ସକାଳେ ଚାଲୁ ଚାଲୁ ନିଧି ମଉସା ପଚାରିଲେ- ପୁଅ, ସେଲିବ୍ରିଟିର ପ୍ରକୃତ ଓଡ଼ିଆଟା କ’ଣ ହବ କହିପାରିବୁ? ମୁଁ ପଚାରିଲି- ମଉସା, କାଇଁ ପଚାରିଲେ କୁହନ୍ତୁ । ସେ ଟିକିଏ ତାତ୍ସଲ୍ୟସୂଚକ ହସ ହସିଦେଇ କହିଲେ- ପୁଅ, ମୁଁ ସୋସିଆଲ ମିଡିଆରେ ଦେଖୁଚି, କିଛି ବ୍ୟକ୍ତି ଯାହାର ପାଟିରେ ସେଲିବ୍ରିଟି ଶବ୍ଦ ପଶେନାହିଁ ସେ ନିଜକୁ ସେଲିବ୍ରିଟି ବୋଲି କହୁଛି । ପ୍ରକୃତରେ ଏହାର ଅର୍ଥ ଓଡ଼ିଆରେ କ’ଣ ହେବ? ମୁଁ କହିଲି ଏହାର ଅର୍ଥ ପ୍ରସିଦ୍ଧ ବ୍ୟକ୍ତି । ମଉସା କହିଲେ- ପୁଅ, କହିଲୁ ପ୍ରସିଦ୍ଧଟା କେଉଁ ଦୃଷ୍ଟିକୋଣରୁ? ମୁଁ କହିଲି- ମଉସା, ଏହାର ଦୁଇଟି ଦିଗ, ଗୋଟିଏ ଦେଉଳ ତୋଳି ଏବଂ ଅନ୍ୟଟି ରାସ୍ତାକୁ ଅସନା କରି । ଅର୍ଥାତ୍, ଅନେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ଯଥାରାଜନୀତି, ବିଜ୍ଞାନ, ନୃତ୍ୟ, ଗୀତ, ସମାଜ ସେବା, ଦାନ ଧର୍ମ କରି ପ୍ରସିଦ୍ଧ ହୁଅନ୍ତି, କିନ୍ତୁ ଏହା କଷ୍ଟ ଏବଂ ସମୟସାପେକ୍ଷ, ଯାହାକି ପାଇବା ପାଇଁ ଜୀବନଟା ବି ଛୋଟ ପଡ଼ିଯାଏ । ହେଲେ ଏହା ଚିରସ୍ଥାୟୀ ହୋଇ ରହିଥାଏ । ଆଉ କିଛି ବ୍ୟକ୍ତି ଅବାଟରେ ଯାଇ ପ୍ରସିଦ୍ଧ ହୁଅନ୍ତି ଯାହାକି କ୍ଷଣସ୍ଥାୟୀ ହୋଇଥାଏ । ଏଭଳି ବ୍ୟକ୍ତି କିଛି ନପାଇଲେ ଶେଷରେ ସଭା, ରାସ୍ତା, ସାଂସ୍କୃତିକ ବା ସର୍ବସାଧାରଣ ସ୍ଥାନରେ ଶରୀରରୁ ପିନ୍ଧିଥିବା ବସନ କାଢ଼ି ଫୋପାଡ଼ି ଦେଲେ ବି ସିଏ କିଛି ଘଣ୍ଟା ବା ଦିନରେ ପ୍ରସିଦ୍ଧ ହୋଇଯାଆନ୍ତି । ଏ ଉଭୟ ଶ୍ରେଣୀର ବ୍ୟକ୍ତିଙ୍କୁ ପ୍ରସିଦ୍ଧ କରିବା ପଛରେ ଆମେ ଜନସାଧାରଣ ଆଉ ସାମାଜିକ ଗଣମାଧ୍ୟମ ହିଁ ତାଙ୍କୁ ପ୍ରସିଦ୍ଧ କରାଇଥାଉ । ହେଲେ ଏବେ ମଉସା, ଗୋଟିଏ ନୂତନ ଶ୍ରେଣୀର ପ୍ରସିଦ୍ଧ ବ୍ୟକ୍ତି ବାହାରିଛନ୍ତି ଯାହାକୁ ଅସାଧାରଣ କରିବା ପଛରେ ସୋସିଆଲ ମିଡିଆର ଅନେକ ଅବଦାନ ।
ମଉସା କହିଲେ କେମିତି? ଯେହେତୁ ଛାପା ବା ବୈଦ୍ୟୁତିକ ଗଣମାଧ୍ୟମଙ୍କ ପାଇଁ ଅନେକ ଆଇନ କାନୁନ୍ ବା ଲକ୍ଷ୍ମଣ ରେଖା ରହିଛି । କିନ୍ତୁ ସୋସିଆଲ ମିଡିଆ ପାଇଁ ସେଭଳି ଦୃଢ଼ କଟକଣା ନାହିଁ । ତେଣୁ ସେମାନେ ଚାହିଁଲେ ପଙ୍ଗୁ ଲଂଘୟତେ ଗିରି ଭଳି ଅସାଧ୍ୟ ସାଧନ କରିପାରନ୍ତି ଏବଂ ସେମାନଙ୍କ ପ୍ରାପ୍ୟ ବାବଦରେ ଖାଲି ଟିକେ ଲାଇକ୍, ସେୟାର ବା ଫଲୋ କରିଦେଲେ ହେଲା । ପ୍ରତିବଦଳରେ ପ୍ରସିଦ୍ଧ ହେବାକୁ ଚାହୁଁଥିବା ପୁରୁଷ ବା ମହିଳା ଜଣକ କ୍ୟାମେରା ଆଗରେ ଯେତେ ଯାହା ଉତ୍କଟ ଉଚ୍ଚାରଣ ବା ଆଚରଣ ଦେଖାଇଲେ ମଧ୍ୟ ଭିଡିଓ ବା ଫଟୋଟି ସେତିକି ଅଧିକ ଭାଇରାଲ ହୁଏ ।
ମଉସା କହିଲେ କିପରି ବୁଝା? ମୁଁ କହିଲି ମଉସା ଦେଖନ୍ତୁ, ଅନେକ ସମୟରେ ଯଦି କୌଣସି ଘଟଣା ଘଟେ ତେବେ ଜନସାଧାରଣ କିଛି ବୁଝିବା ପୂର୍ବରୁ ଉକ୍ତ ଘଟଣାରେ ସୋସିଆଲ ମିଡିଆ ଜଣକୁ ନିରୀହ ବୋଲି ଦର୍ଶାଇବାକୁ ଯାଇ ତାକୁ ରାମଚନ୍ଦ୍ର ମହାପ୍ରଭୁ ରୂପେ ଚିତ୍ରଣ କଲାବେଳେ ଅନ୍ୟ ବ୍ୟକ୍ତିଟିକୁ ଖରାପ ଦେଖାଇବାକୁ ଯାଇ ରାବଣଠୁ ଖରାପ ରୂପେ ଉପସ୍ଥାପନ କରିଥାଏ । ଏପରିକି ଜଣକୁ ନିରୀହ ବା ମହାନ୍ ବୋଲି ଦେଖାଇବାକୁ ଯାଇ ଓ ଦର୍ଶକଙ୍କର ସମବେଦନା ହେଉ ବା ଲାଇକ୍ ପାଇଁ ହେଉ, ଖବର ପ୍ରସାରଣ ନାଁରେ ଘଟଣାଟିକୁ ନାଟକୀୟ ରୂପ ଦିଆଯାଇ ଏପରି ବର୍ଣ୍ଣନା କରାଯାଏ ଯେ, ସତେ ଯେପରି ପୀଡ଼ିତ ବା ପୀଡ଼ିତାର ଆତ୍ମା ଭିଡିଓରେ ବର୍ଣ୍ଣନା କରୁଥିବା ବ୍ୟକ୍ତିଙ୍କ ଉପରେ ସବାର ହୋଇଯାଇଛି ବା ବର୍ଣ୍ଣନାକାରୀ ବ୍ୟକ୍ତି ଘଟଣାଟି ବର୍ଣ୍ଣନା କଲାବେଳେ ପୀଡ଼ିତ ବା ପୀଡ଼ିତାଙ୍କ ଠାରୁ ଅଧିକ କଷ୍ଟ ପାଉଥିବା ଭଳି ଲାଗେ ।
ବେଳେବେଳେ ଯଦି କେହି କୌଣସି ଭଲ ଚାକିରି, ପରୀକ୍ଷା, ଖେଳରେ କୃତକାର୍ଯ୍ୟ ହୋଇ ପଦକ ବା ପୁରସ୍କାରଟିଏ ପାଏ, ତେବେ ସଙ୍ଗେ ସଙ୍ଗେ ତାଙ୍କୁ ଉଚ୍ଚାସନ ଦେବାପାଇଁ ପିତା ମାତାଙ୍କର ଗରିବୀ, ଅଭାବ ଅନଟନ ପ୍ରଭୃତିର ଲେପ ଦିଆଯାଇ କିପରି ସେ ପ୍ରତିକୂଳ ପରିସ୍ଥିତିରେ କୃତକାର୍ଯ୍ୟ ହୋଇପାରିଛି ତାହାର ଏକ ଅନୁକମ୍ପାମୂଳକ କାହାଣୀ ସୃଷ୍ଟି କରି ତାଙ୍କୁ ଆହୁରି ମହାନ୍ କରି ଗଢ଼ି ତୋଳି ଏକ ପ୍ରସିଦ୍ଧ ବ୍ୟକ୍ତିର ରୂପ ଦିଆଯାଏ । କିନ୍ତୁ ବ୍ୟକ୍ତିଟି କେବେ ଅସୁବିଧା ବା ଗରିବୀରେ ଥିଲାବେଳେ କାହାର ନିଘା ନଥାଏ । ଏହାର ଏକ ଅଦୂରଦର୍ଶୀ ପରିଣାମର ଉଦାହରଣ ହେଉଛି, ନିକଟ ଅତୀତରେ ଗୋଟିଏ ପରିବାରର ଦୁଇ ଯାଆ ଏକ କାର୍ରେ ରନ୍ଧାଖାଦ୍ୟ ବ୍ୟବସାୟ ଆରମ୍ଭ କରି ନିଜକୁ ସ୍ୱାବଲମ୍ବୀ କରି ଗଢ଼ିବା ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇ ବ୍ୟବସାୟ ଆରମ୍ଭ କରି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟବସ୍ତୁ ହେବାର କାରଣ, ତାଙ୍କୁ ପ୍ରଶଂସା କରିବାକୁ ଯାଇ ଏଭଳି ପ୍ରଚାର ପ୍ରସାର କରାଗଲା ଯେ, ଶେଷରେ ପରିଣାମସ୍ୱରୂପ ତାଙ୍କର ବ୍ୟବସାୟ ବନ୍ଦ କରିବାକୁ ପଡ଼ିଲା । ଜନସାଧାରଣ ପ୍ରଚାରିତ ସମ୍ବାଦ ଦେଖି ଭିଡ଼ କରି ଖାଦ୍ୟର ସ୍ୱାଦକୁ ବାହା ବାହା କରୁଥିବା ଖାଦ୍ୟ ପୁଣି କ’ଣ ପାଇଁ ବନ୍ଦ ହେଇଗଲା? ବୋଧହୁଏ ଖାଦ୍ୟର ସ୍ୱାଦ ଠିକ୍ ନଥିଲା । ଆଉ ଜନସାଧାରଣ ତିନି ତୁଣ୍ଡରେ ଛେଳି କୁକୁର ନ୍ୟାୟରେ ମିଛରେ ପ୍ରସାରିତ ସମ୍ବାଦରେ ମୁଣ୍ଡ ହଲାଇ ହଁ ମାରୁଥିଲେ ।
ପ୍ରକୃତ କଥା ହେଲା, ଗ୍ରାହକଙ୍କ ଠାରୁ ବୁମ୍ ସଂଖ୍ୟା ଅଧିକ ହେଇଗଲା । ଏହି ତହୁଁ ଫଳ । କ’ଣ ଲାଭ ହେଲା ନିଜ ଗୋଡ଼ରେ ଠିଆ ହେବାକୁ ଯାଉଥିବା ଦୁଇଟି ଶିକ୍ଷିତ ମହିଳାଙ୍କର, ନା ସମାଜର । ବରଂ ଗୋଟିଏ ଭଲ ଉଦ୍ୟମ ପଣ୍ଡ ହେଇଗଲା । ଯାହା ହେଉ ଲାଭ ଏତିକି ହେଲା, ବ୍ୟବସାୟ ବନ୍ଦ ହେଉ ଦୁଃଖ ନାହିଁ, ମହିଳା ଦୁଇଜଣ ତ ସେଲିବ୍ରିଟି ହେଇଗଲେ । ଅନ୍ୟ ଏକ ଉଦାହରଣ ସ୍ୱରୂପ, କଲିକତାର ରାନୁ ମଣ୍ଡଳ ଷ୍ଟେସନରେ ଭିକ୍ଷାବୃତ୍ତି କରି ଗୀତ ବୋଲି ପେଟ ପୋଷୁଥିବା ଆଉ ପ୍ରସିଦ୍ଧ ଗାୟକ ହିମେଶ ରେଶ୍ମିୟା ପ୍ରସଙ୍ଗ ସମସ୍ତଙ୍କୁ ଜଣା । ତାଙ୍କଠି ତ ପ୍ରତିଭା ଦେଖି ହିମେଶ ତାଙ୍କୁ ରାତାରାତି ପ୍ରସିଦ୍ଧ କରି ସେଲିବ୍ରିଟି ବନାଇ ଦେବା ସହ ଏକ ଗରିବ ତଥା ରାସ୍ତାରେ ଗାଉଥିବା ଅସହାୟ ମହିଳାଙ୍କୁ ସହଯୋଗ କରି ତା’ଠାରୁ ଅଧିକ ପ୍ରସିଦ୍ଧି ଲାଭ କଲେ, ସୋସିଆଲ ମିଡିଆରେ ଉଭୟ ଛାଇଗଲେ । ଆମେ ଜନସାଧାରଣ କିଛି ନବୁଝି ତାଙ୍କର ବିଷୟରେ ବସ୍ରେ, ଅଫିସ୍ରେ, ରାସ୍ତାଘାଟରେ ଓ ସୋସିଆଲ ମିଡିଆରେ ପ୍ରଚାରରେ ଲାଗିଗଲୁ । ହେଲେ ଆଜି ବାସ୍ତବ ସ୍ଥିତି କ’ଣ? ରାନୁ ଏବେ କେଉଁଠି? ତାଙ୍କର ପ୍ରତିଭା କୁଆଡ଼େ ଗଲା? ପ୍ରତିଭା ରହୁ ବା ଯାଉ, ସେ ଭିକ୍ଷା ବୃତ୍ତି କରନ୍ତୁ, ହେଲେ ସେ ତ ପ୍ରସିଦ୍ଧ ବ୍ୟକ୍ତି ବା ସେଲିବ୍ରିଟି ହେଇଗଲେ । ମଉସା କହିଲେ- ତାହେଲେ ଏ ପାଇଁ କିଏ ଦାୟୀ? ମୁଁ କହିଲି ଜନସାଧାରଣ ଆଉ ସୋସିଆଲ ମିଡିଆ । ସିଏ କହିଲେକାହିଁକି? ମୁଁ କହିଲି ତାର କାରଣ, ସୋସିଆଲ ମିଡିଆ ଜଡ଼ା ଗାୟକକୁ ଜନସାଧାରଣ ହେଲେ ହଡ଼ା ବାୟକ । ମଉସାଙ୍କ ମନକୁ କଥାଟି ପାଇଲା । ସେ କହିଲେ- ଠିକ୍ କଥା । ଏଣୁ ମୋର ଜଣେ ବରିଷ୍ଠ ନାଗରିକ ଭାବେ ଜନସାଧାରଣଙ୍କୁ ଅନୁରୋଧ ଲାଇକ୍ ଆଉ ସେୟାରରେ ମାତି ମିଛ ମହାତ୍ମା ବା ସେଲିବ୍ରିଟି ସୃଷ୍ଟି ନକରନ୍ତୁ । ନିଜର ବିଚାର, ବିବେକ ଓ ଶିକ୍ଷାର ନିକିତିରେ ପ୍ରତ୍ୟେକ କଥାକୁ ବିଶ୍ଳେଷଣ କଲେ ଅନ୍ତତଃ ମିଛ ମହାତ୍ମା ସୃଷ୍ଟି ହୁଅନ୍ତେ ନାହିଁ ।