ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ରାସ୍ତାରେ ରୋଡ ରେଜ। ଖବର ମୁତାବକ, ନୋଏଡାର ସେକ୍ଟର ୧୬ରେ ଥିବା ଏକ କାର୍ ବଜାରରେ ଏକ ଏସୟୁଭି ଅନେକ ଗାଡିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାର ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ତେବେ ଏ ମାମଲା ପୋଲିସ ସାମ୍ନାକୁ ଆସିବା ପରେ ପୋଲିସ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଡ୍ରାଇଭରଙ୍କୁ ଧରିବା ପାଇଁ ଖାନତଲାସ ଆରମ୍ଭ କରିଛି।
ସୂଚନା ମୁତାବକ, ଗତ ସୋମବାର ଏସୟୁଭିଟି ଏକ ସଂକୀର୍ଣ୍ଣ ରାସ୍ତାର ଭୁଲ ପାର୍ଶ୍ୱରେ ପାର୍କିଂ ହୋଇଥିଲା. ଗାଡିର ଚାଳକ ଆସି ଗାଡିକୁ ଷ୍ଟାର୍ଟ କରିବା ସହ ଦ୍ରୁତ ଗତିରେ ସଂକୀର୍ଣ୍ଣ ରାସ୍ତା ଦେଇ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ତେବେ ପୂର୍ବରୁ ରାସ୍ତାର ଦୁଇପାର୍ଶ୍ୱରେ ଅନେକ ଗାଡି ପାର୍କିଂ ଥିବାବେଳେ ହଠାତ କାରଚାଳକ ଜଣକ ଅନେକ ଗାଡ଼ିକୁ ଧକ୍କା ଦେଇ ଘଟଣାସ୍ଥଳରୁ ଦ୍ରୁତ ଗତିରେ ପଳାଇ ଯାଇଥିଲା। ଏହାଦେଖି ପାଖରେ ଥିବା ଲୋକମାନେ ଜୀବନ ବିକଳରେ ଏସୟୁଭିକୁ ରାସ୍ତା ଛାଡ଼ି ଦୌଡ଼ି ପଳାଇଥିବା ଦେଖାଯାଇଥିଲା।
କେବଳ ଏତିକି ନୁହେଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗାଡି ଗୁଡିକୁ ଧକ୍କା ଦେବା ପରେ ଏସୟୁଭିଟି ରାସ୍ତାରେ ଲାଗିଥିବା ସାଇନବୋର୍ଡକୁ ମଧ୍ୟ ଜୋରରେ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ସାଇନ ବୋର୍ଡଟି ମୂଳରୁ ଭାଙ୍ଗି ଯାଇଥିଲା। ଆଉ ଏହାପରେ ଚାଳକ ଜଣଙ୍କ ଗାଡିକୁ ଧରି ଘଟଣାସ୍ଥଳରୁ ଛୁ ହୋଇଯାଇଥିଲେ।
ତେବେ ଏ ଘଟଣାକୁ ଦୁଇଦିନ ବିତିଯାଇଥିଲେ ବି ପୋଲିସ ପାଖରେ ଏନେଇ କୈଣସି ଖବର ନଥିଲା। ଦୁର୍ଘଟଣାର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରିବା ସହ କାର ଚାଳକଙ୍କୁ ଖୋଜିବାରେ ଲାଗିପଡିଛି। ତେବେ ବିଭିନ୍ନ ସିସିଟିଭି ଫୁଟେଜରେ କଏଦ ହୋିଥିବା ଭିଡିଏ ଆଧାରରେ ପୋଲିସ ଅଭିୟୁକ୍ତ କାର ଡାଳକଙ୍କୁ ଖୋଜୁଥିବା ଜଣା ପଡିଛି।