ନୂଆଦିଲ୍ଲୀ,୧୨।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ‘ଶିଶମହଲ’କୁ ନେଇ ଜାରି ରହିଥିଲା ବିବାଦ। ଏବେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଭବ୍ୟ ବଙ୍ଗଳାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବିବାଦ। ବିଶାଖାପାଟନମ୍ର ଋଷିକୋଣ୍ଡା ଅଞ୍ଚଳରେ ପ୍ରାୟ ୧୦ ଏକରରେ ବ୍ୟାପି ରହିଛି ଏହି ବିଳାସମୟ ମହଲ। ୫୦୦ କୋଟି ଟଙ୍କାରେ ଏହାକୁ ତିଆରି ହୋଇଛି। ତେବେ ଏହି ବଙ୍ଗଳାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ନିୟମ ଉଲଂଘନ ହୋଇଥିବାର ଅଭିଯୋଗ କରିଛି।
ଜଗନମୋହନ ରେଡ୍ଡୀଙ୍କ ଏହି ମହଲ କୌଣସି ରାଜମହଲଠାରୁ କମ୍ ନୁହେଁ। ଏଥିରେ ଇଟାଲିଅନ ମାର୍ବଲ, ସୁନାର କାରିଗରି ଥିବା କବାଟ ଏବଂ ଝରକା, ଦାମୀ ବିଦେଶୀ ଫର୍ଣ୍ଣିଚର ଓ ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଏହି ବଙ୍ଗଳରେ ୪ଟି ବ୍ଲକ ରହିଛି। ଯେଉଁଥିପାଇଁ ପାହାଡ କଟା ଯାଇଛି। କେବଳ ସେତିକି ନୁହେଁ ୧୦୦ କିଲୋଓ୍ବାଟର ଏକ ଇଲେକ୍ଟ୍ରିକ୍ ସବଷ୍ଟେସନ୍, ପକ୍କା ସଡକ, ସ୍ବରେଜ ସିଷ୍ଟମ ଏବଂ ଅଲଗା ଭାବରେ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି।
ଏହି ବିଳାସମୟ ମହଲକୁ ନେଇ ଆରମ୍ଭ ହୋଇଛି ବିବାଦ । କୁହାଯାଉଛି ପରିବେଶ ନିୟମକୁ ଅଣଦେଖା କରାଯାଇଛି। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ମଇ ୨୦୨୧ ରେ ଏହି ଅଞ୍ଚଳକୁ କେବଳ ପର୍ଯ୍ୟଟନର ବିକାଶ ପାଇଁ ମଞ୍ଜୁରୀ ଦେଇଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସରକାର ଏହାକୁ ଜଗନମୋହନ ରେଡ୍ଡୀଙ୍କ ବ୍ୟକ୍ତିଗତ ବାସଭବନ ଭାବରେ ତିଆରି କରିବାର ଯୋଜନା ତିଆରି କରିଥିଲେ। ଏବେ ଆନ୍ଧ୍ରରେ ଏନ୍ଡିଏର ସହଯୋଗୀ ତେଲଗୁ ଦେଶମ ପାର୍ଟି(ଟିଡିପି)ର ସରକାର ରହିଛି, ଯିଏକି ଏବେ ଏହି ମହଲକୁ ନେଇ ଲଗାତାର ପ୍ରଶ୍ନ ଉଠାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହାକୁ ସରକାରୀ ଧନର ଦୁରୁପଯୋଗ ମାମଲା ବୋଲି କହି ତଦନ୍ତ ଆରମ୍ଭ କରିଛନ୍ତି। କେବଳ ସେତିକି ନୁହେଁ ଏହାବୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରୀ ବାସଭବନ ସହ ତୁଳନା କରାଯାଉଛି। ତାଙ୍କ ସରକାରୀ ବାସଭବନକୁ ସାଜସଜ୍ଜାରେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବିଜେପି ଏହାକୁ ‘ଶିଶାମହଲ’ ବୋଲି ନାଁ ଦେଇଥିଲା। କେବଳ ସେତିକି ନୁହେଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ଏହି ପ୍ରସଙ୍ଗରେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରିଥିଲେ।