ନୂଆଦିଲ୍ଲୀ: ଟାରିଫ ବା ଶୁଳ୍କ ନୀତି ପ୍ରସଙ୍ଗରେ ଆମେରିକା ଏବଂ ଭାରତର ଶୀର୍ଷ ସ୍ତରୀୟ ନେତାଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି । ଏନେଇ ଅଢ଼େଇ ଦିନିଆ ଭାରତ ଗସ୍ତରେ ଥିବା ଆମେରିକାର ରାଷ୍ଟ୍ରୀୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ତୁଳସୀ ଗାବାର୍ଡ କହିଛନ୍ତି । ବାର୍ଷିକ ବହୁରାଷ୍ଟ୍ରୀୟ ସମ୍ମିଳନୀ ‘ରାଇସିନା ଡାଏଲଗ୍’ରେ ଯୋଗ ଦେବାକୁ ତୁଳସୀ ଗାବାର୍ଡ ରବିବାର (ମାର୍ଚ୍ଚ ୧୬)ରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲେ । ଦୁଇ ଦେଶ ମଧ୍ୟରେ ସଂପର୍କ ଏବଂ ଏହାକୁ ଆହୁରି କିଭଳି ସୁଦୃଢ଼ କରିହେବ ସେନେଇ ଏଏନଆଇକୁ ଗାବାର୍ଡ ପ୍ରତିକ୍ରିୟା ଦେଇ କହିଛନ୍ତି ।
ଏନଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କ ପ୍ରସଙ୍ଗରେ ଶୀର୍ଷ ସ୍ତରରେ ସିଧାସଳଖ ଆଲୋଚନା ଚାଲିଛି । ଏହା ଭାରତ ଏବଂ ଆମେରିକା ମଧ୍ୟରେ ଆର୍ଥିକ ସମ୍ପର୍କକୁ ମଜବୁତ କରିବାର ଏକ ସୁଯୋଗ । ଶୁଳ୍କ ବିବାଦ ମଧ୍ୟରେ, ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଗାବାର୍ଡ କହିଛନ୍ତି, ‘ଗତ କିଛି ଦିନ ଧରି ମୁଁ ଯେଉଁ ଭାରତୀୟ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛି, ସେମାନଙ୍କଠାରୁ ମୁଁ ଯାହା ଶୁଣିଛି, ଏଠାରେ ଏକ ସୁଯୋଗ ଅଛି । ଆମ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାର ସମ୍ଭାବନା ଅଧିକ ଥିବା ପରି ମନେ ହେଉଛି। ମୁଁ ଖୁସି ଯେ ସେମାନେ ଏହାକୁ ନକାରାତ୍ମକ ଦୃଷ୍ଟିକୋଣ ଅପେକ୍ଷା ଅଧିକ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖୁଛନ୍ତି।’
ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶ୍ଚିତ ଭାବରେ ଭାରତର ଅର୍ଥନୀତି ଏବଂ ଏହାର ଲୋକଙ୍କ ପାଇଁ ଉପଲବ୍ଧ ସୁଯୋଗର ସର୍ବୋତ୍ତମ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି। ସେହିପରି ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଆମେରିକା, ଆମର ଅର୍ଥନୈତିକ ସ୍ୱାର୍ଥ ଏବଂ ଆମେରିକୀୟ ଲୋକଙ୍କ ସ୍ୱାର୍ଥ ପାଇଁ ସମାନ କାମ କରୁଛନ୍ତି।’ ସେ କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଏକ ଭଲ ସମାଧାନ ଖୋଜୁଛନ୍ତି। ଶୁଳ୍କ ବିବାଦର ସମାଧାନ ପାଇଁ ଆଶାବାଦୀ ତୁଲସୀ ଗବାର୍ଡ କହିଛନ୍ତି, ‘ମୁଁ ସବୁଠାରୁ ସକାରାତ୍ମକ କଥା ଦେଖୁଛି ଯେ ଆମ ପାଖରେ ଦୁଇଜଣ ନେତା ଯେଉଁମାନେ ଉତ୍ତମ ସମାଧାନ ଖୋଜୁଛନ୍ତି । ଆମ ଉଭୟ ଦେଶର ସର୍ବୋଚ୍ଚ ସ୍ତରରେ ସିଧାସଳଖ ଆଲୋଚନା ହେଉଛି । ଭାରତ ଏବଂ ଆମେରିକା ଉଭୟ ଘରୋଇ କ୍ଷେତ୍ରରେ ପ୍ରବଳ ଆଗ୍ରହ ଥିବାରୁ ମୁଁ ବ୍ୟକ୍ତିଗତ ଭାବରେ ଅତ୍ୟନ୍ତ ଉତ୍ସାହିତ।’
ରାଜନାଥ ସିଂହଙ୍କୁ ଭେଟିଲେ ତୁଳସୀ ଗବାର୍ଡ
ଆଜି ସକାଳେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଭାରତ-ଆମେରିକା ସାମଗ୍ରିକ ରଣନୈତିକ ସମ୍ପର୍କକୁ ବୃଦ୍ଧି କରିବା ଉପରେ ବିଶେଷକରି ପ୍ରତିରକ୍ଷା ଏବଂ ସୂଚନା ଆଦାନପ୍ରଦାନ କ୍ଷେତ୍ରରେ ଗୁରୁତ୍ୱ ଦିଆଯାଇଛି। ରାଜନାଥ ସିଂହ ଏକ୍ସରେ ଲେଖିଛନ୍ତି, ‘ଭାରତ ଏବଂ ଆମେରିକା ସଂପର୍କ ସୁଦୃଢ଼ କରିବାକୁ ନେଇ ତୁଳସୀ ଗାବାର୍ଡଙ୍କ ସହ ଆଲୋଚନା ପାଇଁ ମୁଁ ବେଶ ଖୁସି । ପ୍ରତିରକ୍ଷା ଏବଂ ଦୁଇ ଦେଶ ମଧ୍ୟ ସହଭାଗିତା ନେଇ ଆମେ ବିସ୍ତୃତ୍ବ ଆଲୋଚନା କରିଛୁ ।’ ସେପଟେ ତୁଳସୀ ଗାବାର୍ଡ ଜାତୀୟ ସୁରକ୍ଷା ପରାମର୍ଶଦାତା ଅତିଜ ଡୋଭାଲ୍ଙ୍କୁ ମଧ୍ୟ ଭେଟିଛନ୍ତି ।