ଲୋଭନୀୟ ଯୋଜନା । ବିକାଶ କିନ୍ତୁ ବାଟବଣା । ଅଭାବର ବୁଢ଼ିଆଣୀ ଜାଲରେ ଜୀବନ ଛଟପଟ । ସ୍ୱାଧୀନତାର ଅମୃତ କାଳରେ ବିକାଶର ଢୋଲ ପିଟୁଥିବା ଆମ ସରକାରୀ କଳକୁ ଏହା ଶକ୍ତ ଚଟକଣା ନୁହେଁ କି?
ଲୁଣ ଥିଲେ ତେଲ ନାହିଁ । ଆଳୁ ଥିଲେ ପିଆଜ ନାହିଁ । ଅଭାବରେ ଛଟପଟ ଜୀବନ । ରୋଜଗାର ଅଣ୍ଟୁନି । ସଞ୍ଚୟ ଶୂନ । ମାସ ଅଧାରେ ପକେଟ ଖାଲି । ତେଲଲୁଣ ସଂସାର ଚଳାଇବା ହେଉଛି କାଠିକର । ୨୫ ଟଙ୍କାରେ ଦିନଟିଏ କଟୁଛି । ଏତିକି ଆୟ ହେଉଛି ସମୁଦ୍ରକୁ ଶଙ୍ଖେ । ଆମେ କିନ୍ତୁ ଉଡ଼ାଉଛୁ ବିକାଶର ବାନା । ବିକାଶର ମିଛ ପରିସଂଖ୍ୟାନରେ ମାରୁଛୁ ତାଳି । ଶଠତା ଓ ପ୍ରବଞ୍ଚନାର ଏ ତ ହେଉଛି ଭିନ୍ନ ଏକ ପରିଭାଷା । ଆମ ରାଜ୍ୟର ଗ୍ରାମାଞ୍ଚଳରେ ଜୀବନ ଦୁର୍ବିସହ । ଗୁଣାତ୍ମକ ଜୀବନ ପାଇଁ ଯୋଜନାର ଲମ୍ବା ତାଲିକା । ହେଲେ ଅବସ୍ଥା ଯେଉଁଠିକୁ ସେଇଠି । ମୁଣ୍ଡପିଛା ଆୟ ଆଖିଦୃଶିଆ ବଢ଼ୁନି । ଖର୍ଚ୍ଚ କରିବାକୁ ପକେଟକୁ କୁଆଡୁ ବା ଆସିବ ଟଙ୍କା? ଭିଡ଼ାଓଟରାରେ ଜୀବନ ଆଗକୁ ଯାଉଛି । ସହରାଞ୍ଚଳର ସ୍ଥିତି ବି ପ୍ରାୟ ସମାନ । ଆମେ ଆଜି ବି ଖର୍ଚ୍ଚ କରିବାରେ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ସବା ତଳଆଡୁ ତୃତୀୟରେ । ଦେଶ ସାଧାରଣତନ୍ତ୍ର ଦିବସ ଜାକଜମକରେ ପାଳନ କରୁଛି । ସ୍ୱାଧୀନତାର ଅମୃତ କାଳରେ ବିକାଶର ଢୋଲ ପିଟୁଥିବା ଆମ ସରକାରୀ କଳକୁ ଏହା ଶକ୍ତ ଚଟକଣା ନୁହେଁ କି?
ଅଭାବର ଯନ୍ତାରେ ଛଟପଟ
ଦିନ ବିତୁଛି । ବଦଳୁନି ଭାଗ୍ୟ । ହା ହତାଶ ମଧ୍ୟରେ ଗଡ଼ୁଛି ଜୀବନ ଗାଡ଼ି । ଅଭାବର ବୁଢ଼ିଆଣୀ ଜାଲରେ ଜୀବନ ଛଟପଟ । ଜୀବନ କଟୁଛି ୨୫ ଟଙ୍କାରେ । ଗାଁ ଗହଳିରେ ପାରିବାରିକ ଖର୍ଚ୍ଚରେ ଓଡ଼ିଶା ଦେଶରେ ତଳ ଆଡ଼ୁ ତୃତୀୟ । ଗୋଟିଏ ଗ୍ରାମୀଣ ପରିବାରର ମାସିକ ହାରାହାରି ଖର୍ଚ୍ଚ ମାତ୍ର ୩ ହଜାର ୩୫୭ ଟଙ୍କା । ଗାଁର କୌଣସି ୪ରୁ ୫ ଜଣିଆ ପରିବାର ଦିନକୁ ମାତ୍ର ୧୧୨ ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ । ଅତଏବ ଜଣେ ମଣିଷ ଦିନକୁ ୨୦ରୁ ୨୫ ଟଙ୍କାରେ ଜୀବନ ଜିଉଁଛି । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟାନ୍ୱୟନ ମନ୍ତ୍ରାଳୟର ପାରିବାରିକ ବ୍ୟୟ ସର୍ବେକ୍ଷଣରୁ ଏଭଳି ଉଦ୍ବେଗଜନକ ଚିତ୍ର ପଦାକୁ ଆସିଛି ।
କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ କହୁଛି, ଓଡ଼ିଶାର ଖାଲି ଗାଁ ଗହଳି ନୁହେଁ, ସହରାଞ୍ଚଳରେ ବି ସମାନ ଅବସ୍ଥା । ସହରୀ ପରିବାରର ମୁଣ୍ଡପିଛା ମାସିକ ବ୍ୟୟ ୫ ହଜାର ୮୨୫ ଟଙ୍କା । ଅର୍ଥାତ୍ ଗୋଟିଏ ପରିବାରର ଦୈନିକ ହାରାହାରି ଖର୍ଚ୍ଚ ୧୯୪ ଟଙ୍କା। ଜାତୀୟ ହାରଠୁ ଏହା ଯଥେଷ୍ଟ କମ୍ । ଜାତୀୟସ୍ତରରେ ଗ୍ରାମୀଣ ପରିବାରର ମାସିକ ଖର୍ଚ୍ଚ ୪ ହଜାର ୧୨୨ ଟଙ୍କା । ଓଡ଼ିଶାରେ ଏହା ୭୬୫ ଟଙ୍କା କମ୍ । ସେହିପରି ସହରାଞ୍ଚଳରେ ଜାତୀୟ ହାର ୬ ହଜାର ୯୯୬ ଟଙ୍କା ଥିଲା ବେଳେ ଆମ ରାଜ୍ୟରେ ୧୧୭୧ ଟଙ୍କା କମ୍ । ଅର୍ଥନୀତି ବିଶେଷଜ୍ଞ କହୁଛନ୍ତି, ୨୦ ବର୍ଷ ତଳେ ରାଜ୍ୟ ଯେଉଁ ସ୍ଥିତିରେ ଥିଲା, ଏବେ ବି ସେଇ ସମାନ ସ୍ଥିତିରେ ରହିଛି । ଆମେ ସେମିତି ଆଖିଦୃଶିଆ ଆଗକୁ ଯାଇପାରିନୁ । ୨୦୨୩ ଅଗଷ୍ଟରୁ ୨୦୨୪ ଜୁଲାଇ ମଧ୍ୟରେ ହୋଇଥିବା ଏ ସର୍ଭେ କହୁଛି, ୨୦୨୨-୨୩ ତୁଳନାରେ ପାରିବାରିକ ଖର୍ଚ୍ଚ ଗାଁରେ ୯% ଓ ସହରରେ ୮% ବଢ଼ିଛି । କିନ୍ତୁ ଦରଦାମ ଢେର ଅଧିକ ଲମ୍ଫ ମାରିଛି । ପାରିବାରିକ ଖର୍ଚ୍ଚରେ ଗ୍ରାମାଞ୍ଚଳରେ ଉନ୍ନତି ଆସିଛି । ଲମ୍ବଡିଆଁ କିନ୍ତୁ ମାରି ପାରିନି । ଆମ ତଳକୁ କେବଳ ଝାଡ଼ଖଣ୍ଡ ଓ ଛତିଶଗଡ଼ ଅଛି । ଦେଶ ଧୂମ୍ଧାମରେ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ମାତ୍ର ଦେଶର ଆତ୍ମା ଗାଁଗଣ୍ଡାରେ ଜୀବନ ସକାଳ ପାହିଲେ ଗରିବୀ ସହ ଲଢ଼ୁଛି । ଏ ଅଭାବର କାଳରାତି କେବେ ପାହିବ?
‘ଭୋଟ୍ବ୍ୟାଙ୍କ’ ଯୋଜନାରେ ଦାୟ
ଲୋଭିଲା ଯୋଜନା । ଆଖି ତରାଟିଲା ଭଳି ପ୍ରଚାର । ବାସ୍ତବତା କିନ୍ତୁ ଚିନ୍ତାଜନକ । ଭାଗ୍ୟ ବଦଳୁନି କି ଗରିବୀରୁ ମିଳୁନି ମୁକ୍ତି । ବଜାରରେ ମହଙ୍ଗା ନିଆଁ । ହାଣ୍ଡିଶାଳରେ ଚଡ଼କ । ଦରବୃଦ୍ଧିର ଯାତନାରେ ଅଭାବୀ ମଣିଷ ଛଟପଟ । ଘର ପାଇଁ ଜରୁରୀ ସାମଗ୍ରୀ କିଣିବା କାଠିକର । ସରକାରଙ୍କର ଯୋଜନାର ଅଭାବ ନାହିଁ । ହେଲେ ଏ ଯୋଜନା ଦୀର୍ଘସ୍ଥାୟୀ ବିକାଶ ଆଣୁନି । ମୁଣ୍ଡପିଛା ଆୟ ବଢ଼ାଉନି । ଭୋଟବ୍ୟାଙ୍କ ତିଆରି ପାଇଁ ଜନ୍ମ ଯୋଜନା କେମିତି ବା ଅଭାବ ହଟେଇବ? ମ୍ୟାଗି ନୁଡୁଲସ୍ କିମ୍ବା ଫାଷ୍ଟଫୁଡ୍ ଭଳି ସରକାରଙ୍କ ଭଳିକି ଭଳି ଯୋଜନା । ଗାଁର ଗରିବ ମଣିଷକୁ ଏହା କେମିତି ସଶକ୍ତ କରିବ? ସରକାରଙ୍କ ଯୋଜନାରେ ଏବେ କେବଳ ଟଙ୍କା ବଣ୍ଟା ହେଉଛି । ଦିନ କେଇଟା ପରେ ଏ ସରକାରୀ ଟଙ୍କା ପକେଟରୁ ଉଭେଇ ଯାଉଛି । ଭିନ୍ନ ବାଟରେ ଖର୍ଚ୍ଚ ହେଉଛି । ବିକାଶ କୁଆଡୁ ଆସିବ? ସରକାର ବି ଲୋଭର ଜାଲ ଫିଙ୍ଗି ଭୋଟ ଭିଡ଼ିଲେ ଖୁସି । ଗରିବ ଲୋକ ମଲେ କେତେ, ଗଲେ କେତେ? ଦୀର୍ଘସୂତ୍ରୀ ବିକାଶକୁ ମାର ଗୁଳି । ଭୋଟ ଜିତିବା ହିଁ ଏବେ ମୂଳ ଓ ଏକମାତ୍ର ଲକ୍ଷ୍ୟ । ଯାହାର ଫଳ ହେଉଛି ଦୁଇ ଦଶନ୍ଧି ତଳେ ଦିନକୁ ୨୦/୨୫ ଟଙ୍କାରେ ବଞ୍ଚୁଥିବା ଗାଉଁଲି ମଣିଷ ଆଜି ବି ସେତିକିରେ ବଞ୍ଚିବାକୁ ବାଧ୍ୟ । ଦରଦାମ କିନ୍ତୁ ବଢ଼ିଛି ୫ ଗୁଣା ।
ଦିନକୁ ଦିନ ଅସହ୍ୟ ହେଉଛି ବଜାର ତାତି । ବଜାରରେ ଆବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି । ଦିନ ମଜୁରିଆଙ୍କଠୁ ଆରମ୍ଭ କରି ଗରିବଙ୍କ ଉପରେ ଏ ‘ମହଙ୍ଗା ମାଡ଼’ ମହଙ୍ଗା ପଡ଼ିଛି । ବଜାର ତାତିରେ ଖାଉଟି ଅସହାୟ । ଏଭଳି ଅସମ୍ଭାଳ ସ୍ଥିତି ଓଡ଼ିଶା ବଜାରରେ । ଜୀବନରେ ଲାଗିଛି ୨୫ ଟଙ୍କିଆ ଗ୍ରହଣ । ଅଭାବର ଘା’ଶୁଖୁନି । ସରକାର ଆତ୍ମରକ୍ଷା ମୁଦ୍ରାରେ ରହି ଖାଲି ଗାଲୁଗପ କହୁଛନ୍ତି । ନିରନ୍ତର ବିକାଶ ଆଣ୍ଠେଇଛି । ଘୁଷୁରି ଘୁଷୁରି ଆଗକୁ ଯାଉଛି ଜୀବନ । ସ୍ୱାଧୀନତାକୁ ୮ ଦଶନ୍ଧି ପୂରିବାକୁ ବସିଛି । ଏହା ଆମ ପାଇଁ ସବୁଠାରୁ ବଳି ବିଡ଼ମ୍ବନା ନୁହେଁ କି?
ସଂକଳ୍ପରୁ ସିଦ୍ଧି
୧୯୩୬ ରୁ ୨୦୩୬ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଶହେ ବର୍ଷ ପୂରିବାକୁ ମଝିରେ ଆଉ ଗୋଟିଏ ଦଶନ୍ଧି । ବିକଶିତ ଓଡ଼ିଶା ପାଇଁ ତିଆରି ହେଉଛି ନୂଆ ନକ୍ସା। ଭଲ କଥା । ସରକାର କିନ୍ତୁ ବାସ୍ତବତାକୁ ଧ୍ୟାନରେ ରଖନ୍ତୁ । ପରିସଂଖ୍ୟାନର ଖେଳ ଓ ପ୍ରଚାରରେ ହଜି ନଯାଉ ଗାଁ ମଣିଷଙ୍କ ଜୀବନ କାହାଣୀ । ଜନସଂଖ୍ୟାର ସିଂହଭାଗ ଯଦି ଛଟପଟରେ ବଞ୍ଚିବେ, ବିକଶିତ ଓଡ଼ିଶା ଖାଲି ଲମ୍ବାଚୌଡ଼ା ଭାଷଣରେ ରହିଯିବନି କି? ବହୁ ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସେବା ସାତ ସପନ । ହୀନିମାନ ହୋଇ ବଞ୍ଚୁଛନ୍ତି ଲକ୍ଷ ଲକ୍ଷ ପରିବାର । ଅଧିକାଂଶ ଅଞ୍ଚଳରେ ନାହିଁ ନାହିଁର ସ୍ୱର ।
ସ୍ୱାଧୀନତା ଆନ୍ଦୋଳନ ବେଳେ ଆମ ମହାନ ସଂଗ୍ରାମୀମାନେ ଦେଖିଥିବା ସୁନେଲି ସ୍ୱପ୍ନ ଏବେ ବାଟବଣା । ହା ହୁତାଶ ଭିତରେ ଜୀବନ ଛଟପଟ । କେବଳ ଅବଶୋଷ ଆଉ ଦୀର୍ଘଶ୍ୱାସ । ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଦେଶକୁ ୭୫ ବର୍ଷ ପୂରିଲାଣି । ଦୁର୍ନୀତିକୁ ନେଇ ସବୁଠି ହୋହଲ୍ଲା । ସାଧାରଣ ଲୋକଙ୍କ କଥା କିଏ ବା ଭାବୁଛି? ଲକ୍ଷ ଲକ୍ଷ ଯୁବକ ଯୁବତୀ ବେକାର । ନିଯୁକ୍ତି ଦିଗହରା । ଚାଷ ଓ ଚାଷୀ ପ୍ରତି କାହାର ନିଘା ନାହିଁ । ମହିଳା ନିର୍ଯାତନା ବଢ଼ିଛି । ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଧନୀ ଅଧିକ ଧନୀ ହେଉଛି । ଗରିବ ସେଇ ଗରିବ ହୋଇ ରହିଛି । ଜୀବନ ଏଠି ଦହଗଞ୍ଜ । ଏମିତି ଆଉ କେତେଦିନ? ଆମେ ଜଡ଼ତାରୁ କେବେ ବାହାରିବା?
ସଂକଳ୍ପରୁ ସିଦ୍ଧି । ସରକାର ସାଧାରଣ ମଣିଷ ପାଇଁ ନିଷ୍ଠାପଣ ଦେଖାନ୍ତୁ । ଉତ୍ସର୍ଗୀକୃତ ହୁଅନ୍ତୁ । ଯୋଜନାର କେନ୍ଦ୍ରରେ ଖାଲି ନାଗରିକଟିଏ ରହିନଯାଉ । ଯୋଜନା ତୃଣମୂଳ ସ୍ତରରେ କେତେ କାର୍ଯ୍ୟକାରୀ ହେଉଛି ତା’କୁ ସରକାର ଅନୁଧ୍ୟାନ କରନ୍ତୁ । ଅଭାବୀ, ଗରିବ ମଣିଷଟିଏ ଗୁଣାତ୍ମକ ଜୀବନ ଜିଇଁବାର ବାଟ ଫିଟୁ । ସାଧାରଣତନ୍ତ୍ର ଦିବସରେ ଆମକୁ ଏ ସଂକଳ୍ପ ନେବାକୁ ହେବ । ଅମୃତର ମହୋତ୍ସବରେ ଏ ସଂକଳ୍ପ ହିଁ ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ହଁ...ଜଙ୍ଗଲ ତ ନିଶ୍ଚୟ ଅନ୍ଧକାର, ମାତ୍ର ତା ଭିତରେ ହିଁ ହୀରାର ସନ୍ଧାନ ମିଳେ । ନିରାଶାର ଗଣ୍ଠିଲି ଖୋଲି ଆସନ୍ତୁ ଆମେ ଆଶାର ବୈତରଣୀ ପାର ହେବା ।