ଭୁବନେଶ୍ୱର,୩୧/୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ-୨୦୨୫ରେ ଭାରତୀୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ସେମିକଣ୍ଡକ୍ଟର ଆସୋସିଏସନ (ଆଇଇଏସ୍ଏ) ଦ୍ୱାରା ଏହାର ବହୁ ପ୍ରତୀକ୍ଷିତ "ଇଣ୍ଡିଆ ସେମିକଣ୍ଡକ୍ଟର ମାର୍କେଟ ରିପୋର୍ଟ ୨୦୩୦ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶାର ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଉପସ୍ଥିତିରେ ଏହି ରିପୋର୍ଟକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଥିଲା ।
ଏହି ରିପୋର୍ଟରେ ୨୦୨୩ରୁ୨୦୩୦ ମଧ୍ୟରେ ଭାରତର ସେମିକଣ୍ଡକ୍ଟର ବଜାରର ଗଭୀର ବିଶ୍ଳେଷଣ କରାଯାଇଛି, ଯେଉଁଥିରେ ହ୍ୟାଣ୍ଡ୍ସେଟ୍, ଆଇଟି, ଟେଲିକମ୍, ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଅଟୋମୋଟିଭ୍, ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ଭଳି ପ୍ରମୁଖ ଶିଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହା ପ୍ରୋସେସର, ମେମୋରୀ, କନେକ୍ଟିଭିଟି ଏବଂ ପାୱାର ସଲ୍ୟୁସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଉପାଦାନଗୁଡିକ ବିଷୟରେ କାର୍ଯ୍ୟକ୍ଷମ ବୁଝାମଣା ପ୍ରଦାନ କରିବା ସହିତ ସ୍ଥାନୀୟ ସୋର୍ସିଂ ବୃଦ୍ଧି ପାଇଁ ସୁପାରିସ ମଧ୍ୟ ପ୍ରଦାନ କରେ ।
ଆଇଇଏସ୍ଏର ସଭାପତି ଅଶୋକ ଚାନ୍ଦକ ଏହି ରିପୋର୍ଟ ଉପରେ ଆଲୋକପାତ କରି କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତର ସେମିକଣ୍ଡକ୍ଟର ବଜାର ୧୦୩.୪ ବିଲିୟନ ଡଲାର ବା ୧୦୩୪୦ କୋଟି ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଏକ ଦୃଢ ସେମିକଣ୍ଡକ୍ଟର ଡିଜାଇନ୍ ଏବଂ ଉତ୍ପାଦନ ପଦକ୍ଷେପକୁ ପ୍ରୋତ୍ସାହିତ କରିବାରେ ସରକାରୀ ନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।
ଗତ ବର୍ଷକ ମଧ୍ୟରେ ଆଇଇଏସଏ ସଦସ୍ୟ କମ୍ପାନିଗୁଡିକ ଦ୍ୱାରା ୨୧ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ପୁଞ୍ଜି ନିବେଶ ପ୍ରତିଶ୍ରୁତି ସହିତ ଏଫ୍ଏବି ଏବଂ ଓଏସଏଟି ପାଇଁ ସରକାରଙ୍କ ଟାର୍ଗେଟେଡ୍ ପ୍ରୋତ୍ସାହନ, ଗବେଷଣା ଏବଂ ବିକାଶ, ନିବେଶ ବୃଦ୍ଧି ଏବଂ ସହଯୋଗୀ ଶିଳ୍ପ ପଦକ୍ଷେପ ଭାରତର ସେମିକଣ୍ଡକ୍ଟର କ୍ଷେତ୍ରକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଆଇଇଏସ୍ଏର ଅଧ୍ୟକ୍ଷ ଡକ୍ଟର ଭି ବୀରପ୍ପାନ ବଜାରର ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, "୨୦୨୪- ୨୫ରେ ଭାରତର ସେମିକଣ୍ଡକ୍ଟର ବ୍ୟବହାର ବଜାରର ମୂଲ୍ୟ ୫୨ ବିଲିୟନ ଡଲାର ଏବଂ ୨୦୩୦ ସୁଦ୍ଧା ଏହା ୧୩% ସିଏଜିଆରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଅଟୋମୋଟିଭ୍ ଏବଂ ଇଣ୍ଡଷ୍ଟ୍ରିଆଲ ଇଲେକ୍ଟ୍ରୋନିକ୍ସ ଭଳି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଯଥେଷ୍ଟ ସୁଯୋଗ ରହିଛି ।