ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

କଳା ହୀରା ଲୁଟ୍‌ର କଳା କାହାଣୀ : ରାତିକୁ ହାତୀଏ... ଖୁଣ୍ଟ ଗୋଟାକ ଲିଜ୍‌ ହଜାରେ, କୋଇଲା ଟାଣିବାକୁ ଦରମା ୧୦ ହଜାର

କୋଇଲା... ରଙ୍ଗ ତାର କଳା । କଳାହୀରା ଭାବେ ପରିଚିତ । ଏହାର ଲୁଟ୍‌ କାହାଣୀ ତା’ ଠାରୁ କଳା । ମାଫିଆମାନେ ନାୟକ । ପୁଲିସ ଓ ପ୍ରଶାସନ ହୋଇଛନ୍ତି ସହ-ନାୟକ । ରାତିକୁ ହାତୀଏ ରୋଜଗାର । କାହାର ଦମ୍‌ ଅଛି ଯେ ଅଟକାଇବ । ତିଆରି କରିଛନ୍ତି ଭିନ୍ନ ଭିନ୍ନ ରାଜ୍ୟକୁ ଲମ୍ବା ନେଟୱର୍କ । ବନ୍ଧୁକ ଓ ବ୍ରାଉନସୁଗର କାରବାରକୁ ବି ଆର୍ଥିକ ସହାୟତା ଦେଉଛନ୍ତି । ଭଦ୍ରକ ଜିଲ୍ଲାର ଧାମରା-ଚରମ୍ପା ରେଳପଥରେ ଚାଲିଥିବା ଏହି ଲୁଟ୍‌ର କିଛି ଚିତ୍ର ଓ କିଛି ତଥ୍ୟ... 

ରାତିକୁ ମିଳୁଛି ୭୨ ଲକ୍ଷ, ବଡ଼ ମାଫିଆଙ୍କ ଆୟ ଦୁଇଗୁଣା

କୋଇଲା ମାଫିଆମାନେ ଧାମରା-ଭଦ୍ରକ ରେଳ ରୁଟ୍‌ ଅଞ୍ଚଳରୁ ପ୍ରତି ରାତିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ପ୍ରାୟ ୩ ଶହ ବିଦ୍ୟୁତ ଖୁଣ୍ଟ ମାଧ୍ୟମରେ ବଗିରୁ କୋଇଲା ଟଣାଯାଉଛି । ଦୈନିକ ଏହି ରୁଟ୍‌ରେ ୧୭/୧୮ଟି କୋଇଲା ବୋଝେଇ ଟ୍ରେନ ଯାଉଥିବା ବେଳେ ରାତି ୧୨ଟାରୁ ଭୋର୍‌ ୪ଟା ମଧ୍ୟରେ ଅତି କମ୍‌ରେ ୬ଟି ଟ୍ରେନ ଯାଉଛି । ଗୋଟିଏ ରାତିରେ ୬ଟି ଟ୍ରେନରୁ ଗୋଟିଏ ଖୁଣ୍ଟ ପାଖରେ ଅତି କମ୍‌ରେ ୪ ଟନ୍‌ କୋଇଲା ଟଣାଯାଉଛି । କୋଇଲା ଟାଣିବା କାମକୁ ନିୟନ୍ତ୍ରଣ କରୁଥିବା ମାଫିଆ ଏହି କୋଇଲାକୁ କିଲୋ ପିଛା ୬ ଟଙ୍କାରେ ବିକ୍ରି କରିଥାନ୍ତି । ଯଦି ଗୋଟିଏ ଖୁଣ୍ଟ ପାଖରୁ ୪ ଟନ୍‌ କୋଇଲା ମିଳେ ତେବେ ପ୍ରତି ରାତିରେ ୨୪ ହଜାର ଟଙ୍କାରେ ତାହା ବିକ୍ରି ହୋଇଥାଏ । ୩ ଶହ ଖୁଣ୍ଟର କୋଇଲାକୁ ମିଶାଇଲେ ୭୨ ଲକ୍ଷ ଟଙ୍କା ମିଳିବ । ଦିନକୁ ୭୨ ଲକ୍ଷ ଟଙ୍କା ମିଳିଲେ ମାସକୁ ମିଳୁଥିବା ପରିମାଣ ୨୧ କୋଟି ୬୦ ଲକ୍ଷ ଟଙ୍କା ହେବ । ତେବେ ବର୍ଷା ଦିନେ ଟ୍ରେନ ଲାଇନ ସର୍ଭିସ ରୋଡ୍‌ରେ ପରିବହନରେ ଟିକେ ସମସ୍ୟା ହେଉଥିବାରୁ ଏବଂ ଅନ୍ୟ ଋତୁ ତୁଳନାରେ ବଗିରୁ କୋଇଲା ଟାଣିବା ଟିକେ କଷ୍ଟସାଧ୍ୟ ହୋଇଥିବାରୁ ଏହି ଚୋରା କୋଇଲାର ଦର ବଢ଼ି କିଲୋ ପିଛା ସାଢ଼େ ୭ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଏଠାରେ ଦିଆଯାଇଥିବା କାରବାରର ହିସାବ ତଳ ସ୍ତରର ମାଫିଆଙ୍କ ରୋଜଗାର ଉପରେ ଆଧାରିତ । ପଡ଼ିଆରେ ପ୍ରସ୍ତୁତ ହୋଇଥିବା ଗୋଦାମରେ ଥରେ କୋଇଲା ପହଞ୍ଚିଗଲେ ତାର ଦାମ୍‌ କିଲୋ ପିଛା ୧୩ରୁ ୧୫ ଟଙ୍କା ହୋଇ ଯାଉଛି । ତେଣୁ ତଳସ୍ତରର ମାଫିଆଙ୍କ କାରବାର ତୁଳନାରେ ବଡ଼ ମାଫିଆଙ୍କ ଆୟ ଦୁଇ ଗୁଣା ହେଉଥିବା ସ୍ପଷ୍ଟ । ଅନ୍ୟପକ୍ଷରେ କୋଇଲା ଟାଣିବା କାମ ସହ ସମାନ୍ତରାଳ ଭାବେ ଅନ୍ୟ ଏକ ଗ୍ରୁପ୍‌ ବସ୍ତାରେ କୋଇଲା ଭର୍ତ୍ତି କରିବାରେ ଲାଗିଥାନ୍ତି, ଯେପରିକି ରାତି ପାହିବା ବେଳକୁ ପ୍ରତି ଖୁଣ୍ଟ ପାଖରୁ ସବୁ କୋଇଲା ବସ୍ତା ପାଖ ଗୋଦାମକୁ ହଟି ଯାଇଥିବ । ଅବଶ୍ୟ ଆପ୍ରାଣ ଉଦ୍ୟମ ସତ୍ତେ୍ୱ ସବୁ କୋଇଲା ବସ୍ତା ବୋହିବା କଷ୍ଟକର ହେଉଥିବାରୁ ବିଭିନ୍ନ ସ୍ଥାନରେ ରେଳ ଲାଇନ ପାଶ୍ୱର୍ରେ ତାହା ପଡ଼ି ରହିଥିବା ଦେଖିବାକୁ ମିଳେ ।

ଖୁଣ୍ଟ ଗୋଟାକ ଲିଜ୍‌ ହଜାରେ, କୋଇଲା ଟାଣିଲେ ଦରମା ୧୦ ହଜାର

କୋଇଲା ଚୋରା କାରବାରରେ ସବୁ କିଛି ନିଲାମ କିମ୍ବା ଲିଜ୍‌ରେ ଚାଲୁଛି । ରେଳ ଲାଇନ ପାର୍ଶ୍ଵରେ ଥିବା ବିଦ୍ୟୁତ ଖୁଣ୍ଟକୁ ପ୍ରଥମେ ଲିଜ୍‌ ଦିଆଯାଇଥାଏ । ପ୍ରାୟ ୩ ଶହ ଖୁଣ୍ଟକୁ ବଗିରୁ କୋଇଲା କାଢ଼ିବା କାମରେ ବ୍ୟବହାର କରାଯାଉଛି । ଗୋଟିଏ ଖୁଣ୍ଟରୁ ଆଉ ଗୋଟିଏ ଖୁଣ୍ଟ ମଧ୍ୟରେ ଦୂରତ୍ୱ ପ୍ରାୟ ୩୦/୩୫ ମିଟର । ପୂର୍ବରୁ ଖୁଣ୍ଟ ଗୋଟାକ ମାସିକ ଶହେ ଟଙ୍କାରେ ଲିଜ୍‌ ଦିଆଯାଉଥିବା ବେଳେ ଏବେ ତାହା ୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଲିଜ୍‌ ପଇସା ଅଗ୍ରୀମ ନିଆଯାଇଥାଏ । ବାକି ଚଳେ ନାହିଁ । ସ୍ଥାନୀୟ ଗୁଣ୍ଡା ଶ୍ରେଣୀୟ ବେକାର ଯୁବକମାନେ ସାଧାରଣତଃ ଖୁଣ୍ଟ ଗୁଡ଼ିକୁ ନିଜ କବ୍‌ଜାରେ ରଖିଛନ୍ତି । ଯେକେହି ଖୁଣ୍ଟକୁ ବ୍ୟବହାର କରିବାକୁ ଚାହିଁଲେ କେବଳ ସେମାନଙ୍କୁ ହିଁ ଧାର୍ଯ୍ୟ ଅର୍ଥ ଦେଇ ଲିଜ୍‌ ନେବ । ଜଣେ ବେପାରୀଙ୍କ ତଥ୍ୟ ଅନୁସାରେ ଖୁଣ୍ଟ ଗୁଡ଼ିକୁ ୬ ମାସିଆ ଲିଜ୍‌ରେ ମୋଟ ୫୮ ଜଣ ବେପାରୀ ନେଇଛନ୍ତି । ଲିଜ୍‌ ନେଉଥିବା ଲୋକମାନେ ପ୍ରତି ଖୁଣ୍ଟରେ ପିଲାଙ୍କୁ ନିୟୋଜିତ କରି ବଗିରୁ କୋଇଲା କାଢ଼ିବା କାମ କରିଥାନ୍ତି । କୋଇଲା କାଢ଼ିବାକୁ ପିଲାମାନେ ପ୍ରଶିକ୍ଷିତ ହୋଇଥାନ୍ତି । ମାସ ସାରା ସେମାନେ ଖୁଣ୍ଟରେ ଚଢ଼ି କୋଇଲା କାଢ଼ିବା ପାଇଁ ଦରମା ପାଉଛନ୍ତି ୧୦ ହଜାର ଟଙ୍କା । ମିଳୁଥିବା ତଥ୍ୟରୁ ଜଣାପଡ଼ିଛି, ଏ ପର୍ଯ୍ୟନ୍ତ ମୋଟ ୧୧୪ ଜଣ ଯୁବକ କୋଇଲା କାଢ଼ିବା କାମରେ ନିୟୋଜିତ ହୋଇଛନ୍ତି । ଯଦି କେହି ଦ୍ରୁତ ଗତିରେ ବଗିରୁ କୋଇଲା ଟାଣିବା କାମରେ ପାରଙ୍ଗମତା ଦେଖାଏ ତେବେ ତାକୁ ଅଧିକ ବୋନସ୍‌ ମଧ୍ୟ ମିଳିବ । ଏଥିସହ ଅଧିକାଂଶ ଦିନ ରାତିରେ ମଦ,ମାଂସ ମଧ୍ୟ ମାଗଣା ମିଳିଥାଏ । ଏହି ପିଲାମାନେ ସାଧାରଣତଃ ଦିନରେ ଶୋଇପଡ଼ନ୍ତି ଏବଂ ସନ୍ଧ୍ୟା ପରେ ସକ୍ରିୟ ହୁଅନ୍ତି । ସାରା ରାତି ଚାଲେ ସେମାନଙ୍କ କାମ । ଯଦି କେବେ ଟ୍ରେନ ସଂଖ୍ୟା କମ୍‌, ତେବେ କାମ କମ୍‌, କିନ୍ତୁ ଦରମା ଜବାବ୍‌ ଅନୁସାରେ ମିଳିଥାଏ।

ଜବତ ହୋଇଛି ୧୫ ହଜାର ଟନ୍‌

କୋଇଲା ମାଫିଆ ମାନେ ସେମାନଙ୍କ କାରବାର ବେଖାତିର ଢଙ୍ଗରେ ଚଳାଇଥିବା ବେଳେ କାଁ ଭାଁ ପୁଲିସ ଚଢ଼ାଉ କରୁଥିବା ନଜରକୁ ଆସୁଛି । ତେବେ ଏହି ଚଢ଼ଉ ପଛର କାରଣ ମାଫିଆଙ୍କ ଅନ୍ତଃକନ୍ଦଳ ଏବଂ ବଟି ମିଳିବାରେ ବିଳମ୍ବ ବୋଲି ଖୋଦ୍‌ ମାଫିଆମାନେ କୁହନ୍ତି । ବିଗତ କେଇ ବର୍ଷ ମଧ୍ୟରେ କ୍ରମାଗତ ଚଢ଼ଉ କରି ଭଦ୍ରକ ଜିଲ୍ଲା ପୁଲିସ ଏବଂ ଧାମରା ବନ୍ଦରର ସୁରକ୍ଷା କର୍ମୀ ଆଜିଯାଏ ୧୫ ହଜାର ମେଟ୍ରିକ ଟନ କୋଇଲା ଜବତ କରିଥିବା ଜଣେ ଅଧିକାରୀ କହିଛନ୍ତି । କୋଇଲା ସହ ଭିନ୍ନ ଭିନ୍ନ ଧରଣର ଗାଡ଼ି ମଧ୍ୟ ଜବତ ହୋଇଛି । ଚାନ୍ଦବାଲି, ବାଂଶଡ଼ା, ବାସୁଦେବପୁର, ଟାଉନ ଥାନା, ତିହିଡ଼ି ଓ ଗ୍ରାମାଞ୍ଚଳ ଥାନା ପୁଲିସ ସମେତ ଘଣ୍ଟେଶ୍ୱର, ଧାମରା, କରଞ୍ଜମାଳ, ମତୋ, ପୀରହାଟ, ସାବରଙ୍ଗ ଆଦି ଫାଣ୍ଡି ପୁଲିସଙ୍କ ଦ୍ୱାରା ଶତାଧିକ ଗାଡ଼ି ଜବତ ହୋଇଛି । କାଁ ଭାଁ କିଛି ଗାଡ଼ି ମାଲିକମାନେ ରିଲିଜ କରି ନେଉଥିବା ବେଳେ ଅନେକ ଗାଡ଼ି ଏବେ ମଧ୍ୟ ବିଭିନ୍ନ ଥାନା ପରିସରରେ ଖତ ଖାଉଛି । ଅଞ୍ଚଳର ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ମତରେ ରାଜ୍ୟ ପୁଲିସର, ରେଳବାଇ ପୁଲିସ ଏବଂ ବନ୍ଦର ସୁରକ୍ଷା କର୍ମୀ ନିଜ ଆଡ଼ୁ କେବେବି ଚଢ଼ଉ କରୁନାହାନ୍ତି । ଯଦି ଏଭଳି ଚଢ଼ଉ ହୁଅନ୍ତା ତେବେ ବୋଧହୁଏ ମାଫିଆଙ୍କ ଉପରେ ଲଗାମ୍‌ ଦିଆଯାଇପାରନ୍ତା । କିନ୍ତୁ କେବଳ ମାଫିଆଙ୍କ ଝଗଡ଼ା କାରଣରୁ ନିର୍ଦ୍ଦିଷ୍ଟ କେତେକ ବେପାରୀଙ୍କୁ ଟାର୍ଗେଟ କରି ପୁଲିସ କୋଇଲା ଗାଡ଼ି ଉପରେ ଚଢ଼ାଉ କରୁଛି । ଅପରପକ୍ଷରେ, ଥରେ ଯେଉଁ ଗାଡ଼ି ଧରା ପଡ଼ିଗଲା ତାକୁ ଛାଡ଼ିଦେବା, କାଗଜପତ୍ର ପ୍ରସ୍ତୁତ କରିବା, ଧରା ପଡ଼ିଥିବା ବସ୍ତା ଜାଗାରେ କମ୍‌ ବସ୍ତା ଦେଖାଇବା ଏବଂ ପରିସ୍ଥିତି ସ୍ଥଳେ ଗାଡ଼ି ଖସିଯାଇଛି ବୋଲି ଦର୍ଶାଇବା ପାଇଁ ବେଶ୍‌ ହାତଗୁଞ୍ଜା କାରବାର ହେଉଥିବା ଜଣାପଡ଼ିଛି । ଏହାସତ୍ତେ୍ୱ ଉକ୍ତ ଅଞ୍ଚଳର ବାଟେଘାଟେ କୋଇଲା ବସ୍ତା ଖୋଲାଖୋଲି ଗଢ଼ୁଥିବା ଦେଖିବାକୁ ମିଳୁଛି । 

ଚୋରି ରୋକିବା କାମ ବନ୍ଦର କର୍ତ୍ତୃପକ୍ଷଙ୍କର : ରେଳବାଇ 

ଧାମରାରୁ ଭଦ୍ରକ ପର୍ଯ୍ୟନ୍ତ ୬୨ କିଲୋମିଟର ରେଳ ଲାଇନର ଦାୟିତ୍ୱ ରହିଛି ଆଦାନୀ ବନ୍ଦର କର୍ତ୍ତୃପକ୍ଷଙ୍କ ହାତରେ । ଏହି ରୁଟ୍‌ରେ ଗଡ଼ୁଥିବା ଟ୍ରେନ ଗୁଡ଼ିକର ସୁରକ୍ଷା ଦାୟିତ୍ୱ ମଧ୍ୟ କମ୍ପାନି ହାତରେ । କେବଳ ଆବଶ୍ୟକ ପଡ଼ିଲେ ଜିଆର୍‌ପି ଓ ଆରପିଏଫ୍‌ ପଇଁତରା କିମ୍ବା ଯାଞ୍ଚ ପାଇଁ ଯାଇଥାଏ ବୋଲି ନାମ ଗୋପନ ସର୍ତ୍ତରେ କହିଛନ୍ତି ରେଳବାଇର ଜଣେ ବରିଷ୍ଠ ଅଧିକାରୀ । ସେ କହିଛନ୍ତି, ରେଳଗାଡ଼ି, ୱାଗନ, ପାଇଲଟ ସବୁ କିଛି ଦାୟିତ୍ୱ ରେଳବାଇ ହାତରେ ଥିଲେ ମଧ୍ୟ ସୁରକ୍ଷା ଦାୟିତ୍ୱ ବହନ କରିଛନ୍ତି ବନ୍ଦର କର୍ତ୍ତୃପକ୍ଷ । ତେଣୁ ସେହି ଅଞ୍ଚଳରେ ହେଉଥିବା କୋଇଲା ଚୋରି ରୋକିବା କାମ ମଧ୍ୟ ସେମାନଙ୍କର । କେବଳ ଭଦ୍ରକ ଷ୍ଟେସନରେ ପହଞ୍ଚିବା ପରେ ସୁରକ୍ଷା ଦାୟିତ୍ୱ ରେଳବାଇ ବହନ କରୁଛି । ଅବଶ୍ୟ ଏ ସମ୍ପର୍କରେ ବନ୍ଦର କର୍ତ୍ତୃପକ୍ଷଙ୍କ କୌଣସି ଅଧିକାରୀ ମତାମତ ଦେବାକୁ ରାଜି ନାହାନ୍ତି । ସେହିପରି କୋଇଲା ଚୋରି ବାବଦରେ ପ୍ରତିକ୍ରିୟା ରଖି ଚାନ୍ଦାବାଲି ଉପଖଣ୍ଡ ପୁଲିସ ଅଧିକାରୀ କହିଛନ୍ତି, ଏସ୍‌ପିଙ୍କ ନିର୍ଦ୍ଦେଶରେ କୋଇଲା ଚୋରି ଉପରେ ଅଙ୍କୁଶ ଲଗାଯାଇଛି । ସଂପୃକ୍ତ ରାସ୍ତା ଗୁଡ଼ିକରେ ଚବିଶ ଘଣ୍ଟା ପହରା ଦିଆଯାଉଛି । ଚାନ୍ଦବାଲି ଓ କେନ୍ଦ୍ରାପଡ଼ା ସୀମାର ବୈତରଣୀ ସେତୁ ନିକଟରେ ପୁଲିସ ଚବିଶ ଘଣ୍ଟା ପହରା ଦେଉଛି । ଆଗକୁ ମଧ୍ୟ କୋଇଲା ଚୋରଙ୍କୁ ସାବାଡ଼ କରାଯିବ ବୋଲି ସେ କହିଛନ୍ତି। 

ବସ୍ତା ସଂଗ୍ରହ ପାଇଁ ଦିନକୁ ୪୦୦

ଟ୍ରେନ୍‌ ଲାଇନ ପାଶ୍ୱର୍ରୁ କୋଇଲା ଗୁଣ୍ଡକୁ ଚାଲାଣ କରିବାକୁ ବହୁତ ବସ୍ତା ଆବଶ୍ୟକ । ତେଣୁ ଅନେକ କବାଡ଼ିଆଙ୍କୁ ଏହି ରାକେଟରେ ସାମିଲ କରାଯାଇଛି । ସେମାନଙ୍କ କାମ ଗାଁ ଗାଁ ବୁଲି ସିମେଣ୍ଟ ଓ ସାର ବସ୍ତା ସଂଗ୍ରହ କରିବେ । ଏଥିପାଇଁ ସେମାନଙ୍କୁ ଦୈନିକ ମଜୁରି ହିସାବରେ ମିଳୁଛି ୪ ଶହ ଟଙ୍କା । ସେହିପରି ଟ୍ରେନ୍‌ ଲାଇନ ପାଶ୍ୱର୍ରୁ ବସ୍ତାରେ କୋଇଲା ଗୁଣ୍ଡ ଭର୍ତ୍ତି କରିବା କାମରେ ନିୟୋଜିତ ଲୋକମାନେ ରାତି ଓ ସକାଳ ବେଳା କାମ କରୁଛନ୍ତି । ସେମାନଙ୍କୁ ମଧ୍ୟ ମଜୁରି ହିସାବରେ ପ୍ରାୟ ୪ ଶହ ଟଙ୍କା ମିଳୁଥିବା ସେମାନେ କୁହନ୍ତି ।

ବୋହୁଛନ୍ତି ୧୫ ଟ୍ରକ୍‌, ୯୦ ପିକଅପ୍‌, ୨୪୫ ବାଇକ୍‌, ୧୫୫ ସାଇକେଲ

ମାଫିଆଙ୍କ ଗୋଦାମରୁ ରାଜପଥ ପର୍ଯ୍ୟନ୍ତ ଏବଂ ଭିନ୍ନ ଭିନ୍ନ ଗନ୍ତବ୍ୟସ୍ଥଳକୁ କୋଇଲା ବୋହିବାରେ ଅନେକ ଗାଡ଼ି ନିୟୋଜିତ କରାଯାଇଛି । ଏସବୁ ଗାଡ଼ି ମାଫିଆଙ୍କର ନୁହେଁ । ଭିନ୍ନ ଭିନ୍ନ ଅଞ୍ଚଳର ଲୋକମାନେ ଗାଡ଼ି ଭଡ଼ାରେ ଲଗାଇଛନ୍ତି । ଏସବୁ ମଧ୍ୟରେ ରହିଛି ଟ୍ରକ୍‌, ପିକ୍‌ଅପ୍‌ ଭ୍ୟାନ୍‌, ବାଇକ୍‌ ଓ ସାଇକେଲ । ରେଳଲାଇନ୍‌ ପାଶ୍ୱର୍ରୁ ଗୋଦାମ ଏବଂ ଗୋଦାମରୁ ରାଜପଥ କିମ୍ବା ଅନ୍ୟ ସ୍ଥାନକୁ ଚୋରା କୋଇଲା ପରିବହନ କରିବା କାମରେ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଗାଡ଼ି ଯୋଗାଡ଼ କରି ଠିକଣା ସ୍ଥାନରେ ମାଲ ପହଞ୍ଚାଇବା ଦାୟିତ୍ୱ ସେମାନଙ୍କର । ଏଭଳି ଜଣେ ସୁପରଭାଇଜରଙ୍କ ଡାଏରୀରୁ ଆମକୁ ମିଳିଥିବା ତଥ୍ୟ ଅନୁସାରେ, ଏହି ଚୋରା କାରବାରରୁ ପ୍ରବଳ ଅର୍ଥ ଉପାର୍ଜନ ହେଉଥିବାରୁ ଏଥିରେ ଭଦ୍ରକ ଜିଲ୍ଲାର ୧୫ ଖଣ୍ଡ ଟ୍ରକ୍‌, ୯୦ ଖଣ୍ଡ ପିକ୍‌ଅପ୍‌ ଭ୍ୟାନ୍‌, ୧୪୫ ଖଣ୍ଡ ମୋପେଡ ଲୁନା, ୧୫୫ ଖଣ୍ଡ ସାଇକେଲ, ୨୪୫ ଖଣ୍ଡ ମୋଟରସାଇକେଲ ନିୟୋଜିତ ହୋଇଛି । ଚରମ୍ପା ଅଞ୍ଚଳର ବଉଳପୋଖରୀ ଗାଁରେ ୮ ଜଣ ବେପାରୀଙ୍କ ୧୪ଟି ପିକ୍‌ଅପ୍‌, ୩୮ଟି ମୋପେଡ ଲୁନା ଓ ୩ଟି ବାଇକ୍‌ ବ୍ୟବହାର ହେଉଛି । ସେହିପରି ଥୋରଡା ଗାଁର ଦୁଇଜଣ ବେପାରୀଙ୍କ ୪ଟି ପିକ୍‌ଅପ୍‌ ଓ ୧୧ଟି ଲୁନା, ରମ୍ଭିଳା ପଞ୍ଚାୟତର ବିରିଗଡିଆ ଗାଁର ୩ ଜଣ ବେପାରୀଙ୍କ ୧୦ଟି ପିକଅପ୍‌ ଏବଂ ୧୯ଟି ମୋପେଡ, ରମ୍ଭିଳା ଗାଁରେ ୫ଜଣ ବେପାରୀଙ୍କ ୧୬ଟି ପିକ୍‌ଅପ୍‌, ୧୦ ଚକିଆ ଟ୍ରକ ୨ଟି, ୨୫ଟି ମୋପେଡ ଲୁନା, ଏରେଁଇ ଓ ବଣିଆ ପଞ୍ଚାୟତର ୩ ଜଣ ବେପାରୀଙ୍କ ୧୫ଟି ପିକ୍‌ଅପ୍‌, ୬ ଚକିଆ ଟ୍ରକ ଦୁଇଟି ଏବଂ ୧୯ ଟି ଲୁନା, ପାଳିଆବିନ୍ଧା ପଞ୍ଚାୟତରେ ୩ ଜଣ ବେପାରୀ ଯେ କି ରାଜନୈତିକ ଦଳର କର୍ମୀ ସେମାନଙ୍କର ୧୫ଟି ପିକ୍‌ଅପ୍‌ ଭ୍ୟାନ୍‌ ଏବଂ ୨୯ଟି ମୋପେଡ ଲୁନା ସହିତ ୩ଟି ବାଇକ୍‌, ପୁରୁଣା ବଜାର ଥାନାଞ୍ଚଳର ଦୁଇଜଣ ବେପାରୀଙ୍କ ୧୨ଟି ପିକଅପ୍‌ ଭ୍ୟାନ୍‌ ଏଠାରେ ନିୟୋଜିତ ହୋଇଛି । ଆଗରପଡ଼ା ଥାନା ଅଞ୍ଚଳରେ ୫ ଜଣ ବଡ଼ ବେପାରୀ ଏଠାରେ ସକ୍ରିୟ ଅଛନ୍ତି । ଏମାନଙ୍କ ମଧ୍ୟରୁ ଆଗରପଡ଼ା ଅଞ୍ଚଳର ଜଣେ କଲେଜ ଅଧ୍ୟାପକ, ଶ୍ରୀରାମପୁର ଗାଁର ଜଣେ ବଡ଼ ବେପାରୀ, ଚାରି ଗାଁର ଜଣେ ବଡ଼ ବେପାରୀ ଅନ୍ତର୍ଭୁକ୍ତ ।

ସଶସ୍ତ୍ର ଏସକର୍ଟ ବାହିନୀ, ବନ୍ଧୁକ ଓ ବ୍ରାଉନସୁଗର

କୋଇଲା ଚୋରା କାରବାରର ସମଗ୍ର ନେଟ୍‌ୱର୍କକୁ ଜଗିବା ପାଇଁ ଧାମରା ଓ ଭଦ୍ରକ ଅଞ୍ଚଳରେ ଗଢ଼ା ହୋଇଛି ସଶସ୍ତ୍ର ଏସ୍‌କର୍ଟ ବାହିନୀ । ଏମାନଙ୍କ ପାଖରେ ଦାମୀ ଦୁଇ /ଚାରି ଚକିଆ, ବନ୍ଧୁକ ମହଜୁଦ୍‌ ରହିଛି । ଛାତି ଫୁଲାଇ ଗାଡ଼ି ଚଳାଇବାକୁ ପୁଲିସର ଅଭୟବାଣୀ ମିଳିଛି । କୌଣସି ଅଘଟଣ ହେଲେ ଅସୁବିଧା ନାହିଁ । ସାରା ରାତି ଏମାନେ ରେଳ ଲାଇନ୍‌ର ସର୍ଭିସ ରୋଡ୍‌ ଏବଂ ଭଦ୍ରକ-ଚାନ୍ଦବାଲି ରାସ୍ତାରେ ପଇଁତରା ମାରୁଛନ୍ତି । ଏମାନଙ୍କ ଯୋଗୁ ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବନ୍ଧୁକର ଚୋରା କାରବାର ବଢ଼ିବାରେ ଲାଗିଛି । ଅଙ୍କୁଶ ଲଗାଇବାକୁ ପୁଲିସର ଉଦ୍ୟମ ନାହିଁ । ଅପରପକ୍ଷରେ ବିପୁଳ ଅର୍ଥ ରୋଜଗାର କରୁଥିବାରୁ ଏହି ଗୋଷ୍ଠୀ ବ୍ରାଉ୍‌ନ ସୁଗର କାରବାରରେ ମଧ୍ୟ ଲିପ୍ତ ରହୁଛନ୍ତି । ଜଳେଶ୍ୱର ଅଞ୍ଚଳରୁ ବ୍ରାଉନସୁଗର ଆଣି ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପହଞ୍ଚାଇ ଅର୍ଥ ରୋଜଗାର କରୁଛନ୍ତି । ଅଞ୍ଚଳର ଅନେକ ବେକାର ଯୁବକଙ୍କୁ ଏମାନେ ନିଶା କାରବାରରେ ଜଡ଼ିତ କରୁଛନ୍ତି ।

କୋଇଲା ଟାଣିବାକୁ ସ୍ୱତନ୍ତ୍ର ଯନ୍ତ୍ର

ରେଳ ବଗି ବା ରେକ୍‌ରୁ କୋଇଲା କାଢ଼ିବାକୁ ମାଫିଆମାନେ ବ୍ୟବହାର କରୁଛନ୍ତି ସ୍ୱତନ୍ତ୍ର ଯନ୍ତ୍ର । ଏକ ଲମ୍ବା ଟାଣୁଆ କାଠରେ ଲାଗୁଛି ଲୁହାର ଦାନ୍ତ । ଏହି କାଠର ଦୈର୍ଘ୍ୟ ଭିନ୍ନ ଭିନ୍ନ ପ୍ରକାର ରହିଛି । କେତେକ ଛୋଟ ଥିବା ବେଳେ କେତେକ ଲମ୍ବା । ଟ୍ରେନ ଆସିବା ପୂର୍ବରୁ ଯୁବକମାନେ ରେଳ ଲାଇନ ପାଶ୍ୱର୍ରେ ଥିବା ବିଦ୍ୟୁତ ସରବରାହ ଖୁଣ୍ଟରେ ଚଢ଼ି ନିଜକୁ ସେଥିରେ ଦଉଡ଼ି କିମ୍ବା ଗାମୁଛାରେ ବାନ୍ଧି ଦେଇଥାନ୍ତି । ଅପେକ୍ଷା ଥାଏ ଟ୍ରେନକୁ । ଟ୍ରେନ ଆସିବା ମାତ୍ରେ ଓଭରଲୋଡ୍‌ ଥିବା ବଗିରୁ ଦ୍ରୁତ ଗତିରେ କୋଇଲା ଗୁଣ୍ଡକୁ ଟାଣି ତଳକୁ ପକାଇବାକୁ ଉଦ୍ୟମ କରାଯାଏ । ତଳେ ପାଲ ବିଛା ଯାଇଥାଏ । ଏହି କାମରେ ସେମାନେ ହୋଇଥାନ୍ତି ବେଶ୍‌ ପ୍ରଶିକ୍ଷିତ । ଟ୍ରେନ୍‌ ଯିବା ପରେ ପାଲରେ ପଡ଼ିଥିବା କୋଇଲା ଗୁଣ୍ଡକୁ ଯେତେ ଶୀଘ୍ର ବସ୍ତାରେ ଭର୍ତ୍ତି କରାଯାଇଥାଏ । ଏ କାମ ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବେ ଗରିବ ମହିଳା, ପୁରୁଷ ଓ ଛୋଟଛୋଟ ପିଲାମାନଙ୍କୁ ବ୍ୟବହାର କରାଯାଇଥାଏ । ବସ୍ତାରେ ଭର୍ତ୍ତି କରିବା ପରେ ବାଇକ, ପିକ୍‌ଅପ୍‌ ଭ୍ୟାନ୍‌ କିମ୍ବା ଅନ୍ୟ ଗାଡ଼ିରେ ଗୋଦାମ ଭାବେ ଚିହ୍ନଟ ହୋଇଥିବା ପାଖ ପଡ଼ିଆକୁ ନିଆଯାଇଥାଏ । ବଗିରୁ କୋଇଲା ଟାଣିବା ଗ୍ୟାଙ୍ଗ୍‌ ଦିନରେ କମ୍‌, ରାତିରେ ବେଶି ସକ୍ରିୟ ରୁହନ୍ତି । ଯଦି ସିଗ୍‌ନାଲ ଜନିତ କାରଣରୁ ଟ୍ରେନ କୌଣସି ଷ୍ଟେସନ ପାଖରେ ଛିଡ଼ା ହୋଇଗଲା, ତେବେ ମାଫିଆଙ୍କ କଚ୍ଚେ ପୁଅ ବାର । କାଳବିଳମ୍ବ ନକରି ତୁରନ୍ତ ବଗି ଉପରକୁ ଚଢ଼ି କୋଦାଳ, ବେଲ୍‌ଚା ଆଦି ସହାୟତାରେ ଯେତେ ଅଧିକ କୋଇଲା ଗୁଣ୍ଡ ଟାଣି ତଳକୁ ପକାଇଥାନ୍ତି । ସେହିପରି ଏମାନେ ଧାମରା ବନ୍ଦରକୁ ବାଲି ନେଇ ଯାଉଥିବା ଟ୍ରେନରୁ ବାଲି ମଧ୍ୟ କାଢ଼ି ବିକିଥାନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.