ଭୁବନେଶ୍ଵର, ୨୧/୦୨ : ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା। ୨୨ ଫେବୃଆରୀରୁ ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ ସୁଭଦ୍ରା ଶକ୍ତି ମେଳା-୨୦୨୫। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଏହି ମେଳାରେ ଅଂଶଗ୍ରହଣ କରିବେ। ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମହିଳାଙ୍କୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାକୁ ଏହି ମେଳା ଦେଖାଇବ ନୂଆ ରାସ୍ତା।
ସୂଚନାନୁଯାୟୀ, ୯ ଦିନ ଧରି ଚାଲିବାକୁ ଥିବା ସୁଭଦ୍ରା ଶକ୍ତି ମେଳାରେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ ଏବଂ ଅର୍ଗାନିକ୍ ଉତ୍ପାଦର ପ୍ରଦର୍ଶନୀ ସହିତ ବିକ୍ରି ହେବ। ଯାହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ। ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକମାନେ, ମହିଳା ଉଦ୍ୟୋଗୀମାନଙ୍କଠାରୁ ସିଧାସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବେ। ଯାହା ସେମାନଙ୍କର ଆର୍ଥିକ ସଶକ୍ତିକରଣରେ ମଧ୍ୟ ସହାୟକ ହେବ। ଜନତା ମୈଦାନରେ ଲାଗିବାକୁ ଥିବା ଏହି ମେଳାରେ ସୁଭଦ୍ରା ଯୋଜନାରେ ଅର୍ଥ ପାଇ ବ୍ୟବସାୟ ଆରମ୍ଭ କରିଥିବା କିଛି ମହିଳାଙ୍କ ପାଇଁ ସ୍ପେଶାଲ ଷ୍ଟଲ ମଧ୍ୟ ଲାଗିବ।
ଏହି କାର୍ଯ୍ୟକ୍ରମ ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ କ୍ରେତା, ବ୍ୟବସାୟ ଏବଂ ବଜାର ସହିତ ସଂଯୋଗ କରିବ। ଯାହା ସେମାନଙ୍କର ବ୍ୟବସାୟ ସମ୍ପ୍ରସାରଣ କରିବା ସହ, ଆର୍ଥିକ ଅଭିବୃଦ୍ଧି ଏବଂ ନେଟୱାକିଂ ସୁଯୋଗ ପାଇଁ ଦ୍ବାର ଖୋଲିବ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକା ସଙ୍ଗେ ୪ଟି ସ୍ଥାନରେ ଆଞ୍ଚଳିକ ମେଳା ମଧ୍ୟ ଆୟୋଜିତ ହେବ। ପୁରୀ, ମାଲକାନଗିରି, ସମ୍ୱଲପୁର ଏବଂ ବଲାଙ୍ଗିରରେ ଏହି ମେଳା ହେବ।
ଏହି ଖବରଟିକୁ ପଢନ୍ତୁ-୪୦ ଫୁଟ ଗଭୀର କୂଅରୁ ଉଦ୍ଧାର ହେଲା ଭାଲୁ