ଭୁବନେଶ୍ୱର, ୨୧/୦୪: ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ । ନିଖୋଜ ହେବାର ୭ ଦିନ ପରେ ଗାଁର ଜୈନିକ ବ୍ୟକ୍ତିଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କଲା ପୋଲିସ । ଡେଲାଙ୍ଗ ରତନ ପୁର ଗାଁର ନିଖୋଜ ନାବାଳକ ଆଶୀର୍ବାଦଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ନଗ୍ନ ଓ ଅତି ମୁର୍ମୂଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଶେଷରେ ପାଇଖାନା ଟାଙ୍କିରୁ ମିଳିଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସେପଟେ ସମ୍ପର୍କୀୟ ଦାଦାଙ୍କ ଉପରେ ସନ୍ଦେହ ସୃଷ୍ଟି ହେବା ପରେ ପୋଲିସ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପଚରାଉଚରା ପରେ ଅଭିଯୁକ୍ତ ସବୁ ସତ କଥା ପୁଲିସ ଆଗରେ ମାନିଯାଇଥିବା ସୂଚନା ମିଳିଛି । ଏହା ପରେ ଉତ୍ୟକ୍ତ ହୋଇ ସମ୍ପୃକ୍ତ ଅଭିଯୁକ୍ତର ଘର ଭାଙ୍ଗି ଦେଇଛନ୍ତି ଗ୍ରାମବାସୀ ।
ସୂଚନା ମୁତାବକ, ଗତ ୧୫ ତାରିଖରେ ମାନସ ସାହୁଙ୍କ ଏକମାତ୍ର ପୁଅ ଆଶୀର୍ବାଦ ସନ୍ଧ୍ୟାରୁ କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ ବାପା ଡେଲାଙ୍ଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ନିଖୋଜ ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି । ଏନେଇ ଗ୍ରାମବାସୀ ଓ ଅଂଚଳବାସୀ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । କୌଣସି ସୁଫଳ ନମିଳିବାରୁ ରବିବାର ରାଜରାସ୍ତା ଅବରୋଧ କରିଥିଲେ। ସିପିଆଇଏମଏଲ ନେତା ଅଶୋକ ପ୍ରଧାନଙ୍କ ନେତତ୍ୱରେ ଶତାଧିକ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଡେଲାଙ୍ଗ - ପଟ୍ଟନାୟିକିଆ ରାସ୍ତାର ହାଟ ଡେଲାଙ୍ଗ ଠାରେ ରାସ୍ତାରେ ଟାୟାର ଜାଳି ଉତ୍ତ୍ୟକ୍ତ ଲୋକେ ପୂର୍ବାହ୍ନ ୧୦ଟାରୁ ରାସ୍ତା ଅବରୋଧ କରିଥିଲେ ।
ଅନ୍ୟପଟେ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ ପ୍ରମୁଖ ନାବାଳକର ପରିବାରକୁ ଭେଟିବା ସହିତ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ପାଇଁ ଦାବି କରିଥିଲେ । ଖବର ପାଇ ପୁରୀ ଅତିରିକ୍ତ ଏସ୍ପି ବିଷ୍ଣୁ ପ୍ରସାଦ ପତି , ପିପିଲି ଏସ୍ଡିପିଓ ଦେବାଶିଷ୍ ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଆଶ୍ୱାସନା ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଅପରାହ୍ନ ୩ଟାରେ ରାସ୍ତା ରୋକରୁ ଓହରିଥିଲେ ।
ଏହା ପରେ ମଧ୍ୟ ଖାଜୋଖାଜି ଜାରି ରଖିଥିଲା ପୋଲିସ । ଶେଷରେ ସୋମବାର ଦିନ ଗାଁର ଜୈନିକ ବ୍ୟକ୍ତିଙ୍କ ପାଇଖାନା ଟାଙ୍କିରୁ ଆଶୀର୍ବାଦଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ନଗ୍ନ ଓ ଅତି ମୁର୍ମୂଷ ଅବସ୍ଥାରେ ଆଶୀର୍ବାଦର ମୃତଦେହ ଶେଷରେ ପାଇଖାନା ଟାଙ୍କିରୁ ମିଳିଛି । ତାଙ୍କୁ କେହି ହତ୍ୟା କରିବା ପରେ ପାଇଖାନା ଟାଙ୍କିରେ ମୃତଦେହ ଲୁଚାଇବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।