ନୂଆଦିଲ୍ଲୀ,୧୭।୩: ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତିକୁ ନେଇ ବିଶ୍ବ ରାଜନୀତିରେ ଝଡ଼ । ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ୟୁରୋପର ଏକାଧିକ ଦେଶ । ଏଭଳି ସ୍ଥିତିରେ ଫ୍ରାନ୍ସ ମଧ୍ୟ ଆମେରିକା ପ୍ରଶାସନକୁ ଧମକ ଦେଇଛି । ଫ୍ରାନ୍ସର ସାଂସଦ କହିଛନ୍ତି, ଆମକୁ ଆମର ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଫେରାଅ । କାରଣ ଆମେରିକା ସରକାର ଏହାର ମୂଲ୍ୟକୁ ବୁଝିନାହାନ୍ତି ।
ଟ୍ରମ୍ପ ପ୍ରଶାସନର ନୂତନ ଟାରିଫ୍ ନୀତିକୁ ଫ୍ରାନ୍ସ ସାଂସଦଙ୍କ ବିରୋଧ। ଫ୍ରାନ୍ସର ସୋଶିଆଲିଷ୍ଟ ଓ ଡେମୋକ୍ରାଟିକ୍ ନେତା ରାଫେଲ ଗ୍ଲୁକସମ୍ୟାନ୍ ଆମେରିକାକୁ କରିଛନ୍ତି କଡ଼ା ସମାଲୋଚନା। ସେ କହିଛନ୍ତି, ମୁଁ ଆମେରିକାକୁ କହିବାକୁ ଚାହିଁବି, ସେ ଆମକୁ ଆମର ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଫେରାଇ ଦେଉ। କାରଣ ଯିଏ ବୈଜ୍ଞାନିକଙ୍କୁ କାମରୁ ବାହାର କରୁଛି ଏବଂ ଅତ୍ୟାଚାରୀଙ୍କ ସାଥ୍ ଦେଉଛି ତାଙ୍କୁ ଏହି ଉପହାର ରଖିବାର ଅଧିକାର ନାହିଁ। ୧୮୮୬ ରେ ଉପହାରରେ ଫ୍ରାନ୍ସ ଦେଇଥିବା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’କୁ ଆମେରିକା ଫେରାଇ ଦେବା ଦରକାର।
ଗ୍ଲୁକସମ୍ୟାନ୍ କହିଛନ୍ତିଏ ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’କୁ ଆମେରିକାକୁ ଉପହାରରେ ଫ୍ରାନ୍ସ ଦେଇଥିଲା। ହେଲେ ଆପଣ ଏହାର ମୂଲ୍ୟ ବୁଝିପାରିଲେନି। ନିଶ୍ଚିତ ଭାବରେ ଏହା ଯେ, ତାକୁ ଆପଣ ତୁଚ୍ଛ ଭାବୁଛନ୍ତି। ସେଥିପାଇଁ କେବଳ ଏତିକି କହିବି, ଆମେରିକା ଆମକୁ ଫେରାଇ ଦେଉ। ଏହା ସେ କହିଛନ୍ତି, ଟ୍ରମ୍ପ ଯେଉଁ ଭଲ ଭଲ ଲୋକଙ୍କୁ ଚାକିରୀରୁ ଛଟେଇ କରୁଛନ୍ତି, ତାହା ଦ୍ବାରା ଫ୍ରନ୍ସ ଲାଭବାନ ହେବ। କାରଣ ସେମାନେ ୟୁରୋପ ଆସନ୍ତୁ ଓ ଆମର ଅର୍ଥବ୍ୟବସ୍ଥାକୁ ବଢାଇବାରେ ସାହାର୍ଯ୍ୟ କରନ୍ତୁ।