ଉଚିତ୍ ମୂଲ୍ୟ, ଉଚିତ ବ୍ୟବସ୍ଥା, ଉଚିତ ସେବାରେ ରିହାତି ଖୋଜିଲେ ଗୁଣାତ୍ମକ ମାନରେ ବି ରିହାତି ମିଳିବାର ସମ୍ଭାବନା ବେଶୀ । ସଂପୃକ୍ତ ସେବାପ୍ରଦାନକାରୀ, ବିକ୍ରି ବା ପରିଚାଳନା ସଂସ୍ଥାମାନେ ନିଜର ଓ ଗ୍ରାହକମାନଙ୍କ ମୌଳିକ ବୁଝାମଣାକୁ ଉନ୍ନତ କରିବାକୁ ପ୍ରୟାସ କରିବା ଜରୁରି । ତେବେ କେଉଁଠି ରିହାତି ଖୋଜିବା ବା ଖୋଜିବାନି, କେଉଁଠି ରିହାତି ଦିଆଯିବ ବା ଦିଆଯିବନି ତାହାର ଦକ୍ଷତା କ୍ରେତା ଓ ଗ୍ରାହକ ଉଭୟଙ୍କ ପାଖରେ ରହିଲେ ହିଁ ରିହାତିର ମୂଲ୍ୟବୋଧ ପରିପୁଷ୍ଟ ହେବ । ସବୁଠି ରିହାତି ପ୍ରକୃତି ଏକ ବିକୃତି ।
ରିହାତି କିଏ ନଚାହେଁ? କର୍ମ, ଅର୍ଥ, ଚାପ, ସମୟ ଆଦିରୁ ରିହାତି ଚାହେଁ ମଣିଷ । ଅଳ୍ପ ହେଉକି ବହୁତ, ରିହାତି ପ୍ରତିମୁହୂର୍ତ୍ତରେ ଆନ୍ଦୋଳିତ କରୁଥାଏ ମନକୁ । କାରଣ ରିହାତି ବଳରେ ଯାହା ହାସଲ ହେବ କାଳେ, ତାହା ଲାଭ ହିଁ ହୋଇଥିବାର ଭାବନା ମଣିଷର ମନକୁ ଆଚ୍ଛାଦିତ କରି ରଖିଥାଏ । ଅର୍ଥାତ୍ ରିହାତି ଥାଏ ଯେଉଁଠି ଲାଭ ଅଛି ସେଇଠି ବୋଲି ଭାବିନିଏ ମଣିଷ । ଗ୍ରାହକ ମନରେ ରିହାତିର ପ୍ରରିପ୍ରକାଶ ସେତେବେଳେ ଘଟେ ଯେତେବେଳେ ଆମେ କୌଣସି ଦ୍ରବ୍ୟ, ଅର୍ଥ ବା ଜିନିଷ ଆଦିରୁ ଲାଭ ଆଶା କରୁ । କାରଣ ଏବେ ମଣିଷ ଜିଉଁଛି ଲାଭ-କ୍ଷତିର ଜୀବନ ସବୁଦିନ । ଏଣୁ ଲାଭ ପାଇବାର ଆସକ୍ତିରୁ ରିହାତି ଜନ୍ମ ନେଇଛି ବୋଲି ବି କୁହାଯାଇପାରେ । ବ୍ୟାବସାୟିକ ଦୃଷ୍ଟିକୋଣରୁ ରିହାତି ହେଉଛି ଏକ ପରିମାଣ, ଯାହା ଗୋଟିଏ ଦ୍ରବ୍ୟର ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ବିଯୁକ୍ତ ହୋଇଥାଏ । ଏହାକୁ ଲାଭ ଭାବି ଓ ସେହି ଲାଭର ଆଶାରେ ଆମେ ଏତେ କବଳିତ ଯେ ଫିକ୍ସଡ ପ୍ରାଇସ୍ରେ ବି ରିହାତି ବା ଡିସ୍କାଉଣ୍ଟ ଖୋଜୁ? ଏହା ଅନସ୍ୱୀକାର୍ଯ୍ୟ ଯେ, ବର୍ଷତମାମ ଫିକ୍ସଡ ପ୍ରାଇସ୍ ଲେଖି ବିକ୍ରି କରୁଥିବା ସଂସ୍ଥାମାନଙ୍କରେ ମଧ୍ୟ ବେଳେବେଳେ ୨୦ରୁ ୫୦ ଶତକଡ଼ା ପର୍ଯ୍ୟନ୍ତ ରିହାତି ବା ଡିସ୍କାଉଣ୍ଟ ଦିଆଯାଏ, ଯାହା ଗ୍ରାହକଙ୍କ ଉଦ୍ଦେଶ୍ୟରେ ବଡ଼ ବଡ଼ ଅକ୍ଷରରେ ଦୁଆର ସାମ୍ନାରେ ଲେଖାଯାଇଥାଏ । ଉତ୍ସବ ବା ପର୍ବପର୍ବାଣୀ ସମୟରେ ଏହି ଦୃଶ୍ୟ ପ୍ରାୟତଃ ସବୁଠି ଦେଖିବାକୁ ମିଳେ । ଏହି କିଛିଦିନିଆ ପ୍ରଭାବ ଆମକୁ ବର୍ଷସାରା ପ୍ରଭାବିତ କରେ ଏବଂ ଏହାକୁ ଆମେ ଅନୁକରଣ ଓ ଅନୁପାଳନ କରୁ । ବାସ୍ତବରେ ଗ୍ରାହକ ଓ ବିକ୍ରୟକାରୀମାନେ ରିହାତି ବା ଡିସ୍କାଉଣ୍ଟ ଲୋଭରେ ପଡ଼ି ଲାଭ ଖୋଜିବା ଏକ ଅଭିନବ ଆଶ୍ଚର୍ଯ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଉତ୍ପାଦିତ କ୍ଷେତ୍ରଠାରୁ ବଜାର ପର୍ଯ୍ୟନ୍ତ ଆମେ ଯେଉଁଠିକୁ ଯାଉ ସେଠି ରିହାତି ଖୋଜୁ ।
ଦିନକର କଥା । ରଘୁବାବୁ ଏକ ସଭାରେ ଭାଷଣ ଦେଉଥାନ୍ତି ଯେ- ଭଦ୍ରମଣ୍ଡଳୀ! ଯେଉଁ ଗରିବମମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ନିଜ ବାଡ଼ିରେ ଫସଲ ଅମଳ କରି ହାଟରେ ବିକ୍ରି କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହନ କରିବା ଓ ଚାଷ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ତାଙ୍କଠାରୁ ପନିପରିବା, ଶାଗ, ମାଛ ଉଚିତ୍ ଦେୟ ଦେଇ କିଣନ୍ତୁ । ଟଙ୍କାଟିଏ ଅଧିକ ଦେବେ ସିନା କିଛି କାଟଛାଣ୍ଟ କରିବେ ନାହିଁ । ସଭା ସରିବା ପରେ ରଘୁବାବୁ ଘରକୁ ଫେରୁଥାନ୍ତି । ରାସ୍ତାକଡ଼ର ଫସଲ ବଗିଚାର ଜଣେ ଚାଷୀ ଭେଣ୍ଡି ଅମଳ କରି ବିକ୍ରି କରୁଥାନ୍ତି । ରଘୁବାବୁ ତାଙ୍କ ପାଖକୁ ଯାଇ ଭେଣ୍ଡିର ଦାମ୍ ପଚାରିବାରୁ ସେ କହିଲେ- କିଲୋ ପିଛା ଚାଳିଶ ଟଙ୍କା । ରଘୁବାବୁ ମନେମନେ ଭାବିଲେ ଯାହାହେଉ ମାର୍କେଟରୁ ଦଶଟଙ୍କା କମ୍ ଆଉ ଫ୍ରେସ୍ ବି । ରଘୁବାବୁ ଭେଣ୍ଡି ବଛା ଆରମ୍ଭ କଲେ । ଅଧାକିଲୋ କଷି ଭେଣ୍ଡି ନେବାପାଇଁ ରଘୁବାବୁ ପାଖାପାଖି ଏକ କିଲୋ ଭେଣ୍ଡିର ଅଗ ଭାଙ୍ଗି ସାରିଲେଣି । ଚାଷୀ ଜଣକ କହିଲେ ଆଉ ଭେଣ୍ଡିର ଅଗ୍ରଭାଗ ଭାଙ୍ଗନ୍ତୁନି । ଏହାକୁ ଆଉ କିଣିବ କିଏ, ମୁଁ ବିକିବି କ’ଣ? ଯାହାହେଉ ଭେଣ୍ଡିତକ ଓଜନ କରିଦେବା ବେଳେ ଆଉ ଦି’ ଚାରିଟା ଅଧିକ ଦିଅ ରଘୁବାବୁ ବୋଲି କହିଲେ। ଚାଷୀ ଜଣକ ଖୁସିରେ ଦେଲେ । ଏହାପରେ ରଘୁବାବୁ କହିଲେ- କ’ଣ ଅଉ ଡିସ୍କାଉଣ୍ଟ ଅଛି ।
ଚାଷୀ ତାଙ୍କ ମୁହଁକୁ ଚାହିଁ ଆଉ ଦୁଇଟି ଭେଣ୍ଡି ଦେଲେ । ରଘୁବାବୁ ଚାଷୀଙ୍କ ହାତକୁ ପନ୍ଦର ଟଙ୍କା ବଢ଼ାଇଦେଇ କହିଲେତୁମେ ବଜାର ଯାଇଥାନ୍ତ, ତୁମର ପରିଶ୍ରମ କମିଲା । ତେଲ ଖର୍ଚ୍ଚ ବା ବାଟ ଖର୍ଚ୍ଚ ବି କମିଲା । ଏଣୁ ମୋ ପାଇଁ ପାଞ୍ଚ ଟଙ୍କା ଡିସ୍କାଉଣ୍ଟ । ଚାଷୀ ଆଉ କିଛି କହିବାକୁ ବାକି ନଥାଏ । ରଘୁବାବୁଙ୍କ ଠାରୁ ପନ୍ଦର ଟଙ୍କା ନେଇ ବିଚରା ଚାଷୀଟି ଅଣ୍ଟାରେ ମାରିଲା । ରଘୁବାବୁ ଭେଣ୍ଡିତକ ନେଲାବେଳକୁ କହି ଗଲେ- ଆଉ ତୁମ ଆଡୁ କିଛି ହେଉ । ଚାଷୀ ଜଣକ ବୁଝିପାରୁଥିଲେ । ଶେଷରେ ଆଉ ଦୁଇଟି ଭେଣ୍ଡି ତାଙ୍କ ବ୍ୟାଗକୁ ପକାଇଦେଲେ । ରଘୁବାବୁଙ୍କ ରିହାତି ପ୍ରକୃତି ଗୋଟିଏ ଚାଷୀକୁ କେତେ ଉତ୍ସାହିତ କରିବ ତାହା ପାଠକେ ବିଚାର କରିବେ ।
ଅନ୍ୟ ଏକ ଘଟଣାରେ ନାମୀଦାମୀ ଘରର ବ୍ୟକ୍ତିଙ୍କ ଦେହାନ୍ତ ଏକବର୍ଷ ପୂର୍ବରୁ ହୋଇସାରିଛି । ତାଙ୍କର ପୁଅଝିଅମାନେ ଡାକ୍ତର, ଇଞ୍ଜିନିୟର। ପ୍ରତ୍ୟେକଙ୍କର ମାସିକ ରୋଜଗାର ଲକ୍ଷାଧିକ । ତେବେ ବାପାଙ୍କ ଶ୍ରଦ୍ଧାଞ୍ଜଳି ସଭା ପାଇଁ ଏକ ବିଜ୍ଞାପନ ବାହାର କରିବାକୁ ମନସ୍ଥ କରୁଥାନ୍ତି ପୁଅଝିଅମାନେ । ଏକ ଅଗ୍ରଣୀ ଖବରକାଗଜରେ ଛୋଟ ବିଜ୍ଞାପନ ପାଇଁ ଦଶରୁ ବାର ହଜାର ଖର୍ଚ୍ଚ ହେବ । ଏଥିରେ କିଛି କାଳେ ରିହାତି ବା ଡିସ୍କାଉଣ୍ଟ ମିଳିବ ତା’ପାଇଁ ଜୋରଦାର ଚେଷ୍ଟା । ଏଥିପାଇଁ ପାଖାପାଖି ୧୫ଜଣ ଭଦ୍ରବ୍ୟକ୍ତି ସଂପୃକ୍ତ ଖବରକାଗଜର ସାମ୍ବାଦିକଙ୍କ ଠାରୁ ସଂପାଦକଙ୍କୁ ଫୋନ୍ କରିସାରିଲେଣି । ତେବେ ଖବାରକାଗଜ ପରିଚାଳନା ବୋର୍ଡ ଦ୍ୱାରା ସ୍ଥିରୀକୃତ ଏକ ନିର୍ଦ୍ଦିଷ୍ଟ ଫିକ୍ସଡ ଅର୍ଥ ଦେୟରେ ରିହାତି ଖୋଜିବା କେତେ ସମୀଚୀନ? ଅର୍ଥର ପାହାଡ଼ ଉପରେ ବସିଥିବା ବା ଏହି ପ୍ରତିଷ୍ଠିତ ବ୍ୟକ୍ତିଙ୍କମାନଙ୍କର ପିତାଙ୍କ ଶ୍ରଦ୍ଧାଞ୍ଜଳି ବିଜ୍ଞାପନ ପାଇଁ କେତେ ଶ୍ରଦ୍ଧା ରହିଛି ତାହା ପାଠକେ ସମୀକ୍ଷା କରିବେ ।
ଆଉ ଏକ ଘଟଣାରେ ଏକ ଜନକଲ୍ୟାଣକାରୀ ସଂସ୍ଥାରେ ରହୁଥିବା ଅସହାୟ ମହିଳା ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗ ଅନ୍ତେବାସୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣିବାକୁ ଯାଇଥିଲେ ମାଧବାବୁ । ଜିନିଷ ଓ କୃତିଗୁଡ଼ିକୁ ପରଖିବା ବେଳେ ମାଧବାବୁ ରିହାତି ବା ଡିସ୍କାଉଣ୍ଟ ପଚାରୁଥିଲେ । ଜଣେ ବୃଦ୍ଧା ଅନ୍ତେବାସୀ ମାଧବାବୁଙ୍କୁ କହିଲେ- ପୁଅ ସାମଗ୍ରୀ ତ ବଜାର ମୂଲ୍ୟଠାରୁ ଅଧିକ ନୁହେଁ । ତା’ଛଡ଼ା ଏସବୁ ବିକ୍ରିର ଲାଭାଂଶ ଆମ ଆକାଉଣ୍ଟକୁ ଯାଏ । ମାଧବାବୁ କହିଲେ- ହଉ ଠିକ୍ ଅଛି, ସବୁ ଦୋକାନରେ ସର୍ବନିମ୍ନ ୧୦ ଶତକଡ଼ା ଡିସ୍କାଉଣ୍ଟ ଥାଏ । ସେଇଟା ତ ମିଳିବା କଥା ନା । ବୟସ୍କା ମହିଳା ଜଣକ କହିଲେ- ନା, ଆମର ଉପଯୁକ୍ତ ଦର ଧାର୍ଯ୍ୟ ହୋଇଛି, ଏଣୁ ଡିସ୍କାଉଣ୍ଟ କିଛି ନାହିଁ । ଏକଥା ଶୁଣି ରାଗ ତମତମ ହୋଇ ମାଧବାବୁ ସେଠାରୁ ଚାଲିଗଲେ ଏକ ମଲ୍କୁ । ସେଠାରେ ସେହି ଜିନିଷ ସୁନ୍ଦର ପ୍ୟାକେଟରେ ଦୁଇଗୁଣା ଦର ଉପରେ ୫୦ ଶତକଡ଼ା ଡିସ୍କାଉଣ୍ଟ ଦେଖି ମାଧବାବୁ ଖୁବ୍ ଖୁସିରେ କିଣିନେଲେ । ରିହାତି ବିକ୍ରୟ କୌଶଳରେ ଫସିଗଲେ ସିନା, କିନ୍ତୁ ସମାଜ ପାଇଁ ସେବାର ସୁଯୋଗକୁ ହାତଛଡ଼ା କଲେ ମାଧବାବୁ ।
ସେହିପରି ଫୁଟ୍ପାଥରେ ୨୦୦ ଟଙ୍କାରେ ଦି’ହଳ ଜୋତା ବିକୁଥିବା ଦୋକାନୀ ପାଖରୁ ଟିଟାବାବୁ ଜୋତା କିଣି ବୀରଦର୍ପରେ ଘରକୁ ଗଲାପରେ ଘରଣୀ ଦେଖି କହିଲେ- ଲାଜ ନାହିଁ ତୁମକୁ? ମୁଁ ପରା ଏମିତି ଗଲାବର୍ଷ ଦିହଳ ଜୋତା ଆଣିଥିଲି ଯେ, ଗୋଟିଏ ମାସରେ ତାର ସୁ-ସୋଲ ଛାଡ଼ିଗଲା । ଟିଟାବାବୁ ଆଁ କରି ଚାହିଁ ରହିଥିଲେ । ରିହାତି ପ୍ରକୃତି ଉଭୟ କ୍ରେତା ଓ ବିକ୍ରେତାଙ୍କ ପାଖରେ ଦେଖିବାକୁ ମିଳେ । ତେବେ ରିହାତି ବା ଡିସ୍କାଉଣ୍ଟକୁ ଏକ ଆକର୍ଷଣ ବି କୁହାଯାଇପାରେ ।
ଏମିତିରେ ଋଣ, ସ୍ୱାସ୍ଥ୍ୟ, ଶିକ୍ଷାକ୍ଷେତ୍ରରେ ରିହାତି ତାର କାୟାବିସ୍ତାର କଲାଣି । ତେବେ ଫିକ୍ସଡ୍ ପ୍ରାଇସ୍, ଉଚିତ୍ ମୂଲ୍ୟର ମୂଲ୍ୟ କ’ଣ ବୁଝିବା କାଠିକର ପାଠ । ଉଚିତ୍ ମୂଲ୍ୟ, ଉଚିତ ବ୍ୟବସ୍ଥା, ଉଚିତ ସେବାରେ ରିହାତି ଖୋଜିଲେ ଗୁଣାତ୍ମକ ମାନରେ ବି ରିହାତି ମିଳିବାର ସମ୍ଭାବନା ବେଶୀ । ସଂପୃକ୍ତ ସେବାପ୍ରଦାନକାରୀ, ବିକ୍ରି ବା ପରିଚାଳନା ସଂସ୍ଥାମାନେ ନିଜର ଓ ଗ୍ରାହକମାନଙ୍କ ମୌଳିକ ବୁଝାମଣାକୁ ଉନ୍ନତ କରିବାକୁ ପ୍ରୟାସ କରିବା ଜରୁରି । ତେବେ କେଉଁଠି ରିହାତି ଖୋଜିବା ବା ଖୋଜିବାନି, କେଉଁଠି ରିହାତି ଦିଆଯିବ ବା ଦିଆଯିବନି ତାହାର ଦକ୍ଷତା କ୍ରେତା ଓ ଗ୍ରାହକ ଉଭୟଙ୍କ ପାଖରେ ରହିଲେ ହିଁ ରିହାତିର ମୂଲ୍ୟବୋଧ ପରିପୁଷ୍ଟ ହେବ । ସବୁଠି ରିହାତି ପ୍ରକୃତି ଏକ ବିକୃତି ।