ଧଉଳି, ୨୧/୦୯ (ବିଭୁତି ଭୂଷଣ ପ୍ରଧାନ): ‘ବଞ୍ଚିଥିବା ଯାଏଁ ମୋ ଗାଁକୁ କେବେବି ସ୍ୱଚ୍ଛତା ଲାଗି ନିନ୍ଦିତ ହେବାକୁ ଦେବି ନାହିଁ । ଗାଁର ସମସ୍ତ ଅଞ୍ଚଳ ୩୬୫ ଦିନ ଅର୍ଥାତ ବରଷକ ଯାକ ସଫା ରଖିବି । ଏ ପିଣ୍ଡରେ ପ୍ରାଣ ଥିବା ପର୍ଯ୍ୟନ୍ତ ମୁଁ ସ୍ୱଚ୍ଛତା ଲାଗି ଶ୍ରମ ଦାନ କରୁଥିବି’ ।
ଏହା କୌଣସି ରାଜନେତାଙ୍କର ଜନତାଙ୍କ ପ୍ରତି ମିଛ ପ୍ରତିଶ୍ରୁତି ପରି ଲାଗୁଥାଇପାରେ । କିନ୍ତୁ ଏହା ହେଉଛି ଜଣେ ମଳିମୁଣ୍ଡିଆ ତଥା ଅପାଠୁଆ ସାଧାରଣ ଲୋକର ଦୃଢ଼ୋକ୍ତି । ସ୍ୱଚ୍ଛତା ଲାଗି ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଥିବା ମଣିଷଟିଏର ଏହା ହେଉଛି ଅନ୍ତରର କଥା । ଏପରି ନିଃସ୍ୱାର୍ଥପର ସେବା ମନୋବୃତ୍ତି ସମ୍ପନ୍ନ ବ୍ୟକ୍ତି ଜଣକ ହେଉଛନ୍ତି ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଝିଣ୍ଟିପଞ୍ଚାୟତ ଅଧୀନ ଝିଣ୍ଟି ନାୟକ ସାହିର ବୃଦ୍ଧ ବେଣୁଧର ନାୟକ । ବୟସ ୬୦ ଛୁଇଁଲାଣି । ହେଲେ ସ୍ୱଚ୍ଛତା ଅଭିଯାନରେ ତାଙ୍କ ଅଂଶୀଦାରୀ କେବେ ବି ଥକି ଯାଇନି । ଦଳିତ ସମ୍ପ୍ରଦାୟର ହୋଇ ବି ସେ ସମାଜରେ ଯେଉଁ ପରିବର୍ତ୍ତନର ଆଶାଟିକକ ନିଜ ମନ ଭିତରେ ସଞ୍ଚାର କରିଛନ୍ତି ତାହା ଅନେକଙ୍କ ଲାଗି ଉଦାହରଣ ପାଲଟିବ ନିଶ୍ଚୟ ।
ବେଣୁଙ୍କ ଏହି ପ୍ରୟାସ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ପରିକଳ୍ପନାର ବହୁ ପୂର୍ବରୁ ଆରମ୍ଭ ହେଲାଣି । କେହି କେହି ତ ତାଙ୍କର ଏପରି କାର୍ଯ୍ୟକୁ ଅଜବ ଅଭ୍ୟାସ ବା ପାଗଳାମି କହି ପ୍ରଥମେ ପ୍ରଥମେ ଥଟ୍ଟା ପରିହାସ କରୁଥିଲେ । ମାତ୍ର ତାଙ୍କ ଉଦ୍ୟମରେ ଯେଉଁ ପରିବର୍ତ୍ତନ ଆସିଲା ଏବେ ତାହାକୁ ଦେଖି ପରିହାସ କରୁଥିବା ଲୋକେ ପ୍ରଶଂସା ନକରି ରହିପାରୁନାହାନ୍ତି ।
ବେଣୁ କୁହନ୍ତି ସେ ୪୦ ବର୍ଷ ବୟସର ହେବା ଦିନଠୁ ଗାଁ ସଫେଇ କରୁଛନ୍ତି । ସେ ଏହି କାମ ପାଇଁ କାହାରିଠାରୁ କେବେ ଅର୍ଥ କିମ୍ବା ଅନ୍ୟ ପାରିଶ୍ରମିକ ଆଶା ରଖନ୍ତି ନାହିଁ । ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା ସ୍ଥାନ ଗୁଡିକର ସଫେଇ ସେ ନିୟମିତ କରି ଆସୁଛନ୍ତି । ବିଶେଷ କରି ମନ୍ଦିର ବେଢା, ବିଦ୍ୟାଳୟର ସମ୍ମୁଖ, କିଛି ମୁଖ୍ୟ ସଡ଼କକୁ ନିୟମିତ ସଫେଇ କରିବା ତାଙ୍କର ନିତିଦିନିଆ କାମରେ ପରିଣତ ହୋଇଗଲାଣି । ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହି ସେବାରେ ନିୟୋଜିତ ଅଛନ୍ତି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସିନ୍ଦୂରା ଫାଟିବା ବେଳକୁ ବେଣୁ ହାତରେ ଝାଡ଼ୁ, ବାଲ୍ତି ଧରି ପ୍ରଥମେ ହାଜର ହୋଇଯାଆନ୍ତି ପାଣିକଟା ଗ୍ରାମର ନୀଳକଣ୍ଠଶ୍ୱର ମହାଦେବଙ୍କ ମନ୍ଦିର ବେଢାରେ । ଦିଅଁଙ୍କଠାରୁ ତାଙ୍କର ସଫେଇ ଅଭିଯାନର କାମ ଆରମ୍ଭ ହୁଏ । ଏହା ପରେ ମେଳଣ ପଡ଼ିଆ ଓ ବିଦ୍ୟାଳୟମାନଙ୍କୁ ସଂଯାଗ କରୁଥିବା ପ୍ରମୁଖ ରାସ୍ତା ସମୂହ ଓ ପାଶ୍ୱବର୍ତ୍ତୀ ଅଞ୍ଚଳ ସବୁ ଜାଗା ଝାଡୁ ମାରି ସଫା କରିବାରେ ଲାଗି ପଡ଼ନ୍ତି ।
ପ୍ରାୟ ଦିନ ୧୨ ଟା ଗଡ଼ିଲେ ମଧ୍ୟାହ୍ନ ଭୋଜନ ନିମନ୍ତେ ଘରକୁ ଫେରନ୍ତି । ଅପରାହ୍ଣରେ ଗାଁର ରାସ୍ତା ଝାଡୁ ମାରି ସଫା କାରନ୍ତି । ଏହା ପରେ ନିଜର କୌଳିକ ବୃତ୍ତିରେ ଲାଗି ପଡ଼ନ୍ତି । ସେ ହେଉଛନ୍ତି ବୁଣାକାର ପରିବାରର ପୁଅ । ତେଣୁ ପରିବାର ପ୍ରତିପୋଷଣ ଲାଗି ବେତ ଓ ବାଉଁଶ ପାତ୍ର ବୁଣାବୁଣି କିମ୍ବା ପର୍ବ ପର୍ବାଣୀରେ ବାଜା ବଜାଇବା ଲାଗି ବାହାରି ଯାଆନ୍ତି । ସ୍ଥାନୀୟ ଅଞ୍ଚଳରେ ବେଣୁଙ୍କ ଏପରି ନିଃସ୍ୱାର୍ଥପର ସେବା ଲୋକଙ୍କ ଲାଗି ପ୍ରେରଣା ସାଜିଛି ।