ପୁରୀ, ୨୨।୪ : ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ନାବାଳକ ଆର୍ଶୀବାଦର ସାହୁଙ୍କ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କଲା ପୁଲିସ । ୧୧ ବର୍ଷର ନାବାଳକ ଆଶୀର୍ବାଦ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ ପରେ ଶ୍ୱାସରୁଦ୍ଧ କରି ମାରିଦେଲା ପଡ଼ୋଶୀ ପ୍ରଭାକର ସାହୁ ଓରଫ ବାପି(୩୮) । ଅପ୍ରାକୃତିକ ଯୌନ ସମ୍ପର୍କ ଧରାପଡ଼ିଯିବା ଭୟରେ ସେ ରଚିଥିଲା ଏହି ଭୟାନକ ହତ୍ୟାକାଣ୍ଡ । ହତ୍ୟା ପରେ ନିଖୋଜର ରୂପ ଦେବାକୁ ପାଇଖାନା ଟାଙ୍କିରେ ମୃତଦେହ ଲୁଚାଇ ଶ୍ୱଶୁର ଘର ପଳାଇଥିଲା । ଧରାପଡ଼ିବା ପରେ ସବୁ ସତ ମାନିଛି । ମୃତ ନାବାଳକଙ୍କ ଦାଦା ସୋମନାଥ ସାହୁଙ୍କ ଏତଲା କ୍ରମେ ନିଖୋଜ ମାମଲା ହତ୍ୟାକୁ ପରିବର୍ତ୍ତନ କରିଛି । ୮ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ମଙ୍ଗଳବାର ଜେଲ୍ ପଠାଇ ଦିଆଯାଇଛି । ଏନେଇ ଏସ୍ପି ବିନୀତ ଅଗ୍ରୱାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ ହତ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି ।
ସେପଟେ ଗ୍ରାମବାସୀଙ୍କ ବିରୋଧରେ ରାସ୍ତା ରୋକ ମାମଲା ରୁଜୁ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସ ସୂଚନା ମୁତାବକ, ଗତ ୧୫ ତାରିଖ ସନ୍ଧ୍ୟା ୬ଟା ୪୫ରେ ଘରେ ଏକାକୀ ଥିବା ଆଶୀର୍ବାଦଙ୍କୁ ଡାକି ନେଇଥିଲା ବାପି । ଘର ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ମୋବାଇଲ୍ ଯୋଗେ ଆଶୀର୍ବାଦଙ୍କୁ କିଛି ଭିଡିଓ ଦେଖାଇଥିଲା । ଗରମ ହେଉଥିବା କାରଣରୁ ନାବାଳକ ଜଣକ ତାଙ୍କ ସାର୍ଟ ଖୋଲି ଦେଇଥିଲେ । ଏହି ସମୟରେ ଆଶୀର୍ବାଦଙ୍କୁ ମୃଦ୍ୟୁ ପାନୀୟ ପିଇବାକୁ ଦେଇ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିବାକୁ କହିଥିଲା ବାପି । ନାବାଳକ ଅରାଜି ହେବାରୁ ବାପି ତାଙ୍କୁ ୪ଟି କ୍ରିକେଟ୍ ବଲ୍ କିଣିବା ପାଇଁ ୧୦୦ ଟଙ୍କା ଦେବ ବୋଲି ପ୍ରଲୋଭନ ଦେଖାଇଥିଲା । ଏହି ଲୋଭରେ ବାପି କଥାରେ ରାଜି ହୋଇଥିଲେ ନାବାଳକ ଆଶୀର୍ବାଦ । ଏହା ବଦଳରେ ନାବାଳକ ସହ ବାପି ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନ କରିଥିଲା । ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ନାବାଳକକୁ ନପାଇ ମା’ ଓ ଦାଦା ଖୋଜାଖୋଜି କରିଥିଲେ । ଦାଦା ସୋମନାଥ ଜୋର୍ରେ ଆଶୀର୍ବାଦଙ୍କୁ ଡାକିଥିଲେ । ଏହା ଶୁଣି ଘରକୁ ଫେରିବାକୁ ପ୍ରସ୍ତୁତ ହେଉଥିବା ଆଶୀର୍ବାଦ ଅଭିଯୁକ୍ତ ବାପିକୁ ୧୦୦ ଟଙ୍କା ମାଗିଥିଲେ । କିନ୍ତୁ ବାପି ଟଙ୍କା ଦେବାକୁ ମନା କରିଥିଲା । ଟଙ୍କା ନଦେଲେ ଏହି କାରନାମା ସମ୍ପର୍କରେ ଘର ଲୋକଙ୍କ ସହ ଗାଁରେ ସମସ୍ତଙ୍କୁ କହି ଦେବି ବୋଲି ବାପିକୁ ଚେତାବନୀ ଦେଇଥିଲେ ଆଶୀର୍ବାଦ । ଏହାପରେ ଭୟଭୀତ ହୋଇଯାଇଥିଲା ବାପି ।
ଆଶୀର୍ବାଦଙ୍କ ଦେହରେ ଥିବା ଗଞ୍ଜିକୁ ଟାଣି ତାଙ୍କ ମୁହଁରେ ଗୁଡ଼ାଇ ଶ୍ୱାସରୁଦ୍ଧ କରି ଦେଇଥିଲା । ଛଟପଟ ହୋଇଥିଲେ ଆଶୀର୍ବାଦ ଚିତ୍କାର କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପାଟି ଓ ନାକ ବୁଜି ଦେଇଥିବା କାରଣରୁ ଶବ୍ଦ ବାହାରକୁ ଆସିନଥିଲା । କିଛି ସମୟ ପରେ ନିସ୍ତେଜ ହୋଇ ଯାଇଥିଲେ ଆଶୀର୍ବାଦ । ନିସ୍ତେଜ ଶରୀରକୁ ଉଲଗ୍ନ ଅବସ୍ଥାରେ କ୍ରାଇମ୍ ସ୍ପଟ୍ ନିକଟରେ ଥିବା ପଡ଼ୋଶୀ କେଳୁ ଚରଣ ସାହୁଙ୍କ ଘର ପଛପଟରେ ଥିବା ପାଇଖାନା ଟାଙ୍କିରେ ଫିଙ୍ଗି ଦେଇଥିଲା । ମୃତକଙ୍କ ପିନ୍ଧା ପୋଷାକ ଅନ୍ୟ ଏକ ଟାଙ୍କିରେ ପକାଇ ଗାଁ ଛାଡ଼ି ଦେଇଥିଲା । ପୁଲିସ ତଦନ୍ତ ଆରମ୍ଭ କରିବା ବେଳେ ସନ୍ଦେହ ଘେରକୁ ଆସିଥିଲା ବାପି । ଆଶୀର୍ବାଦ ସହ ବାପି କଥା ହେଉଥିବା ଗାଁର କିଛି ପିଲା ଦେଖିଥିଲେ । ପୁଲିସ ତାକୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଚାନ୍ଦପୁର ପାଖ ବଡ଼ପାରି ଗ୍ରାମସ୍ଥିତ ଶ୍ୱଶୁର ଘରୁ ଗିରଫ କରିଥିଲା । ଗତ ୨୧ ତାରିଖରେ ପୁଲିସ ଅଧିକ ପଚରାଉଚରା କରି ହତ୍ୟା ପଛର ରହସ୍ୟ ଉନ୍ମୋଚନ କରିଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ଅଗ୍ରୱାଲ୍ଙ୍କ ସହ ଅତିରିକ୍ତ ଏସ୍ପି ସୁଶୀଲ ମିଶ୍ର, ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ଉପସ୍ଥିତ ଥିଲେ ।