ନୂଆଦିଲ୍ଲୀ,୨୩/୦୫: ଗୋଟିଏ ପଟେ ଆଇପିଏଲ୍ ୨୦୨୪ ସିଜିନ୍ ଶେଷ ହେବାକୁ ଯାଉଥିବାବେଳେ ଟି -୨୦ ବିଶ୍ୱକପ୍ ମଧ୍ୟ ଆସନ୍ତା ମାସରୁ ଆରମ୍ଭ ହେବାକୁ ଯାଉଛି। ଏହାର ଅର୍ଥ ହେଉଛି ଖେଳାଳି ଏବଂ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ନିଶ୍ୱାସ ନେବାକୁ ସମୟ ନାହିଁ କାରଣ ଜବରଦସ୍ତ ସେଡ୍ୟୁଲ ରହିଛି। କିନ୍ତୁ ଏସବୁ ମଧ୍ୟରେ ବିସିସିଆଇ ମଧ୍ୟ ନିଃଶ୍ୱାସ ନେବାକୁ ସମୟ ପାଉନି। ଅର୍ଥାତ୍ ବିସିସିଆଇ ଏବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ କୋଚ୍ ଖୋଜିବାରେ ବ୍ୟସ୍ତ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମାତ୍ର ବିସିସିଆଇର ପ୍ରସ୍ତାବକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଦୁଇଜଣ ଭେଟେରାନ ଅଗ୍ରାହ୍ୟ କରିଦେଇଛନ୍ତି। ଏହାର ଏକ ବଡ଼ କାରଣ ହେଉଛି ବିସିସିଆଇର ପ୍ରିୟ ଟୁର୍ନାମେଣ୍ଟ ଆଇପିଏଲ୍ ଅଟେ। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଜୁନ୍ ମାସରେ ଟି୨୦ ବିଶ୍ୱକପ ସହିତ ଶେଷ ହେବ। ଏଭଳି ପରିସ୍ଥିତିରେ ଭାରତୀୟ କ୍ରିକେଟ୍ ବୋର୍ଡ ଚଳିତ ମାସ ଆରମ୍ଭରେ ଏହାର ପରବର୍ତ୍ତି କୋଚ୍ ଖୋଜିବା ପାଇଁ ଘୋଷଣା କରିଥିଲା। ବୋର୍ଡ ଏଥିପାଇଁ କିଛି ଦିନ ପୂର୍ବରୁ ଏକ ବିଜ୍ଞାପନ ମଧ୍ୟ ଦେଇଥିଲା ଏବଂ ଆବେଦନ ପାଇଁ ମେ ୨୭ ତାରିଖ ଧାର୍ଯ୍ୟ କରାଯାଇଥିଲା। ଯଦିଓ ବୋର୍ଡ ଦ୍ରାବିଡଙ୍କୁ ପୁନର୍ବାର ଆବେଦନ କରିବାର ବିକଳ୍ପ ଦେଇଛି, ତଥାପି ସେ ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଏପରିସ୍ଥଳେ ବିସିସିଆଇ ପାଇଁ ଟିମ୍ ଇଣ୍ଡିଆର ପରବର୍ତ୍ତି କୋଚ୍ ଚୟନକୁ ନେଇ ବଡ଼ ଚିନ୍ତା ରହିଛି।
ସିଧା ମନା କରିଦେଲେ ରିକି ପଣ୍ଟିଂ:
ଖବର ଅନୁଯାୟୀ, ବିସିସିଆଇ ବିଶ୍ୱ କ୍ରିକେଟ୍ର କିଛି ବଡ଼ କ୍ରିକେଟରଙ୍କ ସହିତ ଯୋଗାଯୋଗ କରିଥିଲା କିନ୍ତୁ ଏଥିରେ ସଫଳତା ମିଳିନଥିଲା। ଏହି ତାଲିକାରେ ସବୁଠାରୁ ବଡ଼ ନାଁ ହେଉଛି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ, ଯିଏ ଟିମ୍ ଇଣ୍ଡିଆର କୋଚ୍ ହେବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି। ଗତ କିଛି ଦିନ ତଳେ ପଣ୍ଟିଂଙ୍କ ସମେତ ଭାରତୀୟ ବୋର୍ଡ କିଛି ଷ୍ଟଲୱାର୍ଟଙ୍କ ସହ ଯୋଗାଯୋଗ କରିଥିବା ଖବର ଆସିଥିଲା। ଆଇସିସିକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ପଣ୍ଟିଂ ସ୍ୱୀକାର କରିଛନ୍ତି ଯେ ଆଇପିଏଲ ସମୟରେ କିଛି ଲୋକ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେମାନେ ତାଙ୍କ ସହ କଥା ହୋଇଥିଲେ, କିନ୍ତୁ ସେ ଏହି ଅଫରକୁ ସିଧାସଳଖ ମନା କରିଦେଇଥିଲେ।
ସଦ୍ୟତମ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ପଦବୀ ପାଇଁ ବିସିସିଆଇ ଗୌତମ ଗମ୍ଭୀର, ରିକି ପଣ୍ଟିଂ, ଷ୍ଟିଫେନ୍ ଫ୍ଲେମିଂ ଏବଂ ଜଷ୍ଟିନ ଲେଙ୍ଗରଙ୍କ ଭଳି ଭେଟେରାନଙ୍କ ନିକଟକୁ ଯାଇଛନ୍ତି। ଗମ୍ଭୀର ଏବଂ ଫ୍ଲେମିଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନଥିବା ବେଳେ ପଣ୍ଟିଂଙ୍କ ପରି ଜଷ୍ଟିନ ଲେଙ୍ଗର ମଧ୍ୟ ସିଧାସଳଖ କୋଚ୍ ହେବା ଅଫର୍କୁ ମନା କରି ଦେଇଛନ୍ତି।