ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଜଟିଳ ରୂପ ନେଲା ହାଉସ୍‌ ସର୍ଜନ୍‌-ନର୍ସିଂ କର୍ମଚାରୀ ବିବାଦ: ଏସ୍‌ସିବିରେ ହାଉସ୍‌ ସର୍ଜନଙ୍କ କାର୍ଯ୍ୟବନ୍ଦ, ରୋଗୀ ସେବା ବାଧାପ୍ରାପ୍ତ ‌

କଟକ,୧୭/୦୭: ଏସ୍‌ସିବି ଡାକ୍ତରଖାନାରେ ହାଉସ୍‌ ସର୍ଜନ ଓ ନର୍ସିଂ କର୍ମଚାରୀଙ୍କ ବିବାଦ ଥମିବା ବଦଳରେ ବେଳକୁ ବେଳ ଜଟିଳ ରୂପ ହେଉଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ, ଅଭିଯୋଗକୁ ନେଇ ଡାକ୍ତରଖାନାରେ ଏକ ଗଣ୍ଡଗୋଳିଆ ସ୍ଥିତି ଉପୁଜିଛି । ମଙ୍ଗଳବାର ଦିନ ତମାମ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନର୍ସିଂ କର୍ମଚାରୀ ଏବଂ ହାଉସ୍‌ ସର୍ଜନଙ୍କ ବିବାଦ ମଧ୍ୟରେ ଫସି ରହିଥିଲା । ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉଭୟ ଗୋଷ୍ଠୀ ଏବେ ଜିଦ୍‌ରେ ଅଟଳ ରହିବାରୁ କର୍ତ୍ତୃପକ୍ଷ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ନର୍ସିଂ କର୍ମଚାରୀମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ଦେଇଥିଲେ । ଫଳରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।  

ଅପରପକ୍ଷେ ହାଉସ୍‌ ସର୍ଜନମାନେ ବୁଧବାରଠୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ। ଏହା ପ୍ରଭାବରେ ଏସ୍‌ସିବିରେ ରୋଗୀ ସେବା ବାଧାପ୍ରାପ୍ତ ‌ହୋଇଛି। ହାଉସ୍‌ ସର୍ଜନଙ୍କ ଏହି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ପରିସ୍ଥିତି ଜଟିଳ ଆଡ଼କୁ ମୁହାଁଉଛି । କାର୍ଯ୍ୟବନ୍ଦ ଆନ୍ଦୋଳନ କଲେ ମଧ୍ୟ ସେମାନେ ଆଶୁଚିକିତ୍ସା କେନ୍ଦ୍ରରେ ଜରୁରୀ ସେବାରେ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷେତ୍ରରେ କେତେ ଫଳପ୍ରଦ ହେବ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି ।

ସୂଚନା ଥାଉ କି, ଏସ୍‌ସିବି ମେଡିସିନ୍‌ ବିଭାଗରେ ଜଣେ ରୋଗୀଙ୍କ ଶରୀରରେ ରକ୍ତ ଦେବାକୁ ନେଇ ଜଣେ ନର୍ସିଂ କର୍ମଚାରୀଙ୍କ ସହିତ ଆଉ ଜଣେ ହାଉସ୍‌ ସର୍ଜନଙ୍କ ସାମନ୍ୟ ତର୍କ ହୋଇଥିଲା । ତେବେ ଏହି ସାମାନ୍ୟ କଳି ପରେ ବଡ଼ ବିବାଦୀୟ ପରିସ୍ଥିତି ୱାର୍ଡରେ ସୃଷ୍ଟି କରିଥିଲା । ନର୍ସିଂ କର୍ମଚାରୀଙ୍କୁ ହାଉସ୍‌ ସର୍ଜନମାନେ ସଂଘବଦ୍ଧ ହୋଇ ଦୁର୍ବ୍ୟବହାର କରିଥିବା ନର୍ସିଂ ସଂଘ ଅଭିଯୋଗ କରି ଗତକାଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅନ୍ୟପଟରେ ସମ୍ପୃକ୍ତ ନର୍ସିଂ କର୍ମଚାରୀଙ୍କ ଅଭିଯୋଗକୁ ହାଉସ୍‌ ସର୍ଜନମାନେ ଅସ୍ୱୀକାର କରିବା ସହିତ ତାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ହାଉସ୍‌ ସର୍ଜନ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଅଧୀକ୍ଷକଙ୍କ କର୍ଯ୍ୟାଳୟରେ ନିଜର ପ୍ରତିବାଦ ଜଣାଇଛନ୍ତି । ସେହିପରି ନର୍ସିଂ ସଂଘ ଏବଂ ସଦସ୍ୟାମାନେ ଅଧୀକ୍ଷକଙ୍କ କର୍ଯ୍ୟାଳୟ ପରିସରରେ ଗତକାଲି ପରି ଆଜି ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୋଗ ହୋଇଥିବା ହାଉସ୍‌ ସର୍ଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜଣାଇଛନ୍ତି । ହାଉସ୍‌ ସର୍ଜନଙ୍କୁ ୱାର୍ଡ ଭିତରେ ଦୁର୍ବ୍ୟବହାର କରିଥିବା ନର୍ସିଂ ଅଫିସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ଏସ୍‌ସିବିରୁ ବଦଳି ପାଇଁ ହାଉସ୍‌ ସର୍ଜନ ସଂଘ ସଭାପତି ଶାଶ୍ୱତ ମହାନ୍ତି ଦାବି କରିଛନ୍ତି ।

ସେହିପରି ନର୍ସିଂ ଅଫିସର ସଂଘ ମଧ୍ୟ ଏହି ଘଟଣାକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ନର୍ସିଂ କର୍ମଚାରୀମାନେ ନିଜ କର୍ତ୍ତବ୍ୟ ଠିକ୍‌ ଭାବେ ପାଳନ କରୁଥିବା ବେଳେ ହାଉସ୍‌ ସର୍ଜନ ଜଣେ ସେବିକା ଅଫିସରଙ୍କୁ ଯେଉଁଭଳି ଦୁର୍ବ୍ୟବହାର କଲେ ତାହା ଅତି ନିନ୍ଦନୀୟ ଘଟଣା । ଏପରି ଅଶୋଭନୀୟ ଆଚରଣକୁ ନର୍ସିଂ କର୍ମଚାରୀମାନେ କେବେ ବି ବରଦାସ୍ତ କରିବେ ନାହିଁ । ଏହା ବିରୋଧରେ ସଂଘ କଠୋର ହେବ ବୋଲି ସରୋଜିନୀ ଜେନା ଚେତାବନୀ ଦେଇଛନ୍ତି । ତେବେ ଏସ୍‌ସିବିରେ ହାଉସ୍‌ ସର୍ଜନ ଏବଂ ନର୍ସିଂ କର୍ମଚାରୀଙ୍କ ବିବାଦୀୟ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଡାକ୍ତରଖାନା ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ତଦନ୍ତ କମିଟିରେ ଆଜି ଦୁଇ ଗୋଷ୍ଠୀ ହାଜର ହୋଇ ନିଜର ନିଜର ଅଭିଯୋଗ ଜଣାଇଛନ୍ତି । 

ଏମିତିକି କିଛି ଭିଡିଓ ମଧ୍ୟ କମିଟିକୁ ନର୍ସିଂ କର୍ମଚାରୀ ପ୍ରଦାନ କରିଛନ୍ତି । କମିଟି ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ନିରକ୍ଷେପ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର କହିଛନ୍ତି । ସମସ୍ୟା ଏତେ ଜଟିଳ ନୁହେଁ । ଉଭୟଙ୍କ ଉପରେ କାର୍ଯ୍ୟଭାର ରହିଛି । ତେଣୁ କାର୍ଯ୍ୟଭାର ମଧ୍ୟରେ କିଏ କାହାକୁ ଆକ୍ଷେପ କରିବା ଠିକ୍‌ ନୁହେଁ । ନିଜନିଜ ଭିତରେ ଥିବା ଇଗୋ ଛାଡ଼ି ରୋଗୀଙ୍କ କଥାକୁ ଗୁରୁତ୍ୱ ଦେବାକୁ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ପରାମର୍ଶ ଦେଇଛନ୍ତି । ବରିଷ୍ଠ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ନର୍ସିଂ ସୁପରିଟେଣ୍ଡେଣ୍ଟ୍‌, ଡେପୁଟି ସୁପରିଟେଣ୍ଡେଣ୍ଟ୍‌ଙ୍କ ଆଉ ଦୁଇ ଜଣ ଡାକ୍ତର ସଦସ୍ୟ ଭାବେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.