ହାତୀଙ୍କୁ ପଡ଼ିଛି ଶନିଦଶା । ଓଡ଼ିଶାରେ ବଢ଼ିଛି ହାତୀ ମଡ଼କ । ଗଜରାଜଙ୍କ ପାଇଁ ଆମ ରାଜ୍ୟ ଏବେ ପାଲଟିଛି ଡେଥ୍ଜୋନ୍ । ସକାଳ ପାଇଲା ବେଳକୁ ହାତୀ ମୃତ୍ୟୁ ଘଟଣା ନଜରକୁ ଆସୁଛି । ସ୍ୱାଭାବିକ ମୃତ୍ୟୁ ନୁହେଁ, ଅସ୍ୱାଭାବିକ ମୃତ୍ୟୁଜନ୍ତାରେ ପଡୁଛି ଗଜରାଜ । ଜୀବନ ହାରୁଛି । ବନ୍ୟପ୍ରାଣୀ ସପ୍ତାହରେ ହାତୀବଂଶ ସୁରକ୍ଷା ପାଇଁ ସରକାର ବହୁ ସଂକଳ୍ପ ନେଉଛନ୍ତି । ଯୋଜନା ପରେ ଯୋଜନା ଆଣୁଛନ୍ତି । ହାତୀଙ୍କ ପାଇଁ ସଭିଏଁ କାନ୍ଦୁଛନ୍ତି । କାହା ଆଖିରେ କିନ୍ତୁ ଲୁହ ନାହିଁ । ଆମ ରାଜ୍ୟକୁ ପ୍ରକୃତି ଦେଇଛି ଅନେକ କିଛି । ବିସ୍ତୀର୍ଣ୍ଣ ବେଳାଭୂମି, ବହୁ ନଦୀ, ଝରଣା, ଘଞ୍ଚ ଜଙ୍ଗଲ ସହ ବହୁ ପ୍ରଜାତିର ପଶୁପକ୍ଷୀ ଆମ ରାଜ୍ୟର ବଡ଼ ସମ୍ପଦ ।
ବିରଳ ଜୈବ ବିବିଧତା ଆମ ରାଜ୍ୟ ପାଇଁ ହେଉଛି ପ୍ରକୃତିର ବରଦାନ । ମାତ୍ର ମଣିଷର ଲୋଭ ପାଇଁ ଜୈବ ସନ୍ତୁଳନ ଏବେ ବିଗିଡ଼ିବାକୁ ବସିଛି । ଅସନ୍ତୁଳିତ ପରିବେଶ ହିଁ ହାତୀବଂଶ ପାଇଁ ଡାକି ଆଣୁଛି ବିପଦ । ଏମାନଙ୍କ ପ୍ରାକୃତିକ ବାସସ୍ଥଳୀକୁ ମଣିଷ ଶିଳ୍ପ ଓ ସହରୀକରଣ ପ୍ରଗତି ନାଁରେ କରୁଛି ଖିନଭିନ୍ । ବିଧ୍ୱସ୍ତ ଜଙ୍ଗଲର ବାସହରା ହାତୀମାନେ ଜନବସତିକୁ ମାଡ଼ି ଆସୁଛନ୍ତି । କ୍ଷେତ ଉଜାଡୁଛନ୍ତି । ଘରଦ୍ୱାର ଭାଙ୍ଗି ମାଟିରେ ମିଶାଉଛନ୍ତି । ଫଳରେ ଏ ଶାନ୍ତ ପ୍ରାଣୀ ଏବେ ମଣିଷ ଆକ୍ରୋଶର ଶିକାର ହେଉଛି । ରାଜ୍ୟରେ ହାତୀବଂଶ ଏବେ ସଂକଟରେ । ହାତୀ ଏବେ ବଞ୍ଚିବାକୁ ସଂଗ୍ରାମ କରୁଛି । ସାରା ରାଜ୍ୟ ଏବେ ପାଲଟିଛି ହାତୀ ମୃତ୍ୟୁର ଉପତ୍ୟକା ।
ଖାଦ୍ୟାଭାବ, ବିଜୁଳି, ଶିକାରୀ ବଡ଼ ବିପଦ
ମୁଣ୍ଡରେ ବାଜୁଛି ଶିକାରୀ ଗୁଳି । ବିଜୁଳି ତାର ଲାଗି କେବେ ଯାଉଛି ଜୀବନ । ପୁଣି ଆଉ କେତେବେଳେ ଲୌହ ଦାନବ ଟ୍ରେନରେ କଟି ହାତୀଙ୍କ ମୁଣ୍ଡ ଗଣ୍ଡି ବି ଅଲଗା ହେଉଛି । ହାତୀ ଗଣନା ରିପୋର୍ଟ କହୁଛି, ଭାରତରେ ଥିବା ହାତୀସଂଖ୍ୟାର ୭ ପ୍ରତିଶତ ଓ ଦନ୍ତାହାତୀ ସଂଖ୍ୟାର ୨୭ ପ୍ରତିଶତ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଅଛନ୍ତି । କାଠ ମାଫିଆ ଓ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଛି । ଶିଳ୍ପାୟନ ଏବଂ ଦ୍ରୁତ ସହରୀକରଣରୁ ରାଜ୍ୟରେ ଥିବା ହାତୀଙ୍କ ପ୍ରାକୃତିକ ବାସସ୍ଥଳୀ ଓ ଯାତାୟତ ପଥ ନଷ୍ଟ ହେବାରେ ଲାଗିଛି । ଜଙ୍ଗଲ ନଷ୍ଟ ଯୋଗୁଁ ହାତୀଙ୍କୁ ଆବଶ୍ୟକୀୟ ଖାଦ୍ୟ ମିଳୁନି । ଖାଦ୍ୟ ଖୋଜିବାକୁ ବହୁସଂଖ୍ୟାରେ ହାତୀ ଅନ୍ୟ ଜଙ୍ଗଲକୁ ଯାଉଛନ୍ତି । ଉଜ୍ୱଳ ଆଲୋକ ଓ ପ୍ରଚଣ୍ଡ ଶବ୍ଦ ହାତୀଙ୍କ ବାସସ୍ଥଳୀ ପାଇଁ ବିପଦ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଚନ୍ଦକା ଅଭୟାରଣ୍ୟରୁ ଆରମ୍ଭ କରି ରାଜ୍ୟର ଅନ୍ୟ ହାତୀବହୁଳ ଜଙ୍ଗଲର ଅବସ୍ଥା ସମାନ । କପିଳାସ, ନରସିଂହପୁର, ଡାଳିଯୋଡ଼ା, ସାତକୋଶିଆ, ନୀଳଗିରି, ହିନ୍ଦୋଳ, ଆଠମଲ୍ଲିକ, ରେଢ଼ାଖୋଲ, ଯୋଡ଼ା, ବଣାଇ, ରାମପୁର, ଦଶପଲ୍ଲା ଓ ସୁନ୍ଦରଗଡ଼ ଜଙ୍ଗଲରେ ହାତୀ ଶିକାର ଚାଲିଛି । ବେଆଇନ ଖଣି ଖନନ ଓ ହାତୀ କରିଡର୍ ଜୋନ୍ରେ ରେଳ ଲାଇନକୁ ସରକାର ମଂଜୁରୀ ଦେଉଛନ୍ତି । ଏହା ହିଁ ହାତୀବଂଶ ପାଇଁ ବିପଦ ସୃଷ୍ଟି କରୁଛି ।
ହାତୀ ଗଣନା ରିପୋର୍ଟ କହୁଛି, ରାଜ୍ୟରେ ଗତ ୭ ବର୍ଷରେ ହାତୀସଂଖ୍ୟା ୧୨୨ ବଢ଼ିଛି । ମାତ୍ର ବର୍ଷକୁ ହାରାହାରି ୮୦ ମୃତ୍ୟୁବରଣ କରୁଛନ୍ତି । ଅତଏବ ଯେତିକି ହାତୀ ଜନ୍ମ ହେଉଛନ୍ତି, ତାର ୪ ଗୁଣା ମୃତ୍ୟୁମୁଖରେ ପଡ଼ୁଛନ୍ତି । ୨୦୧୭ରେ ରାଜ୍ୟରେ ଏ ବୃହତ୍ ସ୍ଥଳ ଜୀବ ସଂଖ୍ୟା ଥିଲା ୧୯୭୬ । ୨୦୨୪ରେ ଏହା ୨୦୯୮କୁ ଛୁଇଁଛି । ସେଥିରୁ ମୋଟ ୩୧୩ଟି ପ୍ରାପ୍ତ ବୟସ୍କ ଦନ୍ତା, ୧୩ଟି ପ୍ରାପ୍ତ ବୟସ୍କ ମାଖ୍ନା ହାତୀ, ୭୪୮ ପ୍ରାପ୍ତବୟସ୍କ ମାଈ ହାତୀ ଅଛନ୍ତି । ଏହାସହ ୧୪୮ଟି ଯୁବ ଅଣ୍ଡିରା, ୨୮୨ଟି ଯୁବ ମାଈ ଥିବା ବେଳେ ୨୦୯ଟି ଛୁଆ ଅଛନ୍ତି । ୩୮୫ଟି ହାତୀ ଶାବକଙ୍କୁ ହାତୀ ଗଣନାରେ ଠାବ କରାଯାଇଛି । ଚନ୍ଦକା ଡମପଡ଼ାରେ ପ୍ରାୟ ୫୦ଟି ହାତୀ ଚଳପ୍ରଚଳ କରିଛନ୍ତି ।
ହାତୀ ଚଳାଚଳ କରୁଥିବା ଜଙ୍ଗଲରେ ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍ ତାର ଆଘାତରେ ଗଜରାଜ ଆଖି ବୁଜୁଛି । ଟ୍ରେନ୍ ଲାଇନ୍ରେ କଟି ମଧ୍ୟ ଏ ଜୀବ ପ୍ରାଣ ହରାଉଛନ୍ତି । ବନ୍ୟପ୍ରାଣୀ ବାସ କରୁଥିବା ଜଙ୍ଗଲରେ ଉଚ୍ଚ ଶକ୍ତିସଂପନ୍ନ ବିଦ୍ୟୁତ୍ ତାରକୁ ଦୁର୍ଘଟଣା ପ୍ରତିରୋଧକ କରି ଟାଣିବା ପାଇଁ କାମ୍ପାରୁ ପାଣ୍ଠି ଖର୍ଚ୍ଚ ହେଉଛି । ମାତ୍ର ନିଷ୍ଠା ଓ ଆନ୍ତରିକତାର ଅଭାବ ଦେଖିବାକୁ ମିଳୁଛି । ହାତୀ କରିଡର୍ ଅଞ୍ଚଳରେ ଟ୍ରେନ୍ ମନ୍ଥର ଗତିରେ ଚଳାଇବାର ନିୟମ ରହିଛି । ହେଲେ ନିୟମ ମାନିବାକୁ କୁନ୍ଥକୁନ୍ଥ । ହାତୀଙ୍କ ଜୀବନ ଯିବାପରେ ସରକାରୀ କଳର ବୈଠକ ବସିଛି । ବାବୁମାନେ ନିଜ ମୁଣ୍ଡରୁ ଦୋଷ ହଟାଉଛନ୍ତି । ହାତୀ ଯେମିତି ନ ମରିବେ ନୂଆ ବ୍ଲୁପ୍ରିଣ୍ଟ ତିଆରି ହେଉଛି । ମାତ୍ର ଗୋଦରା କୋଡ଼େ ଯେତେ ମାଡ଼େ ସେତେ ନ୍ୟାୟରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ ।
ହାତୀ ବନାମ ମଣିଷ
ଧ୍ୱଂସମୁହଁରେ ପରିବେଶ । ଅସନ୍ତୁଳିତ ପରିବେଶ ଯୋଗୁଁ ଦିନକୁ ଦିନ ବଢ଼ି ଚାଲିଛି ହାତୀ-ମଣିଷ ଲଢ଼େଇ । ହାତୀପଲ କେବେ ଖାଦ୍ୟ ସନ୍ଧାନ ତ ଆଉ କେବେ ଶିକାରୀଙ୍କ ଆକ୍ରମଣରୁ ନିଜକୁ ବଞ୍ଚାଇବାକୁ ଜନବସତିରେ ପଶୁଛନ୍ତି । ଚାଷୀଙ୍କ କ୍ଷେତ ହାତୀପଲ ଦଳିକୁଦି ନଷ୍ଟ କରୁଥିବାରୁ ସେମାନେ ବାଜା ବାଣ ମାରି ଘଉଡ଼ାଉଛନ୍ତି । ହାତୀପଲ ଅସ୍ତବ୍ୟସ୍ତ ହୋଇ ଅନ୍ୟ ଜଙ୍ଗଲକୁ ଚାଲି ଯାଉଛନ୍ତି । ଫସଲ ହରାଇ ରାଗିପାଚି ଚାଷୀ ହାତୀକୁ ଗୁଳି କରିବାକୁ ମଧ୍ୟ ପଛାଉନାହିଁ । ଆନ୍ତର୍ଜାତିକ ବଜାରରେ ହାତୀ ଦାନ୍ତର ଆକାଶ ଛୁଆଁ ଚାହିଦା ଥିବାରୁ ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ପଡ଼ି ଗଜରାଜ ବଂଶ ମୃତ୍ୟୁକୁ ମଧ୍ୟ ସାମ୍ନା କରୁଛି । ବହୁ ସମୟରେ ମଣିଷ ମଧ୍ୟ ହାତୀ ଆକ୍ରମଣରେ ଜୀବନ ହାରୁଛି ।
ସରକାରୀ ରିପୋର୍ଟ କହୁଛି, ରାଜ୍ୟରେ ମଣିଷ ଓ ହାତୀ ଲଢେଇର ଚିତ୍ର ଅତି ସାଙ୍ଘାତିକ । ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟ ତଥ୍ୟ କହୁଛି, ୨୦୨୩-୨୪ ବର୍ଷରେ ସର୍ବାଧିକ ମଣିଷ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଦେଶରେ ୬୦୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଆମ ରାଜ୍ୟରେ ସର୍ବାଧିକ ୧୫୪ ଜଣଙ୍କ ଜୀବନ ଯାଇଛି । ଓଡ଼ିଶା ପଛକୁ ଅଛି ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ । କେନ୍ଦ୍ରର ଏ ପରିସଂଖ୍ୟାନ ପ୍ରମାଣ କରୁଛି ରାଜ୍ୟରେ ହାତୀ-ମଣିଷ ଲଢ଼େଇ କେଉଁସ୍ତରରେ ପହଞ୍ଚିଛି । ଏହାର ମୂଳ କାରଣ ହେଉଛି ପରିବେଶ ଧ୍ୱଂସ । ହାତୀଙ୍କ ବାସସ୍ଥଳୀରେ ମଣିଷଙ୍କର ଅବାଧ କାରବାର । କେବଳ ମଣିଷ କିମ୍ବା ହାତୀର ଜୀବନ ଯାଉଛି ତା ନୁହେଁ, ହଜାର ହଜାର ଏକର ଜମିର ଫସଲ ନଷ୍ଟ ହେଉଛି । ବହୁ ବ୍ୟକ୍ତି ଅକର୍ମଣ୍ୟ ହେଉଛନ୍ତି । ଏ ସଂକଟର ମୁକାବିଲା କରିବାକୁ ଅଧିକ ସଚେତନତା ସହ ସରକାରୀ ତତ୍ପରତା ମଧ୍ୟ ଜରୁରି ।
ଖୁସିର କଥା, ସରକାରୀ ଭାବେ ନିଷ୍ପତ୍ତି ହୋଇଛି ଚନ୍ଦକା ଗୋଡି଼ବାରିରେ ହାତୀଙ୍କ ସଂରକ୍ଷଣ ଓ ଗବେଷଣା ପାଇଁ ଏକ କେନ୍ଦ୍ର ଖୋଲାଯିବ । ସେଠାରେ ବିଶେଷଜ୍ଞମାନେ ହାତୀ ସଂରକ୍ଷଣ ନେଇ ଗବେଷଣା କରିବେ । ଏଭଳି ଗବେଷଣା କେନ୍ଦ୍ର ସାରା ଦେଶରେ ହେବ ପ୍ରଥମ । ଦେଶ ବିଦେଶରୁ ବିଶେଷଜ୍ଞମାନେ ପ୍ରର୍ଯ୍ୟାୟକ୍ରମେ ସେଠାକୁ ଆସିବେ । କେନ୍ଦ୍ରରେ ନିୟମିତ ଅନ୍ତରାଳରେ ହାତୀଙ୍କ ଜନସଂଖ୍ୟାର ନିରୀକ୍ଷଣ କରାଯିବ । ରାଜ୍ୟର ହାତୀ କରିଡର୍କୁ ଦୀର୍ଘ ସ୍ଥାୟୀ କରିବାକୁ ଅଭିନବ ପଦକ୍ଷେପ ନିଆଯିବ । ହାତୀ କିଭଳି ଜନବସତି ମୁହାଁ ନ ହେବେ ସେଥିପାଇଁ ଗବେଷଣା କରାଯିବ ।
ହାତୀ ସୁରକ୍ଷା ପାଇଁ ବଢୁ ଇଛାଶକ୍ତି
ଭାରତୀୟ ସଂସ୍କୃତିରେ ହାତୀ ହେଉଛି ଆଧ୍ୟାତ୍ମିକତାର ପ୍ରତୀକ । ସୌଭାଗ୍ୟର ପ୍ରତୀକ ଭାବେ ହାତୀକୁ ଆମେ ପୂଜାର୍ଚ୍ଚନା ମଧ୍ୟ କରୁ । ମାତ୍ର ଏହି ସର୍ବ ବୃହତ୍ ସ୍ଥଳଜୀବ ଏବେ ସଂକଟରେ । ହାତୀବଂଶକୁ ସୁରକ୍ଷା ଦେବାକୁ ସରକାର ଯୋଜନା ଆଣୁଛନ୍ତି । ମାତ୍ର ଯୋଜନା ବାଟବଣା ହେଉଛି । ତଳସ୍ତରରେ ବାସ୍ତବ ରୂପାୟନ ହୋଇପାରୁନି । ସରକାରୀ କଳର ଆନ୍ତରିକତାର ଅଭାବ ହାତୀ ସୁରକ୍ଷା ଯୋଜନାର ବାଟ ଓଗାଳୁଛି । ସରକାର ଯେତିକି ଆଗକୁ ଯାଉଛନ୍ତି, ସେତିକି ପୁଣି ପଛକୁ ଫେରୁଛନ୍ତି । ପ୍ରୋଜେକ୍ଟ ଏଲିଫ୍ୟାଣ୍ଟରେ ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ ହାତୀ କରିଡର୍ ନିର୍ମାଣରୁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନରେ ଢିଲାପଣ ଜଳଜଳ । ସରକାରୀସ୍ତରରେ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ଠା ପ୍ରକାଶ ପାଉନି । ହାତୀଙ୍କ ସୁରକ୍ଷିତ ଯାତାୟତ ପାଇଁ ହାତୀ କରିଡର୍ ନିର୍ମାଣ କାମ ସାର । ଜଙ୍ଗଲ ଜମିରେ ଖଣି ଖନନ ଓ ଶିଳ୍ପ ପ୍ରତିଷ୍ଠାରେ ନିଷେଧ ଲଗାଇବାକୁ ବନ୍ୟପ୍ରାଣୀ ସଂଗଠନର ଦାବିକୁ ସରକାର ଗମ୍ଭୀରତାର ସହ ନିଅନ୍ତୁ । ବେଳ ଥାଉ ଥାଉ ଆମକୁ ସାବଧାନ ହେବାକୁ ପଡ଼ିବ । ଯଥେଷ୍ଟ ବିଳମ୍ବ ହେଲାଣି । ସରକାର ପହଡ଼ ଭାଙ୍ଗନ୍ତୁ । ହାତୀବଂଶ ସୁରକ୍ଷା ପାଇଁ ଆଜିଠୁ ଇଚ୍ଛାଶକ୍ତି ଓ ଆନ୍ତରିକତା ଦେଖାନ୍ତୁ