ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପିଲାମାନଙ୍କୁ ଭେଟିବାକୁ ଏହି ମହିଳା ଜଣଙ୍କ ପ୍ରତିଦିନ ଯାତ୍ରା କରନ୍ତି ୭୦୦ କିମି; ପୁରା ଘଟଣା ଜାଣି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...!

Published By : Bijay Swain | February 11, 2025 6:26 PM

Image courtesy: indiatoday

ନୂଆଦିଲ୍ଲୀ: ପ୍ରତିଦିନ ଅଗଣିତ ଲୋକ ସେମାନଙ୍କ କାର୍ଯ୍ୟାଳୟରେ ସମୟରେ ପହଞ୍ଚିବା ପାଇଁ ବାଇକ, କାର, ବସ, ଟ୍ରେନ ଭଳି ଅନେକ ମାଧ୍ୟମ ବ୍ୟବହାର କରିଥାନ୍ତି। ଏହା ଛଡା ନିଜ କାର୍ଯ୍ୟାଳୟକୁ ଯିବାପାଇଁ ଆଉ କ’ଣ ବା ମାଧ୍ୟମ ହୋଇପାରେ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ ଜଣେ ଭାରତୀୟ ମହିଳା ପ୍ରତିଦିନ ନିଜ କାର୍ଯ୍ୟାଳୟକୁ ଯିବାପାଇଁ ଉଡା ଯାହାଜର ବ୍ୟବହାର କରନ୍ତି। ତାହା ଫୁଣି ନିଜ ପିଲାମାନଙ୍କୁ ସମୟ ପ୍ରଦାନ କରିବାକୁ।

ଥରେ କି ଦୁଇଥର ନୁହେଁ ନିଜ କାର୍ଯ୍ୟକ୍ଷେତ୍ରରେ ପହଞ୍ଚିବା ପାଇଁ ପ୍ରତି ସପ୍ତାହରେ ପାଞ୍ଚଥର ବିମାନରେ ଯାତ୍ରା କରିଥାନ୍ତି ଏହି ମହିଳା ଜଣକ। ତେବେ ମହିଳା ଜଣକଙ୍କ ନାମ ରଶେଲ କୌର ହୋଇଥିବା ବେଳେ ସେ ମାଲେସିଆ ସ୍ଥିତ ଏୟାର ଏସିଆ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ସେ ଏୟାର ଏସିଆର ଫାଇନାନ୍ସ ଅପରେସନ ବିଭାଗରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି। ସେ ନିଜ ପିଲାମାନଙ୍କୁ ଉପଯୁକ୍ତ ସମୟ ଦେବା ପାଇଁ ପ୍ରତିଦିନ ବିମାନ ଯୋଗେ ଯାତ୍ରା କରୁଛନ୍ତି ବୋଲି ଏକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। 

ସୂଚନା ମୁତାବକ, ରଶେଲ ପ୍ରଥମେ ନିଜ ଅଫିସ ନିକଟରେ ତଥା ମାଲେସିଆର ରାଜଧାନୀ କୁଆଲା ଲମ୍ବପୁରରେ ରହୁଥିଲେ। କିନ୍ତୁ ତାଙ୍କ ପିଲାମାନେ ମାଲେସିଆର ପେଙ୍ଗାଙ୍ଗ ଅଞ୍ଚଳରେ ରହୁଥିବାରୁ ସେ ସପ୍ତାହରେ ମାତ୍ର ଥରେ ସେମାନଙ୍କୁ ଭେଟିପାରୁଥିଲେ। ତେଣୁ ସେ ନିଜ କାର୍ଯ୍ୟକ୍ଷେତ୍ର ସହ ନିଜ ପାରିବାରିକ ଜୀବନରେ ବାଲାନ୍ସ ରକ୍ଷା କରିପାରୁ ନଥିଲେ। ଏସବୁ ଭିତରେ ପିଲାମାନଙ୍କୁ ସମୟ ଦେବାପାଇଁ ସେ ଏକ ବଡ ନିଷ୍ପତ୍ତି ନେଇଥିଲେ। 

ତାଙ୍କର ଦୁଇଜଣ ସନ୍ତାନ ରହିଛନ୍ତି। ପୁଅର ବୟସ ୧୨ ବର୍ଷ ହୋଇଥିବା ବେଳେ ଝିଅକୁ ୧୧ ବର୍ଷ ବୟସ ହୋଇଛି। ସେ ନିଜ ପିଲାମାନଙ୍କୁ ସମୟ ଦେଇପାରୁ ନଥିବା ଯୋଗୁଁ ପ୍ରାୟ ସମୟ ମାନସିକ ଅବସାଦରେ ରହୁଥିଲେ। ତେବେ ୨୦୨୪ ବର୍ଷ ଆରମ୍ଭରେ ସେ ନିଜ ପିଲାମାନଙ୍କ ପାଖକୁ ସବୁଦିନ ପାଇଁ ଚାଲିଯାଇଥିଲେ। ସେ ସେଠାରୁ ବିମାନ ଯୋଗେ ପ୍ରତିଦିନ ନିଜ କାର୍ଯ୍ୟାଳୟକୁ ଯିବା ଆସିବା କରିବାକୁ ଆରମ୍ଭ କରିଦେଇଥିଲେ। 

ସେ ସବୁଦିନ ସକାଳ ୪ଟା ରେ ଉଠି ଅଫିସ ଯିବା ପାଇଁ ଘରୁ ୫ଟା ରେ ବାହାରିଯାନ୍ତି। ସେ କାର ଯୋଗେ ପେଙ୍ଗାଙ୍ଗ ଏୟାର ପୋର୍ଟରେ ପହଞ୍ଚି ୬ଟା ୩୦ ସୁଦ୍ଧା କୁଆଲା ଲମ୍ପୁରକୁ ଥିବା ବିମାନରେ ଯାତ୍ରା କରିଥାନ୍ତି। ସକାଳ ୭ଟା ୪୫ ସୁଦ୍ଧା ଅଫିସରେ ପହଞ୍ଚି ନିଜ କାମ ସାରି ରାତି ୮ଟା ସୁଦ୍ଧା ନିଜ ଘରକୁ ଫେରି ଆସନ୍ତି ବୋଲି ସେ ସୁଚନା ଦେଇଛନ୍ତି। ସୂଚନା ମୁତାବକ ସେ ସବୁଦିନ ପ୍ରାୟ ୭୦୦ କିମିରୁ ଅଧିକ ବାଟ ଯାତ୍ରା କରିବା ସହ ଏୟାରପୋର୍ଟର କଡା ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସାମ୍ନା କରିଥାନ୍ତି। 

ନିଜ ପିଲାମାନଙ୍କୁ ସମୟ ଦେବା ପାଇଁ ଜଣେ ମା’ଙ୍କ ଏପରି ଯାତ୍ରା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏକ ଗଣମାଧ୍ୟମ ସଂସ୍ଥା ମାଲେସିଆରେ ସବୁଠୁ ଅଧିକ ଯାତ୍ରା କରିଥିବା ବ୍ୟକ୍ତିଙ୍କୁ ସନ୍ଧାନ କରୁଥିବା ବେଳେ ଏହି ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.