ପୂର୍ବରୁ ଯେଉଁ ଯୋଜନା ଆୟୋଗ ବା ପ୍ଲାନିଂ କମିଶନ ଥିଲା, କେନ୍ଦ୍ର ସରକାର ୨୦୧୫ରେ ତାହା ପରିବର୍ତ୍ତେ ନୀତି ଆୟୋଗ ଗଠନ କଲେ। ଏହା ହେଉଛି ଗୋଟିଏ ପ୍ରବୁଦ୍ଧ ମଣ୍ଡଳ ବା ଥିଙ୍କ୍ ଟାଙ୍କ୍ । କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ସମସ୍ୟାମାନଙ୍କ ସମ୍ବନ୍ଧରେ ଉପଦେଶ ଓ ଧାରଣା ଦେବାପାଇଁ ଗଠିତ ଏହି ବିଶେଷଜ୍ଞ ମଣ୍ଡଳୀର ସୁପାରିସମାନ ଅନୁଧ୍ୟାନଯୋଗ୍ୟ । ଏହି ପରିପ୍ରେକ୍ଷୀରେ ବିକାଶ ସଂପର୍କରେ ଏହାର ମହତ୍ତ୍ୱପୂର୍ଣ୍ଣ ପରାମର୍ଶ ଏବଂ ତତ୍ ସଂପୃକ୍ତ ପ୍ରୟୋଗାତ୍ମକ କୌଶଳ ଅବଗତ ହେଲେ ଆମେ ଉପଯୁକ୍ତ ମାର୍ଗଦର୍ଶନ ପାଇବା। ନୀତି ଆୟୋଗର ପ୍ରବିଧି ମଧ୍ୟରେ ଅନ୍ତର୍ଭୁକ୍ତ ହୋଇଛି ବିଭିନ୍ନ ବିଭାଗର ତୁଳାନାତ୍ମକ ବିଚାର ।
ଶତକଡ଼ା ହିସାବ ଅନୁସାରେ ଏହା ହେବ: ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ୩୦ଭାଗ, ଶିକ୍ଷା ୩୦ଭାଗ, କୃଷି ଓ ଜଳସଂପଦ ୨୦ଭାଗ, ଅର୍ଥନୈତିକ ଅନ୍ତର୍ଭୁକ୍ତି ଓ କୌଶଳ ବିକାଶ ୧୦ଭାଗ, ମୌଳିକ ଭିତ୍ତିଭୂମି ୧୦ଭାଗ । ଏହି ତାଲିକାରୁ ସ୍ପଷ୍ଟ ହୁଏ ଯେ, ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ତଥା ଶିକ୍ଷାର ପ୍ରଧାନ୍ୟ ଅଧିକ । ତତ୍ ସହିତ ବିକାଶ ପାଇଁ କୃଷି, ଜଳସଂପଦ ମଧ୍ୟ ବେଶ୍ ଉପାଦେୟ ନୁହେଁ । ତେବେ ସାମଗ୍ରିକ ଉନ୍ନତି ସକାଶେ ଆର୍ଥିକ ସ୍ୱଚ୍ଛଳତା, କୁଶଳୀ ଜନଶକ୍ତି ଏବଂ ରାସ୍ତାଘାଟ, ରେଳ, ଶକ୍ତିକେନ୍ଦ୍ର, ନର୍ଦ୍ଦମା ଇତ୍ୟାଦି ସଂସ୍ଥାନକୁ ଅଣଦେଖା କରିହେବ ନାହିଁ । ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାବେଳେ ଯେଉଁ ଦିଗମାନଙ୍କ ପ୍ରତି ସତତ ସଚେତନ ରହିବା କଥା, ତାହା ହେଉଛି ଜନସାଧାରଣଙ୍କ ସପକ୍ଷରେ ସେମାନଙ୍କ ସହଯୋଗରେ ଏବଂ ସେମାନଙ୍କୁ ସେଥିରେ ଭାଗିଦାରି । ଏହି ପଦ୍ଧତି ଅବଲମ୍ବନ କରାଗଲେ ଲୋକେ କୌଣସି ଯୋଜନାକୁ ଏକ ସାମୂହିକ ଉପକାର ବୋଲି ବିବେଚନା କରିବା ସହ ଏହା ସେମାନଙ୍କୁ ଶକ୍ତିସଂପନ୍ନ କରିବ । ଏଥିରେ ସୂକ୍ଷ୍ମତା ମୂଳମନ୍ତ୍ର ହେବ ଓ ସମଭାଗିତା ଯୋଗୁଁ ପାରସ୍ପରିକ ଆତ୍ମୀୟତା ବିରାଜିବ ।
କୌଣସି ରାଜ୍ୟ, ଜିଲ୍ଲା ସମୁଦାୟ ବା ଅଞ୍ଚଳର ବିକାଶ ଆକଳନ କରିବାକୁ ନୀତି ଆୟୋଗଙ୍କ ମାନଦଣ୍ଡ ବା ଆଧାର ଭାବେ ଅନୁସରଣ କରାଯାଇପାରେ । ଅବଶ୍ୟ ଅନ୍ୟ ପଦ୍ଧତି ଅନୁସୃତ ହେବା ସମ୍ଭବ । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ସଂପର୍କରେ କିଛି ତଥ୍ୟ ଉପଲବ୍ଧ । ଓଡ଼ିଶା ଡେଭଲପମେଣ୍ଟ ରିପୋର୍ଟ ଏହି ବିଷୟରେ ୨୦୨୦ର ଏହାର ବିକାଶ କନକ୍ଲେଭର ତୃତୀୟ ସଂସ୍କରଣରେ ଉଲ୍ଲେଖ କରିଛି ଯେ, ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ପର୍ଯ୍ୟାପ୍ତ ଖାଦ୍ୟର ଅଭାବଜନିତ ଦୁର୍ବଳତା ତଥା ରକ୍ତହୀନତା ଚିନ୍ତାଜନକ । ସ୍ୱାସ୍ଥ୍ୟ ସୂଚୀରେ ଆମ ରାଜ୍ୟ ଊଣେଇଶତମ ସ୍ଥାନରେ ରହିଛି, ଯାହାକି ଏକ ଦୁରବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ଏତଦ୍ ବ୍ୟତୀତ ଆଞ୍ଚଳିକ ବୈଷମ୍ୟ ପରିଲକ୍ଷିତ ହେଉଛି । ଆମ ତିରିଶଟି ଜିଳ୍ଲା ମଧ୍ୟରୁ ପଚିଶଟିରେ ବିକାଶର ଶିଡ଼ିରେ ସେମାନେ ଯେଉଁ ସ୍ତରକୁ ଉନ୍ନୀତ ହେବା କଥା, ତାହାର ମାତ୍ର ଅଧାଯାଏଁ ଚଢ଼ି ପାରିଛନ୍ତି ।
ଅନ୍ୟ ଏକ ଅନୁଧ୍ୟାନରୁ ଜଣାଯାଏ, ଆମ ରାଜ୍ୟର ସିଏଜିଆର (କମ୍ପାଉଣ୍ଡ ଆନୁଏଲ ଗ୍ରୋଥ ରେଟ୍) ଉତ୍ତମ । ଅର୍ଥାତ୍, ଯେଉଁ ଅର୍ଥ କୌଣସି ଉଦ୍ଯୋଗ ପାଇଁ ବିନିଯୋଗ କରାଯାଏ ତାହାର ସୁଧ ପୁଣି ସେଥିରେ ଖଟାଯାଏ । ଏହା ଏକ ସୁସ୍ଥ ପୁଞ୍ଜି ଲଗାଣ ବ୍ୟବସ୍ଥାର ପରିଚାୟକ । ସମଗ୍ର ପୂର୍ବ-ଭାରତରେ ଓଡ଼ିଶା ୧୫% ଭାଗ ସାମାଜିକ ବ୍ୟୟରେ ଲଗାଇ ସର୍ବଶ୍ରେଷ୍ଠ ହୋଇପାରିଛି । ତଥାପି ମାନବ ବିକାଶ ସୂଚୀରେ ସମଗ୍ର ଦେଶରେ ଏହାର ସ୍ଥାନ ନିମ୍ନତମ । ପୁଣି ସାମାଜିକ ପ୍ରଗତି ସୂଚକାଙ୍କ ବହୁତ ତଳକୁ ଖସିଯାଇଛି । ଏହା ଅନସ୍ୱୀକାର୍ଯ୍ୟ ଯେ, ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ଅନୁଧ୍ୟାନପୂର୍ବକ ସାମଗ୍ରିକ ଉନ୍ନତି ଓ ସମତା ପାଇଁ ଅନୁଦାନ ପ୍ରଦାନ କରାଯାଉଛି । କିନ୍ତୁ କାର୍ଯ୍ୟତଃ ତାହା ଆଶାନୁରୂପ ସଫଳତା ପାଉନାହିଁ । ଅବଶ୍ୟ ଅଧିକ ପୁଞ୍ଜି ବିନିଯୋଗ କାମ୍ୟ । ତଥାପି ଯାହାବି ଖର୍ଚ୍ଚ କରାଯାଉଛି, ତାର ଫଳାଫଳ ସନ୍ତୋଷଜନକ ନୁହେଁ । ତେଣୁ ପ୍ରଶାସନିକ ଓ ପରିଚାଳନାଗତ ପାରଦର୍ଶିତା ଆବଶ୍ୟକ ।
କାଳିନ୍ଦୀ ଚରଣ ପାଣିଗ୍ରାହୀ ଜଣେ ଚିନ୍ତାଶୀଳ ସାହିତ୍ୟିକ । ସେ ‘ଦେଶ ହିଁ ଉନ୍ନତିର ଲକ୍ଷଣ’ ନାମକ ଗୋଟିଏ ପ୍ରବନ୍ଧ ଲେଖିଥିଲେ । ଏଣୁ ଶଗଡ଼ ଅପେକ୍ଷା ରେଳ ଓ ଉଡ଼ାଜାହାଜର ଉଦ୍ଭାବନ ଅଧିକ ଉପାଦେୟ, କାରଣ ଏହା ଦ୍ରୁତଗତିରେ ଧାବମାନ । ତେବେ କେବଳ ଗମନାଗମନ ନୁହେଁ, ପ୍ରତି କ୍ଷେତ୍ରରେ ବେଗ ଆମର କାମ୍ୟ । ଏହା ଚରିତାର୍ଥ କରିବା ପାଇଁ ଏକ ଆଧୁନିକ ସାଧନ ହସ୍ତଗତ ହୋଇଛି । ଦୃଷ୍ଟାନ୍ତ ଭାବେ ଆମେ ଟେଲି ସାନ୍ଧ୍ରତାକୁ ବିଚାର କରିବା । ଅର୍ଥାତ୍, ପ୍ରତି ଶହେ ଜଣ ବ୍ୟକ୍ତି ମଧ୍ୟରେ କେତେ ଜଣକ ନିକଟରେ ଟେଲିଫୋନ ସଂଯୋଗ ରହିଛି । ଉପସ୍ଥିତ ଯୁଗରେ ପ୍ରଗତିର ଲକ୍ଷଣ ନିର୍ଣ୍ଣୟ କରିବାରେ ଏହାର ଭୂମିକା ମହତ୍ତ୍ୱପୂର୍ଣ୍ଣ ।
ଜୁନ ୨୦୨୪ରେ ନେଟୱାର୍କିଂ ସାନ୍ଧ୍ରତା ଜାତୀୟ ସ୍ତରରେ ଶତକଡ଼ା ୮୫.୬୯ ଥିବାବେଳେ ଓଡ଼ିଶାରେ ଏହା ୭୮.୦୫ । ଶିକ୍ଷା କ୍ଷେତ୍ରରେ ୨୦୧୭-୧୮ରେ କମ୍ପ୍ୟୁଟର ଓ ଇଣ୍ଟରନେଟ୍ର ଉପଲବ୍ଧି ମଧ୍ୟ ନିମ୍ନ ଶ୍ରେଣୀୟ ଥିବା ଜଣାଯାଏ । ଘରୋଇ ଭାବେ ଇଣ୍ଟରନେଟ ହାର ଶତକଡ଼ା ୧୦ ଥିବାବେଳେ ଗ୍ରାମାଞ୍ଚଳରେ ଏହା ୫.୮କୁ କମିଯାଇଛି । ସେମିତି ଘରୋଇ କ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ୪.୩୪%, ଗ୍ରାମୀଣ କ୍ଷେତ୍ରରେ ଏହାର ପରିମାଣ ୧.୮କୁ ହ୍ରାସ ହୋଇଛି । ୨୦୦୩ରେ ୟୁଏସଓଏଫ ସଂସ୍ଥା ଦ୍ୱାରା ଗ୍ରାମମାନଙ୍କୁ ସୂଚନା ଓ ଯୋଗାଯୋଗ ସହ ସଂପୃକ୍ତ କରିବା ସକାଶେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ସେଥିରେ ଅନ୍ତର୍ଭୁକ୍ତ ଗ୍ରାମମାନଙ୍କ ମଧ୍ୟରୁ ଅଦ୍ୟାପି ୪୩% ବଞ୍ଚିତ ହୋଇଛନ୍ତି । ଏହି ବିକଳ ଚିତ୍ରରୁ ସ୍ପଷ୍ଟ ହୁଏ ଯେ, ଗ୍ରାମାଞ୍ଚଳ ବିକାଶ ପଛରେ ରହିଯାଇଛି । ଅନ୍ୟ ଏକ କ୍ଷେତ୍ର ହେଉଛି ଆଦିବାସୀ ଇଲାକା । ସମ୍ବିଧାନର ପଞ୍ଚମ ପରିଚ୍ଛେଦରେ ଆସାମ, ତ୍ରିପୁରା, ମେଘାଳୟ ଓ ମିଜୋରାମକୁ ବାଦ୍ ଦେେଇ ଅନ୍ୟ ରାଜ୍ୟମାନଙ୍କ ସକାଶେ ଆଦିବାସୀ ଅଞ୍ଚଳର ବିକାଶ ପ୍ରଶାସନ ଓ ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶ ରହିଛି । ସେଥିରେ ଏହି ଅଞ୍ଚଳଗୁଡ଼ିକର ନାମୋଲ୍ଲେଖ ହୋଇଛି । ଆମ ରାଜ୍ୟର ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ ଇତ୍ୟାଦି ସାତଟି ଜିଲ୍ଳା ସମେତ ଅନ୍ୟ ଜିଲ୍ଲାମାନଙ୍କର କେତୋଟି ତହସିଲ ମଧ୍ୟ ଅନ୍ତର୍ଭୁକ୍ତ ।
ଗୋଟିଏ ଅନୁଶୀଳନ ଅନୁଯାୟୀ, ଓଡ଼ିଶାରେ ୬୪ଟି ଆଦିବାସୀ ସଂପ୍ରଦାୟ ତିରିଶଟି ଜିଲ୍ଲାର ୩୧୪ଟି ବ୍ଲକରେ ବସବାସ କରୁଥିବା ଜଣାଯାଏ । ଏଇ ସମସ୍ତ ଅଞ୍ଚଳ ଆଦିବାସୀ ବିକାଶ ସଂସ୍ଥାମାନଙ୍କ ପାଇଁ ଏକ ଆହ୍ୱାନ । ଭିତ୍ତିଭୂମି, ନିଯୁକ୍ତି, ଶିକ୍ଷା, ବନଜାତ ଦ୍ରବ୍ୟର ବ୍ୟବସାୟ ଇତ୍ୟାଦି ପ୍ରସଙ୍ଗ । ଏହି ଦୃଷ୍ଟିରେ ରାସ୍ତା, ପୋଲ, ବିଦ୍ୟୁତ ସଂଯୋଗ, ଛାତ୍ରାବାସ, ଶିକ୍ଷା-ବୃତ୍ତି, କୁଟୀର ଶିଳ୍ପ ଓ ଲଘୁ ଉଦ୍ୟୋଗ, ସେମାନଙ୍କ ଉତ୍ପାଦର ବ୍ୟବସାୟ, ଯୁବଶକ୍ତି ପାଇଁ ଷ୍ଟାର୍ଟଅପ୍ ଯୋଜନା, ବନଜାତ ଲଘୁସାମଗ୍ରୀ ସକାଶେ ନିମ୍ନତମ ମୂଲ୍ୟ ନିର୍ଦ୍ଧାରଣ ଓ ଆର୍ଥିକ ସହାୟତା ସେମାନଙ୍କ ଭାଷାର ସୁରକ୍ଷା ଓ ଏଥିସହ ଦ୍ୱିଭାଷୀ ପ୍ରାଇମୋରୀ, ଜମି ଜଙ୍ଗଲ ଅଧିକାର, ପ୍ରଶାସନରେ ସେମାନଙ୍କ ଭାଗିଦାରି ଇତ୍ୟାଦି । କହିବା ବାହୁଲ୍ୟ ଯେ, ଏଇ ଦିଗରେ ବର୍ତ୍ତମାନ ଏକାଧିକ ପଦକ୍ଷେପ ନିଆଯାଇଛି । କିଛି ପରିମାଣରେ ସଫଳତା ଅବଶ୍ୟ ପ୍ରାପ୍ତ ହୋଇଛି । ତେବେ ପ୍ରଶାସନକୁ ଅଧିକ ଫଳପ୍ରଦ କରିବା ପାଇଁ ଦରକାର ଟେଲି ସଂଯୋଗର ବ୍ୟାପକତା । ଗୋଟିଏ ଆଧୁନିକ ସମବିକାଶ ସଂପନ୍ନ ସମାଜ ଗଠନ କରିବା ଯଦି ଆମର ଧ୍ୟେୟ, ତେବେ ବୈଷମ୍ୟ ନିରାକରଣ ନିଶ୍ଚିତ ଭାବେ ଉପାଦେୟ ।
ତେବେ ପ୍ରଶ୍ନ ଉଠିପାରେ ଯେ, ସହରବାସିନ୍ଦା ଓ ଶିକ୍ଷିତବର୍ଗ କ’ଣ ନିଃସନ୍ଦେହରେ ଆଦିବାସୀଙ୍କ ଠାରୁ ଉଚ୍ଚ ସୋପାନରେ ଅଛନ୍ତି? ଆଦିବାସୀମାନେ ତ ଖଣି ଖୋଳୁନାହାଁନ୍ତି । ଝରଣା, ନଦୀଜଳକୁ ବିପଜ୍ଜନକ ରାସାୟନିକ ଦ୍ରବ୍ୟ ନିଷ୍କାସନ କରି ପାନୀୟଜଳ ଦୂଷିତ କରୁନାହାଁନ୍ତି । ବଣ ଜଙ୍ଗଲର ବିଶାଳ ବୃକ୍ଷମାନ କାଟି ବୃହତ୍ ଅଟ୍ଟାଳିକା, ପର୍ଯ୍ୟଟନ କେନ୍ଦ୍ର, ହୋଟେଲ, ପାର୍କ, ସୁଇମିଂ ପୁଲ୍ ନିର୍ମାଣ କରୁନାହାନ୍ତି । ପ୍ରକୃତିକୁ କୌଣସି ଭାବେ କ୍ଷତିଗ୍ରସ୍ତ କରୁନାହାନ୍ତି । ସେମାନେ ସରଳ, ନିଷ୍ପାପ, ସାଧୁ । ପ୍ରକୃତିର ସନ୍ତାନ । ଆମେ ସେମାନଙ୍କଠାରୁ ଅନ୍ତତଃ ଏହି ଦୃଷ୍ଟିରୁ ନ୍ୟୂନ । ତେଣୁ ଆମେ ଭାବିବା ଅନୁଚିତ ଯେ, କେବଳ ଆମଠାରୁ ସେମାନେ ଶିଖନ୍ତୁ । ସେମାନଙ୍କଠାରୁ ମଧ୍ୟ ଆମେ ଶିଖିବା ଦରକାର । ଯଦି ଆମେ ଧରିନେଉ ଯେ, ଆମେ ଉଚ୍ଚ ସ୍ତରରେ ଅଛୁ ଓ ସେମାନେ ଆମଠାରୁ ନିମ୍ନରେ ଏବଂ ଜଳ ଯେମିତି ଉଚ୍ଚ ଜାଗାରୁ ତଳଆଡ଼କୁ ବୋହିଥାଏ, ସେଇ ପ୍ରକାରେ ସେମାନେ କେବଳ ଗ୍ରହୀତା ହେବେ, ଏହା ଠିକ୍ ବିଚାର ହେବନାହିଁ ।
ଆମେ ମନେରଖିବା ଉଚିତ ଯେ, ଜଳସ୍ରୋତ ମଧ୍ୟ ତଳୁ ଉପରକୁ ଉଠି ଗତିଶୀଳ ହେଇପାରେ । ଛତିଶଗଡ଼ର ସର୍ଗୁଜା ଜିଲ୍ଲାର ଘଟଣା । ମୈନପାଟ ଶୈଳନିବାସ ନିକଟରେ ଏକ ପ୍ରାକୃତିକ ଜଳସ୍ରୋତ ତଳକୁ ପ୍ରବାହିତ ନହୋଇ ଉପରକୁ ଯାଉଛି । ଲୋକେ ଏହାକୁ ଗ୍ରାଭିଟି ହିଲ୍ ବା ମାଗ୍ନେଟିକ ହିଲ୍ ବୋଲି କହନ୍ତି । ଏହା ମାଧ୍ୟାକର୍ଷଣ ନିୟମ ମାନୁନାହିଁ । କେହି କେହି ଚକ୍ଷୁବନ୍ଧନ ବୋଲି କହି ଗ୍ରହଣ କରୁନାହାନ୍ତି । ତେବେ ସେ ଯାହା ହେଉ, ଆଦିବାସୀମାନଙ୍କ ଜୀବନ ଶୈଳୀର ସ୍ତରରୁ ବିକାଶ ଊଦ୍ଧ୍ୱର୍ଗାମୀ ହୋଇ ଆମକୁ ଅଧିକ ସଂଯତ କରୁ । ଏହି ଅପ୍ରିୟ ସତ୍ୟ ଆମେ ହଜମ କରିବା ଲୋଡ଼ା ।