ନୂଆଦିଲ୍ଲୀ: ଫ୍ରାନ୍ସରେ ଜଣେ ମହିଳା ଯିଏକି ବର୍ଷ ବର୍ଷ ଧରି ନିଜ ଘରେ ଗଣଦୁଷ୍କର୍ମର ଶିକାର ହେଉଥିଲେ, ତାଙ୍କୁ ନ୍ୟାୟ ମିଳିଛି। ଫ୍ରାନ୍ସ କୋର୍ଟ ମହିଳାଙ୍କ ସ୍ୱାମୀଙ୍କୁ ଗଣଦୁଷ୍କର୍ମରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଫ୍ରାନ୍ସର ଏବିଗ୍ରନ କୋର୍ଟରେ ପ୍ରଧାନ ବିଚାରପତି ରୋଜର ଆରଟା ମହିଳାଙ୍କ ସ୍ୱାମୀ ଡୋମିନିକ୍ ପେଲିକୋଟଙ୍କ ବିରୋଧରେ ରାୟ ଶୁଣାଇଛନ୍ତି । କୋର୍ଟ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
୭୧ ବର୍ଷିୟ ଜିସେଲେ ପେଲିକୋଟ ୨୦୨୦ ମସିହାରେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ତାଙ୍କ ସହ ଅନେକ ବର୍ଷ ଧରି ଲୁକାୟିତ ଭାବରେ ଅନ୍ୟ ଲୋକଙ୍କ ସହ ମିଶି ତାଙ୍କୁ ବଳାତ୍କାର କରୁଛନ୍ତି । ଅଭିଯୁକ୍ତ ସ୍ୱାମୀ ଜିସେଲଙ୍କୁ ଆନାସ୍ଥେସିଆ ଦେଇ ତାଙ୍କୁ ଶୁଆଇ ଦେଉଥିଲେ ଏବଂ ତା’ପରେ ଅନେକ ଲୋକଙ୍କ ସହ ମିଶି ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ। ଆଉ ଏହା ଜଣାପଡିବା ପରେ ଜିସେଲ ତାଙ୍କ ବିରୁଦ୍ଧରେ ହୋଇଥିବା ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ଏହା ପରେ ସ୍ୱାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ମାମଲା ଦାୟର କରାଯାଇଥିଲା। ଏହି ମାମଲାରେ ଅନ୍ୟ ୫୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। ଏହା ପରେ ବହୁ ସଂଖ୍ୟକ ଲୋକ ଜିସେଲଙ୍କ ସପକ୍ଷରେ ଆସିଥିଲେ।
କୋର୍ଟ ଶୁଣାଣି ସମୟରେ ମହିଳାଙ୍କ ସ୍ୱାମୀ ଡୋମିନିକ୍ ପେଲିକୋଟ ଏହି ଅପରାଧକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କୁ ନିଶା ସେବନ କରାଉଥିଲେ, ଏବଂ ବର୍ଷ ବର୍ଷ ଧରି ତାଙ୍କୁ ଚେତାଶୂନ୍ୟ କରିଦେଉଥିଲେ। ଏହା ପରେ ସେ ଏବଂ ଅନ୍ୟମାନେ ପତ୍ନୀଙ୍କୁ ବଳାତ୍କାର କରୁଥିଲେ ଏବଂ ଏହାର ଭିଡିଓ ମଧ୍ୟ କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ଓକିଲ ମାନେ ଡୋମିନିକଙ୍କୁ ଅତି କମରେ ୨୦ବର୍ଷ ଦଣ୍ଡିତ କରିବାକୁ ଦାବି କରିଥିଲେ। ଅନ୍ୟମାନଙ୍କୁ ୧୦ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇଛି । ପାଞ୍ଚଜଣ ବିଚାରପତିଙ୍କ ବେଞ୍ଚ ଏହି ରାୟ ଶୁଣାଇଛନ୍ତି ।