୁଛି । ୧୫% ଏଭଳି ବର୍ଗରେ ରହିଛି, ଯେଉଁଥିରେ ୧୦ରୁ୨୦% ଟାରିଫ୍ ବସୁଛି ।
ଭାରତର ପ୍ରମୁଖ ରପ୍ତାନି ବଜାର ହେଉଛି ଆମେରିକା । ଦେଶର ମୋଟ ରପ୍ତାନିରେ ଏହାର ଭାଗ ୧୮%, ଯାହାକି ୨୦୨୩-୨୪ରେ ଭାରତର ଜିଡିପିର ୨.୨% ଥିଲା । ଆମେରିକା ସହ ଭାରତର ବାଣିଜ୍ୟ ବଳକା ବଢୁଛି । ଏହା ୨୦୨୪ରେ ପ୍ରାୟ ୩,୮୦୦ କୋଟି ଡଲାରରେ ପହଞ୍ଚିଛି । ଆମେରିକାର ପାଲଟା ଟାରିଫ୍କୁ ଏଡାଇବା ପାଇଁ ଭାରତ ଏହା ସହ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି କରିପାରେ ବୋଲି ଅନୁମାନ କରାଯାଉଛି । ଏହାସହିତ ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ସହ ଭାରତରେ ଆମେରିକୀୟ ଯୋଗାଣ ଶୃଙ୍ଖଳଗୁଡ଼ିକୁ ନିଜ ନିଜ ଅପରେଶନ୍ ଆରମ୍ଭ କରିବା ପାଇଁ ଭାରତ ପ୍ରୋତ୍ସାହିତ କରୁଛି ।
ଆମେରିକାକୁ କ’ଣ ରପ୍ତାନି ହୋଇଥାଏ
ଆମେରିକାକୁ ଭାରତ ଇଲେକ୍ଟ୍ରିକାଲ, ଶିଳ୍ପ ଯନ୍ତ୍ରାଂଶ, ଗହଣା ଏବଂ ରତ୍ନପଥର, ଫାର୍ମା, ଇନ୍ଧନ, ଲୁହା ଏବଂ ଇସ୍ପାତ, ବୟନ ସାମଗ୍ରୀ, ଯାନ ଏବଂ କେମିକାଲ ଆଦି ରପ୍ତାନି କରିଥାଏ ।