କୋଣାର୍କ,୨୦।୪(ଆପ୍ର) କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ରାଜ୍ୟସ୍ତରୀୟ କୋଣାର୍କ କପ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। କାକଟପୁର ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ।
ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ଭୁବନେଶ୍ଵର ମୁକ୍ତେଶ୍ଵର କ୍ରିକେଟ କ୍ଲବ ସହିତ ପୁରୀ ମହାବୀର ସ୍ପୋଟିଙ୍ଗ ମଧ୍ୟରେ ୧୮ଓଭର ଖେଳାଯାଇଥିଲା। ଭୁବନେଶ୍ୱର ମୁକ୍ତେଶ୍ଵର କ୍ରିକେଟ କ୍ଳବକୁ ହରାଇ ପୁରୀ ମହାବୀର ସ୍ପୋଟିଂ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ପ୍ରଥମେ ବ୍ୟାଟିଂ କରି ମୁକ୍ତେଶ୍ଵର ୭ ୱିକେଟରେ ୧୪୭ ରନ ସଂଗ୍ରହ କରିଥିଲେ। ମୁକ୍ତେଶ୍ଵର ଦଳର ଶ୍ରେୟାଂସୁ କୁମାର ପଟ୍ଟନାୟକ ସର୍ବାଧିକ ୬୯ ରନ ସଂଗ୍ରହ କରିଥିଲେ। ମହାବୀର ସ୍ପୋର୍ଟିଂର ପଦ୍ମଲୋଚନ ପଣ୍ଡା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ। ଜବାବରେ ମହାବୀର ସ୍ପୋର୍ଟିଂ ୭ ୱିକେଟ ହରାଇ ୧୭ ଓଭର ୧ ବଲ ଖେଳି ବିଜୟ ଲକ୍ଷ୍ୟ ହାସଲ କରିଥିଲେ ।
ଅଜୟ ମାଝୀ ସର୍ବାଧିକ ୩୮ ରନ , ଚନ୍ଦନ ଜେନା ୭ଟି ବଲରେ ଦ୍ରୁତ ଅପରାଜିତ ୨୫ ରନ କରି ମୁକ୍ତେଶ୍ଵର ଠାରୁ ମ୍ୟାଚ୍ ଛଡାଇ ନେଇଥିଲା । ଚନ୍ଦନ ଜେନା ମ୍ୟାନ ଅଫ୍ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ। ଓଡିଶା କ୍ରିକେଟ ଆସୋସିଏସନ ସ୍ବୀକୃତିପ୍ରାପ୍ତ ଅମ୍ପାୟାର ସତ୍ୟବ୍ରତ ମହାପାତ୍ର, ଅୟଶକାନ୍ତ ମିଶ୍ର ମ୍ୟାଚ ପରିଚାଳନା କରିଥିଲେ। ସୋମବାର ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ସହିତ ଭୁବନେଶ୍ବର ଭାରତ ଭୂଷଣ କ୍ରିକେଟ ଏକାଡେମୀ ମୁକାବିଲା ହେବ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆୟୁଷ ଡାକ୍ତର ବିଧୂଭୁଷଣ ନାୟକ, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ,ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପାରାଣୀ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ପୋର୍ଟସ ଏକାଡେମୀର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।