ବ୍ରାସିଲିଆ,୨୩/୧୨: ବ୍ରାଜିଲର ଦକ୍ଷିଣାଞ୍ଚଳ ଗ୍ରାମାଡୋ ସହରରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୧୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ବିମାନଟି ହେଉଛି ପାଇପର ଚେୟେନ ୪୦୦ ଟର୍ବୋପ୍ରପ କମ୍ପାନିର । ବିମାନରେ ମୋଟ ୧୦ ଜଣ ଯାତ୍ରୀ ଓ କ୍ରୁ ଥିଲେ । ବିମାନଟି ଗ୍ରାମାଡୋର କେନେଲା ସହରରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଫ୍ଲୋରିଅନପୋଲିସକୁ ଯାଉଥିଲା। ତେବେ ବିମାଟି ଉଡାଣ କରିବାର କିଛି ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ଏକ ଅଟ୍ଟାଳିକାର ଚିମିନକୁ ଧକ୍କା ଦେଇଥିଲା । ପରେ ସେହି ଅଟ୍ଟାଳିକାରେ ଧକ୍କା ଲାଗି ନିକଟସ୍ଥ ଏକ ଫର୍ଣ୍ଣିଚର ଦୋକାନ ଉପରେ ଖସିପଡିଥିଲା । ବିମାନରେ ଥିବା ସମସ୍ତ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଉକ୍ତ ଅଟ୍ଟାଳିକା ଓ ଫର୍ଣ୍ଣିଚର ଦୋକାନର ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।