ପ୍ରମୂଖ ଖବର
  • ଖୁବ୍‌ଶୀଘ୍ର ସରିବ ନିର୍ବାଚନ ପ୍ରକ୍ରିୟା, ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପିକୁ ମିଳିବ ନୂଆ ରାଜ୍ୟ ସଭାପତି
  • ||
  • ରେଢାଖୋଲ ଧଉରାଖମନ ନିକଟରେ ଓଲଟିଲା ପିକ୍‌ଅପ୍ ଭ୍ୟାନ୍: ୨୨ ଆହତ,୮ ଗୁରୁତର
  • ||
  • ​ଢ଼େଙ୍କାନାଳ: ଦନ୍ତା ଆତଙ୍କରେ ଅତିଷ୍ଠ ଗ୍ରାମବାସୀ, ଶିଶୁର ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ୍
  • ||
  • ଭିଜିଲାନ୍ସ ଜାଲରେ ବଣାଇ ITDAର ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁ, ଏକକାଳୀନ ୭ଟି ସ୍ଥାନରେ ରେଡ଼
  • ||
  • ଆଜିଠୁ ଟାଇଁ ଟାଇଁ ଖରା,୪ ଡିଗ୍ରୀ ବଢ଼ିବ ତାପମାତ୍ରା: ୨୩ ଜିଲ୍ଲାକୁ ଘନ କୁହୁଡ଼ି ଆଲର୍ଟ
  • ||

ଓଡ଼ିଶା ପୋଲିସ୍‌ରେ କର୍ମଚାରୀ ମରୁଡ଼ି, ୩୦ ଏସ୍‌ଡିପିଓ ପଦବୀ ଫାଙ୍କା

Published By : Anindita | January 30, 2025 10:24 AM

ଭୁବନେଶ୍ୱର,୩୦/୦୧: ରାଜ୍ୟରେ ବିଗିଡ଼ିବାରେ ଲାଗିଛି ଆଇନ୍‌ଶୃଙ୍ଖଳା ପରିସ୍ଥିତି । ବିଗତ ଦିନର ଅପରାଧ ରେକର୍ଡ ଦେଖିଲେ ଜଣାପଡୁଛି ପୁଲିସ୍‌ ବିଭାଗ ଯେମିତି ଅଠାକାଠିରେ ପଡ଼ିଛି । ଗତ ୩ ମାସ ହେଲା ରାଜ୍ୟର ଅଧିକାଂଶ ଜିଲ୍ଲାର ସଦର ମହକୁମାରେ ୩୦ଟି ଏସଡିପିଓ ପଦବି ଖାଲି ପଡ଼ିଛି । ଏ ସବୁ ସ୍ଥାନରେ ଏସ୍‌ପି ଅଫିସ୍‌ରେ ଥିବା ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏସ୍‌ଡିପିଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତା’ଛଡା କିଛି ସ୍ଥାନରେ ଅତିରିକ୍ତ ଏସ୍‌ପି ପାହ୍ୟା ଅଧିକାରୀ ଏସ୍‌ଡିପିଓ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ହେଲେ ସେମାନେ ଅଫିସ୍‌ ଆସୁନାହନ୍ତି । ଫଳରେ କୌଣସି ଅଭିଯୋଗ ନେଇ ଏସ୍‌ଡିପିଓଙ୍କ ପାଖକୁ ଯାଉଥିବା ଲୋକେ ତାଙ୍କୁ ଅଫିସରେ ନ ପାଇ ଫେରୁଛନ୍ତି । 

ଅନ୍ୟପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଡିଏସପି ପାହ୍ୟାର ଅଧିକାରୀମାନେ ମଧ୍ୟ ଏକ ସାଙ୍ଗରେ ୨ଟି କାମକୁ କିପରି କରିବେ ବୋଲି ଦ୍ୱାହି ଦେଇ ନିଜ ମୁଣ୍ଡ ଉପରୁ ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି ।  କମିଶନରେଟ୍‌ ପୁଲିସ୍‌ ଭୁବନେଶ୍ୱରରେ ଜୋନ୍‌ -୧ ଏସିପି (ଏସ୍‌ଡିପିଓ) ପଦବି ଖାଲି ପଡିଛି । ଜଣେ ଏଡିସିପି ପାହ୍ୟାର ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ କାମ ସାରି ଦେଇଛନ୍ତି ପୁଲିସ୍‌ କମିଶନର । ସେ ସମୟ ପାଇଲେ ଜୋନ୍‌ -୧ ଅଫିସ୍‌କୁ ଆସୁଛନ୍ତି । ଯଦି ଲୋୟର ପିଏମ୍‌ଜିରେ କୌଣସି ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲା ତା’ହେଲେ କଥା ସରିଲା । ନ୍ୟାୟ ପାଇଁ ଜୋନ୍‌ -୧ ଅଫିସ୍‌କୁ ଆସିଥିବା ଲୋକ ଦିନତମାମ ବସି ବସି ଘରକୁ ଫେରୁଛନ୍ତି । ଜଣେ ଅଧିକାରୀ ଦୁଇଟି ଅଫିସ୍‌ରେ କାମ କରିବା କାଠିକର ପାଠ । ଯେଉଁଠି ଏସ୍‌ଡିପିଓ ପଦବି ଫାଙ୍କା ପଡିଛି ସେଠାରେ ଏ ଭଳି ସମସ୍ୟା ଦେଖାଦେଇଛି । ଏସବୁ ମଧ୍ୟରେ ୨ମାସ ତଳେ ୧୦୮ ଜଣ ଡିଏସପିଙ୍କର ଅତିରିକ୍ତ ଏସ୍‌ପି ପାହ୍ୟାକୁ ପଦୋନ୍ନତି ହୋଇଥିଲା । 

କିନ୍ତୁ ସେମାନଙ୍କ ମଧ୍ୟରୁ ୭୦ରୁ ଊଦ୍ଧ୍ୱର୍ ଡିଏସପି ପଦୋନ୍ନତି ପାଇଛନ୍ତି ସିନା କିନ୍ତୁ ସେମାନଙ୍କୁ କୌଣସି ଜିଲ୍ଲା ବା ଅଫିସରେ ନିଯୁକ୍ତି ଦିଆଯାଇନାହିଁ । କେବଳ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟରେ ବସାଇ ଦିଆଯାଇଛି । ନୂଆ ସରକାର ଆସିବା ପରେ ଡିଏସପି ପାହ୍ୟାରୁ ଉଚ୍ଚ ପାହ୍ୟାର ଅଧିକାରୀଙ୍କୁ କେବଳ ଗୃହ ବିଭାଗ ହିଁ ନିଯୁକ୍ତି ଦେଇ ପାରିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅର୍ଥାତ ଗୃହ ବିଭାଗ ହିଁ ଏହି ଅଧିକାରୀମାନଙ୍କୁ ବଦଳି ଓ ସେମାନେ କେଉଁଠାରେ କାର୍ଯ୍ୟରେ ଯୋଗଦବେ ତାହା ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବ । ଗୃହ ବିଭାଗ ଏ ଦିଗରେ ଅବହେଳା କରୁଥିବାରୁ ପୁଲିସ୍‌ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି । ଏନେଇ ଜଣେ ଏଡିଜି କହିଛନ୍ତି, ଡିଜିପି ସମ୍ମିଳନୀ, ପ୍ରବାସୀ ଭାରତୀୟ ଓ ‘ଉତ୍କର୍ଷ ଓଡ଼ିଶା’ ପାଇଁ ସମସ୍ତେ ବ୍ୟସ୍ତ ଅଛନ୍ତି । ସେଥିପାଇଁ ଏସଡିପିଓ ପଦବି ଖାଲି ଏବଂ ଅତିରକ୍ତ ଏସପି ପାହ୍ୟାର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ ନିଷ୍ପତ୍ତି ଅଟକିଛି । ଖୁବଶୀଘ୍ର ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଲୋକଙ୍କ ସମସ୍ୟା ହେବାକୁ ସରକାର ଚାହାନ୍ତିନାହିଁ ବୋଲି ସେ କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.