ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଆଜି ବିଶ୍ୱ ନାଟ୍ୟ ଦିବସ: ଅସ୍ତିତ୍ୱ ହରାଇଛି ‘ଅନ୍ନପୂର୍ଣ୍ଣା’ ଥିଏଟର୍‌, ଟେକ୍ନିକାଲ ଟିମ୍‌ର ଯାଞ୍ଚ ସତ୍ତ୍ୱେ ହୋଇପାରୁନି ଉନ୍ନତୀକରଣ

Published By : Harapriya Sethi | March 27, 2025 7:25 AM

ପୁରୀ,୨୭/୩: ଓଡ଼ିଶାରେ ମଞ୍ଚ ନାଟକର ଅନ୍ତୁଡ଼ି ଶାଳ ଅନ୍ନପୂର୍ଣ୍ଣା ଥିଏଟର ଏହାର ଅସ୍ତିତ୍ୱ ହରାଇଛି । ହଜାର ହଜାର କଳାକାରଙ୍କର ଜନ୍ମ ଏଇଠି । ଦିନ ଥିଲା ଏଠାରେ ବର୍ଷକ ବାର ମାସ କୋଳାହଳ ଲାଗି ରହୁଥିଲା । ଟିକଟ୍‌ କିଣି ନାଟକ ଦେଖିବାକୁ ଦର୍ଶକ ଲମ୍ବା ଧାଡ଼ି ଲଗାଉଥିଲେ । ନାଟକରେ ଏକ ଚରିତ୍ର ପାଇବାକୁ କଳାକାରଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଥିଲା । ନାଟକ ମାଧ୍ୟମରେ ଭଲ ଦୁଇ ପଇସା ରୋଜଗାର କରି କଳାକାରମାନେ ପରିବାର ପ୍ରତିପୋଷଣ କରୁଥିଲେ । ହେଲେ କିଛି ବର୍ଷ ତଳର ଏହି ବାସ୍ତବତା ଏବେ ସାତସପନ ପାଲଟିଛି । ମଞ୍ଚ କଳାକାରଙ୍କୁ ଦାନାପାଣି ଯୋଗାଉଥିବା ପୁରୀ "ଅନ୍ନପୂର୍ଣ୍ଣା ଥିଏଟର' ଭଗ୍ନସ୍ତୁପ ସଦୃଶ୍ୟ ଠିଆ ହୋଇଛି । ଜରାଜୀର୍ଣ୍ଣ ଅନ୍ନପୂର୍ଣ୍ଣା ପୁରୁଣା ଅତୀତକୁ ମନେ ପକାଇ ଗୁମୁରି କାନ୍ଦୁଛି । ଏହା ମଧ୍ୟରେ ରହୁଥିବା ୭-୮ଟି କଳାକାର ପରିବାର ଏହାର ଅନ୍ତଃସ୍ୱର ସାଜିଛନ୍ତି । ନିଇତି ଦର୍ଶକଙ୍କୁ ହସ, ଲୁହ ଆଉ କୋହ ଭେଟି ଦେଉଥିବା ଅନ୍ନପୂର୍ଣ୍ଣା 

ଏହା ମଧ୍ୟରେ ତାକୁ ମିଳିଥିବା ଅନେକ ମିଛ ପ୍ରତିଶ୍ରୁତି ସବୁକୁ ନିଜ ଭିତରେ ସାଇତି ରଖିଛି । ମୁହଁରେ ରଙ୍ଗମାଖି ଅନେକ କଳାକାର ଅନ୍ନପୂର୍ଣ୍ଣା କୋଳରେ ସତେଜ ଦିଶନ୍ତି । ହେଲେ ଏକ ଶତାବ୍ଦୀର ଇତିହାସକୁ ଜାବୁଡ଼ି ଧରି ଅନ୍ନପୂର୍ଣ୍ଣା ଥିଏଟର ସମୟ ସୁଅରେ ମଳିନ ପଡ଼ି ଯାଇଛି । ସାରା ବିଶ୍ୱ ନାଟ୍ୟ ଦିବସ ପାଳନ କରୁଥିବା ବେଳେ ନାଟକର ଅନ୍ତୁଡ଼ି ଶାଳ ଅନ୍ନପୂର୍ଣ୍ଣା ପୁରୁଣା ଅତୀତକୁ ମନେ ପକାଉଛି । ପୁରୀ ଜିଲ୍ଲା ବାଲୁଗାଁ ନିକଟବର୍ତ୍ତୀ ଏକ ଗ୍ରାମରେ ୧୯୨୭ ମସିହା ବେଳକୁ ସୋମନାଥ ଦାସଙ୍କ ନେତୃତ୍ୱରେ ଗଢ଼ି ଉଠିଥିବା "ଅନ୍ନପୂର୍ଣ୍ଣା ନାଟ୍ୟ ମଣ୍ଡଳୀ' ପରବର୍ତ୍ତୀ ସମୟରେ ଅନ୍ନପୂର୍ଣ୍ଣା ଥିଏଟର ଭାବେ ପୁରୀରେ ଜନ୍ମ ନେଇଥିଲା । ସମୟ ସୁଅରେ ନିଜ ସତ୍ତା ହଜାଇଛି ସତ ହେଲେ ଏବେ ବି ବଞ୍ଚିବାର ରାହା ଖୋଜୁଛି । 

ଅବଢ଼ା ଯୋଜନାରେ ଅନ୍ନପୂର୍ଣ୍ଣାର ଉନ୍ନତୀକରଣ ପାଇଁ ଯୋଜନା ହୋଇଥିଲା । ଓବିସିସି, ପୂର୍ତ୍ତ ବିଭାଗ, ସଂସ୍କୃତି ବିଭାଗର ଅଧିକାରୀ ଏଥିପାଇଁ ଅନ୍ନପୂର୍ଣ୍ଣା ଥିଏଟର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । ହେଲେ ଏହା ପରେ କଥା ଆଉ ଆଗେଇଲାନି । ରଙ୍ଗଶାଳା ନାଟ୍ୟ ଅନୁଷ୍ଠାନର ନିର୍ଦ୍ଦେଶକ ତଥା ବରିଷ୍ଠ ଅଭିନେତା ବିକ୍ରମ ସାହୁ କହିଛନ୍ତି, ଅନ୍ନପୂର୍ଣ୍ଣାର ଉନ୍ନତୀକରଣ ପାଇଁ ବାରମ୍ବାର ଦାବିପତ୍ର ଦେବା ପରେ କେହି ଏଦିଗରେ କର୍ଣ୍ଣପାତ କରୁନାହାନ୍ତି । ବର୍ତ୍ତମାନ ଏହି ମଞ୍ଚ ଉଚ୍ଚମାନର ନାଟକ ପରିବେଷଣ କରିବା ଭଳି ସ୍ଥିତିରେ ନାହିଁ । ଷ୍ଟେଜ୍‌, ଲାଇଟ୍‌, ସାଉଣ୍ଡ, ସାଇକ୍ଲୋମା ଆଦି ଅନେକ ଜିନିଷର ଅଭାବ ରହିଛି । ଫଳରେ ବାହାର କଳାକାରମାନେ ଏଠାରେ ନାଟକ ପରିବେଷଣ କରିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଉନ୍ନତୀକରଣ କରାଯାଉ । ସଂସ୍କୃତି ଅଧିକାରୀ ହେମନ୍ତ ବେହେରା କହିଛନ୍ତି, ଅନ୍ନପୂର୍ଣ୍ଣାର ଉନ୍ନତୀକରଣ ପାଇଁ ଟେକ୍ନିକାଲ ଟିମ୍‌ ଆସି କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେଇଥିଲେ । ହେଲେ ଏହାର କୌଣସି ଅଗ୍ରଗତି ହୋଇନାହିଁ । 

ସୂଚନାଥାଉକି, ୨୦୧୫ରେ ଅନ୍ନପୂର୍ଣ୍ଣାର ଅଡିଟୋରିୟମ୍‌ ହଲର ବିକାଶ କରାଯାଇଥିଲା । ହେଲେ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟରେ କଳାକାରଙ୍କ ପାଇଁ ଆବଶ୍ୟକୀୟ ସୁବିଧା ସୁଯୋଗ ନିମନ୍ତେ ଭିତ୍ତିଭୂମି ସୁଦୃଢ଼ କରାଗଲା । ପୁନଃ ନିର୍ମାଣ ପରେ ଏହା ଏକ ଭଲ ମଞ୍ଚ ଭାବେ ଉଭା ହୋଇପାରିଲା । ହେଲେ ରଙ୍ଗମଞ୍ଚ ହୋଇପାରିଲା ନାହିଁ । ଏକ ଉତ୍ତମ ରଙ୍ଗମଞ୍ଚର ଭିତ୍ତିଭୂମି ଅଭାବ ଯୋଗୁ ଟିକଟ୍‌ କିଣି ନାଟକ ଦେଖିବାକୁ ଲୋକ ଆଗ୍ରହ ଦେଖାଉନାହାନ୍ତି । ଫଳରେ ପେଶାଦାର କଳାକାର ସୃଷ୍ଟି ହେଉନାହାନ୍ତି । କେବଳ ନିଜର ସୌକ୍‌ ପୂରଣ ପାଇଁ କଳାକାର ନାଟକରେ ଅଭିନୟ କରୁଛନ୍ତି । ଅନ୍ନପୂର୍ଣ୍ଣା ଥିଏଟରରେ ସାଉଣ୍ଡ୍‌ ଫିଡବ୍ୟାକ୍‌ ନଥିବାରୁ ଅନେକ ସମସ୍ୟା ହେଉଥିବା ମଧ୍ୟ କଳାକାରମାନେ ଅଭିଯୋଗ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.