"ଏପର୍ଯ୍ୟନ୍ତ ଭାରତରେ ପୁରୁଷ କମିଶନର ଆବଶ୍ୟକତାକୁ ସାର୍ବଭୌମିକ ରୂପେ ସ୍ୱୀକାର କରାଯାଇ ନାହିଁ । କଥା ହେଉଛି, ଏହି ବିଚାର ପୁରୁଷ କମିଶନ ଗଠନ ଦ୍ୱାରା ହେଉଥିବା ଲାଭ ଓ କ୍ଷତିକୁ ଦେଖି କରାଯାଉଛି । ବର୍ତ୍ତମାନର ସାମାଜିକ ଏବଂ ସାଂସ୍କୃତିକ ସନ୍ଦର୍ଭକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇନାହିଁ । ପୁରୁଷ କମିଶନ ଗଠନର ଆବଶ୍ୟକତା ଉପରେ ବିଚାର କରିବା ଏକ ଜଟିଳ ବିଷୟ ନିଶ୍ଚୟ!"
ପୁରୁଷଙ୍କୁ ମଧ୍ୟ କଷ୍ଟ ହୁଏ, ହେଲେ ଦୁଃଖରେ ଭାଙ୍ଗିପଡ଼ିଲେ ବି ସେହି କଷ୍ଟକୁ ପରିପ୍ରକାଶ କରିବା ପୁରୁଷର ଲକ୍ଷଣ ନୁହେଁ । ଅତି ଜଟିଳ ପରିସ୍ଥିତିରେ ମାନସିକ ଚାପଗ୍ରସ୍ତ ହୋଇ ସେମାନେ ଭରସାମ୍ୟ ହରାଇ ଆତ୍ମହତ୍ୟା ଭଳି ରାସ୍ତାକୁ ଏବେ ବାଛି ନେଉଥିବାର ଦେଖାଯାଇଛି । ନିଜ ଦୁଃଖ କାହା ସହ ବାଣ୍ଟି ନପାରିବା ଏବଂ ନିଜେ ଦୁଃଖ ସହି ନପାରିବା ହିଁ ଏହା ପଛର ମୁଖ୍ୟ କାରଣ । ସାଧାରଣତଃ ପୁରୁଷମାନଙ୍କୁ ପରିବାର, ପିତାମାତା, ବନ୍ଧୁ, ଆତ୍ମୀୟଙ୍କ ଆବଶ୍ୟକତା ପୂରଣ କରିବାକୁ ପଡ଼େ । ବୈବାହିକ ଜୀବନର ଅସଫଳତା, ପାରିବାରିକ ଅଶାନ୍ତି ଏବଂ କାମରେ ଚାପ ଯୋଗୁଁ ପୁରୁଷମାନେ ବେଶୀ ଆତ୍ମହତ୍ୟାପ୍ରବଣ ହେବାର ତଥ୍ୟ ରହିଛି । ୨୦୨୧ରେ ମହିଳାଙ୍କ ଆତ୍ମହତ୍ୟା ହାର ୧ଲକ୍ଷ ଜନସଂଖ୍ୟାର ୫.୯% ଥିଲାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୧୨.୩% ଥିଲା । ୨୦୨୨ରେ ୧,୭୦,୨୯୪ ଆତ୍ମହତ୍ୟା ମଧ୍ୟରୁ ୧, ୨୨, ୭୨୪ ଜଣ ପୁରୁଷ ଏବଂ ୪୮,୧୭୨ ମହିଳା ଆତ୍ମହତ୍ୟା କରିବାର ତଥ୍ୟ ଚକିତ କରେ । ଆତ୍ମହତ୍ୟାର ଏହି ସଂଖ୍ୟା ବିଗତ ୧୦ ବର୍ଷରେ ୩୩% ବୃଦ୍ଧି ପାଇଛି, ଯାହାର କାରଣ ମୂଳତଃ ପାରିବାରିକ ସମସ୍ୟା ବୋଲି ରିପୋର୍ଟରେ ଦର୍ଶାଯାଇଛି । ଆଉ ଏକ ରିପୋର୍ଟ ଅନୁଯାୟୀ, ଅବିବାହିତ ପୁରୁଷଙ୍କ ଠାରୁ ବିବାହିତ ପୁରୁଷ ଅଧିକ ଆତ୍ମହତ୍ୟା କରନ୍ତି ବୋଲି ସୂଚନା ଦିଆଯାଇଛି ।
ମୃତ୍ୟୁ ଚିରନ୍ତନ ସତ୍ୟ, ମାତ୍ର ହତ୍ୟା ଓ ଆତ୍ମହତ୍ୟାକୁ ଏହାର ଅନ୍ତର୍ଭୁକ୍ତ କରିହେବ ନାହିଁ । ନିଜର ପାରିପାର୍ଶ୍ବିକ ପରିସ୍ଥିତି ଓ ଅବସାଦର କାରଣ ସହ ଲଢ଼ିନପାରି ଏଭଳି ଚରମ ପନ୍ଥା ଆପଣେଇ ନେବା ଅତ୍ୟନ୍ତ ଦୁଃଖଦ । ପୁରୁଷମାନେ ଭୋଗୁଥିବା ଘରୋଇ ନିର୍ଯାତନା ଓ ନ୍ୟାୟିକ ପକ୍ଷପାତକୁ ଗମ୍ଭୀରତାର ସହ ବିଚାର କରାଯିବାର ସମୟ ଆସିଯାଇଛି । ଝିଅ ଓ ମହିଳାମାନେ ଏବେ ସ୍ୱାଧୀନତାର ନୂତନ ପରିଭାଷା ସୃଷ୍ଟି କରିବା ଆରମ୍ଭ କଲେଣି । ଉଚ୍ଚଶିକ୍ଷା, ରୋଜଗାରକ୍ଷମ ହେବା ସେମାନଙ୍କର ନିଷ୍ପତ୍ତି ନେବାର କ୍ଷମତାକୁ ବୃଦ୍ଧି କରିଛି ସତ, ମାତ୍ର ଅନେକ ଜାଗାରେ ଏହାର ଦୁରୁପଯୋଗ ଯୋଗୁଁ ପୁରୁଷମାନେ ହଇରାଣ ମଧ୍ୟ ହେଉଛନ୍ତି । ବହୁ ମହିଳା ନ୍ୟାୟ ବ୍ୟବସ୍ଥାର ସାହାରା ନେଇ ଭୀଷଣ ଆରୋପ ଲଗେଇ ପୁରୁଷମାନଙ୍କୁ ଡରାଉଛନ୍ତି । ବିବାହ ବିଚ୍ଛେଦ ପରେ ମହିଳାଙ୍କ ଆର୍ଥିକ ସ୍ଥିତି ପୁରୁଷ ବା ସ୍ୱାମୀଙ୍କ ସମକକ୍ଷ ହେବା ପାଇଁ ଗୁଜୁରାଣ ଭତ୍ତା ଉଦ୍ଦିଷ୍ଟ ନୁହେଁ । ବରଂ ମହିଳାଙ୍କ ଜୀବନର ମାନ ଉନ୍ନତ କରିବା ଆଇନ ବ୍ୟବସ୍ଥାର ଲକ୍ଷ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସ୍ୱାମୀଙ୍କୁ ଦଣ୍ଡ ଦେବା, ଧମକାଇବା, ତାଙ୍କଠାରୁ ଜବରଦସ୍ତି ଟଙ୍କା ଆଦାୟ କରିବା ଆଦିରେ ଆଇନର ଉପଯୋଗ ନକରି ଏହା ସେମାନଙ୍କ କଲ୍ୟାଣ ପାଇଁ ପ୍ରସ୍ତୁତ ହୋଇଛି ବୋଲି ଭାବିବା ଉଚିତ । ଏନେଇ ଅନେକ ମିଥ୍ୟା ମାମଲା ରୁଜୁ ହେଉଥିବାରୁ ସୁପ୍ରିମକୋର୍ଟ ୪୯୮ ଅଧିନିୟମରେ ସଂଶୋଧନ କରି ନୂତନ ନୀତି ଓ ନିୟମ ସବୁ ଜାରି କରିଛନ୍ତି ।
ଦୁଃଖର କଥା, ପୁରୁଷ ଓ ମହିଳା ସମକକ୍ଷ ହୋଇଯିବାରୁ ନିଜ ନିଜର ଅଧିକାର ପାଇଁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲିଯାଉଛନ୍ତି । ମହିଳାମାନେ ପ୍ରତିଶୋଧପରାୟଣ ହୋଇ ପୁରୁଷମାନଙ୍କ ବିପକ୍ଷରେ ଅଧିକ ମାମଲା ଦାୟର କରିବା ଦେଖାଯାଉଛି । ଏହାକୁ ଆଖିଆଗରେ ରଖି ପୁରୁଷମାନଙ୍କ ପ୍ରତି ବଢୁଥିବା ଅଭିଯୋଗକୁ ପୁରୁଷ ନିର୍ଯାତନା ବୋଲି ଧରି ନିଆଗଲାଣି! କୋଲକାତା, ମୁମ୍ବାଇ ଏବଂ ଲକ୍ଷ୍ନୌ ଭଳି ସହରର କେତେକ ସ୍ୱେଚ୍ଛାସେବୀ ସଂଗଠନ ପୁରୁଷ କମିଶନ ଗଠନର ଦାବି ଉଠାଉଛନ୍ତି । ଓଡ଼ିଶା ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ିନାହିଁ । ମହିଳା ସୁରକ୍ଷା ଆଇନର ଅପବ୍ୟବହାର ଏବଂ ପୁରୁଷ ନିର୍ଯାତନା ଗୁରୁତର ହେବା ଦେଖି ପୁରୁଷ କମିଶନର ପ୍ରସ୍ତାବ ବାରମ୍ବାର ମୁଣ୍ଡ ଟେକୁଛି । ଯଦିଓ ଏହି କମିଶନ ଗଠନର ପ୍ରସ୍ତାବକୁ ୨୦୨୩ ଜୁଲାଇରେ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ସମକାଳରେ ଏ ଦିଗରେ ଆଇନ ପ୍ରଣୟନର ପଦକ୍ଷେପ ନିଆଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।
ବର୍ତ୍ତମାନ ସବୁଠାରେ ଆଲୋଚନାର ବିଷୟ ଏହା ଯେ, ଆମ ସମାଜରେ ପୁରୁଷମାନଙ୍କୁ ନିର୍ଯାତନାରୁ ମୁକ୍ତ ହେବାର ଅଧିକାର ଅଛି । ତେଣୁ ମହିଳା କମିଶନ ଭଳି ପୁରୁଷ କମିଶନଟିଏ ଗଢ଼ାହେବା ପାଇଁ ପୁରୁଷମାନେ ଦାବି କରୁଛନ୍ତି । ପୁରୁଷ କମିଶନ ସପକ୍ଷରେ ଥିବା ଲୋକଙ୍କ ମତ ଅନୁସାରେ, ପ୍ରଥମତଃ, ଲିଙ୍ଗଗତ ସମାନତାକୁ ଆମ ସମ୍ବିଧାନ ଏକ ଅଧିକାର ମନେକରେ, ଏଣୁ ପୁରୁଷଙ୍କ ସମସ୍ୟାର ସମାଧାନ ପାଇଁ ଏହି କମିଶନ ସୃଷ୍ଟିର ଆବଶ୍ୟକତା ରହିଛି । ଦ୍ୱିତୀୟରେ, ପୁରୁଷଙ୍କ ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଏହି ସଂସ୍ଥା ସମର୍ପିତ ଭାବରେ କାର୍ଯ୍ୟ କରିବ । ତୃତୀୟରେ, ମିଥ୍ୟା ଯୌତୁକ ଉତ୍ପୀଡ଼ନ ଏବଂ ବିବାହ ବିଚ୍ଛେଦ ପରେ ବାଧ୍ୟତାମୂଳକ ଭତ୍ତା ପାଇଁ ଆବେଦନକୁ ପୁରୁଷ କମିଶନ ତଲାସ କରିବା ସହ ସମାଧାନ କରିବାକୁ ଚେଷ୍ଟା କରିବ ଏବଂ ଶେଷରେ ମହିଳାଙ୍କ ଭଳି ପୁରୁଷ କମିଶନ ମଧ୍ୟ ପରିବାର ସମ୍ବନ୍ଧୀୟ ଆଇନ ଉପରେ ଓକିଲାତି କରିପାରିବ ବୋଲି ସେମାନେ ମତ ରଖନ୍ତି ।
ଲିଙ୍ଗଗତ ସମାନତା ଉପରେ ବିଶ୍ୱସ୍ତରରେ ଆଲୋଚନା ହେଉଛି । ସାମ୍ପ୍ରତିକ ସମାଜରେ ପୁରୁଷମାନେ ଅନୁଭବ କରୁଥିବା ସମସ୍ୟାର ଜଟିଳତାକୁ ବୁଝି ତାର ସମାଧାନର ଆବଶ୍ୟକତା ରହିଛି । ସାମାଜିକ ଓ ଆଇନଗତ ସମାନତାକୁ ଉତ୍ସାହିତ କରିବା ଆମ ଆଇନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେବା ଉଚିତ । ପାରିବାରିକ ସମସ୍ୟା, ବନ୍ଦୀ ଅବସ୍ଥାରେ ମାନସିକ ସ୍ଥିତି, ଘରୋଇ ହିଂସା, ଚାକିରିରେ ଭେଦଭାବ ଏବଂ ଦୁର୍ବ୍ୟବହାରର ଶିକାର ହୋଇଥିବା ପୁରୁଷମାନଙ୍କ ସହାୟତାରେ ଏବେ ବହୁ ସମସ୍ୟା ଦେଖାଯାଉଛି । ପୁରୁଷମାନଙ୍କୁ ମଧ୍ୟ ସମାନ ଅଧିକାର ଓ ସମସ୍ୟା ଉପଚାରର ଆବଶ୍ୟକତା ରହିଛି । ଏହା ପୁରୁଷ କମିଶନ ଦ୍ୱାରା ସୃଷ୍ଟ ନିୟମ ଯୋଗୁଁ ସମ୍ଭବ ହେବ ବୋଲି ‘ପୁରୁଷ କମିଶନ' ଗଠନ ସପକ୍ଷରେ ଥିବା ଗୋଷ୍ଠୀ ମତ ରଖନ୍ତି । ପୁରୁଷମାନେ ଶିକ୍ଷାଗ୍ରହଣ ଏବଂ କାର୍ଯ୍ୟସ୍ଥଳରେ ଭୋଗୁଥିବା ବିଭିନ୍ନ ସମସ୍ୟାର ସମାଧାନ ବି ଏହାଦ୍ୱାରା ସମ୍ଭବ ହେବ । ସେମାନଙ୍କ ସହ ନିରପେକ୍ଷ ବ୍ୟବହାରକୁ ଗୁରୁତ୍ୱ ଦେବା ସହ ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ସମାନ ଅବସର ପ୍ରଦାନକୁ ପ୍ରୋତ୍ସାହନ ଦେଇପାରିବ ଏହି ସଂସ୍ଥା । ଯାହା ପୁରୁଷମାନଙ୍କ କ୍ଷମତା ବୃଦ୍ଧି କରିବ, ତଥ୍ୟ ସଂଗ୍ରହ କରି ସେମାନଙ୍କ ସମସ୍ୟାର ଉଜାଗର କରିବା ସହ ସମାଧାନର ସୂତ୍ର ଖୋଜିବାର ପ୍ରୟାସ ଆରମ୍ଭ କରିବ । ଥାନା, କଚେରି ନଯାଇ ଆଇନ ପରିସର ଭିତରେ ଆପୋସ ସମାଧାନ ପାଇଁ କମିଶନ କାର୍ଯ୍ୟ କରିବ।
ଏବେ ଆଲୋଚନା କରାଯାଉ ଯେ, ପୁରୁଷ କମିଶନ ଗଠନର ଆବଶ୍ୟକତା କ’ଣ ସତରେ ରହିଛି ? ଏବେ ବି ଆମ ସମାଜ ପୁରୁଷକୈନ୍ଦ୍ରିକ, ଯଦି ଅଧିକ ସଂଖ୍ୟାର ଗୋଷ୍ଠୀ ନିର୍ଯାତିତ କିମ୍ବା ପ୍ରଭାବିତ ହେଉନାହାନ୍ତି, ତାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କମିଶନର ଆବଶ୍ୟକତା କେତେଦୂର ଯଥାର୍ଥ! ଦଣ୍ଡ ଦେବାର ଅଧିକାର କମିଶନର କ୍ଷମତା ବାହାରେ । ସେମାନେ କେବଳ ‘କାଉନସେଲିଂ' ବା ପରାମର୍ଶ ମାଧ୍ୟମରେ ସମାଧାନ କରନ୍ତି । ସ୍ୱତନ୍ତ୍ର ପୁରୁଷ କମିଶନ ତିଆରି ହେଲେ ସମାଜରେ ବିଭକ୍ତିକରଣ ସୃଷ୍ଟି ହୋଇପାରେ । ଗୋଟିଏ ପରିବାରର ମହିଳା ଓ ପୁରୁଷ ନ୍ୟାୟ ପାଇଁ ଦୁଇଟି ଭିନ୍ନ ଭିନ୍ନ ଆୟୋଗର ସାହାଯ୍ୟ ଲୋଡ଼ିବେ, ଯାହା ସମସ୍ୟାର ସମାଧାନ କରି ପରିବାରଟିଏକୁ ଯୋଡ଼ିବା ତ ଦୂରର କଥା, ତା' ଭିତରେ ଆହୁରି ଦୂରତା ଆଣିବ । ମହିଳା ଓ ପୁରୁଷ ଦୁଇଟି ବର୍ଗରେ ବିଭକ୍ତ ହୋଇଯିବେ, ଯାହା ଆୟୋଗ ଗଠନର ମୂଳ ଉଦ୍ଦେଶ୍ୟ ଆଦୌ ହୋଇନପାରେ! ବରଂ ପ୍ରଚଳିତ ଆଇନଗୁଡିକୁ ଆହୁରି ସୁଦୃଢ଼ କରାଯାଉ, ତ୍ୱରିତ ନ୍ୟାୟ ପାଇଁ ଚେଷ୍ଟା କରାଯାଉ, ଯାହାଦ୍ୱାରା ପୁରୁଷ କମିଶନ ଗଠନର ଆବଶ୍ୟକତା ହିଁ ରହିବନାହିଁ ।
ଏପର୍ଯ୍ୟନ୍ତ ଭାରତରେ ପୁରୁଷ କମିଶନର ଆବଶ୍ୟକତାକୁ ସାର୍ବଭୌମିକ ରୂପେ ସ୍ୱୀକାର କରାଯାଇ ନାହିଁ । କଥା ହେଉଛି, ଏହି ବିଚାର ପୁରୁଷ କମିଶନ ଗଠନ ଦ୍ୱାରା ହେଉଥିବା ଲାଭ ଓ କ୍ଷତିକୁ ଦେଖି କରାଯାଉଛି । ବର୍ତ୍ତମାନର ସାମାଜିକ ଏବଂ ସାଂସ୍କୃତିକ ସନ୍ଦର୍ଭକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇନାହିଁ । ପୁରୁଷ କମିଶନ ଗଠନର ଆବଶ୍ୟକତା ଉପରେ ବିଚାର କରିବା ଏକ ଜଟିଳ ବିଷୟ ନିଶ୍ଚୟ! ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଅଛି କହୁଥିବାବେଳେ, ଆଉ ଏକ ବର୍ଗ ଏହାର ଆବଶ୍ୟକତା ନାହିଁ ବୋଲି ଦର୍ଶାଉଛନ୍ତି । ସେହି ଦୃଷ୍ଟିରୁ ଉକ୍ତ ବିଷୟଟି ଆହୁରି ଆଲୋଚନା ଏବଂ ବିତର୍କ ଲୋଡ଼େ । ଯଦି ଏହା ଗଠନ ହୁଏ ଏହାର କାର୍ଯ୍ୟାବଳୀ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ, ନଚେତ୍ ସମାଜରେ ନାରୀ ଓ ପୁରୁଷ ଭିତରେ ବିଭେଦ ସୃଷ୍ଟି କରିବା ଏବଂ ସମୟକ୍ରମେ ସେହି ବିଭେଦକୁ ବଢ଼େଇବା ପାଇଁ ଏହା ଆଉ ଏକ ମାଧ୍ୟମ ରୂପେ ଗଣାହେବା ହିଁ ସାର ହେବ ।