ଭୁବନେଶ୍ୱର, ୨୦/୦୨: ଯୋଡ଼ା ସହର ଭିତର ଦେଇ ଯାଇଥିବା ଫ୍ଲାଏ ଓଭର ଉପରେ ଭୟଙ୍କର ଦୁର୍ଘଟଣା । ବିଳମ୍ୱିତ ରାତିରେ ଟ୍ରଲରକୁ ଧକ୍କା ଦେଲା ହାଇୱା । କ୍ୟାବିନ୍ ଭିତରେ ଚାପି ହୋଇ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ହାଇୱା ଡ୍ରାଇଭରଙ୍କ ପରିଚୟ ମିଳପାରିନାହିଁ । ଦୁର୍ଘଟଣା ପରେ ଫ୍ଲାଏ ଓଭର ଉପରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି । ଘଟଣା ସ୍ଥଳରେ ଯୋଡ଼ା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ଭିତର ଦେଇ ଯାଇଥିବା ଫ୍ଲାଏ ଓଭର ଉପରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଫ୍ଲାଏ ଓଭର ଉପରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଘରୋଇ ଖଣି କମ୍ପାନୀର ହୋଲ୍ ପ୍ୟାକ୍ ଡାଲାକୁ ଏକ ଟ୍ରଲରରେ ଲୋଡ୍ କରି ନିଆଯାଉଥିଲା । ତେବେ ହୋଲ୍ ପ୍ୟାକ୍ ଡାଲା ଅଧିକ ଓସାରିଆ ଥିବାରୁ କିଛି ଅଂଶ ଟ୍ରଲରର ବାହାରକୁ ବାହାରି ରହିଥିଲା । ଏହି ସମୟରେ ଏକ ଆଇରନ୍ ଓର୍ ବୋଝେଇ ହାଇୱା ସାମ୍ନାପଟୁ ଦ୍ରୁତ ଗତିରେ ଆସି ଟ୍ରଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲାକୁ ଜୋରଦାର ଟକ୍କର ମାରି ଆଉ ଏକ ହାଇୱା ସହିତ ଧକ୍କା ହୋଇଥିଲା । ଫଳରେ ଗାଡ଼ି ଭିତରେ ଚାପି ହୋଇ ହାଇୱା ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ । ଦୁର୍ଘଟଣା ଘଟିବା ଫଳରେ ଭିଷଣ ଶବ୍ଦ ହୋଇଥିା ଏବଂ ସ୍ଥାନୀୟଲୋକେ ଏହି ଶବ୍ଦ ଶୁଣି ଦୌଡ଼ି ଆସିଥିଲେ । ଦୁର୍ଘଟଣା ଘଟିଥିବାର ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଯୋଡ଼ା ପୋଲିସ୍ ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହେଲେ ଏହାରି ଭିତରେ ଟ୍ରଲର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ କାଟି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ରାତିରେ ଟ୍ରଲରରେ ଲୋଡ୍ ହୋଇଥିବା ହୋଲ୍ ପ୍ୟାକ୍ ଡାଲା ବାହାରକୁ ବାହାରି ରହିଥିବା ଦେଖି ନ ପାରିବାରୁ ହାଇୱାଟି ଧକ୍କା ଦେଇଥିବା ଅନୁମାନ କରାଯାଉଛି । ଯୋଡ଼ା ପୋଲିସ୍ ଗାଡ଼ି ଗୁଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।