ଫୁଲବାଣୀ,୨୧/୯ : ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ଏଥି ସହ ଦୋଷୀକୁ ୧୫,୦୦୦ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆଉ ଅଧିକ ୩ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ଅଞ୍ଚଳର ଧନୁ ନାୟକ (୬୧)।
ସୁଚନା ଅନୁସାରେ, ଗତ ୨୦୨୧ ମସିହା ମାର୍ଚ୍ଚ ୮ ତାରିଖରେ ରାଇକିଆ ଥାନା ଅଞ୍ଚଳର ଜନୈକା ୯ ବର୍ଷୀୟା ନାବାଳିକାଙ୍କ ବାପା ମା ଇଟା କାମ କରିବାକୁ ବାହାରକୁ ଯାଇଥିଲେ । ପୀଡିତା ଏକୁଟିଆ ଘରେ ଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଘର ଭିତରକୁ ଟେକି ନେଇ ବଳାତ୍କାର କରିଥିଲା । ଏହି ସମୟରେ ମା’ କାମରୁ ଫେରି କବାଟ ବାଡେଇବା ପରେ କେହି ନ ଶୁଣିବାରୁ ଧକ୍କା ଦେଇ ଭିତରେ ପଶିଥିଲେ । ସେଠାରେ ସେ ଅଭିଯୁକ୍ତକୁ ଅସଞ୍ଜତ ଅବସ୍ଥାରେ ଦେଖିବା ସହ ପୀଡିତାଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ପାଇଥିଲେ। ଅଭିଯୁକ୍ତ ପୀଡିତାଙ୍କ ମା’ଙ୍କୁ ଠେଲି ଦେଇ ଗାଲରେ ଚାପୁଡ଼ା ମାରି ପଳାଇ ଯାଇଥିଲା । ଅଭିଯୁକ୍ତର ପୁଅ ଏକଥା କାହାକୁ କହିଲେ କିମ୍ବା ଥାନାରେ ଲିଖିତ ଅଭିଯୋଗ କଲେ ଜୀବନରେ ମାରି ଦେବି ବୋଲି ଧମକ ଦେଇଥିଲା। ପରେ ନାବାଳିକାଙ୍କ ମା ରାଇକିଆ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ। ଥାନାରେ କେଶ ନଂ ୩୦/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି କରି ୧୫ଜଣ ସାକ୍ଷୀଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ପୀଡିତାଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।