ପ୍ରମୂଖ ଖବର
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

କୋଇଲା ମାଫିଆଙ୍କ ରାତିକୁ ରୋଜଗାର ୭୨ ଲକ୍ଷ: ଧାମରାରୁ ବାହାର ରାଜ୍ୟକୁ ଲମ୍ବିଛି ନେଟ୍‌ୱର୍କ, ସାତ ଜଣ ମାଫିଆଙ୍କ ନିୟନ୍ତ୍ରଣରେ କାରବାର

ଭୁବନେଶ୍ୱର/ଧାମରା,୨୧/୦୯: ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଲାଗୁଛି ଛୋଟ ବଡ଼ କୋଇଲା ବୋଝେଇ ଜାହାଜ । ଭିନ୍ନ ଭିନ୍ନ ଦେଶରୁ ଆସୁଛି ଅଲଗା ଅଲଗା ଗୁଣମାନର କୋଇଲା । ଜାହାଜରୁ ଏହା ଖଲାସ  ହେବା ପରେ ଟ୍ରେନ୍‌ ଯୋଗେ ଓଡ଼ିଶା  ତଥା ପଡ଼ୋଶୀ ରାଜ୍ୟକୁ ଯାଉଛି । ଏହି  କୋଇଲା ଚାଲାଣ ବେଳେ ବାଟରେ ଚୋରି  ହୋଇଯାଉଛି । ଆଉ କୋଇଲା ଚୋରିରେ  ସଂପୃକ୍ତ ଅଛନ୍ତି ବଡ଼ ମାଫିଆ ଗ୍ୟାଙ୍ଗ୍‌ ।  ସେମାନଙ୍କ ରୋଜଗାର ରାତିକୁ ପ୍ରାୟ ୭୨  ଲକ୍ଷ ଟଙ୍କା ଏବଂ ମାସକୁ ୨୦ କୋଟିରୁ  ଅଧିକ । ସେମାନଙ୍କ ପକେଟରେ ରହିଛନ୍ତି ସ୍ଥାନୀୟ ପୁଲିସ, ରେଳ ଅଧିକାରୀ ଓ  ବନ୍ଦରର ପରିବହନ ସଂସ୍ଥା । ତାଛଡ଼ା ଏହି ଚୋରି ନେଟ୍‌ୱର୍କରେ ସେମାନଙ୍କୁ  ସାହାଯ୍ୟ କରିବାକୁ ନିଯୁକ୍ତ ହୋଇଛନ୍ତି  ଅନେକ ଲୋକ । 

ଖାସ୍‌ କୋଇଲା ଓ ଅନ୍ୟାନ୍ୟ ମାଲ ପରିବହନ ଲାଗି ଧାମରାରୁ ଭଦ୍ରକ  ପର୍ଯ୍ୟନ୍ତ ୬୨ କିଲୋମିଟର ସ୍ୱତନ୍ତ୍ର ରେଳ ଲାଇନ ବିଛାଯାଇଛି । ଏହି ରେଳ ଲାଇନ କୋଇଲା ମାଫିଆଙ୍କ ପାଇଁ ଆଣିଛି ଅପୂର୍ବ ସୁଯୋଗ । ଅଭିନବ ଉପାୟରେ ଟ୍ରେନ୍‌ରୁ ଚୋରି  କରାଯାଉଛି କୋଇଲା । ରାତିକୁ ଲକ୍ଷ  ଲକ୍ଷ, ମାସିକ କୋଟି କୋଟି ଟଙ୍କା  ରୋଜଗାର ହେଉଛି । ମାଫିଆଙ୍କ  ନେଟୱର୍କରୁ ଭାଗ ପାଉଛନ୍ତି ସ୍ଥାନୀୟ  ନେତା, ପୁଲିସ, ପ୍ରଶାସନ ଓ ରେଳ  ବିଭାଗର ଅଧିକାରୀମାନେ । ତେଣୁ ଭୟ  କାହାକୁ, ଡର କାହାକୁ । ୨୦୧୧ରେ  ଧାମରା ବନ୍ଦରରେ ପରିବହନ ଆରମ୍ଭ ହେବା ପରଠାରୁ ଏହି କୋଇଲା  ମାଫିଆ ସକ୍ରିୟ ହୋଇ ଉଠିଛନ୍ତି । 

ସାଧାରଣତଃ ଧାମରା ବନ୍ଦରକୁ  ଜାହାଜରେ ଦକ୍ଷିଣ ଆଫ୍ରିକା, ଚୀନ୍‌ ଓ  ଅଷ୍ଟ୍ରେଲିଆରୁ କୋଇଲା ଆସୁଛି । ଆଫ୍ରିକା  ଓ ଚୀନ୍‌ର କୋଇଲା ଟିକେ ନିମ୍ନମାନର  ହୋଇଥିବା ବେଳେ ଅଷ୍ଟ୍ରେଲିଆର  କୋଇଲା ଉଚ୍ଚମାନର ଥିବାରୁ ତାହାର  ଚାହିଦା ବିଭିନ୍ନ କମ୍ପାନି ଓ କାରଖାନା  ପାଇଁ ଅଧିକ । ବନ୍ଦରରେ କୋଇଲା  ଅନଲୋଡ୍‌ ହେବା ପରେ ଭିନ୍ନ ଭିନ୍ନ  ଷ୍ଟକୟାର୍ଡରେ ମହଜୁଦ୍‌ ରହୁଛି ।  ଏହାପରେ ଟ୍ରେନ୍‌ ଯୋଗେ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,  ବିହାର ଭଳି ରାଜ୍ୟକୁ ତାହା  ପଠାଯାଉଛି । ବନ୍ଦରକୁ ମାସିକ ପ୍ରାୟ  ୮/୯ଟି କୋଇଲା ଜାହାଜ ଆସୁଥିବା  ବେଳେ ଧାମରା ଷ୍ଟେସନରୁ ଦୈନିକ ପ୍ରାୟ  ୮/୧୦ଟି ଟ୍ରେନ୍‌ ଭଦ୍ରକ ଦେଇ ଗନ୍ତବ୍ୟ  ସ୍ଥଳ ଅଭିମୁଖେ ଯାଉଛି । 

ଏହି କୋଇଲା ବୋଝେଇ ଟ୍ରେନ୍‌ ହିଁ ମାଫିଆଙ୍କ ପାଇଁ ହୋଇଛି  ସୁନାଖଣି(ରୋଜଗାରର ମାଧ୍ୟମ) । ପ୍ରତି ଟ୍ରେନରେ ୫୯/୬୦ଟି ବଗି/ ରେକ୍‌ ରହୁଛି । ଷ୍ଟକ୍‌ୟାର୍ଡରେ ବାହାରିବା ବେଳକୁ ଅଧିକାଂଶ ରେକ୍‌  ଓଭରଲୋଡ ହୋଇ ବାହାରୁଛି । ଧାମରାରୁ ଚରମ୍ପା ଷ୍ଟେସନ ମଧ୍ୟରେ ମାଣିପୁର, ଗୁରୁଦାସପୁର, ତିହିଡ଼ି, ଜିଝାରପୁର, ଭଟ୍ଟାତିରା ଭଳି ଛୋଟ  ଛୋଟ ଷ୍ଟେସନ ରହିଛି । ଟ୍ରେନ୍‌ ଲାଇନ ପାଶ୍ୱର୍ରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକୁ କୋଇଲା ଚୋରିର ମାଧ୍ୟମ କରାଯାଇଛି । କେଉଁ କାରଣରୁ  ଏହି ରୁଟ୍‌ରେ ଟ୍ରେନ୍‌ ଅତି ଧୀରେ ଧୀରେ ଚାଲେ, ତାହା ଅଜଣା । ବିଦ୍ୟୁତ ଖୁଣ୍ଟରେ ଚଢ଼ି ଯୁବକମାନେ ଲୁହା ଓ କାଠରେ ସ୍ୱତନ୍ତ୍ର ଭାବେ  ପ୍ରସ୍ତୁତ ହୋଇଥିବା ଯନ୍ତ୍ରରେ ଚଳନ୍ତା ଟ୍ରେନରୁ କୋଇଲା କାଢ଼ନ୍ତି । ପ୍ରାୟ ୩ ଶହରୁ ଅଧିକ ଖୁଣ୍ଟକୁ ଏଭଳି କାମରେ ବ୍ୟବହାର କରାଯାଉଛି ।  ତଳେ ପଲିଥିନ ବିଛା ଯାଇଥାଏ । ଦିନ ରାତି ଚବିଶ ଘଣ୍ଟା ଏହି ପ୍ରକ୍ରିୟା ଚାଲେ । ଟ୍ରେନ୍‌ ଯିବା ପରେ କୋଇଲାକୁ ଛୋଟ ଛୋଟ ବସ୍ତାରେ ଭର୍ତ୍ତି  କରାଯାଇ ଆଖପାଖରେ ସ୍ଥିର ହୋଇଥିବା ପଡ଼ିଆରେ ନେଇ ମହଜୁଦ୍‌  କରାଯାଏ । ସେଠାରୁ ରାତିରେ ଅଟୋ, ପିକ୍‌ଅପ ଭ୍ୟାନ୍‌ରେ ରେଳ  ଲାଇନ ପାଶ୍ୱର୍ ସର୍ଭିସ ରୋଡ୍‌ରେ ନେଇ ରାଜପଥରେ ପହଞ୍ଚାଯାଏ ।  ରାଜପଥରେ ପ୍ରସ୍ତୁତ ହୋଇ ରହିଥାଏ ବଡ଼ ଟ୍ରକ୍‌ । ସେଥିରେ କୋଇଲା  ଯାଏ ମାଫିଆଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାରଖାନାକୁ । ଏହି କାରବାର ସମ୍ପୂର୍ଣ୍ଣ ଭାବେ ୭ ଜଣ ବଡ଼ ମାଫିଆଙ୍କ ଦ୍ୱାରା  ପରିଚାଳିତ । ସେମାନଙ୍କ ଅଧୀନରେ ଅଛନ୍ତି କୁଜି ମାଫିଆ ଓ ଦଲାଲ । ଟ୍ରେନ୍‌ ଲାଇନ ପାଶ୍ୱର୍ ବିଦ୍ୟୁତ ଖୁଣ୍ଟ ବି ଏଥିଲାଗି ହେଉଛି ନିଲାମ । ମାସିକିଆ କିମ୍ବା ବର୍ଷିକିଆ ଅବଧିରେ ନିଲାମ ନିଆଯାଉଛି । ଖୁଣ୍ଟରେ  ଚଢ଼ି ବିପଜ୍ଜନକ ଭାବେ ବଗିରୁ କୋଇଲା କାଢ଼ିବାକୁ ପ୍ରଶିକ୍ଷଣ ପାଇ  କିଛି ଯୁବକ ଦରମା ନେଇ ନିଯୁକ୍ତ ଅଛନ୍ତି । ଏହି କଳା କୌଶଳରେ  ଯିଏ ଯେତେ ପାରଙ୍ଗମ ତାକୁ ସେତେ ଅଧିକ ବୋନସ୍‌ ମିଳୁଛି ।  

କୋଇଲା ଭର୍ତ୍ତି କରିବାକୁ ଆବଶ୍ୟକ ସିମେଣ୍ଟ ଓ ସାର ବସ୍ତା  ସଂଗ୍ରହ କରିବାକୁ ମଜୁରି ଭିତ୍ତିରେ ଗାଁ ଗାଁ ବୁଲୁଛନ୍ତି କବାଡ଼ିଆ ।  ବସ୍ତାରେ କୋଇଲା ଭର୍ତ୍ତି କରି ପାଖ ପଡ଼ିଆରେ ପହଞ୍ଚାଇବାକୁ  ନିଯୁକ୍ତ ହୋଇଛନ୍ତି ସୁପରଭାଇଜର । କୋଇଲା ବସ୍ତା ନେଇ ଅଟୋ-ଭ୍ୟାନ୍‌ରେ ରାଜପଥରେ ପହଞ୍ଚାଇବାକୁ ଠିକା ନେଇଛନ୍ତି ପରିବହନ  ଠିକାଦାର । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଠିକଣା ଢଙ୍ଗରେ ପରିଚାଳନା କରିବାକୁ  ସିକ୍ୟୁରିଟି କାମରେ ମୁତୟନ ହୋଇଛନ୍ତି ଗୁଣ୍ଡା ଶ୍ରେଣୀୟ ଯୁବକ। ସେମାନଙ୍କ ହାତରେ ଅସ୍ତ୍ରଶସ୍ତ୍ର ଆଉ ସବୁବେଳେ ନିଶାରେ ଚୁର୍‌ ।  ସର୍ଭିସ ରୋଡରେ କୋଇଲା ଭ୍ୟାନ୍‌ ଯିବା ବେଳେ ଆଗ ପଛରେ  ବାଇକରେ ଯାଉଛନ୍ତି ଏସକର୍ଟ ଗାର୍ଡ । ରାଜପଥରେ କୋଇଲା ଟ୍ରକ  ଭଦ୍ରକ ଜିଲ୍ଲା ପାର୍‌ ହେବା ପର୍ଯ୍ୟନ୍ତ ଏସକର୍ଟ ଭ୍ୟାନ୍‌ ମଧ୍ୟ ରହୁଛି ।  କେବଳ ଯେ ସଡ଼କ ପଥରେ ମାଫିଆଙ୍କ ନେଟୱର୍କ ରହିଛି ତାହା  ନୁହେଁ, ଜଳପଥରେ ମଧ୍ୟ ସେମାନଙ୍କ କାରବାର ସକ୍ରିୟ । ବ୍ରାହ୍ଣଣୀ,  ବୈତରଣୀ ଏବଂ ଖରସୁଆଁ ନଦୀରେ ବୋଟ୍‌ ମାଧ୍ୟମରେ ବି  କୋଇଲାର ଏହି ଚୋରା କାରବାର ଚାଲିଛି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ମାଫିଆଙ୍କ ଏହି କାରବାରକୁ  ରୋକିବାକୁ ଏଠି କେହି ନାହିଁ । ସ୍ଥାନୀୟ ପୁଲିସ, ବନ୍ଦରର ଷ୍ଟକୟାର୍ଡ ଦାୟିତ୍ୱରେ ଥିବା ଏଜେନ୍ସି, ଟ୍ରେନ୍‌ରେ କୋଇଲା ଲୋଡିଂ କରୁଥିବା  ଏଜେନ୍ସି, ପ୍ରଶାସନିକ ଅଧିକାରୀ ଏବଂ ରେଳବାଇ ପୁଲିସ ସମସ୍ତେ ମାଫିଆଙ୍କ ଦ୍ୱାରା ଉପକୃତ ହେଉଛନ୍ତି । କୋଇଲା କାରବାରରୁ ବିପୁଳ  ଅର୍ଥ ରୋଜଗାର କରୁଥିବା ବେକାର ଯୁବକମାନେ ବ୍ରାଉନ ସୁଗର  ଓ ବନ୍ଧୁକ ବେପାରରେ ଟଙ୍କା ଖଟାଉଥିବା ଜଣାପଡ଼ୁଛି । ଜିଲ୍ଲାରେ  ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ଏମାନଙ୍କ ଦ୍ୱାରା ପ୍ରଭାବିତ ହେଉଛି।


  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.