ନୂଆଦିଲ୍ଲୀ: ଗାଜା ପଟ୍ଟିରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ପାଲେଷ୍ଟାଇନର ଡାକ୍ତରୀ ଅଧିକାରୀ ମାନେ ଏହି ସୂଚନା ଦେଇଛନ୍ତି। ହାମାସ ସରକାରଙ୍କ ସହ ଜଡିତ ସିଭିଲ୍ ଡିଫେନ୍ସ ଅନୁଯାୟୀ, ଗାଜା ସହରର ବିସ୍ଥାପିତଙ୍କୁ ଆଶ୍ରୟ ଦେଉଥିବା ଏକ ସ୍କୁଲ ଉପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣରେ ୪ ଜଣ ପିଲାଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଇସ୍ରାଏଲ ସୈନ୍ୟ କହିଛନ୍ତି ଯେ, ଏହା ସେଠାରେ ଆଶ୍ରୟ ନେଉଥିବା ହାମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରିଛି …
ଅଲ-ଆକସା ଶହୀଦ ଡାକ୍ତରଖାନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୀର୍ ଅଲ-ବାଲାସ୍ଥିତ ଏକ ଘର ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନା ନିକଟରେ ଅବସ୍ଥିତ ନାସିର ହସ୍ପିଟାଲ ଅନୁଯାୟୀ ରବିବାର ମଧ୍ୟରାତ୍ର ପରେ ଦକ୍ଷିଣ ସହର ଖାନ ୟୁନିସରେ ହୋଇଥିବା ଏହି ଆକ୍ରମଣରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ଉପରେ ସେନା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ।
ଇସ୍ରାଏଲର କ୍ଷେପଣାସ୍ତ୍ର ବ୍ୟତୀତ ପ୍ରବଳ ଥଣ୍ଡା ମଧ୍ୟ ପାଲେଷ୍ଟାଇନୀୟ ମାନଙ୍କ ଉପରେ ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ବର୍ତମାନ ସମୟରେ ଗାରେ ଅତ୍ୟଧିକ ଥଣ୍ଡା ହେଉଛି । ଇସ୍ରାଏଲ ସହିତ ୧୪ ମାସ ଧରି ଚାଲିଥିବା ଯୁଦ୍ଧରେ ବିସ୍ଥାପିତ ହୋଇଥିବା ପ୍ରାୟ ଦୁଇ ଲକ୍ଷ ଲୋକଙ୍କ ମଧ୍ୟରୁ ଅନେକ ପବନ, ଥଣ୍ଡା ଏବଂ ବର୍ଷା ଠାରୁ ନିଜକୁ ରକ୍ଷା କରିବା ପାଇଁ ସଂଘର୍ଷ କରୁଛନ୍ତି । ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ସେମାନଙ୍କ ପାଖରେ କମ୍ବଳ ଏବଂ ଉଷୁମ ପୋଷାକର ଅଭାବ ରହିଛି ।