ନୂଆଦିଲ୍ଲୀ: ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ତଥା ଗାୟକ ଏଆର ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ। ୫୮ ବର୍ଷିୟ ଏଆର ରେହମାନ ବର୍ତ୍ତମାନ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଇଥିବା ନେଇ ସୂଚନା ମିଳିଛି। ତେବେ ଦୁଇଦୁଇଥର ଓସ୍କାର ଓ ଗ୍ରାମି ପୁରସ୍କାର ଜିତିଥିବା ଏହି ମହାନ ସଂଙ୍ଗୀତଜ୍ଞ କିଛି ମାସ ତଳେ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାର ପରିସରରେ ରହିଥିଲେ। ତେବେ ଚାଲୁ ରହିଥିବା ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ତାଙ୍କ ପତ୍ନୀ ସାଇରା ରେହମାନ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ଶୁଣି ସାଇରା “ଆମ ଦୁହିଁଙ୍କର ଆଧିକାରିକ ସ୍ତରରେ ବିବାହ ବିଚ୍ଛେଦ ହୋଇନାହିଁ। ଆମେ ବର୍ତ୍ତମାନ ମଧ୍ୟ ସ୍ୱାମି-ସ୍ତ୍ରୀ ଭଳି ରହିଛୁ” ବୋଲି କହିଛନ୍ତି।
ଏନେଇ ଏକ ଅଡିଓ ମେସେଜ ରେକର୍ଡିଂ କରି ସାଇରା ରେହମାନ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ନିକଟକୁ ପଠାଇଥିବା ଜଣାପଡିଛି। ଏହି ରେକର୍ଡିଂରେ ସାଇରା “ବିଗତ ଦୁଇ ବର୍ଷ ହେବ ମୋ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ଆମେ ଅଲଗା ରହୁଥିଲୁ। ଏମିତିରେ ବି ମୁଁ ତାଙ୍କୁ କୌଣସି ଚିନ୍ତା ଦେବାକୁ ଚାହୁଁ ନଥିଲି। ତେଣୁ ମୁଁ ସମସ୍ତ ଗଣମାଧ୍ୟମମାନଙ୍କୁ ଅନୁରୋଧ କରୁଛି ଯେ ଦୟାକରି ବାରମ୍ୱାର ମତେ ତାଙ୍କର ପୂର୍ବତନ ପତ୍ନୀ ବୋଲି କୁହନ୍ତୁ ନାହିଁ। ଆପଣମାନେ ଭାବୁଥାଇ ପାରନ୍ତି ଆମେ ଅଲଗା ବୋଲି। କିନ୍ତୁ ମୁଁ ସବୁଦିନ ତାଙ୍କ ପାଇଁ ପାର୍ଥନା କରେ” ବୋଲି କହୁଥିବା ଶୁମାଯାଇଛି।
ଖବର ମୁତାବକ, ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଗତ ରବିବାର ଦିନ ଏଆର ରେହମାନଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ଡିହାଇଡ୍ରେସନ ହୋଇଥିବା ଜଣାପଡିଥିଲା। ତେବେ ତାଙ୍କୁ କିଛି ଘଣ୍ଟାର ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ଘରକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଏହି ସୂଚନା ତାଙ୍କ ମ୍ୟାନେଜର ସେନ୍ଥିଲ ଭେଲନ ଦେଇଥିବା ଜଣାପଡିଛି।
ଏଆର ରେହମାନଙ୍କ ପୁଅ ଏଆର ଅମିନ ବାପାଙ୍କ ମେଡିକାଲ ଆଡମିସନ ଚିଠାଟିକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲଗାଇଥିବା ଜଣାପଡିଛି। ଏହି ମେଡିକାଲ ଚିଠାରେ ହସ୍ପିଟାଲ କତ୍ତୃପକ୍ଷଙ୍କ ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଓ କାରଣ ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହି ଚିଠାରେ ରେହମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ “ତାଙ୍କର ଡିହାଇଡ୍ରେସନର ଲକ୍ଷଣ ପ୍ରକାଶ ପାଇଥିଲା। ତେବେ ବିଭିନ୍ନ ରୁଟିନ ଚେକଅପ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଚ୍ଚ କରାଗଲା” ବୋଲି ଲେଖିଥିବା ନଜରକୁ ଆସିଛି।
ଆପଣଙ୍କୁ ଜଣାଇରଖୁ ଯେ ଗତବର୍ଷ ନଭେମ୍ୱର ୧୯ ତାରିଖରେ ଏଆର ରେହମାନଙ୍କ ପତ୍ନୀ ସାଇରା ଉଭୟେ ଅଲଗା ହେଉଛନ୍ତି ବୋଲି ଘୋଷଣା କରିଥିଲେ। ଏହି ଖବର ଶୁଣି ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ବିବାହରେ ୨୯ ବର୍ଷ ପରେ ହଠାତ୍ ଏ ପ୍ରକାରର ଘୋଷଣା ସାଇରା କଣ ପାଇଁ କଲେ କେହି ବୁଝିପାରିନଥିଲେ। ତେବେ ତାଙ୍କ ଓକିଲ ବନ୍ଦନା ଶାହ କହିଥିଲେ ଯେ “ବିବାହର ଅନେକ ବର୍ଷ ପରେ ଶ୍ରୀମତି ରେହମାନ ନିଜ ସ୍ୱାମୀଙ୍କଠାରୁ ଅଲଗା ହବା ଭଳି ଏକ କଠିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି।”
ତେବେ ଗତ ଫ୍ରେବୃୟାରି 20 ତାରିଖରେ ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସାଇରାଙ୍କର ଏକ ଗୁରୁତର ଅସ୍ତ୍ରୋପଚାର କରାଯାଇଥିଲା। ଏନେଇ ତାଙ୍କ ଓକିଲ ସମସ୍ତଙ୍କୁ ଜଣେଇଥିଲେ। ତେବେ ବର୍ତ୍ତମାନ ଏଆର ରେହମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ସାଇରା ପାର୍ଥନା କରୁଥିବା ଜଣାଇଛନ୍ତି।