ରାଜକନିକା, ୭/୯ : କାମ କରିବାକୁ ଯାଇ ସାଉଦି ଆରବରେ ଫସିଛନ୍ତି ୬ ଜଣ ଓଡ଼ିଆ ଶ୍ରମିକ। ଭିଡିଓ ବାର୍ତ୍ତା ଜରିଆରେ ଉଦ୍ଧାର କରିବାକୁ କଲେ ନିବେଦନ। ସେମାନଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଏକ ଭିଡିଓ ଜରିଆରେ ରାଜ୍ୟ ସରକାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି। ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ୨ ଜଣ କେନ୍ଦ୍ରାପଡ଼ା ଜିଲ୍ଲାର ହୋଇଥିବା ବେଳେ ୪ ଜଣ ଖୋର୍ଦ୍ଧା ଅଞ୍ଚଳର ରହିଛନ୍ତି।
ସୂଚନାନୁଯାୟୀ, ଏହି ୬ ଜଣ ଓଡ଼ିଆ ଶ୍ରମିକ ୪ ମାସ ପୂର୍ବରୁ ଏକ ଘରେଇ କମ୍ପାନୀ ଜରିଆରେ ସାଉଦି ଆରବ ଯାଇଥିଲେ। ସେଠାରେ ପହଁଚିବା ପରେ କିଛିଦିନ ଏକ ପାଣି ପାଇପ କମ୍ପାନୀରେ କାମ କରିଥିଲେ। କାମ କରିବା ପରେ ମଧ୍ୟ ସେମାନଙ୍କୁ ପରିଶ୍ରମିକ ବା ଦରମା ଦିଆଯାଉନଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଅର୍ଥ ଅଭାବରୁ ସେମାନେ ସେଠାରେ ଭୋକ ଉପାସରେ ଜୀବନ କାଟୁଛନ୍ତି। ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ଥିବା ଏହି ଶ୍ରମିକଙ୍କୁ କମ୍ପାନୀ କତ୍ତୃପକ୍ଷ ନାଲିଆଖି ଦେଖାଉଥିବାର ମଧ୍ୟ ଅଭିଯୋଗ ହୋଇଛି।