ଶୀର୍ଷକଟି ପଢ଼ି ଆଦୌ ଆଶ୍ଚର୍ଯ୍ୟ ଚକିତ ହୁଅନ୍ତୁନି । ଘଟଣାଟି ୨୦୧୬ ମସିହାର । ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଗୋଟିଏ ଖବର ପ୍ରକାଶ ପାଇ ବେଶ୍ ଚର୍ଚ୍ଚିତ ହୋଇଥିଲା । ଉତ୍ତରପ୍ରଦେଶର ସାହବଗଞ୍ଜ ନାମକ ଏକ ଗାଁରେ ରାସନ କାର୍ଡ଼ଧାରୀଙ୍କ ତାଲିକାରେ ଥିଲେ ରାଣୀ ମୁଖାର୍ଜୀ ନାମକ ଜଣେ ହିତାଧିକାରୀ, ଯାହାଙ୍କ ନାଁରେ ଖାଦ୍ୟ ସୁରକ୍ଷା ଯୋଜନାରେ ନିୟମିତ ଭାବରେ ପିଡିଏସ୍ ସାମଗ୍ରୀ ଉଠାଯାଉଥିଲା । ଏମିତି ନାଁରେ ସେ ଗାଁରେ କେହି ନଥିବା ଜଣାପଡ଼ିବାରୁ ଲୋକମାନେ ଏ ନେଇ ସ୍ଥାନୀୟ ପୁଲିସରେ ବିତରକଙ୍କ ବିରୋଧରେ ଅଭିଯୋଗ ଦାଖଲ କଲେ । ତଦନ୍ତରୁ ଜଣାପଡ଼ିଲା କେବଳ ରାଣୀ ମୁଖାର୍ଜୀ ନୁହଁନ୍ତି ଆହୁରି କେତେଜଣ ମହିଳାଙ୍କ ନାଁ ବି ହିତାଧିକାରୀ ତାଲିକାରେ ଥିଲା, ଯେଉଁମାନେ ବଲିଉଡର ବହୁ ଜଣାଶୁଣା ଅଭିନେତ୍ରୀ । ସେମାନଙ୍କ ମଧ୍ୟରେ ଥିଲେ ଦୀପିକା ପାଦୁକୋନ, ସୋନାକ୍ଷୀ ସିହ୍ନା ଏବଂ ଜାକଲିନ୍ ଫର୍ଣ୍ଣାଡିଜ୍ । ତେବେ ଆଉ ଏକ ମଜାଦାର କଥା ହେଲା, ଏହି ଅଭିନେତ୍ରୀମାନଙ୍କର ସ୍ୱାମୀଙ୍କ ନାଁ ମଧ୍ୟ ଲେଖାଥିଲା ରାସନ କାର୍ଡ଼ରେ । ଯେମିତି ରାଣୀ ମୁଖାର୍ଜୀଙ୍କ ସ୍ୱାମୀଙ୍କ ନାମ ଥିଲା ରାମ ସ୍ୱରୂପ, ଦୀପିକାଙ୍କ ସ୍ୱାମୀଙ୍କ ନାମ ରାକେଶ ଚାନ୍ଦ, ସୋନାକ୍ଷୀଙ୍କ ସ୍ୱାମୀ ଥିଲେ ରମେଶ ଚାନ୍ଦ ଏବଂ ଜାକଲିନଙ୍କ ସ୍ୱାମୀ ସାଧୁ ଲାଲ୍ ବୋଲି ଲେଖାଥିଲା । ଦୀପିକା ସାଧାରଣ ବର୍ଗର ହୋଇଥିବା ବେଳେ ବାକି ସବୁ ଥିଲେ ଅନ୍ୟାନ୍ୟ ପଛୁଆ ବର୍ଗର ।
ଏହା ଏଠି ଲେଖିବା ଅନାବଶ୍ୟକ ଯେ, କେବଳ ରାସନ ସାମଗ୍ରୀ ହଡ଼ପ କରିବା ପାଇଁ ବଲିଉଡ୍ ଅଭିନେତ୍ରୀଙ୍କ ନାଁରେ ସେଠାରେ ନକଲି ରାସନ କାର୍ଡ଼ ତିଆରି ହୋଇଥିଲା ବା ଏବେ ଗଣମାଧ୍ୟମରେ ବ୍ୟବହାର ହେଉଥିବା ଭାଷାରେ ସେମାନେ ଥିଲେ ‘ଭୂତ ହିତାଧିକାରୀ' । ଏହାର କାରଣ, ସେପରି ନାଁରେ ସେ ଅଞ୍ଚଳରେ କେହି ହିତାଧିକାରୀ ନଥିଲେ କି ସେମାନଙ୍କ ସ୍ୱାମୀ ଭାବରେ ଯେଉଁମାନଙ୍କ ନାଁ ଲେଖାଥିଲା ସେମାନେ ମଧ୍ୟ ସେହି ଅଞ୍ଚଳର ବାସିନ୍ଦା ନଥିଲେ । ଅଭିନେତ୍ରୀଙ୍କ ନାଁରେ ଅନେକ ବର୍ଷ ଧରି ସେଠାରେ ରାସନ ସାମଗ୍ରୀ ହଡ଼ପ ଚାଲିଥିଲା, ଯଦିଓ ସେମାନେ ନିଜେ ଜାଣିନଥିବେ ଯେ ତାଙ୍କ ନାମଗୁଡ଼ିକ ଉତ୍ତରପ୍ରଦେଶର ଏହି ଗାଁରେ ଅଛି ଆଉ ସେଠାରେ ସେମାନଙ୍କର ପରିକଳ୍ପିତ ସ୍ୱାମୀମାନେ ବି ଅଛନ୍ତି । ଏସବୁ ଲୋକଲୋଚନକୁ ଆସିବା ପରେ ସେଠାକାର ବିଭାଗୀୟ ଉଚ୍ଚ ସରକାରୀ ଅଧିକାରୀ ତଦନ୍ତ ପାଇଁ ଆଦେଶ ଦେଇଥିଲେ । ଏସବୁ ଆମ ଦେଶରେ ଜମାରୁ ନୂଆ କଥା ନୁହେଁ ବୋଲି ଆପଣମାନେ ଯୁକ୍ତି କରିପାରନ୍ତି । ଏହାର କାରଣ ହେଉଛି ଅନେକ ସମୟରେ ଏପରି ଘଟଣା ଦେଶର ବିଭିନ୍ନ ରାଜ୍ୟରେ ଘଟିଥାଏ । ଏପରିକି ଆମ ଓଡ଼ିଶାରେ ବି ଏହା ବିଭିନ୍ନ ସମୟରେ ଘଟିଛି ଆଉ ଘଟୁଛି । ଏକ ଜନମଙ୍ଗଳକାରୀ ରାଷ୍ଟ୍ରଭାବରେ ଭାରତ ବିଭିନ୍ନ ବର୍ଗର ନାଗରିକଙ୍କ ବିଭିନ୍ନ ମୌଳିକ ଆବଶ୍ୟକତା ପୂରଣକୁ ଯୋଜନାଗୁଡ଼ିକ ମାଧ୍ୟମରେ ସୁନିଶ୍ଚିତ କରିଥାଏ । ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଅଲଗା ଭାବରେ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରିଥାନ୍ତି । ସ୍ଥଳ ବିଶେଷରେ ଉଭୟ କେନ୍ଦ୍ର-ରାଜ୍ୟ ମିଳିମିଶି ବିଭିନ୍ନ ଯୋଜନା ଲାଗୁ କରିଥାନ୍ତି ଏବଂ ସେଥିପାଇଁ ଆନୁପାତିକ ହାରରେ ଅର୍ଥ ଖର୍ଚ୍ଚ ମଧ୍ୟ କରନ୍ତି । ଆମ ଦେଶରେ ଏମିତି କ୍ୱଚିତ ଯୋଜନା ଥିବ, ଯାହାର କେହି ହିତାଧିକାରୀ ନଥିବେ ବା ଏମିତି କ୍ୱଚିତ୍ ନାଗରିକ ଅଛନ୍ତି ଯିଏ କୌଣସି ଯୋଜନାର ହିତାଧିକାରୀ ହୋଇନଥିବେ ।
ଏଠି ଉଦ୍ୟୋଗପତିଙ୍କ ପାଇଁ ଋଣ ଛାଡ଼, ରିହାତି, ଆର୍ଥିକ ପ୍ରୋତ୍ସାହନ ଭଳି ଯୋଜନା ଅଛି । ପୁଣି କେହି ଖାଦ୍ୟ ଅଭାବରୁ ଅନାହାରର ଶିକାର ନହୁଅନ୍ତୁ କିମ୍ବା ଅର୍ଥ ଅଭାବରୁ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ ନହୁଅନ୍ତୁ ସେଥିପାଇଁ ମଧ୍ୟ ଯୋଜନା ରହିଛି । ଏହା ଅବଶ୍ୟ ଅଲଗା କଥା ଯେ, ଅଧୁନା ବିଭିନ୍ନ ବର୍ଗର ଭୋଟ୍ ହାତେଇବା ପାଇଁ ସରକାର ଗଢ଼ିବାକୁ ଚାହୁଁଥିବା ରାଜନୈତିକ ଦଳଗୁଡ଼ିକ ଅନେକ ଯୋଜନା ବାବଦରେ ଘୋଷଣା କରୁଛନ୍ତି ଆଉ କ୍ଷମତାକୁ ଆସିବା ପରେ ସେଗୁଡ଼ିକୁ ଲାଗୁ କରୁଛନ୍ତି ଯାହା ଏବେ ଦେଶର ଅର୍ଥନୀତି ପାଇଁ ଚିନ୍ତାର କାରଣ ପାଲଟିଲାଣି । ତେବେ ଏହି ପ୍ରକ୍ରିୟାରେ ଦେଶରେ ଯୋଜନାର ସଂଖ୍ୟା ବଢ଼ିବା ସହ ସେଗୁଡ଼ିର ହିତାଧିକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛନ୍ତି । ‘ସରକାର ଏତେ ସୁବିଧା ଯୋଗାଉଛନ୍ତି, ହାତଛଡ଼ା କରିବା କାହିଁକି' ଯୁକ୍ତିରେ ଅନେକ ଲୋକ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ନଥିବା ଯୋଜନାରେ ସାମିଲ ହେଇ ପଡ଼ୁଛନ୍ତି । ଏଥିପାଇଁ ମିଛ କାଗଜପତ୍ର ପ୍ରସ୍ତୁତ ହେଉଛି । ହିତାଧିକାରୀ ଚିହ୍ନଟ ଆଉ ଚୟନ ଦାୟିତ୍ୱରେ ଥିବା କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ସହ ସ୍ଥାନୀୟ ଅଞ୍ଚଳର ରାଜନେତାଙ୍କ ହାତ ବା ସହଯୋଗ ଏଥିରେ ରହୁଛି । କୋହଳ ତଥା ପୁରୁଣାକାଳିଆ ଯାଞ୍ଚବ୍ୟବସ୍ଥା ଯୋଗୁଁ ମିଛ ବା ଭୂତ ହିତାଧିକାରୀମାନେ ସହଜରେ ଧରା ପଡ଼ନ୍ତିନି । ଏପରି ଜାଲିଆତି ଗରିବ କଲ୍ୟାଣ ଯୋଜନାଗୁଡ଼ିକରେ ବେଶୀ ପରିମାଣରେ ହେଉଥିବାର ଦେଖାଯାଇଛି । ସରକାରୀ ଯୋଜନାରୁ ଫାଇଦା ଉଠାଇବା ପାଇଁ ଅନେକ ଥିଲାବାଲା ଲୋକ ବି ନିଜ ନାଁ ଗରିବ ତାଲିକାରେ ରଖିବାକୁ ସଂକୋଚ କରନ୍ତିନି ।
ଆମ ଦେଶର ସାଧାରଣ ଲୋକଚରିତ୍ର ଅଳ୍ପବହୁତେ ଏହିପରି, ଯଦିଓ ସମସ୍ତେ ଅସାଧୁ ନୁହଁନ୍ତି । କୌଣସି ଯୋଜନାରେ ଯେପରି କେହି ଜାଲିଆତି କରିନପାରିବେ ବିଶେଷକରି ବ୍ୟାଙ୍କ, ବୀମା ତଥା ଅର୍ଥ ଦେଣନେଣ କରୁଥିବା ସଂସ୍ଥାଗୁଡ଼ିକରେ ଯେପରି ଆର୍ଥିକ ଜାଲିଆତି ରୋକାଯାଇ ପାରିବ ସେଥିପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ୨୦୦୨ରେ ‘ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ' ବା ‘ନୋ ଇୟୋର କଷ୍ଟମର (କେୱାଇସି)' ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହା ଥିଲା କାଗଜପତ୍ର ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା, ଯେଉଁ କାର୍ଯ୍ୟ ସମ୍ପାଦନ ପାଇଁ ଗ୍ରାହକଙ୍କୁ ସଶରୀରେ ଉପସ୍ଥିତ ରହିବାକୁ ପଡ଼ୁଥିଲା ଏବଂ ପ୍ରକ୍ରିୟାଟି ସମୟସାପେକ୍ଷ ଥିଲା । ଏଥିରେ କିଛିଟା ସଫଳତା ମିଳିଲେ ବି ଜାଲିଆତିକୁ ସମ୍ପୂର୍ଣ୍ଣ ରୋକିବା ସମ୍ଭବ ହୋଇନଥିଲା । ସେଥିପାଇଁ ୨୦୧୩ରୁ ଦେଶରେ ଆରମ୍ଭ ହେଲା ‘ଇ-କେୱାଇସି' ବା ଗ୍ରାହକ ତଥା ହିତାଧିକାରୀଙ୍କୁ ଜାଣିବାର ବୈଦ୍ୟୁତିକ ଏବଂ ଆଧୁନିକ ଜ୍ଞାନକୌଶଳ ସଂଯୁକ୍ତ ବ୍ୟବସ୍ଥା । କାଗଜବିହୀନ ସହଜ ବ୍ୟବସ୍ଥା ଯାହାର ମୂଳ ଆଧାର ପ୍ରଧାନତଃ ଜଣକର ଆଧାର ପରିଚୟପତ୍ରରେ ଉଲ୍ଲେଖିତ ହୋଇଥିବା ସ୍ୱତନ୍ତ୍ର ସଂଖ୍ୟା । ସେହି ସଂଖ୍ୟା ସହ ବ୍ୟକ୍ତିଗତ ବିବରଣୀ ଏବଂ ଜୈବମାପକ ଯଥା- ଜଣକର ଆଙ୍ଗୁଠି ଛାପ, ଚକ୍ଷୁପଟଳ, ମୁଖମଣ୍ଡଳର ଭାବ ବିଶେଷତାକୁ ସଂଯୁକ୍ତ କରିବା । ଜୈବମାପକଗୁଡ଼ିକ ଜଣକଠାରୁ ଆଉ ଜଣକର ଅଲଗା ଏବଂ ସ୍ୱତନ୍ତ୍ର, ତେଣୁ କାହା ନାଁରେ ଅନ୍ୟ କେହି ଜାଲିଆତି କରିବା ବା ଜନ୍ମରୁ ପ୍ରକୃତି ଆମକୁ ଯାହା ଦେଇଛି ତା'ର ଅନନ୍ୟତାକୁ ଧୋକା ଦେବା ଏକପ୍ରକାର ଅସମ୍ଭବ ।
ତେବେ ଇ-କେୱାଇସି ପ୍ରଚଳନ ଦ୍ୱାରା ଏବେ ଦେଶରେ ଯୋଜନା ଜାଲିଆତି ନାମରେ ଚାଲିଥିବା ଅନେକ ଅଜବ କଥା ସାମ୍ନାକୁ ଆସିଛି । ଯେମିତି ଛତିଶଗଡ଼ର ବସ୍ତର ଜିଲ୍ଲାରୁ ‘ମାହତରି ବନ୍ଦନା' ଯୋଜନାରେ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ନାମ ହିତାଧିକାରୀ ତାଲିକାରେ ଥିବାର ଚିହ୍ନଟ ହୋଇଛି । ଓଡ଼ିଶାରେ ବାର୍ଦ୍ଧକ୍ୟ ଭତ୍ତା ଯୁବକଙ୍କୁ, ବିଧବା ଭତ୍ତା ସଧବାଙ୍କୁ ପ୍ରଦାନ, ଏପରିକି ମୃତବ୍ୟକ୍ତି ବି ବିଭିନ୍ନ ଯୋଜନାର ଲାଭ ପାଇଚାଲିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ଯାଞ୍ଚ ପାଇଁ ଚାଲିଥିବା ଅଭିଯାନରେ ଧନୀ, ଥିଲାବାଲାଙ୍କ ସହ ଅନେକ ଉଚ୍ଚ ବେତନଭୋଗୀ ସରକାରୀ କର୍ମଚାରୀ ବି ଚିହ୍ନଟ ହୋଇଛନ୍ତି । ଏପରିକି କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଯୋଜନାରେ କେତେକ ପୁରୁଷ ଆବେଦନ କରିଥିବାର ଜଣାପଡ଼ିଛି । ଇ-କେୱାଇସି ବ୍ୟବସ୍ଥା କେତେକ ସ୍ତରରେ ଦୁର୍ନୀତି ଏବଂ ଅସାଧୁ କାରବାର ରୋକିବାରେ ବଡ଼ ଭୂମିକା ତୁଲାଇଛି କହିଲେ ଭୁଲ୍ ହେବନି । ତେବେ ଅସଲ ଦୁର୍ନୀତି ସେଠାରେ ନାହିଁ, ବରଂ ଦୁର୍ନୀତି ରହିଛି ଲୋକଙ୍କ ମାନସିକତାରେ । ଆଧୁନିକ ବୈଷୟିକ ଜ୍ଞାନକୌଶଳ ଅସାଧୁ କାର୍ଯ୍ୟର ଯାଞ୍ଚ ଆଉ ଚିହ୍ନଟ ପ୍ରକ୍ରିୟାକୁ ହୁଏତ ସହଜ କରିବ, ମାତ୍ର ମଣିଷ ମନରେ ଜନ୍ମ ନେଉଥିବା ଦୁର୍ନୀତିକୁ ରୋକି ପାରିବନି । ଗଳାବାଟ ପାଇଲେ ଅସାଧୁ ହେବାକୁ ପଛାଉନଥିବା ମଣିଷ ବୈଷୟିକ କୌଶଳକୁ ବି ଧୋକା ଦେବାର ଉପାୟ ଆପଣେଇବ । ଅପରପକ୍ଷରେ ନିଜ ମାନସିକତାରୁ ଦୁର୍ନୀତିର ଭାବନାକୁ ହଟେଇଦେଲେ କୌଣସି ପ୍ରକାର ଯାଞ୍ଚର ଆଉ ଆବଶ୍ୟକତା ବି ବୋଧହୁଏ ପଡ଼ିବନି ।