ପ୍ରମୂଖ ଖବର
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଫରେଷ୍ଟର ସଂଜୟ ନାୟକ ମୃତ୍ୟୁ ମାମଲା: ଆତ୍ମହତ୍ୟା ପାଇଁ ବାଧ୍ୟ କରାଗଲା! ଆର୍ଥିକ ନିର୍ଯାତନା ହୋଇଥିଲା ଅସହ୍ୟ...

ଭୁବନେଶ୍ୱର, ୨୧/୦୯:  ଚାକିରି ଫରେଷ୍ଟର । ମୁଣ୍ଡ ଉପରେ କିନ୍ତୁ ଦାୟିତ୍ୱ ରେଞ୍ଜର ଠାରୁ ଅଧିକ । ଚାରା ଉତ୍ପାଦନ ପାଇଁ ନର୍ସରୀ ବେଡ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଥିଲା ।  ଏଥିପାଇଁ ବିଭାଗ ଦେବା କଥା ୨୪  ଲକ୍ଷ । କିନ୍ତୁ ବିନା ଟଙ୍କାରେ କାମ କରିବାକୁ ନିର୍ଦ୍ଦେଶ ଦିଆଗଲା । ଧାର ଉଧାର, ଋଣ କରି କାମ କରାଗଲା । ସେଥିରେ ପୁଣି ଉପରିସ୍ଥ ଅଧିକାରୀ ମାଗିଲେ ମୋଟା କମିଶନ । ସମ୍ପୂର୍ଣ୍ଣ କମିଶନ ଅର୍ଥ ଦିଆ ନ ଯିବାରୁ ଖର୍ଚ୍ଚ ହୋଇଥିବା ପାଣ୍ଠି ରିଲିଜ୍‌  କରାଗଲା ନାହିଁ ଏବଂ ବଦଳି ବି  କରି ଦିଆଗଲା । କ’ଣ କରିଥାନ୍ତେ  ଫରେଷ୍ଟର ସଞ୍ଜୟ ନାୟକ । ବାଧ୍ୟ ହେଲେ ଜୀବନ ହାରିବାକୁ । ଏଭଳି ଅଭିଯୋଗ ଖୋଦ୍‌ ସଞ୍ଜୟଙ୍କ ପରିବାର କରିଛନ୍ତି ।  

କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍‌ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା ପଛରେ ଥିବା ନିର୍ଯାତନା କାହାଣୀ ଧୀରେ ଧୀରେ ପଦାକୁ ଆସୁଛି। ସଞ୍ଜୟଙ୍କ ସୁଇସାଇଡ ନୋଟ୍‌କୁ ଲୁଚାଇବାକୁ ବିଭାଗର  ଉପରିସ୍ଥ ଅଧିକାରୀମାନେ ଉଦ୍ୟମ  କରିଥିଲେ ମଧ୍ୟ ଏହା ଚର୍ଚ୍ଚାକୁ  ଆସିଛି । ବିଭାଗ ପକ୍ଷରୁ ସଞ୍ଜୟଙ୍କ  ନିର୍ଯାତନାର କାହାଣୀ ଉପରେ  ପରଦା ଢାଙ୍କିବାକୁ ଉଦ୍ୟମ ଆରମ୍ଭ  ହୋଇଯାଇଛି । ତିନି ଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର କିମ୍ବା ବନ ବିଭାଗ  ପକ୍ଷରୁ ତଦନ୍ତକୁ ତ୍ୱରାନ୍ୱିତ କରାଯାଇନାହିଁ । ଯଦିଓ ଘଟଣାର କ୍ରାଇମବ୍ରାଞ୍ଚ  ତଦନ୍ତ ପାଇଁ ପରିବାର ପକ୍ଷରୁ ଦାବି ହୋଇଛି । ସେ ଆତ୍ମହତ୍ୟା  କରିନାହାନ୍ତି, ବରଂ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବା ଭଳି  ପରିସ୍ଥିତିରେ ଛିଡ଼ା କରାଯାଇଥିବା ସଞ୍ଜୟଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।  

ସଞ୍ଜୟଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ବନ ବିଭାଗର  ଜଣେ କର୍ମଚାରୀ କହିଛନ୍ତି, ଚଳିତ ବର୍ଷ ଭବାନୀପାଟଣାର ଜାରିଂ ନର୍ସରୀରେ ୨ ଲକ୍ଷ ପଲିପଟ୍‌ ଚାରା ଉତ୍ପାଦନ ପାଇଁ ଅର୍ଡର ମିଳିଥିଲା । ଏଥିପାଇଁ ୨୪ ଲକ୍ଷ ଟଙ୍କାରୁ (ପ୍ରତି ଚାରା ପିଛା ୧୨ ଟଙ୍କା ୬୦ ପଇସା)ଅଧିକ ବିଭାଗରୁ ମିଳିବା କଥା । କିନ୍ତୁ ଟଙ୍କାଟିଏ ରିଲିଜ୍‌  ହେବା ପୂର୍ବରୁ ଚାରା ଉତ୍ପାଦନ କାମ ସାରିବାକୁ ସଞ୍ଜୟଙ୍କୁ ନିର୍ଦ୍ଦେଶ  ଥିଲା । ତେଣୁ ସେ ହାତରୁ ପଇସା ଖର୍ଚ୍ଚ କରି ନର୍ସରୀ ବେଡ୍‌ (ଚାରା  ପ୍ରସ୍ତୁତି) କାମ ଆରମ୍ଭ କରିଥିଲେ । କିନ୍ତୁ ବିଭାଗ ପକ୍ଷରୁ ତାଙ୍କୁ ପାଣ୍ଠି  ରିଲିଜ୍‌ କରାଯାଇ ନଥିଲା । ତେଣୁ ସେ ଚିନ୍ତିତ ଥିଲେ । 

ସଞ୍ଜୟଙ୍କ ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି, ଗତ  ଗଣେଶ ପୂଜା ସମୟରେ ସଞ୍ଜୟ ଉପରିସ୍ଥ ଅଧିକାରୀଙ୍କୁ ଅଢ଼େଇ  ଲକ୍ଷ ଟଙ୍କା କମିଶନ ଦେଇଛନ୍ତି । ନର୍ସରୀରେ ଚାରା ଉତ୍ପାଦନ ପାଇଁ  ଅର୍ଥ ଆବଶ୍ୟକ ଥିବାରୁ ମା’ ଅଢ଼େଇ ଲକ୍ଷ ଟଙ୍କା ସୁଧକୁ ଆଣି  ସଞ୍ଜୟଙ୍କୁ ଦେଇଥିଲେ । ପ୍ରତି ବର୍ଷ ଯେଉଁ ବନ୍ଧୁଙ୍କ ନିକଟରୁ ସଞ୍ଜୟ  ସୁଧକୁ ଅର୍ଥ ଆଣନ୍ତି ତାଙ୍କଠାରୁ ସେ ଗତ ଗଣେଶ ପୂଜା ସମୟରେ  ୩ ଲକ୍ଷ ଟଙ୍କା ଆଣିଛନ୍ତି । ଏତିକି ଟଙ୍କାର ବୋଝ ତାଙ୍କ ଉପରେ  ଥିଲା । 

ଏଭଳି ସମୟରେ ଦାବି ମୁତାବକ କମିଶନ ନ ଦେବାରୁ  ତାଙ୍କୁ ବଦଳି କରିଦେବାକୁ ଧମକ ମିଳିଥିଲା । ଏଥିସହ ତାଙ୍କ  ପଦୋନ୍ନତି ରୋକିବାକୁ ସିସିଆର(କନ୍‌ଫିଡେନ୍ସିଆଲ କ୍ୟାରେକ୍ଟର  ରୋଲ୍‌ସ୍‌) ଖରାପ କରି ଦିଆଯିବ ବୋଲି ଧମକ ଦିଆଯାଇଥିଲା । କିନ୍ତୁ ସଞ୍ଜୟ କମିଶନ ଦେବାରେ ବିଫଳ ହୋଇଥିଲେ ଓ ତାଙ୍କ ବଦଳି  ସୁଦୂର ବଲାଙ୍ଗିରକୁ କରି ଦିଆଯାଇଥିଲା । ପୁଣି ତାଙ୍କ ବଦଳରେ  ଯାହାଙ୍କୁ ଅଣାଯାଉଥିଲା, ତାଙ୍କ ନାମରେ ପୂର୍ବରୁ ଭିଜିଲାନ୍ସ ମାମଲା  ରହିଛି । ପଦୋନ୍ନତି ହେବା ସମୟ ହୋଇଥିବାରୁ ସଞ୍ଜୟ ବିଚଳିତ ହୋଇପଡ଼ିଲେ। ତାଙ୍କ ପରିବାର ରାୟଗଡ଼ାରେ ରହନ୍ତି । ଏକ ପକ୍ଷରେ  ମୁଣ୍ଡ ଉପରେ ବିପୁଳ ଅର୍ଥର ଋଣ ବୋଝ ଏବଂ ଅନ୍ୟ ପକ୍ଷରେ ବଦଳି ଚିନ୍ତା । ଚାରା ପ୍ରସ୍ତୁତି ବାବଦ ଅର୍ଥ ରିଲିଜ୍‌ କରିବାକୁ ରିକ୍ୱିଜିସନ  ଦେଇଥିଲେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ଆକାଉଣ୍ଟ୍‌ସ  ସେକ୍ସନ ପାଣ୍ଠି ରିଲିଜ୍‌ କରି ନଥିଲା । ଏଭଳି ସମୟରେ ବଦଳି  ହୋଇ ଯାଇଥିବାରୁ କିପରି ଋଣ ଅର୍ଥ ଶୁଝିବେ ତାହା ତାଙ୍କ ମୁଣ୍ଡକୁ  ଘାରିଥିଲା । ଶେଷରେ ସେ ଆତ୍ମହତ୍ୟାର ପଥ ବାଛି ନେଇଥିଲେ  ବୋଲି କୋହଭରା କଣ୍ଠରେ କହିଛନ୍ତି ତାଙ୍କ ପତ୍ନୀ ପ୍ରିୟଙ୍କା ସୁବୁଦ୍ଧି।

ସୁଇସାଇଡ୍‌ ନୋଟ୍‌ରେ ସଞ୍ଜୟ ସ୍ପଷ୍ଟ ଲେଖିଛନ୍ତି, ନର୍ସରୀ  ବେଡ୍‌ ପ୍ରସ୍ତୁତି ପାଇଁ ସେ ଅର୍ଥ ଖର୍ଚ୍ଚ କରିଥିଲେ ମଧ୍ୟ ପାଣ୍ଠି ରିଲିଜ୍‌  କରାଗଲା ନାହିଁ । ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଲେଙ୍କା ମାଡାମ୍‌ ତାହାକୁ  ରୋକିଦେଲେ । ଏବେ ସେ କିପରି ଅର୍ଥ ଶୁଝିବେ? ଯଦି ଘଟଣାର  ବିଧିବଦ୍ଧ ତଦନ୍ତ କରାଯାଏ ଏବଂ ଲେଙ୍କା ମାଡାମ୍‌ଙ୍କୁ ତଦନ୍ତ ପରିସରକୁ  ଅଣାଯାଏ ତେବେ ଅନେକ କଥା ପଦାକୁ ଆସିବ ବୋଲି ସଞ୍ଜୟଙ୍କ  ସମ୍ପର୍କୀୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.