ନୂଆଦିଲ୍ଲୀ: ବିବାଦରେ ଛନ୍ଦିହେଲେ ପାକିସ୍ତାନର ଅଲରାଉଣ୍ଡର ଆମିର ଜମାଲ। ଖବର ମୁତାବକ ଅକ୍ଟୋବର ୨୦୨୪ ରେ ଇଂଲଣ୍ଡ ବିପକ୍ଷରେ ଏକ ଘରୋଇ ଟେଷ୍ଟ ମ୍ୟାଚ୍ ସମୟରେ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ(PCB)ର ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ୧.୪ ମିଲିୟନ ପାକିସ୍ଥାନି ଟଙ୍କା ଜୋରିମାନା ଲଗାଇଛି ପିସିବି। ତେବେ ଜମାଲ ଖେଳ ଶେଷ ହେବା ପରେ ଏକ ସାକ୍ଷାତକାର ଦେବା ସମୟରେ ତାଙ୍କ ଟେଷ୍ଟ କ୍ୟାପରେ '୮୦୪' ନମ୍ବର ପ୍ରଦର୍ଶନ କରିଥିଲେ। ଯାହା ସିଧାସଳଖ ପାକିସ୍ତାନର ରାଜନୈତିକ ମାମଲାରେ ଜମାଲଙ୍କ ସମର୍ଥନକୁ ଦର୍ଶାଉଥିଲା ବୋଲି ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଅମିର ଜମାଲଙ୍କ ଟୋପିରେ ଲେଖାଥିବା '୮୦୪' ନମ୍ବର ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ ଏକ ରାଜନୈତିକ ବିବୃତ୍ତି ଭାବରେ ଗ୍ରହଣ କରାଯାଇଛି। ଇମ୍ରାନ ଖାନଙ୍କୁ ପାକିସ୍ତାନର ସର୍ବକାଳୀନ ମହାନ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। କାରଣ ସେ ୧୯୯୨ ମସିହାରେ ଦେଶକୁ ପ୍ରଥମ ଏବଂ ଏକମାତ୍ର କ୍ରିକେଟ ବିଶ୍ୱକପ୍ ଟାଇଟଲ ଜିତିବାରେ ସାହାଯ୍ୟ କରିଥିଲେ। ଅନେକ ଆଧୁନିକ ଖେଳାଳି ତାଙ୍କୁ ଜଣେ ହିରୋ ବୋଲି ମାନିଥାନ୍ତି। କିନ୍ତୁ ବର୍ତ୍ତମାନ ସେ ବିଭିନ୍ନ ମାମଲାରେ ଛନ୍ଦି ହୋଇ ପାକିସ୍ତାନି ଜେଲରେ ସଜା କାଟୁଛନ୍ତି। ଏଣୁ ତାଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ସମର୍ଥକମାନେ '୮୦୪' ନମ୍ୱରର ବ୍ୟବହାର କରୁଛନ୍ତି। କାରଣ ପାକିସ୍ତାନରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ମୁତାବକ ଇମ୍ରାନ ରହୁଥିବା ଜେଲରେ ତାଙ୍କ ବ୍ୟାଚ ନମ୍ୱର ହେଉଛି '୮୦୪'। ଏଣୁ ଜମାଲଙ୍କୁ ଏହି ରାଜନୈତିକ ସମର୍ଥନରେ ଭାଗନେଇଥିବା ଅଭିୟୋଗରେ ପିସିବି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ପିସିବି ଜମାଲଙ୍କ ଏହି କାର୍ଯ୍ୟକୁ କଡା ନିନ୍ଦା କରିବା ସହ ଏଥିରେ ବୋର୍ଡର ନିୟମାବଳୀରେ ଉଲ୍ଲଂଘନ ହୋଇଥିବା କହିଥିଲା। ଏହା ସହ ଖେଳାଳିମାନେ କିପରି ଆଗକୁ ପଡ଼ିଆ ମଧ୍ୟରେ ରାଜନୈତିକ ବାର୍ତ୍ତା ପ୍ରସାରଣରୁ ଦୂରେଇ ରହିବେ ସେଥିପାଇଁ ଏକ ନିଷ୍ପତ୍ତି ଗ୍ରହଣ କରିଥିଲା। ଜମାଲଙ୍କ ଏହି ବିବାଦୀୟ ପଦକ୍ଷେପ ପାଇଁ ତାଙ୍କୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନର ଚୂଡାନ୍ତ ଦଳରେ ସ୍ଥାନ ଦିଆଯାଇ ନଥିଲାବୋଲି ଜଣାପଡ଼ିଛି। ତେବେ ଆପଣଙ୍କୁ ଜଣାଇରଖୁ ଯେ ଗ୍ରୁପ୍-ଷ୍ଟେଜରେ ଦୁଇଟି ମ୍ୟାଚ୍ ରୁ ଦୁଇଟି ହାରିବା ପରେ ପାକିସ୍ତାନ ଶେଷରେ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା।
କେବଳ ଜମାଲ ନୁହେଁ ଆହୁରି ଅନେକ ଖେଳାଳିଙ୍କ ଉପରେ ପିସିବି ଆଚରଣ ସଂହିତା ଭାଙ୍ଗିବା ଅଭିଯୋଗରେ ଏପରି ଆକ୍ସନ ଗ୍ରହଣ କରିଛି। ସେମାନଙ୍କ ମଧ୍ୟରେ ସଇମ ଆୟୁବ, ସଲମାନ ଅଲ୍ଲୀ ଅଘା ଓ ଅବଦୁଲ୍ଲା ସାଫିକ୍କ ଆଦି ରହିଛନ୍ତି। ଗତବର୍ଷ ଅଷ୍ଟ୍ରେଲିଆରେ ହୋଇଥିବା ମ୍ୟାଚ୍ ପରେ ଉପୋରୋକ୍ତ ଖେଳାଳି ମାନେ ପାକିସ୍ଥାନକୁ ଫେରିବାକୁ ଡେରି କରିବାରୁ ସେମାନଙ୍କ ଉପରେ ପିସିବି ୫ ଲକ୍ଷ ପାକିସ୍ଥାନୀ ଟଙ୍କା ଜୋରିମାନା ଲଗାଇଥିଲା। ସେହିଭଳି ସାଉଥ ଆଫ୍ରିକା ଯାତ୍ରାରେ ଦଳରେ ଶୃଙ୍ଖଳା ରକ୍ଷା ନକରିବା ପାଇଁ ପିସିବି ସୁଫିୟାନ ମୁକିମ, ଅବ୍ବାସ ଆଫ୍ରିଦି ଓ ଉସମାନ ଖାନଙ୍କ ଉପରେ ୨୦୦ ଆମେରିକୀୟ ଡଲାରର ଜୋରିମାନା ଲଗାଇଥିଲା।