ବୁଝି ହେଉନି, କେଉଁ ପାଠ ପଣ୍ଡିତମାନଙ୍କର ଏ କାମ । ଯେଉଁମାନଙ୍କୁ ସେ ସାତ ଖଣ୍ଡ ବହିରୁ ଖଣ୍ଡିଏ ଖଣ୍ଡିଏ ଲେଖିବାର ଦାୟିତ୍ୱ ଦିଆଯାଇଥିଲା । ସେମାନେ ମଧ୍ୟ ଜାଣିନଥିବେ ଯେ ପ୍ରଥମ ଶ୍ରେଣୀ ପାଇଁ ସାତ ସତଟି ବହି । ତେବେ ଜାଣିଥିବ କିଏ? ଶିକ୍ଷାଧିକାରୀମାନେ ଜାଣିନଥିବେ । ଶିକ୍ଷା ସଚିବ ଜାଣିନଥିବେ । ଶିକ୍ଷାମନ୍ତ୍ରୀ ତ କେବେ ଜାଣିନଥିବେ । କେବଳ ଜାଣିଥିବ ବିଚରା ପ୍ରାଥମିକ ଶିକ୍ଷକ, ଯାହାକୁ ଦିଆଯାଇଛି ସେସବୁ ବହି ପଢ଼ାଇବାକୁ । ସେ କିମିତି ସାତ ଖଣ୍ଡ ବହି ପ୍ରଥମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ପଢ଼ାଉଥିବ? ଶିକ୍ଷକ ପ୍ରଶିକ୍ଷକମାନେ ସେ ସମ୍ବନ୍ଧରେ ସେମାନଙ୍କୁ କିଛି ପ୍ରଶିକ୍ଷଣ ଦେଇପାରିବେ କି? ସ୍ୱୟଂ ପାଠ ଦେବଦେବୀ ଗଣେଶ ଏବଂ ସରସ୍ୱତୀ ସେମାନଙ୍କ ଅକ୍ଷମତା ପ୍ରକାଶ କରିବେ ।
ଆସନ୍ତୁ ଜାଣିବା ସେ ସାତଟି ବହି କ’ଣ? ପ୍ରଥମ ହେଲା ପୂର୍ବରୁ ପଚିଶ ବର୍ଷ ହେଲା ଚଳିଆସୁଥିବା ତ୍ରୁଟିପୂର୍ଣ୍ଣ ଦୁଇଟି ବହି ‘ହସଖେଳ’ ଭାଗ-୧ ଏବଂ ଭାଗ-୨ । ତା’ପରେ ହେଲା ‘ଭାଷା କାର୍ଯ୍ୟପୁସ୍ତିକା’ ଏବଂ ‘ଗଣିତ କାର୍ଯ୍ୟପୁସ୍ତିକା’ । ପାଞ୍ଚ ନମ୍ବରଟି ହେଲା ‘ବିଦ୍ୟା ପ୍ରବେଶ’। ତା’ପରେ ଦୁଇଟି ବହି ‘ବଡ଼ ଗପ ବହି’ ଏବଂ ‘ଛୋଟ ଗପ ବହି’ । ପ୍ରକୃତରେ ପ୍ରଥମ ଶ୍ରେଣୀରେ କେତୋଟି ବହି ରହିବା କଥା । ଆଧୁନିକ ଶିକ୍ଷା ବିଜ୍ଞାନ ଅନୁସାରେ ଖଣ୍ଡିଏ ବହି । ଯେଉଁଥିରେ ସମନ୍ୱିତ ହେଇଥିବ ଭାଷା, ଗଣିତ ଏବଂ ପରିବେଶ, ଅତି ନିବିଡ଼ ଭାବେ । ଆଜି ସବୁ କ୍ଷେତ୍ରରେ ବିଶେଷ ଭାବେ ଶିକ୍ଷାରେ Integration is the keyword, ଯାହା ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ର ମୂଳ ମନ୍ତ୍ର । ସେ ନୀତିରେ ବିଷୟ ବିଷୟ ମଧ୍ୟରେ ଥିବା ସୀମାକୁ ଭାଙ୍ଗି ଦିଆଯାଇଛି । ଅଙ୍କ ଛାତ୍ରଟେ ଆର୍ଟ କି ସାହିତ୍ୟ ଏହା ସହ ପଢ଼ିପାରିବ । ରାଷ୍ଟ୍ରୀୟ ଶିକ୍ଷାନୀତି ପୂର୍ବରୁ ଆମ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ବିଜ୍ଞାନ ବିଷୟମାନଙ୍କ ମଧ୍ୟରେ ସୀମାକୁ ଭାଙ୍ଗି ନାଇଜର, ଆଇଜର ଭଳି ନୂତନ ଶିକ୍ଷାନୁଷ୍ଠାନ ସୃଷ୍ଟି କରାଯାଇ ଏମଏସସି ଡିଗ୍ରୀ ପାଠ ପଢ଼ାଯାଉଛି ଇଣ୍ଟିଗ୍ରେଟେଡ ସାଇନ୍ସରେ, ସମସ୍ତ ବିଜ୍ଞାନ ବିଷୟକୁ ମିଶାଇ । ଆମ ଜାତୀୟ ଶିକ୍ଷାନୀତି ଭଲ ଶିକ୍ଷାକୁ ନେଇ ସବୁଠାରୁ ଭଲ ଶିକ୍ଷା ସମ୍ବନ୍ଧରେ ଲେଖା । ଏହାଠାରୁ ଶିକ୍ଷା ସମ୍ବନ୍ଧରେ ଭଲ ଲେଖା ଲେଖାଯାଇ ପାରିବ ନାହିଁ । ଇଣ୍ଟିଗ୍ରେସନ ଭଲ ଶିକ୍ଷାର ମୂଳ ଆଧାର । ଯେଉଁଥିପାଇଁ ସେ ଶିକ୍ଷା ଡକୁମେଣ୍ଟଟିରେ ଇଣ୍ଟିଗ୍ରେସନ ସମ୍ବନ୍ଧିତ ଶବ୍ଦ ସବୁ ବହୁଳ ଭାବରେ ବ୍ୟବହାର କରାଯାଇଛି । ଏଇ ଯେମିତି integration, multidisciplinary, wholistic, collaborative, flexibility, inclusivity, coordination, synergy ଇତ୍ୟାଦି । କିନ୍ତୁ ଡକୁମେଣ୍ଟଟି ସବୁଠାରୁ ଭଲ ଶିକ୍ଷାକୁ ନେଇ । କିନ୍ତୁ ଆମ ଦେଶ ଶିକ୍ଷା ତ ସବୁଠାରୁ ବିପର୍ଯ୍ୟସ୍ତ ଅବସ୍ଥାରେ । ସେଇଥିପାଇଁ ବାସ୍ତବବାଦୀ ଶିକ୍ଷାବିତ୍ମାନେ ପ୍ରଶ୍ନ ଉଠାନ୍ତି ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ସମ୍ବନ୍ଧରେ । ଦେଖୁନାହାଁନ୍ତି ଆମ ରାଜ୍ୟରେ ଏଇ ପ୍ରଥମ ଶ୍ରେଣୀ ବହିରେ ତାହା କିମିତି କାର୍ଯ୍ୟକାରୀ କରାଯାଇଛି । ଜାତୀୟ ଶିକ୍ଷାନୀତିର ମୂଳ ଆଧାର ଇଣ୍ଟିଗ୍ରେସନ । ସେ ସାତ ଖଣ୍ଡ ବହିମାନଙ୍କ ମଧ୍ୟରୁ ପାଞ୍ଚଟିକୁ ଇଣ୍ଟିଗ୍ରେଟ୍ କରି ଖଣ୍ଡିଏ ବହି କରାଯାଇ ପାରନ୍ତା, ମାତ୍ର ଡିସ୍ଇଣ୍ଟିଗ୍ରେଟ୍ କରି କରାଯାଇଛି ପାଞ୍ଚ ଖଣ୍ଡ ।
ପ୍ରଥମ ଦୁଇଟି ହେଲା ଭାଷା ପ୍ରାଇମାର (ହସଖେଳ ୧, ୨) ଦୁଇଟିକୁ ମିଶାଇ ଖଣ୍ଡିଏ କରି ସେଥିରେ ମିଶାଯାଇ ପାରନ୍ତା ଅଙ୍କ ଏବଂ ପରିବେଶ । ଆବଶ୍ୟକ ନଥିଲା ଦୁଇଟି କାର୍ଯ୍ୟପୁସ୍ତିକା କରିବାର । ସେସବୁ କାର୍ଯ୍ୟପୁସ୍ତିକା ମିଶିଥାନ୍ତା ପ୍ରାଇମାର ସହ । ପଞ୍ଚମ ବହି ବିଦ୍ୟାପ୍ରବେଶ ବହିଟି ପ୍ରାଇମାର ଭଳି । ତାକୁ ଅଲଗା କରି ଆଉ ଖଣ୍ଡିଏ ବହି କରିବାର ଆବଶ୍ୟକ ନଥିଲା । ଆଉ ଶେଷ ଗପ ବହି ଦୁଇଟି ମୋଟା କାଗଜରେ ରଙ୍ଗ ବେରଙ୍ଗ ଚିତ୍ର କରି ବେଶ୍ ଆର୍ଷଣୀୟ ଭଲ ବହି କରାଯାଇଛି, ଯାହା ପିଲାମାନେ ସ୍କୁଲରେ ବସି ମନକୁ ମନ ପଢ଼ିବେ ପ୍ରାଇମାରରେ ପଢ଼ିଥିବା ପାଠର କନସୁଲିଡେସନ ଏବଂ ପଠନ ଦକ୍ଷତା ବଢ଼ିବା ପାଇଁ । ଆମେ କହୁଛୁ ପାଠ ବୋଝ କମାଇବା ପାଇଁ, କିନ୍ତୁ ବଢ଼ାଉଛୁ ବୋଝ ସାତ ସାତ ଖଣ୍ଡ ବହି କରି । ପ୍ରଶିକ୍ଷଣ ଦେଉଛୁ ବ୍ୟାଗଲେସ୍ କ୍ଲାସ୍ ସମ୍ବନ୍ଧରେ, କରୁଛୁ ବ୍ୟାଗ୍ଫୁଲ୍ । ଶିକ୍ଷାକୁ ନେଇ ଆମ ଉଚ୍ଚାରଣ ଏବଂ ଆଚରଣରେ ରହିଛି ବିରାଟ ପ୍ରଭେଦ ।
ପାଠ୍ୟପୁସ୍ତକ ପ୍ରସ୍ତୁତି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଅତି ଯତ୍ନର ସହ ତାହା କରାଯିବା କଥା । ସେଥିପାଇଁ ଆବଶ୍ୟକ ଅଛି ଶିକ୍ଷା ଏବଂ ପ୍ରଶିକ୍ଷଣ। ଆମ ରାଜ୍ୟର ପାଠ୍ୟପୁସ୍ତକ ପ୍ରସ୍ତୁତକର୍ତ୍ତାମାନଙ୍କର ସେ ସମ୍ବନ୍ଧରେ କିଛି ଶିକ୍ଷା ଦୀକ୍ଷା ନାହିଁ । ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଏ ଅତି ଖାମଖିଆଲି ଭାବରେ । କିଛି ପୁସ୍ତକ ଅନ୍ଧ ଭାବେ କପି କରାଯାଏ ଏନସିଆରଟି ବହିରୁ । ନକଲ ବେଳେ ମଧ୍ୟ ଅକଲର ଆବଶ୍ୟକତା ଅଛି। ସେ ଅକଲ ସେମାନଙ୍କର ନାହିଁ । ଆମ ରାଜ୍ୟରେ ସବୁଠାରୁ ନିମ୍ନ ମାନର ବହି ଏକରୁ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ଏବଂ ପ୍ରାୟ ସମସ୍ତ ଓଡ଼ିଆ ମାତୃଭାଷା ବହି ଏକରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ । ପ୍ରତ୍ୟେକ ବହି ପ୍ରସ୍ତୁତ ପାଇଁ କମିଟି ହୁଏ । ସେ କମିଟି ଚାରି ପାଞ୍ଚ ଥର ବସେ । କେହି କିଛି ଲେଖନ୍ତି ନାହିଁ ଶେଷ ମିଟିଂ ପର୍ଯ୍ୟନ୍ତ । ନୋଟିସ ଲାଗେ ସାତ ଦିନ ମଧ୍ୟରେ ଲେଖା ଦେବା ପାଇଁ । ଦିନେ ଦୁଇ ଦିନରେ ଯିଏ ଯାହା ପାରନ୍ତି ଲେଖିକରି ଦେଇଦିଅନ୍ତି । ସେସବୁ ହେଇଯାଏ ବହି । ସେଇଥିପାଇଁ କେଉଁ ବହିରେ ନଥାଏ କିଛି ଉପକ୍ରମଣିକା, ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା । କେହି ତ ବୁଝି ନାହାଁନ୍ତି ବହିଟିକୁ । କିଏ ଲେଖିବ ସେସବୁ । ଆମ ପାଠ୍ୟପୁସ୍ତକ ପ୍ରସ୍ତୁତିକୁ ନେଇ ଆଉ ଗୋଟିଏ ବଡ଼ ଅସୁବିଧା ହେଲା, ଆମ ପାଠବହିଗୁଡ଼ିକ ପ୍ରକୃତ ଛାତ୍ରଛାତ୍ରୀଙ୍କୁ ନେଇ ଟ୍ରାୟ ଆଉଟ୍ କରାଯାଇ ବହିରେ ଥିବା ତ୍ରୁଟିଗୁଡ଼ିକୁ ସଂଶୋଧନ କରାଯାଏ ନାହିଁ ।
ଆମ ଗତ କୋଡ଼ିଏ ପଚିଶ ବର୍ଷରେ ପାଠ୍ୟପୁସ୍ତକ ପ୍ରସ୍ତୁତିର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ, ଆମ ପାଇଁ ଯେତେବେଳେ କିଛି ନୂଆ ଶିକ୍ଷା ଧାରଣା ଆସେ ସେତିକି ବେଳେ ଆମ ପୁସ୍ତକ ପ୍ରସ୍ତୁତକାରୀମାନେ ବେଶୀ ଭୁଲ୍ ଭଟକା କରି ନିମ୍ନ ମାନର ବହି ପ୍ରସ୍ତୁତ କରନ୍ତି ଏବଂ ଆମ ଶିକ୍ଷା ଆଗେଇବା ପରିବର୍ତ୍ତେ ପଛେଇଯାଏ । ତାହା ହେଇଥିଲା ୧୯୯୯-୨୦୦୦ ବେଳକୁ ଡିପିଇପି ଶିକ୍ଷା ଯୋଜନା ଆସିବା ବେଳକୁ । ପ୍ରଥମ ପାଠ ବହି ବା ପ୍ରାଇମାର ପ୍ରସ୍ତୁତି ପାଇଁ ଆମକୁ ଦୁଇଟି ବିଦେଶୀ ବିଜ୍ଞାନସମ୍ମତ ଶିକ୍ଷା ଧାରଣା ଦିଆଯାଇଥିଲା । ତାହା ହେଲା ଭାଷା ଶିକ୍ଷା ଅ, ଆ, ଇ, ଈ, ଅକ୍ଷର ଲେଖା ଶିକ୍ଷାରୁ ଆରମ୍ଭ ନକରି ଭାଷା ଶୁଣିବା ଦକ୍ଷତାରୁ (ଗପ ଗୀତ) ଶିକ୍ଷା ଏବଂ ଭାଷା ଶିକ୍ଷାକୁ ଗଣିତ ଏବଂ ପରିବେଶ ଶିକ୍ଷା ସହ ଇଣ୍ଟିଗ୍ରେସନ ।
ସେହି ଅନୁସାରେ ପ୍ରଥମ ଶ୍ରେଣୀ ପାଇଁ ହେବ ଖଣ୍ଡିଏ ବହି । ଆମେ ସେ ଦୁଇ ଧାରଣାକୁ ପ୍ରୟୋଗ କରିବାରେ ଫେଲ୍ ମାରି ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ଗଢ଼ିଲୁ³ ଯେଉଁ ମାଙ୍କଡ଼ଟି ହେଲା ପ୍ରାଇମାର ‘ହସଖେଳ’ ଚଳିଆସୁଅଛି ଗଲା ପଚିଶ ବର୍ଷ ହେଲା । ପ୍ରାଇମାରଟି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ କରିଦେଇଛି ଆମ ଶିକ୍ଷା ବ୍ୟବସ୍ଥାକୁ । ଦକ୍ଷତା ଦୃଷ୍ଟିରୁ ସବୁ ଶ୍ରେଣୀର ନବେରୁ ଊଦ୍ଧ୍ୱର୍ ପ୍ରତିଶତ ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କ ଗୋଟିଏ ଦୁଇଟି ତଳ ଶ୍ରେଣୀରେ । ଏବେ କୋଡ଼ିଏ ବର୍ଷ ପରେ ଆସିଛି ନୂଆ ଧାରଣା ଏନଇପି-୨୦୨୦ । ପ୍ରାଇମେରୀ ଶ୍ରେଣୀ ଯାଏଁ ଜାତୀୟ ଶିକ୍ଷାନୀତିର ମୂଳ ଆଧାର ହେଲା Foundational Literacy and Nuineracy । ତାକୁ ମିଶାଯାଇ ପାରିଥାନ୍ତା ତ୍ରୁଟିପୂର୍ଣ୍ଣ ହସଖେଳ ବହି ସ୍ଥାନରେ ନୂଆ ପ୍ରାଇମାର ପ୍ରସ୍ତୁତ ପରେ ସେ ବହି ସହ । କିଛି ତାହା କରା ନଯାଇ ପୁରୁଣା ତ୍ରୁଟିପୂର୍ଣ୍ଣ ବହିଟିକୁ ରଖି ଆଉ ଦୁଇଟି କାର୍ଯ୍ୟପୁସ୍ତିକା ପ୍ରସ୍ତୁତ କରାଗଲା । ବଢ଼ିଲା ବହି ସଂଖ୍ୟା, ପାଠ ବୋଝ । ଏବେ ପ୍ରଥମ ଶ୍ରେଣୀରେ ସାତ ସାତ ବହି ଯୋଗୁଁ ଆସିବ ଆଉ ଗୋଟିଏ ବଡ଼ ବିପର୍ଯ୍ୟୟ ଆମ ଶିକ୍ଷା କ୍ଷେତ୍ରରେ । ଆହୁରି ପଛେଇବ ଆମ ଶିକ୍ଷା । ଆମ ସରକାର ତ ସେସବୁ ପ୍ରତି ନଜର ନଦେଇ ମାତିଥିଲେ ସ୍କୁଲ ନବୀକରଣରେ । ଏ ସରକାରଙ୍କୁ ଅନୁରୋଧ, ଏସବୁ କଥା ବୁଝି ବିହିତ କାର୍ଯ୍ୟାନୁଷ୍ଠାନ ନେଇ ଶିକ୍ଷାକୁ ବଞ୍ଚାଇବାକୁ ।