ପୃଥିବୀର ସବୁ ଦେଶରେ ଏବେ ଅଳ୍ପ ବହୁତ ସମୁଦାୟ ଜନନ କ୍ଷମତା ହାର ଭିନ୍ନ ଭିନ୍ନ ଭାବେ ନିମ୍ନଗାମୀ ହେବାରେ ଲାଗିଛି । ଏହା ହାରାହାରି ୧ରେ ପହଞ୍ଚିଗଲେ ପ୍ରତ୍ୟେକ ନୂତନ ପିଢ଼ିର ଜନସଂଖ୍ୟା ବିଗତ ପିଢ଼ିର ଅଧା ହେଇଯିବ । ଫଳରେ ସାମାଜିକ ତଥା ଅର୍ଥନୈତିକ ବ୍ୟବସ୍ଥା ଉପରେ ଏହାର ଘୋର କ୍ଷୟକାରୀ ପ୍ରଭାବ ପଡ଼ିବ।
ଏବେ ମଧ୍ୟ ସାମଗ୍ରିକ ଭାବେ ବିଶ୍ୱର ପରିବର୍ଦ୍ଧିତ ଜନଂଖ୍ୟାକୁ ଦାୟୀ କରାଯାଏ ଆମର ଅଧିକାଂଶ ସମସ୍ୟାକୁ ନେଇ, ତାହା ପରିବେଶ ଓ ପରିସଂସ୍ଥାର ବିପର୍ଯ୍ୟୟ ଠାରୁ ଆରମ୍ଭ କରି ଅପପୁଷ୍ଟି ଓ ଖାଦ୍ୟାଭାବ ତଥା ବ୍ୟାପକ ଜନସ୍ୱାସ୍ଥ୍ୟ ହାନି ଓ ଅପମୃତ୍ୟୁ ପର୍ଯ୍ୟନ୍ତ । କାରଣ, ବିଗତ ପ୍ରାୟ ଦୁଇ ଶତାବ୍ଦୀ ଧରି ଏହା ବଢ଼ିଚାଲିଛି ଅତି ଅସହନୀୟ ଭାବେ ଦ୍ରୁତ ଗତିରେ । ପରିଣାମ ସ୍ୱରୂପ, ପ୍ରାୟ ଶହେ ବର୍ଷ ମଧ୍ୟରେ ୪ଗୁଣ ବୃଦ୍ଧିପାଇ ଏହା ପ୍ରାୟ ୨ ବିଲିଅନ (ହଜାର ନିୟୁତ)ରୁ ଏବେ ୮ ବିଲିଅନ ଅତିକ୍ରମ କରି ଗଲାଣି । ତେବେ ବିଗତ କିଛି ବର୍ଷ ହେଲା ଏହି ଧାରା ବିପରୀତମୁଖୀ ହେବାର ଲକ୍ଷ୍ୟ କରାଯାଉଛି । ଏଣୁ ଆଗାମୀ ୩୦ରୁ ୫୦ବର୍ଷ ମଧ୍ୟରେ ତାହା ଆଉ ମାତ୍ର ୨ ବିଲିଅନ ବୃଦ୍ଧିପାଇ ପ୍ରାୟ ୧୦ ବିଲିଅନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ତତ୍ପରେ ଏହା ଅଧିକରୁ ଅଧିକ ମନ୍ଥର ମନ୍ଥର ହୋଇ କ୍ରମେ ବିଯୁକ୍ତାତ୍ମକ ହେବାକୁ ଲାଗିବ ଏବଂ ପ୍ରାୟ ୩୦୦ ବର୍ଷ ମଧ୍ୟରେ ବିଶ୍ୱର ସମୁଦାୟ ଜନସଂଖ୍ୟା ୨ ବିଲିଅନକୁ ଖସି ଆସିବ ବୋଲି ଆଶଙ୍କା ପ୍ରକଟ କରନ୍ତି ଟେକସାସ୍ ବିଶ୍ୱବିଦ୍ୟାଳୟର ଅର୍ଥନୀତିଜ୍ଞ ଡିନ୍ ସ୍ପିୟରସ୍ । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ମଧ୍ୟ ଏହାକୁ ସମର୍ଥନ କରେ ।
ଏପରି ଘଟିବାର କାରଣ ହେଲା, ଦ୍ରୁତ ହ୍ରାସ ପାଉଥିବା ‘ସମୁଦାୟ ଜନନ କ୍ଷମତା ହାର’ (ଟୋଟାଲ ଫର୍ଟିଲିଟି ରେଟ୍) । ହାରାହାରି ଜଣେ ମହିଳା କେତୋଟି ସନ୍ତାନ ଜନ୍ମ ଦେଇପାରିବ ଏହା ତାହା ହିଁ ସୂଚିତ କରେ । ଜନସଂଖ୍ୟା ସ୍ଥିର ରହିବାକୁ ହେଲେ ଏ କ୍ଷମତା ୨.୧, ଅର୍ଥାତ୍ ହାରାହାରି ମହିଳା ପ୍ରତି ଏହି ସଂଖ୍ୟାକୁ ଶିଶୁ ଜନ୍ମ ଦେବା ଦରକାର । ଏହାକୁ କୁହାଯାଉଛି ‘ପ୍ରତିସ୍ଥାପନ ସ୍ତର’ (ରିପ୍ଲେସ୍ମେଣ୍ଟ ଲେଭଲ୍) । ତେବେ ଭାରତ, ଚାଇନା, ଆମେରିକା, ଇଣ୍ଡୋନେସିଆ, ପାକିସ୍ତାନ ସମେତ ଅଧିକାଂଶ ଜନବହୁଳ ଦେଶରେ ଏହା ତହିଁରୁ କମ୍ ହେଲାଣି । ଉଦାହରଣ ସ୍ୱରୂପ, ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକାରେ ୨.୧ ଥିଲା । କିନ୍ତୁ ଇଣ୍ଡୋନେସିଆ ଓ ମିଆଁମାରରେ ୧.୯, ଭାରତରେ ୧.୮, ଚାଇନା, ବଙ୍ଗଳାଦେଶ ଓ ଭିଏତନାମରେ ୧.୭, ତୁର୍କୀ ଓ ମେକସିକୋରେ ୧.୬, ଫ୍ରାନ୍ସରେ ୧.୫, କଲମ୍ବିଆ, ଇରାନ, ଆମେରିକା ଓ ବ୍ରାଜିଲରେ ୧.୪, ଇଂଲଣ୍ଡ, ଜର୍ମାନୀ ଓ ରୁଷିଆରେ ୧.୩, ଥାଇଲାଣ୍ଡ ଓ ଜାପାନରେ ୧.୧ ଏବଂ ଇଟାଲିରେ ୧.୦ରେ ପହଞ୍ଚିଥିଲା ।
ଅନ୍ୟପକ୍ଷରେ ବର୍ତ୍ତମାନ ଅଧିକ ସମୁଦାୟ ଜନ୍ମ କ୍ଷମତା ହାର ସଂପନ୍ନ ହୋଇଥିବା ଦେଶମାନଙ୍କରେ ମଧ୍ୟ ତାହା ବେଶ୍ ଦ୍ରୁତ ଭାବେ ନିମ୍ନଗାମୀ ହେବାରେ ଲାଗିଛି ଏବଂ ୨୧୦୦ ମସିହା ମଧ୍ୟରେ ବିପଦଜନକ ଭାବେ ହ୍ରାସ ପାଇଯିବ ବୋଲି ମନେ କରାଯାଉଛି । ଉଦାହରଣ ସ୍ୱରୂପ, ୨୦୨୨ ମସିହାରେ କଙ୍ଗୋରେ ଏହା ୫.୯ ଥିଲାବେଳେ ୨୦୨୩ରେ ୧.୬ରେ, ମିଶରରେ ୨.୬ରୁ ୨୦୩୧ ମସିହା ବେଳକୁ ୧.୩ରେ, କେନିଆରେ ୩.୦ରୁ ୨୦୪୦ ମସିହାରେ ୧.୩ରେ, ଇଥିଓପିଆରେ ୩.୮ରୁ ୨୦୪୯ ମସିହାରେ ୧.୪ରେ, ନାଇଜେରିଆରେ ୪.୯ରୁ ୨୦୫୮ ମସିହାରେ ୧.୫ରେ ଏବଂ ତାଞ୍ଜାନିଆରେ ୪.୪ରୁ ୨୦୬୪ ମସିହାରେ ୧.୬କୁ ଖସି ଆସିବ । ଅତଏବ ଦ୍ରୁତ ହ୍ରାସ ପାଇବାକୁ ଲାଗିବ ବିଶ୍ୱରେ ଜନ୍ମସଂଖ୍ୟାର ହାର ଏବଂ ଜନସଂଖ୍ୟା ।
ଆମ ଦେଶର ବିଭିନ୍ନ ରାଜ୍ୟରେ ଏ ପ୍ରଭାବ ବିଶେଷଭାବେ ଅନୁଭୂତ ହେଲାଣି । କାରଣ ୧୯୮୧ ମସିହାରୁ ୨୦୨୦ ମସିହା ମଧ୍ୟରେ ଏହାର ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡ଼ିକରେ ସମୁଦାୟ ଜନନ କ୍ଷମତା ହାରର ଦ୍ରୁତ ଅଧୋଗତି ପରିଲକ୍ଷିତ ହେଉଛି । ଉଦାହରଣ ସ୍ୱରୂପ, କେରଳରେ ଏହା ୨.୮ରୁ ୧.୫କୁ, ବିହାରରେ ୫.୭ରୁ ୩କୁ, ଉତ୍ତରପ୍ରଦେଶରେ ୫.୮ରୁ ୨.୭କୁ, ଗୁଜରାଟରେ ୪.୩ରୁ ୨.୦କୁ, କର୍ଣ୍ଣାଟକରେ ୩.୬ରୁ ୧.୬କୁ, ରାଜସ୍ତାନରେ ୫.୨ରୁ ୨.୪କୁ, ପଶ୍ଚିମବଙ୍ଗରେ ୪.୨ରୁ ୧.୪କୁ ଏବଂ ଆମ ରାଜ୍ୟ ଓଡ଼ିଶାରେ ୪.୩ରୁ ୧.୮କୁ ଖସି ଆସିଛି । ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ତାହା ସେହି ଅନୁରୂପ ଘଟିଛି ।
ଏ ପ୍ରକ୍ରିୟା ଏବେ ଅବ୍ୟାହତ ରହିଛି । ଫଳରେ ହ୍ରାସ ପାଉଛି ଜନ୍ମହାର ଏବଂ ଶିଶୁ ତଥା ଯୁବକଙ୍କ ତୁଳନାରେ ବୃଦ୍ଧିପ୍ରାପ୍ତ ହେଉଛି ବୟସ୍କମାନଙ୍କ ଅନୁପାତ । ଅନ୍ୟପକ୍ଷରେ, ଜନ୍ମ ତୁଳନାରେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ସମୁଦାୟ ଜନସଂଖ୍ୟା ମଧ୍ୟ ନିମ୍ନଗାମୀ ହେଉଛି । ଏକ ପୂର୍ବାନୁମାନ ଅନୁସାରେ, ୨୦୨୪ ମସିହାରେ ବିଶ୍ୱରେ ଜନ୍ମସଂଖ୍ୟା ୧୩୨ ନିୟୁତ ଏବଂ ମୃତ୍ୟୁସଂଖ୍ୟା ୬୨ ନିୟୁତ ଥିଲାବେଳେ ୨୦୫୪ ମସିହା ବେଳକୁ ତାହା ଯଥାକ୍ରମେ ୧୩୦ ନିୟୁତ ଓ ୯୬ ନିୟୁତ, ୨୦୮୪ ମସିହା ବେଳକୁ ୧୧୮ ନିୟୁତ ଓ ୧୧୯ ନିୟୁତ ଏବଂ ୨୧୦୦ ମସିହା ବେଳକୁ ୧୧୦ ନିୟୁତ ଓ ୧୨୩ ନିୟୁତରେ ପହଞ୍ଚିଯିବ ।
ଏ ସମସ୍ୟା ଏବେ ଅତି ଉତ୍କଟ ରୂପ ନେବାକୁ ଲାଗିଲାଣି । ଫଳରେ ବିଶ୍ୱର ୧୩୦ଟି ଦେଶରେ ସମୁଦାୟ ଜନନ କ୍ଷମତା ହାର ପ୍ରତିସ୍ଥାପନ ସ୍ତର ୨.୧ର ତଳକୁ ଖସିଲା ବେଳେ ୫୩ଟି ଦେଶରେ ଜନସଂଖ୍ୟା ହ୍ରାସ ପାଇଚାଲିଛି, ବିଶେଷକରି ଦକ୍ଷିଣ କୋରିଆ, ଜାପାନ, ଇଟାଲି ଭଳି ଦେଶମାନଙ୍କରେ । ଜର୍ମାନୀ, ଚାଇନା, ରୁଷିଆ, ଫ୍ରାନ୍ସ ଆଦି ଦେଶ ମଧ୍ୟ ଏହାଦ୍ୱାରା ବେଶ୍ ପ୍ରଭାବିତ । ପୁନଶ୍ଚ ଆଗାମୀ ୨୦୩୦ ମସିହାରୁ ୨୦୫୦ ମସିହା ଭିତରେ ଆମେରିକା, ଇଂଲଣ୍ଡ, କାନାଡ଼ା ତଥା ବହୁ ବିକଶିତ ଦେଶସମୂହ ଏବଂ ଭାରତ, ପାକିସ୍ତାନ, ଫିଲିପାଇନ୍ସ, ମିଶର ଏବଂ ଆହୁରି ଅନେକ ବିକାଶଶୀଳ ଦେଶମାନଙ୍କରେ ଏହାର ପ୍ରଭାବ ଗମ୍ଭୀର ଭାବେ ଅନୁଭୂତ ହେବ ବୋଲି ଆଶଙ୍କା କରାଯାଏ ।
ଏଭଳି ପରିସ୍ଥିତି ଉତ୍ପନ୍ନ ହେବା ମୂଳରେ ରହିଛି ନାନାଦି କାରଣ । ତନ୍ମଧ୍ୟରୁ ପ୍ରଥମଟି ହେଲା, ନାରୀ ଶିକ୍ଷାର ପ୍ରସାର । ଏବେ ଆମ ଦେଶ ସମେତ ପୃଥିବୀର ଅଧିକାଂଶ ଦେଶରେ ଅଧିକରୁ ଅଧିକ ମହିଳା ଉଚ୍ଚଶିକ୍ଷା ଲାଭ କରୁଛନ୍ତି । ତତ୍ପରେ ସେମାନେ ଧାଉଁଛନ୍ତି କର୍ମନିଯୁକ୍ତି ପଛରେ । ଅତଏବ ବିବାହ ପୂର୍ବରୁ ପ୍ରଜନନକ୍ଷମ ବୟସର ଅନେକ ବର୍ଷ ଏଥିରେ ବିତି ଯାଉଛି । ଉଦାହରଣ ସ୍ୱରୂପ, ଆମ ଦେଶର ଏହି ବର୍ଗର ମହିଳାମାନଙ୍କ ମଧ୍ୟରୁ ପ୍ରାୟ ୩୫% କ୍ଷେତ୍ରରେ ଏପରି ଘଟୁଛି । ସେମାନେ ବିବାହ କରୁଛନ୍ତି ୨୮ରୁ ୩୦ବର୍ଷ ବା ତତୋଧିକ ବୟସରେ । ସାଧାରଣତଃ, ଏ ସମୟକୁ ନାରୀମାନଙ୍କ ଗର୍ଭଧାରଣ ସାମର୍ଥ୍ୟର ଅବନତି ଆରମ୍ଭ ହୋଇଥାଏ ।
ଅନ୍ୟପକ୍ଷରେ, ଶ୍ରମଜୀବୀ ମହିଳାଙ୍କ ମଧ୍ୟରୁ ୧୫ରୁ ୨୦% ବିବାହ କରିବାକୁ ଆଦୌ ଚାହୁଁ ନାହାଁନ୍ତି । ଜାପାନ ଭଳି ଦେଶରେ ଏମାନଙ୍କ ସଂଖ୍ୟା ପ୍ରାୟ ୩୫/୪୦ ଶତାଂଶ । ପୁରୁଷମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ଧାରା ଅଳ୍ପ ବହୁତ ପରିଲକ୍ଷିତ ହେଉଛି । ଅନ୍ୟପକ୍ଷରେ, ଉଭୟ ଦମ୍ପତି କର୍ମଜୀବୀ ହୋଇଥିଲେ ସେମାନଙ୍କ ମଧ୍ୟରୁ କେତେକ ଆଦୌ ସନ୍ତାନ ଚାହୁଁନଥିଲା ବେଳେ ଅଧିକାଂଶ ଗୋଟିକରୁ ଅଧିକ ଚାହୁଁ ନାହାଁନ୍ତି । ବିବିଧ ଜନ୍ମନିରୋଧକ ବ୍ୟବସ୍ଥାର ସୁଲଭତା ଏଥିରେ ସାହାଯ୍ୟ କରୁଛି ।
ପରିବେଶ ପ୍ରଦୂଷଣକୁ ମଧ୍ୟ ଏହାର ଅନ୍ୟତମ କାରଣ ରୂପେ ଗ୍ରହଣ କରାଯାଏ । ବାୟୁ ଏବଂ ଜଳରେ ବିଭିନ୍ନ ରାସାୟନିକ ପ୍ରଦୂଷକ ମିଶି ଶରୀର ମଧ୍ୟରେ ବିବିଧ ହରମୋନ୍, ଏଞ୍ଜାଇମ୍ ଆଦିର କ୍ଷରଣକୁ ପ୍ରଭାବିତ କରୁଛି । ଏହା ଫଳରେ ଉଭୟ ନାରୀ ଏବଂ ପୁରୁଷଙ୍କ ଯୌନ କ୍ଷମତାର ଏବଂ ବିଶେଷକରି ନାରୀମାନଙ୍କ ଠାରେ ସନ୍ତାନ ଧାରଣ କ୍ଷମତାର ଅପଚୟ ଘଟୁଛି ।
ଏହି ସବୁ କାରଣରୁ ଦମ୍ପତି ପ୍ରତି ସନ୍ତାନ ଜନ୍ମର ହାର, ଅର୍ଥାତ୍ ସମୁଦାୟ ଜନନ କ୍ଷମତା ହାର କମି କମି ଯାଉଛି । ଉଦାହରଣ ସ୍ୱରୂପ, ଏହା ଫଳରେ ୧୯୯୩ ମସିହାରେ ଆମ ଦେଶରେ ୩ଟିରୁ ଅଧିକ ସନ୍ତାନ ଥିବା ମାଆମାନଙ୍କ ସଂଖ୍ୟା ୬୨.୬ ଶତାଂଶ ଥିଲାବେଳେ, ୨୦୨୧ ମସିହା ବେଳକୁ ତାହା ଖସି ଆସିଥିଲା ୪୦.୪ ଶତାଂଶକୁ । ଅନ୍ୟପକ୍ଷରେ, ସେତେବେଳେ ୨ଟି ସନ୍ତାନର ଜନନୀ ଥିଲେ ୨୦.୬ ଶତାଂଶ ଏବଂ ଗୋଟିଏ ସନ୍ତାନର ଜନନୀ ଥିଲେ ୧୮.୮ ଶତାଂଶ । ତାହା ୨୦୨୧ ମସିହା ବେଳକୁ ପହଞ୍ଚିଗଲା ଯଥାକ୍ରମେ ୩୯ ଶତାଂଶ ଏବଂ ୨୦.୬ ଶତାଂଶରେ । ଅର୍ଥାତ୍, କମ୍ ସନ୍ତାନ ଜନ୍ମଦାତ୍ରୀଙ୍କ ସଂଖ୍ୟା ବଢ଼ିଯାଇଥିଲା ବହୁ ମାତ୍ରାରେ ଏବଂ ସମୁଦାୟ ଜନନ କ୍ଷମତା ହାର ଖସିବାରେ ଲାଗିଥିଲା । ପୃଥିବୀର ଅଧିକାଂଶ ଦେଶରେ ତାହା ସେହି ଅନୁରୂପ ଘଟିଥିଲା, ବରଂ କେତେକ ଦେଶରେ ଆହୁରି ଅଧିକ ଭାବେ। ଉଦାହରଣ ସ୍ୱରୂପ, ଦକ୍ଷିଣ କୋରିଆ ଏହା ୧୯୫୦ ମସିହାରେ ୬.୦୬ ଥିଲାବେଳେ, ୧୯୮୪ ମସିହାକୁ ତାହା ୧.୮୩ ଏବଂ ୨୦୨୩ ମସିହାକୁ ୦.୭୨କୁ ହ୍ରାସ ପାଇଥିଲା । ଜାପାନ, ଇଟାଲି ଆଦି ଦେଶର ଅବସ୍ଥା ପ୍ରାୟତଃ ସେହି ଏକାଭଳି ।
ପୃଥିବୀର ସବୁ ଦେଶରେ ଏବେ ଅଳ୍ପ ବହୁତ ସମୁଦାୟ ଜନନ କ୍ଷମତା ହାର ଭିନ୍ନ ଭିନ୍ନ ଭାବେ ନିମ୍ନଗାମୀ ହେବାରେ ଲାଗିଛି । ଏହା ହାରାହାରି ୧ରେ ପହଞ୍ଚିଗଲେ ପ୍ରତ୍ୟେକ ନୂତନ ପିଢ଼ିର ଜନସଂଖ୍ୟା ବିଗତ ପିଢ଼ିର ଅଧା ହେଇଯିବ । ଫଳରେ ସାମାଜିକ ତଥା ଅର୍ଥନୈତିକ ବ୍ୟବସ୍ଥା ଉପରେ ଏହାର ଘୋର କ୍ଷୟକାରୀ ପ୍ରଭାବ ପଡ଼ିବ । ଅନ୍ୟ ଉପରେ ନିର୍ଭରଶୀଳ ତଥା ଉତ୍ପାଦନ ଅକ୍ଷମ ବୟସ୍କଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ବଢ଼ି ବଢ଼ି ଚାଲିବ ଏବଂ ଉତ୍ପାଦନକ୍ଷମ ଯୁବଗୋଷ୍ଠୀର ଅବକ୍ଷୟ ଘଟିବାରେ ଲାଗିବ । ଏହି ଧାରା ଅବ୍ୟାହତ ରହିଲେ କେତେ ଶହ ବର୍ଷ ପରେ ହୁଏତ ନବଜାତକଟିଏ ଏ ଧରାପୃଷ୍ଠରେ ଜନ୍ମ ନେଇନପାରେ । ଅତଏବ ଅବସ୍ଥା ଏପରି ହେବ ବୋଲି କଳ୍ପନା କରାଯାଇପାରେ, ଯେତେବେଳେ କି ଧରାପୃଷ୍ଠ ଜନଶୂନ୍ୟ ହୋଇଯିବ ।
କୁହାଯାଉଛି ଯେ, ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ସେଥିପାଇଁ ପୃଥିବୀରୁ ଦିନକୁ ଦିନ ଅଧିକରୁ ଅଧିକ ଦ୍ରୁତଭାବେ ବିଲୁପ୍ତ ହେବାରେ ଲାଗିଛନ୍ତି ବିବିଧ ପ୍ରଜାତିର ଜୀବ । ଏପରିସ୍ଥଳେ, ଏ ପ୍ରକାର ଜନ୍ମସଂଖ୍ୟା ହ୍ରାସକୁ କ’ଣ ମଣିଷ ପ୍ରଜାତିର ବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ବୋଲି ଗଣନା କରାଯିବ?