ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ସେଦିନର କୁମ୍ଭମେଳା

Published By : Prameya | January 29, 2025 12:32 PM

                                                


ଆଲାହାବାଦ ଅର୍ଥାତ୍‌ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା । ଆଲାହାବାଦ ଅର୍ଥାତ୍‌ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା । ହିନ୍ଦୁମାନଙ୍କର ଶ୍ରେଷ୍ଠ ପର୍ବ । ସମସ୍ତେ ଏକମତ ଯେ କୁମ୍ଭମେଳାରେ ପବିତ୍ର ଗଙ୍ଗାରେ ବୁଡ଼ ପକେଇଲେ ବହୁତ ପୁଣ୍ୟ ହେବ । କୁମ୍ଭମେଳାରେ ବୁଡ଼ ପକେଇବାର ସୌଭାଗ୍ୟ ମିଳିଥିଲା ଅଠାବନ ବର୍ଷ ତଳେ, ମୁଁ ଯେତେବେଳେ ଆଲାହାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଥିଲି । ଏବେ ମନେପଡ଼ିଲେ ଆଖିକୁ ଜଳଜଳ ଦିଶିଯାଉଛି ମା’ ଗଙ୍ଗାଙ୍କ ଦର୍ଶନ ଏବଂ କୁମ୍ଭମେଳାରେ ପକେଇଥିବା ବୁଡ଼ । ୬୫ ମସିହାରେ ରେଭେନ୍ସାରୁ ବି.ଏ. ଅନର୍ସ କରିବା ପରେ ମୁଁ ବାହାରିଲି ଆଲାହାବାଦରେ ଏମ୍‌.ଏ. ପଢ଼ିବା ପାଇଁ । ଜୁଲାଇ ମାସ, ତଥାପି ଟାଇଁଟାଇଁ ଖରା । ପ୍ରଥମ ଥର ପାଇଁ ଓଡ଼ିଶା ବାହାରକୁ ଯାଉଛି ଏକୁଟିଆ । ବଡ଼ଭାଇମାନଙ୍କ ତାଗିଦ୍‌ ‘ଦେଖ୍‌ ହାଓଡ଼ା ଷ୍ଟେସନରେ ଓହ୍ଲେଇବୁ, ଜିନିଷକୁ (ଗୋଟିଏ ବେଡିଂ ଓ ଗୋଟିଏ ଲୁହା ବାକ୍ସ) ଲେଫଟ ଲଗେଜରେ ରଖିବୁ, ରେଳବାଇ କ୍ୟାଣ୍ଟିନରେ ଖାଇବୁ । ସାବଧାନ, ପକେଟମାର୍‌ ବହୁତ । ପକେଟ୍‌ କ’ଣ, ହାତରୁ ଘଣ୍ଟା ଛଡ଼େଇ ନେବେ ଜାଣି ପାରିବୁନି’ । ଏଥିପାଇଁ ଚିନ୍ତାଗ୍ରସ୍ତ ଓ ଭୟଭୀତ ହୋଇ ହାଓଡ଼ାରୁ ଦିଲ୍ଲୀ ଏକ୍ସପ୍ରେସରେ ବସି ଗଲି ଆଲାହାବାଦ ।

ହଠାତ୍‌ କେହି ଜଣେ କହିଲେ- ଅବ ପ୍ରୟାଗ ଆ ଯାଏଗା । ନିଦ ଭାଙ୍ଗିଗଲା, କିନ୍ତୁ ଘୁମେଇଲି । ହଠାତ୍‌ ସମ୍ମିଳିତ ସ୍ୱରରେ ଶୁଭିଲା- ଜୟ ମା’ ଗଙ୍ଗା, ଗଙ୍ଗା ମାତା କୀ ଜୟ ହୋ ଇତ୍ୟାଦି । ଆଖି ଖୋଲି ଦେଖିଲି ରେଳବାଇ ଷ୍ଟେସନ ନାଁ ହେଉଛି ନୈନି । ଟିକିଏ ଦୂରରେ ଗଙ୍ଗାନଦୀ । ଯାତ୍ରୀମାନେ ମୁଣ୍ଡ ନୁଆଁଇ ଭକ୍ତି ଜଣାଉଥିଲେ । ମୋତେ ଜଣେ ଯାତ୍ରୀ କହିଲେ- ଦର୍ଶନ କିଜିଏ । ମୁଁ ବି ମୁଣ୍ଡ ନଇଁଲି । ଏଇ ଥିଲା ଗଙ୍ଗା ମାତାଙ୍କ ଦର୍ଶନ, ଯଦିବା ହାଓଡ଼ା ଷ୍ଟେସନରେ କିଛି ପରିମାଣରେ ଗଙ୍ଗା ନଦୀର ଦର୍ଶନ ହୋଇଥିଲା । ହଷ୍ଟେଲରେ ଆମେ ଯେଉଁ କେତେଜଣ ଓଡ଼ିଆ ପିଲା ଥିଲୁ, ଦିନେ ନିଷ୍ପତ୍ତି ନେଲୁ ଦର୍ଶନ କରିବା ପାଇଁ । ଟଙ୍କାଏ ଲେଖାଁ ଠୁଳ କରାଗଲା ଓ ଗୋଟିଏ ଘୋଡ଼ାଗାଡ଼ିରେ ଖୁନ୍ଦିଖାନ୍ଦି ହୋଇ ଗଲୁ । ଆମକୁ ଦେଖି ଚାରିଜଣ ପଣ୍ଡା ଗୋଡ଼େଇଲେ ଏବଂ ଦୁଇଜଣ ‘ୟେ ଷ୍ଟୁଡେଣ୍ଟ୍‌ ଲୋଗ୍‌ ହେ’, ଅର୍ଥାତ୍‌ ଶୋଷଣ କରିହେବ ନାହିଁ କହି ଫେରିଗଲେ । ବାକି ଦୁଇଜଣ ଆମ ସାଙ୍ଗରେ ରହିଲେ । ଡଙ୍ଗାରେ ତ୍ରିବେଣୀ ସଙ୍ଗମକୁ ନେଲେ । ବାମ ପାଖରେ ଗଙ୍ଗାନଦୀ ପାଣି କାଦୁଅ ରଙ୍ଗ, ଡାହାଣ ପାଖେ ଯମୁନା ପାଣି ନୀଳରଙ୍ଗ, ସରସ୍ୱତୀ ମାଟି ତଳେ ଥାଆନ୍ତି ବୋଲି କହିଲେ ପଣ୍ଡା । ଯାହା ହେଉ ବୁଡ଼ ପକେଇଲୁ ଓ ୫୦ ଲେଖାଏଁ ପଇସା ଦେଇ ପ୍ରତ୍ୟେକ ବୋତଲେ ଲେଖାଏଁ ସଙ୍ଗମ ପାଣି ପାଇଲୁ । 

ପରବର୍ତ୍ତୀ ବର୍ଷ ପଡ଼ିଲା (୧୯୬୬) କୁମ୍ଭମେଳା । ଆମେ ଦୁଇଜଣ ସାଙ୍ଗ ଗୋଟିଏ ରିକ୍ସାରେ ବସି ଗଲୁ । ଗଙ୍ଗାନଦୀ ଯେତିକି ପାଖେଇ ଆସୁଥିଲେ ଭିଡ଼ ସେତିକି ବଢ଼ୁଥିଲା । ବିଭିନ୍ନ ରଙ୍ଗର ପୋଷାକ ପିନ୍ଧି ଯାତ୍ରୀମାନେ ଆସିଥିଲେ । ଅଧିକାଂଶ ଧୋତିପିନ୍ଧା । ରାଜସ୍ଥାନରୁ ଯିଏ ଆସିଥାନ୍ତି ମୁଣ୍ଡରେ ଭିଡ଼ିଥାନ୍ତି ଠେକା । ହଠାତ୍‌ ଦେଖିଲି ଜଣେ ହାତରେ ଧରିଛନ୍ତି କଣ୍ଟା ଛାଟ । ସାହସ ବାନ୍ଧି ତାଙ୍କୁ କାରଣ ପଚାରିଲି ଏବଂ ସେ ସାମାନ୍ୟ ହସି ହିନ୍ଦୀରେ କହିଲେ- ଏତିକି ଜାଣିନ? ବୁଡ଼ ପକେଇ ସାରି ଏଇ ଛାଟରେ ମୁଣ୍ଡ ଛୁଇଁଦେଲେ ବହୁତ ପୁଣ୍ୟ ହେବ । ତୁମେ ଛାତ୍ର ଭଳିଆ ଦିଶୁଛ ବୁଡ଼ ପକେଇଲେ ମୋ ପାଖକୁ ଆସିବ ମୁଁ ଛୁଇଁଦେବି ମାଗଣାରେ । ଆଉ କେତେଜଣ ସାଦା ଛାଟରେ ମୟୂରପକ୍ଷୀ ଲଗାଇ ଧରିଥିଲେ ଓ ସେଥିରୁ ଜଣେ ଦାବି କଲେ- ଏଥିରେ ଛୁଇଁଲେ ସବୁଠୁ ବେଶୀ ପୁଣ୍ୟ ହେବ । କ୍ରମେ ପାଖେଇ ଆସିଲୁ ଓ ରିକ୍ସାବାଲା କହିଲାଭାଇ ଆଉ ଆଗକୁ ଯାଇହେବନି । ସମୁଦ୍ର ଭଳିଆ ଲୋକ ଯିବି କେମିତି? ତାହାପରେ ଗୋଟିଏ ରାସ୍ତାକଡ଼ ଜଳଖିଆ ଦୋକାନକୁ ଆଙ୍ଗୁଳି ଦେଖାଇ କହିଲା- ମୁଁ ଏଇଠେ ଥିବି, ତୁମେ ଫେରିଲେ ଯଦି ଚାହିଁବ ମୋ ରିକ୍ସାରେ ଆସିପାରିବ । ଭଡ଼ା ଚାଳିଶ ପଇସା, କିନ୍ତୁ କୁମ୍ଭମେଳା ହେତୁ ପଚାଶ ପଇସା ପଡ଼ିଲା । 

ଆମକୁ ଦେଖି ଜଣେ ପଣ୍ଡା ଯାହାଙ୍କର ଘ୍ରାଣଶକ୍ତି ଖୁବ୍‌ ତୀବ୍ର, ହିନ୍ଦୀରେ ପଚାରିଲେ- ତୁମ ଘର କେଉଁଠେ ଭୁବନେଶ୍ୱର ନା କଟକ? ନିଜର ଗୁରୁତ୍ୱ ବଢ଼େଇବା ପାଇଁ କହିଲୁ ପୁରୀ, ଅର୍ଥାତ୍‌ ଜଗନ୍ନାଥ ଧାମ । ବାଃ ବାଃ, କେତେ ଭାଗ୍ୟବାନ ତୁମେ କହି ପଣ୍ଡା ଜଣକ ନଦୀ ଆଡକୁ କଢ଼େଇ ନେଲେ । ଆମକୁ ଦିଶିଲେ ଖାଲି ମଣିଷ, ବିଭିନ୍ନ ରଙ୍ଗ, ବିଭିନ୍ନ ଆକୃତି, ବିଭିନ୍ନ ଉଚ୍ଚାରଣର ଆଉ ମାଳମାଳ ପୋଲିସ । କାଠରେ ତିଆରି ମଞ୍ଚ ଉପରେ ମଧ୍ୟ ପୋଲିସ । ଦୂରବୀକ୍ଷଣ ଯନ୍ତ୍ରରେ ଦେଖୁଥାନ୍ତି ସବୁଆଡ଼େ । ଅସଂଖ୍ୟ ତମ୍ବୁ ଯାତ୍ରୀ, ସରକାରୀ କର୍ମଚାରୀ, ପୋଲିସ ଏବଂ ଅସ୍ଥାୟୀ ହସପିଟାଲ ପାଇଁ । ଗୋଟିଏ ବିରାଟ ତମ୍ବୁରେ ଲେଖା ହୋଇଥାଏ ଜନସଂପର୍କ । ସେଥିରେ ମାଇକରେ ସବୁ ଭାଷାରେ ଘୋଷଣା କରାଯାଉଥାଏ ଯଥା- ପିଲା ଯଦି ହଜିଛି ଏଇଠେ ଖବର ଦିଅନ୍ତୁ । ମାଛି ବସିଥିବା ଦ୍ରବ୍ୟ ଖାଆନ୍ତୁ ନାହିଁ । ଯଦି କିଏ ପଇସା ଦାବି କରେ ଆମକୁ ଜଣାନ୍ତୁ କିମ୍ବା ପୋଲିସରେ ଖବର ଦିଅନ୍ତୁ । ପକେଟମାର୍‌ ପ୍ରତି ସାବଧାନ ଇତ୍ୟାଦି । ଆମର ପାଞ୍ଚଜଣ ଓଡ଼ିଆ ପିଲା ସେଇଠେ ଥିଲେ ଓ ଖାଇପିଇ ଦିନକୁ ତିନିଟଙ୍କା ପାଉଥିଲେ (ସେତେବେଳେ ଗୁଡ଼ିଏ ଟଙ୍କା ବୋଲି ଧରାଯାଉଥିଲା) । 

ଖାଇବା ଷ୍ଟଲରେ ବେଶୀ ମିଳୁଥିଲା ପୁରି, ବୁଟ ତରକାରି ଓ ହାଲୁଆ । ପ୍ରୟାଗବାସୀ ହେଉଛନ୍ତି ହାଲୁଆପ୍ରିୟ, ବିଶେଷତଃ ଗାଜର ହାଲୁଆ । ଗୋଟିଏପଟେ ବସିଥାନ୍ତି ଅନେକ ସାଧୁ । ଜଣେ ତ୍ରିଶୂଳ ଧରି ଗୋଟିଏ ଗୋଡ଼ରେ ଠିଆ ହୋଇଥାନ୍ତି । ପାଖରେ ଜଣଙ୍କୁ ଦେଖିଲୁ ଯିଏ କଣ୍ଟା ଉପରେ ଶୋଇଛନ୍ତି । ବେଶୀ ବିସ୍ମିତ ହେଲୁ, ଯେତେବେଳେ ଜଣେ ପୋତା ହୋଇଥିବା ପାଞ୍ଚଟି ତ୍ରିଶୂଳ ଉପରେ ଶୋଇଛନ୍ତି, ଅଥଚ ଦେହରୁ ରକ୍ତ ବାହାରୁନଥିଲା । ପ୍ରବଳ ଶୀତ ଅଥଚ ଅନେକ ଖାଲି ଦେହରେ । ନଦୀକୁ ଅନେଇଲୁ କୂଳଠାରୁ ପ୍ରାୟ ଦଶ ହାତ ଦୂରରେ ଦଉଡ଼ି ଧରି କେତେ ଲୋକ ଠିଆ ହୋଇଛନ୍ତି ଓ ତାଙ୍କ ପାଖରେ ଲମ୍ବା ଠେଙ୍ଗା ଧରି ହାଫ୍‌ ପ୍ୟାଣ୍ଟପିନ୍ଧା ପୋଲିସ । ସେମାନେ ମଝିରେ ମଝିରେ ଠେଙ୍ଗାଟା ଘୂରାଉଥିଲେ । ବାର୍ତ୍ତା ନିରବ, କିନ୍ତୁ କଠୋର । ଅର୍ଥାତ୍‌ ଦଉଡ଼ି ପାଖକୁ ଆସିଲେ ଆଖି ନାହିଁ କାନ ନାହିଁ ବାଜିଗଲେ ଦୋଷ ନାହିଁ । ଆମେମାନେ ପାଣିରେ ପଶିବା ପାଇଁ ବାହାରିଲୁ ହଠାତ୍‌ ସମ୍ମିଳିତ ଶବ୍ଦ ଶୁଭିଲା ହଟୋ ହଟୋ । ଆମେ ହରିଣ କନକନ ହୋଇ ଅନେଇଲା ଭଳିଆ ଦେଖିଲୁ ସବୁଆଡ଼େ । ଯାହା ଦେଖିଲୁ ଭୟରେ ପଛକୁ ଘୁଞ୍ଚିଗଲୁ । ସାରା ମୁହଁରେ ପାଉଁଶ ବୋଳି ଓଠରେ ଧଳାରଙ୍ଗ ମାରି ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବିଥିବା ଜଟ, ତ୍ରିଶୂଳ ଓ ଘଣ୍ଟା ଧରି କୌପୁନିଧାରୀ ବାବାଜିମାନେ ହାଃ ହାଃ ହିଃ ହିଃ ଚିତ୍କାର କରି ମାରଣା ଷଣ୍ଢ ପରି ମାଡ଼ି ଆସିଲେ ଗଙ୍ଗାନଦୀକୁ । ଲୋକମାନେ ଆଡ଼େଇଗଲେ ଓ ଶହ ଶହ ପୋଲିସ ଅଣ୍ଟେ ପାଣିରେ ଲାଠି ଉଞ୍ଚେଇ ଠିଆ ହୋଇଗଲେ । 

ଏଇ ବାବାଜିମାନେ ବାଁ ହାତରେ ଧରିଥିବା ଘଣ୍ଟିକୁ ବଜାଉଥାନ୍ତି, ହାଃ ହାଃ ଚିତ୍କାର କରୁଥାନ୍ତି । ମୁଁ ପଚାରିବାରୁ ଜଣେ କହିଲେ- ଏମାନେ ନାଗା ବାବାଜି । ଶୋଭାଯାତ୍ରାରେ ଏମାନେ ପ୍ରଥମେ ଆସିବେ । ବାବାଜିମାନଙ୍କର ନିଜ ନିଜର ଆଖଡ଼ା ଥାଏ । ସଂକ୍ରାନ୍ତି, ପୂର୍ଣ୍ଣିମା, ଏକାଦଶୀ, ଅମାବାସ୍ୟା, ବସନ୍ତ ପଞ୍ଚମୀ ଓ ଅଚଳା ସପ୍ତମୀ ଦିନ ସେମାନେ ଧାଡ଼ି ବାନ୍ଧି ଆସନ୍ତି । ଆଲାହାବାଦ (ବର୍ତ୍ତମାନ ପ୍ରୟାଗରାଜ) ଦରିଆଗଞ୍ଜରୁ ଆସନ୍ତି ନାଗାମାନେ ସ୍ନାନ କରିବା ପାଇଁ ଓ ଫେରିଲା ବେଳକୁ ତାଙ୍କ ମସ୍ତିଷ୍କ ଥଣ୍ଡା ପଡ଼ିଯାଇଥାଏ । ତାଙ୍କ ପଛକୁ ଆସନ୍ତି ନିରଞ୍ଜନୀମାନେ, ତା’ପରେ ଆସିବେ ବୈରାଗୀ ବାବାମାନେ, ଏମାନେ ସାରା ଭାରତ ବୁଲନ୍ତି ବର୍ଷସାରା ଓ ମାଘ ମାସକୁ ଆସନ୍ତି ପ୍ରୟାଗ । ତାଙ୍କ ପଛରେ ଆସିବେ ଉଦାସ (ଯେଉଁମାନେ ଶିଖ୍‌ରୁ ହିନ୍ଦୁ ହୋଇଛନ୍ତି) । ଏମାନଙ୍କ ଆଖଡ଼ାକୁ କୁହାଯାଏ ଛୋଟ ପଞ୍ଚାୟତି । ତାଙ୍କ ପଛକୁ ଆସିଲେ ବଡ଼ ପଞ୍ଚାୟତି ଆଖଡ଼ା । ଏଇ ସାଧୁ ମହାରାଜମାନେ ହାତୀ ଉପରେ ବସି ଓ କେହି କେହି ପାଲିଙ୍କିରେ ବସି ଆସିଥାନ୍ତି । ଏମାନେ ଗଲାପରେ ରାଜେଶ ପଶିଲା ପାଣିରେ ବୁଡ଼ ପାଇଁ । ଜଣେ ପୋଲିସବାବୁ କହିଲେ ସାବଧାନ ଗୋଡ଼ ଖସେ । ସୁଯୋଗ ମିଳିଥିବାରୁ ତାଙ୍କୁ ପଚାରିଲି- ଏତେ ବ୍ୟବସ୍ଥା କାହିଁକି । ସେ କହିଲେ- ବେଟା, ତୁମେ କେଉଁ ରାଜ୍ୟର, ମୁଁ କହିଲି ଓଡ଼ିଶା । ସେଥିପାଇଁ ତୁମେ ଜାଣିନ, କହିଲେ । 

୧୯୫୪ ମସିହାରେ କୁମ୍ଭମେଳାରେ ନାଗା ବାବାଜି ଓ ଅନ୍ୟ ବାବାଜିଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେଲା ଓ ନାଗାମାନେ ତାଙ୍କ ହାତୀକୁ ନେଇ କାଠପୋଲ ଉପରେ ବସେଇ ଦେଲେ । ଅସ୍ଥାୟୀ କାଠପୋଲ ଭାଙ୍ଗିଗଲା ଓ ଶହ ଶହ ଲୋକ ପାଣିରେ ବୁଡ଼ି ମରିଲେ । ପୁଣି ଥରେ ସେ ବାବୁଙ୍କୁ ଅନେଇଲି । ଧରିଥାନ୍ତି ବିରାଟ ଠେଙ୍ଗା । ପୂର୍ବରୁ ମୋର ଅଭିଜ୍ଞତା ଥିଲା ଯେ, ଉତ୍ତର ପ୍ରଦେଶ ପୋଲିସ କେହି ଉତ୍ପାତ କଲେ ବୁଝେଇବା ପରିବର୍ତ୍ତେ ଚଳାଏ ଲାଠି । ଯାହା ହେଉ ଶାନ୍ତିପ୍ରିୟ ନାଗରିକ ଭାବେ ଗାଧୋଇ ପଡ଼ିଲି ଓ ଗଲି ତ୍ରିଶୂଳ ଉପରେ ଶୋଇଥିବା ବାବାଜିଙ୍କୁ ଆଉ ଥରେ ଦେଖିବା ପାଇଁ । କିଛି ସମୟ ଠିଆ ହେବାପରେ ସେ ଆଖି ଖୋଲିଲେ ଓ ଶରୀର ଭେଦ କଲା ଦୃଷ୍ଟିରେ ମୋତେ ଅନେଇଲେ, ତାପରେ ଯାହା କହିଲେ ମୁଁ ଏବେ ବି ମନେରଖିଛି । ଯଥା- ‘ତୁ ବଡ଼ ଚାକିରି କରିବା ଉଦ୍ଦେଶ୍ୟରେ ପରୀକ୍ଷା ଦେଉଛୁ ନା? ହଁ କଲି, କାରଣ ମୁଁ ଆଇପିଏସ୍‌ ପରୀକ୍ଷା ଦେଉଥିଲି । ପୁଣି କହିଲେ- ନିଶ୍ଚୟ ପାଇବୁ । ତାଙ୍କ କଥା ସତ ହେଲା । ଆଉ ଗୋଟିଏ କଥା ସେ କହିଥିଲେ ଯାହା ଏପର୍ଯ୍ୟନ୍ତ ମୋ ମନକୁ ଆନ୍ଦୋଳିତ କରୁଛି । ମୁଁ କହିଲି- ବାବା, ମୋତେ ଆଶୀର୍ବାଦ କରନ୍ତୁ ଓ କିଛି ଉପଦେଶ ଦିଅନ୍ତୁ । ସେ କହିଲେ- ମୁଁ ଆଶୀର୍ବାଦ କରୁଛି ଓ ଉପଦେଶ ଦେଉଛି ଯେ, ପ୍ରତିଦିନ ସକାଳୁ ଉଠିଲେ ନିଜକୁ ପଚାରିବୁ ମୁଁ କିଏ ଓ ଯେଉଁଦିନ ସନ୍ତୋଷଜନକ ଉତ୍ତର ପାଇବୁ ଜାଣିବୁ ତୋର ମୋକ୍ଷ ହେଲା । ଏବେ ବି ମୁଁ ସେ ପ୍ରଶ୍ନ ନିଜକୁ ପଚାରୁଛି, କିନ୍ତୁ ଉତ୍ତର ଏପର୍ଯ୍ୟନ୍ତ ପାଇନି । କିନ୍ତୁ ଯେତେବେଳେ କୁମ୍ଭମେଳା କଥା ଖବରକାଗଜରେ ପଢ଼ୁଛି ମନେ ପଡ଼ିଯାଉଛି ସେ ବେଳର କୁମ୍ଭମେଳାର ଅନୁଭୂତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.