ଭୁବନେଶ୍ୱର ୩୦/୦୧: ଢେଙ୍କାନାଳ ବଦାଳୁ ହାଣ୍ଡିଫୁଟା ଗ୍ରାମରେ ଆତଙ୍କ ଖେଳାଇଲା ଦନ୍ତା। ଗାଁରେ ପଶି ଦଳି ଚକଟି ଭାଙ୍ଗିଲା ଘର। ଅଳ୍ପକେ ବର୍ତ୍ତିଲେ ମା' ଓ ବୁଢ଼ୀ ମା' । ହାତୀ ଆକ୍ରମଣରେ ଚାଲିଗଲା ୭ବର୍ଷର ଶିଶୁର ଜୀବନ। ଏହି ଘଟଣାକୁ ନେଇ ହିନ୍ଦୋଳ ଗୁଡ଼ିଆକାଟେଣି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ। ଫଳରେ ୫୫ନମ୍ବର ଜାତୀୟ ରାଜପଥ ଯାତାୟାତ ସମ୍ପୂର୍ଣ ଠପ୍ ହୋଇଯାଇଛି। ଘଟଣାସ୍ଥଳରେ ହିନ୍ଦୋଳ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି।
ସୂଚନା ଅନୁଯାଇ, ବୁଧବାର ବିଳମ୍ବିତ ରାତିର ପ୍ରହରରେ ହାଣ୍ଡିଫୁଟା ଗାଁରେ ପଶି ପ୍ରମୋଦ ନାୟକଙ୍କ ଘର ଭାଙ୍ଗି ଆତଙ୍କ ଖେଳାଇଥିଲା ଦନ୍ତା ହାତୀ। ଘରେ ମା' କୋଳରେ ଶୋଇଥିବା ଏକ ୭ବର୍ଷର ଶିଶୁ କନ୍ୟାର ଟାଣି ନେଇ ପାଦ ତଳେ ଦଳି ଦେଇଥିଲା। ଦେଖୁ ଦେଖୁ କୋଳ ଶିଶୁର ଚାଲିଯାଥିଲା ଜୀବନ। ତେବେ ହାତୀ ହାବୁଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ମୃତ ଶିଶୁର ମା' ଓ ବୁଢ଼ୀ ମା' । ସେମାନେ ହାତୀ ହାବୁଡ଼ରୁ ପ୍ରାଣ ବଞ୍ଚାଇ ଖସି ପଳାଇଥିଲେ। ଆଜି ଏହି ଘଟଣାକୁ ନେଇ ଗ୍ରାମରେ ଚାପାଉତ୍ତେନା ଦେଖାଦେଇଥିଲା ଏପରିକି ଅତ୍ୟକ୍ତ ଗ୍ରାମବାସୀ ହାଣ୍ଡିଫୁଟା ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ୫୫ନମ୍ବର ଜାତୀୟ ରାଜପଥକୁ କରୁଥିବା ହିନ୍ଦୋଳ -ଗୁଡ଼ିଆକାଟେଣି ମୁଖ୍ୟ ରାସ୍ତାରେ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଛି।
ବିଶେଷ କରି ଢେଙ୍କାନାଳ ବନଖଣ୍ଡର ସଦର ବନାଞ୍ଚଳ ଅନ୍ତର୍ଗତ ମେରାମୁଣ୍ଡଳୀ ସେକ୍ସନ ଏହି ବଦାଳୁ ଅଞ୍ଚଳରେ ହାତୀ ପଲ ବାରମ୍ବାର ଉପଦ୍ରବ କରୁଛନ୍ତି। ବନ ବିଭାଗ ପକ୍ଷରୁ ଲୋକଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦିଆଯାଉ ନାହିଁ ବୋଲି ଅଭିଯୋଗ ଉଠାଇଛନ୍ତି ଉତ୍ୟକ୍ତ ଲୋକେ। ମୃତକ ପରିବାରକୁ ତୁରନ୍ତ କ୍ଷତିପୂରଣ ଦାବି କରିଛନ୍ତି। ଏହି ଅଞ୍ଚଳରେ ଆଲୋକୀକରଣ ଓ ବନବିଭାଗ ପକ୍ଷରୁ ନାଇଟ ପ୍ୟାଟ୍ରୋଲିଂ ଆଦି ଦାବିରେ ରାସ୍ତାରେ ବସି ରହିଛନ୍ତି ଗ୍ରାମବାସୀ। ଗାଡି ଚଳାଚଳ ସମ୍ପୂର୍ଣ ବାଧା ପ୍ରାପ୍ତ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଠିଆ ହୋଇ ରହିଥିବା ଦେଖିବାକୁ ମିଳୁଛି। ଖବର ପାଇ ମୋଟଙ୍ଗା ପୁଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା ଜାରି ରଖିଛି।