ଭୁବନେଶ୍ୱର ୧୬/୦୪ : ମଙ୍ଗଳବାର ପବିତ୍ର ସରୋବର ବିନ୍ଦୁସାଗରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ଉପଲକ୍ଷେ ଦୁଇଟି ଯାକ ଚାପ ଡଙ୍ଗା ପାଣିରୁ ବାହାର କରାଯାଇଛି। ଭୋଇ ସେବାୟତମାନେ ଡଙ୍ଗା ଦୁଇଟିକୁ ବାହାର କରିଛନ୍ତି । ମନ୍ଦିର କର୍ମଚାରୀ ହେମନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡଙ୍ଗା ଦୁଇଟିକୁ ବାହାର କରାଯାଇ ଶ୍ରାଦ୍ଧଘାଟ ଠାରେ ରଖାଯାଇଛି । ପରେ ଡଙ୍ଗାଗୁଡ଼ିକୁ ଉତ୍ତରେଶ୍ୱର ଘାଟକୁ ନେଇ ସଫା କରାଯିବ । ସଫା ହେବା ପରେ ପୁଟି ଓ ରୋଳ ଦେଇ ମରାମତି କରାଯିବ ।
ରୁକୁଣା ରଥକୁ ଭଙ୍ଗାଯାଇ ପଟାଗୁଡିକ ଚାପରେ ବ୍ୟବହାର କରାଯିବ । ଠିକ୍ ପନ୍ଦର ଦିନ ପରେ ଅକ୍ଷୟ ତୃତୀୟା ତିଥିରେ ପ୍ରଭୁ ଲିଙ୍ଗରାଜ, ମା’ ପାର୍ବତୀ, ବାସୁଦେବ ଏବଂ ଦେବଦେବୀ ୨୨ ଦିନ ଧରି ବିନ୍ଦୁ ସାଗରରେ ଦୈନିକ ନୌବିହାର କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ନିମନ୍ତେ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ । ଅଳ୍ପ ଦିନ ମଧ୍ୟରେ ବିଏମ୍ସି ପକ୍ଷରୁ ବିନ୍ଦୁସାଗର ସଫେଇ କାର୍ଯ୍ୟ ଆରମ୍ଭ ହେବ ।
ଏହି ଖବରଟିକୁ ପଢନ୍ତୁ-ଗୁରୁବାର ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ୪ ହଜାର କୋଟିର ପ୍ରକଳ୍ପ ଦେବେ ଭେଟି