ପୁରୀ,୨୮/୦୪: ବେଳାଭୂମିର ସୌନ୍ଦର୍ଯ୍ୟୀକରଣ ଓ ସୁରକ୍ଷା ପାଇଁ ଲାଗିଥିବା ଝାଉଁ ଗଛ ଏବେ ଅସାମାଜିକଙ୍କ କବ୍ଜାରେ । ଝାଉଁ ଗଛ ମୂଳେ ଦିନରେ ମଦ୍ୟପାନ ଓ ରାତିରେ ଅନୈତିକ କାର୍ଯ୍ୟ ଚାଲୁଛି । ଏମାନେ ପୁରୀ ବେଳାଭୂମିକୁ ବଦ୍ନାମ କରିବାରେ ବ୍ୟସ୍ତ । ଫଳରେ ବେଳାଭୂମିରେ ପଡ଼ୁଛି ନିରୋଧ, ଗଡ଼ୁଛି ମଦ ବୋତଲ । ଏଭଳି ସ୍ଥିତିରେ ସବୁ ଜାଣି ନିରବ ବସିଛି ପ୍ରଶାସନ । ଏଥିପାଇଁ ପର୍ଯ୍ୟଟକମାନେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି ।
ଅବଢ଼ା ଯୋଜନାରେ ଓବିସିସି ପକ୍ଷରୁ ବିଚ୍ ଫ୍ରଣ୍ଟ୍ ଡେଭଲପ୍ମେଣ୍ଟ୍ ପ୍ରୋଜେକ୍ଟରେ ବେଳାଭୂମିରେ ବୃକ୍ଷ ରୋପଣ କରାଯାଇଥିଲା । ଦିଗବାରେଣୀ ଛକଠାରୁ ବଳିଆପଣ୍ଡା ପର୍ଯ୍ୟନ୍ତ ବେଳାମାର୍ଗ ପାଶ୍ୱର୍ ବିସ୍ତୀର୍ଣ୍ଣ ବେଳାଭୂମିରେ କୋଟି କୋଟି ଟଙ୍କା ବ୍ୟୟ କରି ପ୍ରଶାସନ ପକ୍ଷରୁ ଏହି ଗଛ ଲଗାଯାଇଛି । ଏହାର ଲକ୍ଷ୍ୟ ଥିଲା ବେଳାଭୂମିର ସମ୍ମୁଖ ପାର୍ଶ୍ୱର ସୌନ୍ଦର୍ଯ୍ୟ ବୃଦ୍ଧି କରିବା । ପର୍ଯ୍ୟଟକମାନେ ବେଳାଭୂମିରେ ବସି ଗୋଟିଏ ପଟେ ସମୁଦ୍ରର ମନୋରମ ଦୃଶ୍ୟ ଓ ଅନ୍ୟପଟେ ଝାଉଁ ଗଛର ଲମ୍ବା ଜଙ୍ଗଲକୁ ଦେଖି ମନଭରି ଉପଭୋଗ କରିବେ । କିନ୍ତୁ ଏବେ ନିଶାଖୋର ଓ ପ୍ରେମୀ ଯୁଗଳ ଏହି ସୌନ୍ଦର୍ଯ୍ୟୀକରଣ ବେଶ୍ ଫାଇଦା ଉଠାଉଛନ୍ତି । ଏହି ଝାଉଁ ବଣକୁ ସୁରକ୍ଷା ପାଇଁ ବାଉଁଶ ବତାରେ ବାଡ଼ କରାଯାଇଛି । ୨ ପାର୍ଶ୍ୱରେ ବାଉଁଶ ବାଡ଼ ସାଙ୍ଗକୁ ଝଙ୍କାଳିଆ ଗଛ ଏକ ପ୍ରକାର ସୁଡ଼ଙ୍ଗ ଭଳି ଦେଖାଯାଉଛି । କେହି ଏହା ଭିତରେ ପଶିଗଲେ ବାହାରକୁ ଦେଖାଯିବା କଷ୍ଟକର । ଅସାମାଜିକମାନେ ସ୍ଥାନେ ସ୍ଥାନେ ଏହି ବାଡ଼କୁ ଭାଙ୍ଗି ଭିତରକୁ ରାସ୍ତା ତିଆରି କରିଛନ୍ତି । ଦିନରେ ଛାଇ ଦେଉଥିବା ଏହି ଝଙ୍କାଳିଆ ଝାଉଁ ଗଛ ମୂଳରେ ବସି ନିଶାଖୋରମାନେ ବିଭିନ୍ନ ପ୍ରକାର ନିଶା ସେବନ କରୁଛନ୍ତି । ରାତିର ଅନ୍ଧାରରେ ବି ଏଠାରେ ନିଶାଖୋର ଭିଡ଼ ଲଗାଉଛନ୍ତି । ଯଦି କେହି ଏମାନଙ୍କୁ ବିରୋଧ କରେ ତେବେ ଅନ୍ୟ ବାଟ ଦେଇ ଖସିଯିବାର ସୁବିଧା ମଧ୍ୟ ରହିଛି । ତେଣୁ ନିର୍ଭୟରେ ଦିନ ଓ ରାତି ନିଶାଖୋରମାନେ ଏହି ସ୍ଥାନକୁ ସୁରକ୍ଷିତ ଭାବି ନେଇଛନ୍ତି ।
ସେହିପରି ଏହି ଗଛମୂଳରେ ବେଳାଭୂମିରେ ଯୁବକଯୁବତୀମାନେ ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଏପରିକି ରାତିରେ ବେଳାଭୂମିରେ ଯୁବକ ଓ ଯୁବତୀମାନେ ଏହାର ଆଢ଼ୁଆଳରେ ମଦ୍ୟପାନ କରୁଛନ୍ତି । ନିଶାସକ୍ତ ଅବସ୍ଥାରେ ବେଳାଭୂମିରେ ବୋତଲ ଫିଙ୍ଗୁଛନ୍ତି ।
ଗତ ୨୦ ତାରିଖ ରାତିରେ ଲାଇଟ୍ ହାଉସ୍-ଷ୍ଟର୍ଲିଂ ବେଳାମାର୍ଗ ପାଶ୍ୱର୍ରେ ଏହି ଝଙ୍କାଳିଆ ଗଛ ମୂଳରେ ବସିଥିବା ୨ ଜଣ ଯୁବକ, ଯୁବତୀଙ୍କୁ କିଛି ଅସାମାଜିକ ଘେରିଥିଲେ । ସେମାନଙ୍କ ପଛରେ କୁକୁର ଲଗାଇ ଦେଇଥିବା ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଯୁବତୀଙ୍କୁ କୁକୁର କାମୁଡ଼ି ଦେଇଥିଲା । ଏହାପରେ ଏହି ଯୁବକ ଓ ଯୁବତୀଙ୍କ ସହ ଅସାମାଜିକଙ୍କ ଝଗଡ଼ା ହୋଇଥିଲା । କିଛି ପର୍ଯ୍ୟଟକଙ୍କ ହସ୍ତକ୍ଷେପ ପରେ ୨ ପକ୍ଷ ପୁଲିସ ଆସିବା ଭୟରେ ପଳାଇଥିଲେ । ଘଟଣାଟି ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
କେବଳ ଏହି ଝଙ୍କାଳିଆ ଝାଉଁ ଗଛ ନୁହେଁ । ବେଳାଭୂମି ଅସାମାଜିକଙ୍କ ପାଇଁ ଓପନ୍ ବାର୍ ପାଲଟିଛି । ନିଶାଖୋର ମଦ ବୋତଲ ଧରି ବୁଲୁଛନ୍ତି । ଶହ ଶହ ପର୍ଯ୍ୟଟକଙ୍କ ଉପସ୍ଥିତିରେ ନିଶା ସେବନ କରୁଛନ୍ତି । ସମସ୍ତଙ୍କ ସମ୍ମୁଖରେ ମଦ ବୋତଲ ଭାଙ୍ଗି ଫିଙ୍ଗୁଛନ୍ତି । ବେଳାଭୂମିରେ ମଦ ବୋତଲ କାଚରେ ଅନେକ ପର୍ଯ୍ୟଟକ ରକ୍ତାକ୍ତ ହେଉଛନ୍ତି । ପୁଲିସ ଏଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଅନୈତିକ ଏବଂ ଅସାମାଜିକଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ବେଳାଭୂମି ପରିବେଶ ନଷ୍ଟ ହେଉଥିବା ନେଇ କେତେକ ପର୍ଯ୍ୟଟକ ଅଭିଯୋଗ କରୁଛନ୍ତି ।
ଏ ସମ୍ପର୍କରେ ପଶ୍ଚିମବଙ୍ଗର ପୃଥ୍ୱୀରାଜ୍ ଚାଟାର୍ଜୀ କହିଛନ୍ତି ବେଳାଭୂମିରେ ବୁଲୁଥିବା ବେଳେ ଭଙ୍ଗା ମଦ କାଚରେ ମୋ ଝିଅର ଗୋଡ଼ କଟିଗଲା । ସମ୍ବଲପୁରର ପ୍ରତୀକ ପ୍ରୀତମ୍ ପାଣି କହିଛନ୍ତି, ଏହି ଗଛଗୁଡ଼ିକ ଅତି ସୁନ୍ଦର ଦିଶୁଛି । କିନ୍ତୁ ଏହା ମୂଳରେ ପର୍ଯ୍ୟଟକମାନେ ପରିସ୍ରା କରୁଛନ୍ତି । ଏପରିକି ଏଠାରେ ଆପତ୍ତିଜନକ ସାମଗ୍ରୀ ପଡ଼ିଥିବା ଦେଖିବାକୁ ମିଳିଛି । ଏନେଇ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର କହିଛନ୍ତି ଏତେ ବଡ଼ ବେଳାଭୂମିରେ ନଜର ରଖିବା ଯଦିଓ କଷ୍ଟକର ତଥାପି ଏହାକୁ ନିୟନ୍ତ୍ରଣ କରିବାକୁ ନିୟମିତ ପାଟ୍ରୋଲିଂ କରାଯିବ ।