ଭୁବନେଶ୍ଵର, ୩୦/୦୧ : ଯାତ୍ରା ଦେଖିବାକୁ ଯାଇଥିବା ବେଳେ ୪ ଘରେ କଳାକନା ବୁଲାଇଦେଲେ ଦୁର୍ବୃର୍ତ୍ତ। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ୧୬ନଂ ୱାର୍ଡ ଥାନା ତୁଣ୍ଡପଡ଼ା ଗ୍ରାମରେ ଏଭଳି ଘଟଣା ଘଟିଛି। ଗାଁରେ ଏକ ଯାତ୍ରାପାର୍ଟି ଚାଲିଥିବା ବେଳେ ୪ଟି ଘରେ ଚୋରି ହୋଇଛି। ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟ୍ ହୋଇଛି। ସିସିଟିଭି ଫୁଟେଜରେ ଲୁଟ୍ ବେଳର ଦୃଶ୍ୟ କଏଦ ହୋଇଛି।
ସୂଚନାନୁଯାୟୀ, ତୁଣ୍ଡପଡ଼ା ଗ୍ରାମରେ ଏକ ଯାତ୍ରାପାର୍ଟି ପଡ଼ିଥିଲା। ବୁଧବାର ରାତିରେ ଗାଁର ସବୁ ଲୋକ ଯାତ୍ରା ଦେଖିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଲୁଟେରାମାନେ ଗାଁ ଭିତରେ ପଶିଥିଲେ। ଗାଁର ମନ୍ମଥ ନାୟକ, ସଞ୍ଜୟ ନାୟକ, ମାର୍କଣ୍ଡ ନୟକ ଏବଂ ଧିରେନ ଦାସଙ୍କ ଘର କବାଟ ଭାଙ୍ଗି ଚୋରି କରିଥିଲେ।
ଏହି ଖବରଟିକୁ ପଢନ୍ତୁ- ସାବାଡ୍ ହେବେ ଏଟିଏମ୍ ଲୁଟେରା, ସହରରେ ବୁଲିଲା ଏଟିଏମ୍ ପାଟ୍ରୋଲିଂ ଭେଇକିଲ୍
ସଞ୍ଜୟ ନାୟକଙ୍କ ଘରୁ ୮୫ହଜାର ଟଙ୍କା ସହିତ ୪ ଭରି ସୁନାଗହଣା, ମାର୍କଣ୍ଡ ନାୟକଙ୍କ ଘରୁ ଦୁଇ ଭରି ସୁନା ସହ ୭୫ ହଜାର ଟଙ୍କା, ଧିରେନ ଦାସଙ୍କ ଘରୁ ୭ରୁ ୮ ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସେହିପରି ମନ୍ମଥ ନାୟକ ଏବଂ ସଞ୍ଜୟ ନାୟକଙ୍କ ଘରୁ ମଧ୍ୟ ଲୁଟ୍ ହୋଇଛି। ଲୁଟ୍ ବେଳର ଦୃଶ୍ୟ ମନ୍ମଥ ନାୟକଙ୍କ ସିସିଟିଭିରେ କଏଦ ହୋଇଛି।
ପୂର୍ବରୁ ଉକ୍ତ ଗ୍ରାମର ମୀନତି ପ୍ରଧାନଙ୍କ ଘରୁ ଲୁଟ୍ ହୋଇଥିଲା। ଗାଁରେ ବାରମ୍ଵାର ଏଭଳି ଲୁଟ୍ ହେଉଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ସିସିଟିଭି ଫୁଟେଜ୍ ଥିଲେ ମଧ୍ୟ ପୋଲିସ ହାତ ଖାଲି। ଏପର୍ଯ୍ୟନ୍ତ ଲୁଟେରାଙ୍କ ସନ୍ଧାନ ପାଇନି ପୋଲିସ।