ବ୍ରିଜଟାଉନ୍,୩୦/୦୬: କଥାରେ ଅଛି ‘କ୍ୟାଚ୍ ଜିତାଏ ମ୍ୟାଚ୍’ । କାହିଁ କେଉଁ ଯୁଗରୁ ‘କ୍ୟାଚ୍’ ହିଁ କ୍ରିକେଟ୍ ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ କରି ଆସୁଛି । ସର୍ବଦା ବ୍ୟାଟର କିମ୍ବା ବୋଲର ପ୍ରଶଂସା ସାଉଁଟି ନିଅନ୍ତି । ମାତ୍ର ଫିଲ୍ଡିଂକୁ ଆବଶ୍ୟକ ଶ୍ରେୟ ମିଳେନାହିଁ । ବିଶ୍ବକପ ବିଜୟରେ ଅନ୍ୟତମ ନାୟକ ଥିଲେ ସୂର୍ଯ୍ୟକୁମାର ଯାଦବ । ସେ ଏଭଳି ଏକ କ୍ୟାଚ୍ ଧରିଥିଲେ, ଯାହା ଭାରତ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ।
୨୨ଗଜର ପିଚ୍ରେ ଉପରେ ତାଙ୍କ ବ୍ୟାଟ୍ କଥା କହି ନଥିଲା । କିଛି ମିନିଟ୍ ମଧ୍ୟରେ ସେ ପାଭିଲିୟନ ଫେରି ଯାଇଥିଲେ । କିନ୍ତୁ ଶେଷ ଓଭରରେ ଡେଭିଡ୍ ମିଲରଙ୍କ କ୍ୟାଚ୍ ଧରି ସୂର୍ଯ୍ୟକୁମାର ବିଜୟ ପାଇଁ ବାଟ ଖୋଲି ଦେଇଥିଲେ । ପ୍ରମାଣ କରିଦେଇଥିଲେ, ‘କ୍ୟାଚ୍ କେବଳ ମ୍ୟାଚ୍ ଜିତାଏ ନାହିଁ, ଜିତାଏ ବିଶ୍ୱକପ୍ । ପୂରଣ କରେ ଦୀଘ ବର୍ଷର ଅଧୂର ସ୍ୱପ୍ନ ।’
ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ଆବଶ୍ୟକ ହେଉଥିଲା ୧୬ ରନ୍ । ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂହଙ୍କ ଓଭର ଶେଷ ହୋଇସାରିଥିଲା । କ୍ରିଜ୍ରେ ଅପରାଜିତ ଥିବା ଦୁର୍ଦ୍ଧର୍ଷ ମିଲର କ୍ଷଣକ ମଧ୍ୟରେ ବାଜି ପଲଟାଇବାର କ୍ଷମତା ରଖିଥିଲେ । ସେ ୨୧ରନ୍ କରି କ୍ରିଜ୍ରେ ଜମି ସାରିଥିଲେ ।
ପାଣ୍ଡ୍ୟା ୨୦ତମ ଓଭର ବୋଲିଂ କରିଥିଲେ । ମିଲରଙ୍କୁ ଅଫ ଷ୍ଟମ୍ପ ବାହାରେ ଏକ ୟର୍କର ବଲ୍ ପକାଇଥିଲେ । ବଲ୍କୁ ପିଚ୍ରେ ପଡ଼ିବାକୁ ନଦେଇ ଚତୁର ମିଲର ସିଧା ଲଙ୍ଗ ଅଫ୍ ବାଉଣ୍ଡାରୀ ଅଞ୍ଚଳକୁ ଶକ୍ତିଶାଳୀ ସଟ୍ ଖେଳିଥିଲେ । ସେଠାରେ ଫିଲ୍ଡିଂ କରୁଥିବା ସୂର୍ଯ୍ୟ କୁମାର କ୍ୟାଚ୍ ଧରିଥିଲେ । ମାତ୍ର ନିୟନ୍ତ୍ରଣ ହରାଇ ବସିଥିଲେ । ବିଚଳିତ ନହୋଇ ସେ ବଲ୍କୁ ଉପରକୁ ଫିଙ୍ଗି ବାଉଣ୍ଡାରୀ ବାହାରକୁ ଚାଲିଯାଇ ପ୍ରଥମେ ନିୟନ୍ତ୍ରଣ ରଖିଥିଲେ । ଏହାପରେ ଏକ ଜମ୍ପ ମାରି ଗ୍ରାଉଣ୍ଡକୁ ପ୍ରବେଶ କରିଥିଲେ, ହାତରେ ରହିଥିଲା ବଲ୍ । ଟିଭି ଅମ୍ପାୟାର ବାରମ୍ବାର ରିପ୍ଲେ ଦେଖି ପରୀକ୍ଷା କରିଥିଲେ । ସୂର୍ଯ୍ୟକୁମାର ବଲ୍ ସହ ବାଉଣ୍ଟାରୀ ଛୁଇଁ ନଥିବା ସ୍ପଷ୍ଟ ହୋଇଥିଲା । ଷ୍ଟାଡ଼ିୟମ୍ର ବିଶାଳ ସ୍କ୍ରିନ୍ରେ ‘ଆଉଟ୍’ ଲେଖି ହୋଇ ଯାଇଥିଲା । ଏପଟେ ଆରମ୍ଭ ହୋଇ ଯାଇଥିଲା ବିଜୟର ପ୍ରାକ୍ ଉତ୍ସବ । ଆଖି ଆଗରେ ଝଲସି ଉଠିଥିଲା ବିଶ୍ୱକପ୍ର ସେହି ଚିକିମିକିଆ ଟ୍ରଫି ।