ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଜୀବନ ଅପେକ୍ଷା ଲାଭକୁ ପ୍ରାଧାନ୍ୟ...

Published By : Prameya | January 17, 2025 2:31 PM

ବିଭିନ୍ନ ଗବେଷଣାରୁ ଜଣାପଡିଛି  ଯେ ଦୀର୍ଘସ୍ଥାୟୀ ଦକ୍ଷତା ପାଇଁ ଏକ ସୁସ୍ଥ କାର୍ଯ୍ୟ-ଜୀବନ ସନ୍ତୁଳନ  ଅଧିକ ପ୍ରଭାବଶାଳୀ । ରାଣ୍ଡଷ୍ଟାଡର  ୱାର୍କମନିଟର ରିପୋର୍ଟରେ  ଉଲ୍ଲେଖ କରାଯାଇଛି ଯେ,  ୯୩.୭% କର୍ମଚାରୀ ବିଶ୍ୱାସ କରନ୍ତି  ଯେ କାର୍ଯ୍ୟ-ଜୀବନ ସନ୍ତୁଳନ  ଅତ୍ୟନ୍ତ ଜରୁରି ।

ନିକଟରେ ସପ୍ତାହକୁ ୯୦ଘଣ୍ଟା କାମ କରିବା ଲାଗି  ଏଲ୍‌ଆଣ୍ଡ୍‌ଟି’ର ଅଧ୍ୟକ୍ଷ ଏସ୍‌ ଏନ୍‌ ସୁବ୍ରମଣ୍ୟନ  ପ୍ରସ୍ତାବ ଦେଇଛନ୍ତି । ପରିବାର ସହିତ ସମୟ ନକଟାଇ  କମ୍ପାନି ପାଇଁ ଅନବରତ କାର୍ଯ୍ୟ କରିବାକୁ ସେ ପରାମର୍ଶ  ଦେଇଛନ୍ତି । ତାଙ୍କର ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ପାଇଁ  ତାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଉଛି ।  କାରଣ, ସେ ଏକ ଶୋଷଣମୂଳକ କର୍ମସଂସ୍କୃତିକୁ ସମର୍ଥନ  କରୁଛନ୍ତି । ୨୦୨୩ ନଭେମ୍ବରରେ ଇନଫୋସିସ୍‌ର ସହ- ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣ ମୂର୍ତ୍ତି ଯୁବପିଢ଼ିଙ୍କୁ  ସପ୍ତାହରେ ୭୦ଘଣ୍ଟା କାମ କରିବା ଦରକାର ବୋଲି ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଥିଲେ । ଗତ  ୨୦୨୪ ମସିହା ଜୁଲାଇ ମାସରେ ପୃଥିବୀର ଚାରିଟି  ବୃହତ୍ତମ ଫାଇନାନ୍‌ସିଆଲ୍‌ କନ୍‌ସଲ୍‌ଟାନ୍‌ସି କମ୍ପାନି ବା  "ବିଗ୍‌ ଫୋର୍‌' ମଧ୍ୟରୁ ଅନ୍ୟତମ "ଏର୍ନଷ୍ଟ ଆଣ୍ଡ ୟଙ୍ଗ'  କମ୍ପାନିର ଖରାପ କାର୍ଯ୍ୟଶୈଳୀ ଏବଂ ଅତ୍ୟଧିକ କର୍ମଚାପ ଯୋଗୁଁ ପୁଣେର ୨୬ ବର୍ଷୀୟା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆନ୍ନା  ସେବାଷ୍ଟିଆନ ପେରାୟିଲଙ୍କ ଅକାଳ ମୃତ୍ୟୁ ହୋଇଥିବା  ଜଣାପଡ଼ିଥିଲା । ମୃତ୍ୟୁପରେ ତାଙ୍କ ମା' ଅନୀତା  ଅଗଷ୍ଟିନଙ୍କ ଏର୍ନଷ୍ଟ ଆଣ୍ଡ ୟଙ୍ଗ (ଇୱାଇ) କମ୍ପାନିର  ମୁଖ୍ୟଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଆବେଗଭରା ଏବଂ ହୃଦୟ ବିଦାରକ ଚିଠି କର୍ପୋରେଟ ଜଗତ ଏବଂ ଚିନ୍ତାଶୀଳ  ବ୍ୟକ୍ତିଙ୍କ ମନରେ ଆଲୋଡନ ସୃଷ୍ଟି କରିଥିଲା, ଯାହା  ବୋଧେ ସୁବ୍ରମଣ୍ୟନ ଭୁଲିଯାଇଛନ୍ତି । ସେ ବୋଧେ  ଜୀବନ କ'ଣ ଓ ଜୀବନର ଲକ୍ଷ୍ୟ କ'ଣ ହେବା  ଉଚିତ, ଜୀବନରେ ଲାଭ ସବୁ କିଛି ନୁହେଁ ବୋଲି  ତାହା ଭୁଲିଯାଇଛନ୍ତି । 

ଶ୍ରମିକମାନଙ୍କର ମାନସିକ ଏବଂ ଶାରୀରିକ  ସ୍ୱାସ୍ଥ୍ୟର ସୁରକ୍ଷା, କର୍ମକ୍ଷେତ୍ରରେ ଲିଙ୍ଗଗତ  ସମାନତାକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ପାଦନ ବୃଦ୍ଧି  ପାଇଁ ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ)  ଦିନକୁ ଆଠଘଣ୍ଟା ଏବଂ ସପ୍ତାହରେ ୪୮ଘଣ୍ଟା ମଧ୍ୟରେ  କାର୍ଯ୍ୟନିର୍ଘଣ୍ଟ ସୀମିତ କରିଛି। ଭାରତୀୟ ଶ୍ରମ ନିୟମ  ମଧ୍ୟ ୪୮ଘଣ୍ଟିଆ କାର୍ଯ୍ୟ ସମୟ ଧାର୍ଯ୍ୟ କରିଛି । ସେହିପରି  ଦିନକରେ ୮ଘଣ୍ଟାରୁ ଅଧିକ କାମ କରିବା ଠିକ୍‌ ନୁହେଁ ।  ଅବଶ୍ୟ ଭାରତରେ ଅଲଗା ଅଲଗା କାମ ପାଇଁ ଭିନ୍ନ  ଭିନ୍ନ ନିୟମ ଅଛି । ବିଶ୍ୱସ୍ତରରେ ହାରାହାରି କାର୍ଯ୍ୟ ସପ୍ତାହ  ପ୍ରାୟ ୩୭ଘଣ୍ଟା । କିନ୍ତୁ କିଛି ସ୍ଥାନରେ ଏହା ୪୦ଘଣ୍ଟାରୁ  କମ୍‌ ହେଲାବେଳେ କିଛି ସ୍ଥାନରେ ପ୍ରାୟ ୫୦ଘଣ୍ଟା  ପର୍ଯ୍ୟନ୍ତ ହୋଇଥାଏ । ୨୦୨୪ରେ ସପ୍ତାହକୁ ହାରାହାରି  ୪୬.୭ଘଣ୍ଟା ସହିତ ଭାରତ ସର୍ବାଧିକ କାର୍ଯ୍ୟନିର୍ଘଣ୍ଟ  ଥିବା ଦେଶମାନଙ୍କ ମଧ୍ୟରେ ୧୩ତମ ସ୍ଥାନରେ ଅଛି ।  ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ୫୧%  ସପ୍ତାହରେ ୪୯ କିମ୍ବା ତା'ଠାରୁ ଅଧିକ ଘଣ୍ଟା କାମ କରନ୍ତି ।  

ଆଶ୍ଚର୍ଯ୍ୟର ବିଷୟ ହେଉଛି, ମାତ୍ରାଧିକ ସମୟ ପରିଶ୍ରମ  କରୁଥିବା ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା ହେଉଥିବା ଦେଶ  ଚୀନର ଲୋକମାନେ ଭାରତୀୟଙ୍କଠାରୁ କମ୍‌ ପରିଶ୍ରମ  କରୁଛନ୍ତି । ଚୀନରେ ହାରାହାରି ସାପ୍ତାହିକ କାର୍ଯ୍ୟନିର୍ଘଣ୍ଟ  ୪୬.୫ଘଣ୍ଟା ରହିଛି, ଯାହା ଭାରତର ୪୬.୭ ନିର୍ଘଣ୍ଟ  ଠାରୁ କମ୍‌ । ୨୦୨୪ରେ ଶ୍ରମିକମାନେ ସପ୍ତାହକୁ ଅଧିକ  ପରିଶ୍ରମ କରୁଥିବା ଦେଶ ତାଲିକାର ଶୀର୍ଷରେ ଭୁଟାନ  ରହିଛି । ସେଠାରେ ଲୋକମାନେ ସପ୍ତାହକୁ ୫୪.୪  ଘଣ୍ଟା ପରିଶ୍ରମ କରୁଛନ୍ତି । ଏହା ପଛକୁ ରହିଛନ୍ତି ୟୁଏଇ  (୫୦.୯ ଘଣ୍ଟା), ଲିସୋଥୋ (୫୦.୪ ଘଣ୍ଟା), କଙ୍ଗୋ  (୪୮.୬ ଘଣ୍ଟା), କତର (୪୮ଘଣ୍ଟା), ଲାଇବେରିଆ  (୪୭.୭ ଘଣ୍ଟା), ମୌରିଟାନିଆ ( ୪୭.୬ ଘଣ୍ଟା),  ଲେବାନନ (୪୭.୬ ଘଣ୍ଟା), ମଙ୍ଗୋଲିଆ (୪୭.୩  ଘଣ୍ଟା), ଜୋର୍ଡାନ (୪୭ ଘଣ୍ଟା) । ଆଶ୍ଚର୍ଯ୍ୟର ବିଷୟ  ବ୍ରୁନେଇ, କେନିଆ ଓ ସେନେଗାଲର ଲୋକମାନେ  ମଧ୍ୟ ଭାରତୀୟଙ୍କଠାରୁ କମ୍‌ ଖଟୁଛନ୍ତି । ଭାନୁଆଟୁରେ  ବିଶ୍ୱସ୍ତରରେ ସବୁଠାରୁ କମ୍‌ ହାରାହାରି କାର୍ଯ୍ୟନିର୍ଘଣ୍ଟ  ଅଛି । କର୍ମଚାରୀମାନେ ପ୍ରତି ସପ୍ତାହରେ ମାତ୍ର ୨୪.୭  ଘଣ୍ଟା କାମ କରନ୍ତି । ନେଦରଲ୍ୟାଣ୍ଡ (୩୧.୬ଘଣ୍ଟା) ଏବଂ  ନରୱେ (୩୩.୭ଘଣ୍ଟା) ପରି ୟୁରୋପୀୟ ରାଷ୍ଟ୍ରଗୁଡ଼ିକର  ମଧ୍ୟ କାର୍ଯ୍ୟନିର୍ଘଣ୍ଟ ଯଥେଷ୍ଟ କମ୍‌ । 

ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା (ଆଇଏଲ୍‌ଓ)ର  ଫିଲାଡେଲଫିଆର ଘୋଷଣାନାମା ସୁସ୍ଥତା ଏବଂ ଆଧ୍ୟାତ୍ମିକ  ବିକାଶ ହାସଲ କରିବାର ଅଧିକାର ଉପରେ ଗୁରୁତ୍ୱାରୋପ  କରୁଥିବାବେଳେ, ସାରା ବିଶ୍ୱରେ କାର୍ଯ୍ୟନିର୍ଘଣ୍ଟ ବହୁତ  ଭିନ୍ନ ହେବା ଚିନ୍ତାଜନକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ  ଆଇଏଲ୍‌ଓ ଅତ୍ୟଧିକ କାର୍ଯ୍ୟ ସମୟକୁ ଏକ ପ୍ରମୁଖ  ଜନସ୍ୱାସ୍ଥ୍ୟ ଚିନ୍ତା ଭାବରେ ଚିହ୍ନଟ କରିଛନ୍ତି, ଯାହା ବର୍ଦ୍ଧିତ  ବୃତ୍ତିଗତ ରୋଗ ବୋଝ ସହିତ ଜଡ଼ିତ । କର୍ମଚାରୀମାନେ  ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବା ଯୋଗୁଁ ଅବସାଦରେ  ରହୁଛନ୍ତି । ଏହାଛଡ଼ା ହୃଦ୍‌ ସମସ୍ୟା, ଚିଡ଼ିଚିଡ଼ାପଣ,  ମେଦବହୁଳତା, ଅନିଦ୍ରା ସମସ୍ୟା ବୃଦ୍ଧିପାଉଛି । ବିଶ୍ୱ  ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ତର୍ଜାତୀୟ ଶ୍ରମ ସଂଗଠନର  ଏକ ଆକଳନ ଅନୁଯାୟୀ, ଦୀର୍ଘ କାର୍ଯ୍ୟନିର୍ଘଣ୍ଟ ଯୋଗୁଁ  ୨୦୧୬ରେ ବ୍ରେନ ଷ୍ଟ୍ରୋକ୍‌ ଏବଂ ହୃଦ୍‌ରୋଗରେ ପୀଡ଼ିତ  ହୋଇ ୭,୪୫,୦୦୦ ଲୋକ ମୃତ୍ୟୁବରଣ କରିଥିଲେ,  ଯାହା ୨୦୦୦ ତୁଳନାରେ ୨୯% ଅଧିକ ଥିଲା । ବେଶୀ  ଚିନ୍ତାର ବିଷୟ, କାର୍ଯ୍ୟଚାପଜନିତ ଯେତିକି ମୃତ୍ୟୁବରଣ  କରନ୍ତି ସେମାନଙ୍କ ମଧ୍ୟରୁ ପୁରୁଷମାନଙ୍କ ସଂଖ୍ୟା ପ୍ରାୟ  ୭୨% । 

ମେଡିବଡି ଏବଂ ସିଆଇଆଇ ଦ୍ୱାରା କରାଯାଇଥିବା  ଏକ ସର୍ଭେ ଅନୁଯାୟୀ, କାର୍ଯ୍ୟ ସମ୍ବନ୍ଧୀୟ ଚାପ ଏବଂ  ଦୁର୍ବଳ କାର୍ଯ୍ୟ-ଜୀବନ ସନ୍ତୁଳନର ପରିଣାମ ସ୍ୱରୂପ,  ୬୨%ରୁ ଅଧିକ ଭାରତୀୟ କର୍ମଚାରୀ ବର୍ଣ୍ଣଆଉଟ୍‌  ଯୋଗୁଁ କଷ୍ଟ ପାଆନ୍ତି, ଯାହା ବିଶ୍ୱବ୍ୟାପୀ ହାରାହାରି ୨୦% ର ତିନିଗୁଣ । ଆଇଆଇଏମ୍‌ ଅହମଦାବାଦ ପକ୍ଷରୁ  କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, କାର୍ଯ୍ୟଚାପ  କର୍ମଚାରୀଙ୍କ ବର୍ଣ୍ଣଆଉଟ୍‌ (ଥକ୍କାପଣ)ର ପ୍ରମୁଖ କାରଣ ।  ଅଧିକ ଅବସାଦ ଦେଇ ଗତି କରୁଥିବା କର୍ମଚାରୀ  ଏହାର ବେଶୀ ଶିକାର ହୋଇଥାନ୍ତି । ଦକ୍ଷତା ଓ ଉତ୍ପାଦନ  କ୍ଷମତା କମିଥାଏ ଓ ଅନେକ କର୍ମଚାରୀଙ୍କ ଉପସ୍ଥିତି  କମ୍‌ ରହିଥାଏ । କାମରେ ସନ୍ତୁଷ୍ଟି ଲାଭ କରୁନଥିବାରୁ  ଉତ୍ପାଦନ କ୍ଷମତା କମିଥାଏ । ମନୋବିଜ୍ଞାନୀଙ୍କ ଅନୁସାରେ,  ଅଧିକାଂଶ ଲୋକ ୮ଘଣ୍ଟା ପର୍ଯ୍ୟନ୍ତ ଭଲ କାମ କରିଥାନ୍ତି ।  ତାହାଠାରୁ ଅଧିକ ସମୟ କାମ କରିବା ଦ୍ୱାରା ସୃଜନାତ୍ମକ  ଶକ୍ତି ଓ ଜ୍ଞାନ ହ୍ରାସପାଏ । କାମ ମଝିରେ ବ୍ରେକ୍‌ ନେବାଦ୍ୱାରା  ଧ୍ୟାନକେନ୍ଦ୍ରିତ ହୁଏ । କର୍ମଚାରୀଙ୍କୁ ସମ୍ବୋଧିତ କରି ସୁବ୍ରମଣ୍ୟମ  କହିଥିଲେ ଯେ, ରବିବାର ମୁଁ ଆପଣମାନଙ୍କୁ କାମ  କରାଇପାରୁନଥିବାରୁ ଦୁଃଖିତ ମନେକରୁଛି । ଯଦି ମୁଁ  ଆପଣଙ୍କୁ ରବିବାର କାମ କରାଇପାରିବି ତେବେ ବହୁତ  ଖୁସି ହେବି । ତୁମେମାନେ ଘରେ ବସି କ'ଣ କରୁଛ?  ପତ୍ନୀଙ୍କୁ କେତେ ସମୟ ଚାହିଁ ରହିବ? ଅଫିସ୍‌ ଆସ,  କାମ କର ବୋଲି ସେ କହିଥିଲେ । ଯଦି ଜଣକୁ ନିୟମିତ  ଅଧିକ ଘଣ୍ଟା କାମ କରିବାକୁ ପଡ଼େ, ତେବେ କାର୍ଯ୍ୟ- ଜୀବନ ସନ୍ତୁଳନ ବ୍ୟାଘାତ ହେବ । ଯଦି ଖାଲି କାମ  କରିବ, ତେବେ ଜଣେ କେତେ ଘଣ୍ଟା ଶୋଇବ, ପରିବାର  ଓ ଆତ୍ମୀୟସ୍ୱଜନ ଓ ସାମାଜିକ ସମ୍ପର୍କ ପାଇଁ କେତେ ଘଣ୍ଟା  ଦେବ? ବୈବାହିକ ଜୀବନରେ ଝଡ଼ ସୃଷ୍ଟିହେବ, ଯାହା  ଆଜି ହେଉଛି ମଧ୍ୟ । ବିଭିନ୍ନ ଗବେଷଣାରୁ ଜଣାପଡିଛି  ଯେ ଦୀର୍ଘସ୍ଥାୟୀ ଦକ୍ଷତା ପାଇଁ ଏକ ସୁସ୍ଥ କାର୍ଯ୍ୟ- ଜୀବନ ସନ୍ତୁଳନ ଅଧିକ ପ୍ରଭାବଶାଳୀ । 

ରାଣ୍ଡଷ୍ଟାଡର  ୱାର୍କମନିଟର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ,  ୯୩.୭% କର୍ମଚାରୀ ବିଶ୍ୱାସ କରନ୍ତି ଯେ କାର୍ଯ୍ୟ- ଜୀବନ ସନ୍ତୁଳନ ଅତ୍ୟନ୍ତ ଜରୁରି । ଅଧିକାଂଶ କହିଛନ୍ତି  ଯେ, ଯଦି କୌଣସି କାର୍ଯ୍ୟ ସେମାନଙ୍କ କାର୍ଯ୍ୟ-ଜୀବନ  ସନ୍ତୁଳନକୁ ନକାରାତ୍ମକ ଭାବରେ ପ୍ରଭାବିତ କରେ,  ତେବେ ସେମାନେ ସେହି କାର୍ଯ୍ୟ ଗ୍ରହଣ କରିବେନାହିଁ ।  ଏଣୁ ଏବେ ଯେଭଳି କର୍ମଚାରୀଙ୍କ କାମଚାପ ବୃଦ୍ଧିପାଉଛି,  ତାହାକୁ ବିଚାରକୁ ନେଇ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ  ଉପରେ ନିଯୁକ୍ତିଦାତା ଧ୍ୟାନଦେବା ଉଚିତ । କର୍ମଚାରୀଙ୍କ  ଭଲମନ୍ଦ ଉପରେ ତଥ୍ୟ ପ୍ରଦାନ କରୁଥିବା ଗ୍ରେଟବ୍ରିଟେନ  ରିମୋଟ ନାମକ ସଂସ୍ଥାର ଗ୍ଲୋବାଲ ଲାଇଫ୍‌-ୱାର୍କ  ଇଣ୍ଡେକ୍ସ-୨୦୨୪ ଜିଡିପି ଅନୁସାରେ ୬୦ଟି ବୃହତ  ଦେଶରେ ଜୀବନ-କାର୍ଯ୍ୟ ସନ୍ତୁଳନର ଗୁଣବତ୍ତା  ମୂଲ୍ୟାଙ୍କନ କରିଛି । ସାମଗ୍ରିକ ସ୍କୋର ସର୍ବନିମ୍ନ  ମଜୁରି, ଅସୁସ୍ଥତା ଛୁଟି, ମାତୃତ୍ୱ ଛୁଟି, ସ୍ୱାସ୍ଥ୍ୟସେବା ଉପଲବ୍ଧତା, ସାର୍ବଜନୀନ ଖୁସି, ହାରାହାରି କାର୍ଯ୍ୟ ଘଣ୍ଟା  ଏବଂ ସମଲିଙ୍ଗୀ, ଟ୍ରାନ୍‌ସଜେଣ୍ଡର ଅନ୍ତର୍ଭୁକ୍ତି ମାଧ୍ୟମରେ  ନିର୍ଣ୍ଣୟ କରାଯାଏ । ଏହି ସୂଚକାଙ୍କ ଅନୁସାରେ ଶୀର୍ଷ  ୧୦ ଦେଶ ମଧ୍ୟରୁ ଛଅଟି ୟୁରୋପୀୟ ରାଷ୍ଟ୍ର । ଅର୍ଥାତ୍‌  ରିପୋର୍ଟ ଅନୁଯାୟୀ, ଜୀବନ-କାର୍ଯ୍ୟ ସନ୍ତୁଳନ ଦୃଷ୍ଟିରୁ  ୟୁରୋପ ଆଗୁଆ ଅଛି । ନ୍ୟୁଜିଲ୍ୟାଣ୍ଡ ଶୀର୍ଷରେ ଅଛି ।  ତା’ ପଛକୁ ସ୍ପେନ୍‌, ଫ୍ରାନ୍‌ସ, ଅଷ୍ଟ୍ରେଲିଆ, ଡେନମାର୍କ,  ନରୱେ, ନେଦରଲ୍ୟାଣ୍ଡ, ଗ୍ରେଟ ବ୍ରିଟେନ, କାନାଡ଼ା,  ବ୍ରାଜିଲ ରହିଛନ୍ତି । ତାଲିକାରେ ଦୁର୍ଭାଗ୍ୟବଶତଃ ବାର୍ଷିକ  ଛୁଟି କିମ୍ବା ଅସୁସ୍ଥତାଜନିତ ଛୁଟିର ଅଭାବ ହେତୁ ସୂଚକାଙ୍କରେ ଭାରତ ୪୩ତମ ସ୍ଥାନରେ ଅଛି ଏବଂ  ଯୁକ୍ତରାଷ୍ଟ୍ର ୫୩ତମ ସ୍ଥାନରେ ଅଛି । ବାସ୍ତବରେ କର୍ମ-ଜୀବନ ସନ୍ତୁଳନ ଏକ ବିକଳ୍ପ ନୁହେଁ,  ଏହା ଏକ ଆବଶ୍ୟକତା । 

‘ବର୍ଣ୍ଣଆଉଟ୍‌ ଏପିଡେମିକ୍‌'ର  ଲେଖକ ଜେନିଫର୍‌ ମାସ୍‌ଙ୍କ ଅନୁଯାୟୀ, ଯେତେବେଳେ  କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟସୂଚୀ ଏବଂ ପର୍ଯ୍ୟାପ୍ତ  ବିଶ୍ରାମ ଉପରେ ଅଧିକ ନିୟନ୍ତ୍ରଣ କରନ୍ତି, ସେତେବେଳେ  ସେମାନେ ନିଜ କାର୍ଯ୍ୟରେ ଅଧିକ ନିୟୋଜିତ ହୁଅନ୍ତି ଏବଂ  ଅଧିକ ଦକ୍ଷତା ସହ ମଧ୍ୟ କାର୍ଯ୍ୟ କରନ୍ତି । ଆମେରିକୀୟ  ଲେଖକ ଡେଲ୍‌ ପାର୍ଟ୍ରିଜ୍‌ ତାଙ୍କ ପୁସ୍ତକ "ଲାଭ ଅପେକ୍ଷା  ମଣିଷ'ରେ କର୍ମଚାରୀମାନଙ୍କୁ ସେମାନଙ୍କର କାର୍ଯ୍ୟର  ମାଲିକାନା ଦେବା ଓ ସେମାନଙ୍କ ସଶକ୍ତିକରଣ ଉପରେ  ଗୁରୁତ୍ୱାରୋପ କରିଛନ୍ତି । ଯେତେବେଳେ କର୍ମଚାରୀମାନେ ନିଜକୁ ବିଶ୍ୱସ୍ତ ଏବଂ ମୂଲ୍ୟବାନ ଅନୁଭବ କରନ୍ତି ସେମାନେ  ଉତ୍ସାହିତ ହୋଇ ଅଭିନବ ଉପାୟରେ ସଫଳତା ପାଇଁ  ଚେଷ୍ଟା କରନ୍ତି । ବାସ୍ତବରେ ବେଶୀ ସମୟ କାମ କଲେ  ଉତ୍ପାଦନ ବଢ଼େନାହିଁ । ଜଣେ ସୁସ୍ଥ ହୋଇ ଖୁସି ଓ  ଶାନ୍ତିରେ ରହିଲେ ଏବଂ ଦକ୍ଷତା ଓ ପ୍ରତିଭାସମ୍ପନ୍ନ ହେଲେ  ଉତ୍ପାଦନ ଶକ୍ତି ବୃଦ୍ଧିପାଏ । ଜ୍ଞାନ ଓ ପରିସ୍ଥିତି ସହିତ ଖାପ  ଖୁଆଇବାର ଶକ୍ତି, ସୂଚନା ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ  ଜ୍ଞାନକୌଶଳ ବ୍ୟବହାର ଉତ୍ପାଦନ ଶକ୍ତି ବୃଦ୍ଧି କରିଥାଏ । ଏଥିପାଇଁ ମାନବ ପୁଞ୍ଜିରେ ଅଧିକ ନିବେଶ ଆବଶ୍ୟକ ।  ହାର୍ଭାର୍ଡ ବିଜିନେସ୍‌ ରିଭ୍ୟୁରେ ପ୍ରକାଶିତ "ଲୋକମାନଙ୍କରେ  ଅଧିକ ବିନିଯୋଗ ପାଇଁ ମାମଲା' ଶୀର୍ଷକ ଏକ ନିବନ୍ଧରେ  (୦୪ ସେପ୍ଟେମ୍ବର ୨୦୧୭) ଏରିକ୍‌ ଗାର୍ଟନ୍‌ କୁହନ୍ତି  ଯେ, ଉତ୍ପାଦନଶୀଳତା ଏବଂ ଲୋକଙ୍କ ମଧ୍ୟରେ ଏକ  ଭଲ ସମ୍ପର୍କ ରହିଛି । ମାନବ ପୁଞ୍ଜିରେ ବିନିଯୋଗ  ଉତ୍ପାଦନଶୀଳତା ବୃଦ୍ଧି କରିଲାବେଳେ, ଉଚ୍ଚସ୍ତରର  ଉତ୍ପାଦନ ମାନବ ପୁଞ୍ଜିରେ ପୁନଃ ନିବେଶ କରିବାକୁ  ସୁଯୋଗ ସୃଷ୍ଟିକରେ । ମଜୁରି ବ୍ୟତୀତ ମାନବ ପୁଞ୍ଜିରେ  ବିନିଯୋଗର ଅନ୍ୟାନ୍ୟ ରୂପ ହେଉଛି ଶିକ୍ଷା ଏବଂ ତାଲିମ,  କୌଶଳ, ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ  ବିନିଯୋଗ କରିବା । 

ବାସ୍ତବରେ ଆଜି ଆମେ ଏକ ପୁଞ୍ଜିବାଦୀ ବ୍ୟବସ୍ଥା  ମଧ୍ୟରେ କାର୍ଯ୍ୟ କରୁଛେ, ଯେଉଁଠି ଶାସକ ଶ୍ରେଣୀ  ଲୋକଙ୍କ ଭଲମନ୍ଦ ଜିଡିପି ବୃଦ୍ଧି ଦ୍ୱାରା ମାପିଥାନ୍ତି ଏବଂ  ମଣିଷ ପ୍ରତ୍ୟେକ ମୁହୂର୍ତ୍ତରେ ନିଜ ଜୀବନ ଓ ସମ୍ପର୍କକୁ  ଅର୍ଥ ଓ ସମ୍ପଦରେ ମାପିଥାଏ ଏବଂ କମ୍ପାନିମାନେ କେବଳ  ଲାଭ କଥା ଭାବନ୍ତି । ଅବଶ୍ୟ ସେହିପରି ମାନସିକତା  ପୁଞ୍ଜିବାଦୀ ବ୍ୟବସ୍ଥା ଓ ଉଗ୍ର ଉପଭୋକ୍ତାବାଦ ଦ୍ୱାରା  ସୃଷ୍ଟି କରାଯାଉଛି । ଏହା ହୋଇନଥିଲେ କେହି କହନ୍ତେ  ନାହିଁ ଖାଲି ୨୪ଘଣ୍ଟା କାର୍ଯ୍ୟ କର । ଅଧିକ ଅର୍ଥ ଓ ଲାଭ  ଆଶାରେ ମଣିଷ ପରିବାର ଓ ବନ୍ଧୁବାନ୍ଧବ ଆଦି ଅଛନ୍ତି  ବୋଲି ଭୁଲିଯାଉଛି । ବାପା ଓ ମାଆ ତଥା ଆତ୍ମୀୟସ୍ୱଜନଙ୍କ ସହିତ କଥା ହେବାକୁ ସମୟ ନାହିଁ । ସବୁ ସମ୍ପର୍କ ସେହି  ମୋବାଇଲ ମଧ୍ୟରେ ଆବଦ୍ଧ । ପୁନଶ୍ଚ ଯାନ୍ତ୍ରିକ ଜୀବନରେ  କେତେ କମ୍ପାନୀର ଲାଭ ସୃଷ୍ଟି କରିବେ, କେତେ ଅଧିକ  ଉତ୍ପାଦନ ଦେଖାଇବେ ଓ କେତେ ଅଧିକ ପ୍ୟାକେଜ  ପାଇବେ ସେହି ନିଶାରେ ଯୁବପିଢ଼ି ହଜି ଯାଉଛନ୍ତି। ଯେତେ ଅର୍ଥ ରୋଜଗାର କଲେ ମଧ୍ୟ ଚାକିରି ହରାଇବାର  ଭୟ ସବୁବେଳେ ଥାଏ ଓ ପରିବାରର ସଦସ୍ୟଙ୍କ ଭଲ  ମନ୍ଦରେ ଠିଆ ହେବାକୁ ସମୟ ମିଳେନା । ସେପରି  ଜୀବନର ମୂଲ୍ୟ କ’ଣ?

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.