କୋଣାର୍କ,୨୮/୦୪: କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ପୀଠକୁ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛି । ଏନେଇ ସୋମବାର ପୂର୍ବାହ୍ନରେ ଚନ୍ଦ୍ରଭାଗା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ। ଏଥି ସହିତ କୋଣାର୍କ ଯାତ୍ରୀ ନିବାସ, ଗୀତାଞ୍ଜଳି ରେଷ୍ଟୁରାଣ୍ଟ ଓ ଚନ୍ଦ୍ରଭାଗା ଉଡେନ୍ ରେଷ୍ଟୁରାଣ୍ଟର ପୁନରୁଦ୍ଧାର କରାଯିବ। ଚନ୍ଦ୍ରଭାଗା ସମୁଦ୍ର କୂଳରେ ଥିବା ପ୍ରାୟ ୭୦ ଗୋଟି ଅସ୍ଥାୟୀ ହସ୍ତଶିଳ୍ପ ବ୍ୟବସାୟ ଦୋକାନ ଓ ୨୪ଟି ସ୍ଥାୟୀ ଦୋକାନ ଗୁଡିକୁ ଉଚ୍ଛେଦ କରାଯିବ। ଉଚ୍ଛେଦ ବ୍ୟବସାୟୀଙ୍କୁ ମେଳା ପଡିଆରେ ଥଇଥାନ କରାଯିବ। ଏଥି ନିମନ୍ତେ ମେଳା ପଡିଆରେ ଜୋରଦାର କାର୍ଯ୍ୟ ଚାଲିଛି।
ସେହିପରି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଜୟଦେବ ବାଟିକା ନିକଟରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହେବ । ଚନ୍ଦ୍ରଭାଗା ବେଳାଭୂମି ସୌନ୍ଦର୍ଯ୍ୟକରଣ ପାଇଁ ୪୬କୋଟି ବ୍ୟୟ ଅଟକଳ ରହିଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ମେରାଇନ ଥାନା ସମ୍ମୁଖ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ୍ ବେଞ୍ଚ, ଖେଳକୁଦ, ଲନ୍, ଛତା,ମୋଡୁଲାର ଶୌଚାଳୟ, ଲାଇଫ୍ ଗାର୍ଡ, ଆଲୋକ ବ୍ୟବସ୍ଥା ଆଦି ସୁବିଧା ଉପଲବ୍ଧ ହେବ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ମାଝୀ, ତହସିଲଦାର ଅନିଲ କୁମାର ମହାନ୍ତି, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।