ନୂଆଦିଲ୍ଲୀ, ୩୧।୭: ଯଦି ଆପଣ ମିଠା, ନମକିନ୍ ଖାଦ୍ୟ ଖାଉଥାନ୍ତି, ତେବେ ଏହା ମଦ୍ୟପାନଠୁ କମ୍ ନୁହଁ ! ବୈଜ୍ଞାନିକମାନେ ଏକ ନୂତନ ଅଧ୍ୟୟନରେ କହିଛନ୍ତି ଯେ, ଚିପ୍ସ, କୁକିଜ୍, ଥଣ୍ଡା ପାନୀୟ ଭଳି ଅଲ୍ଟ୍ରା-ପ୍ରୋସେସ ଫୁଡ୍ ଲୋକଙ୍କୁ ମଦ କିମ୍ବା ନିଶା ପରି ଆକର୍ଷିତ କରୁଛି । ଯେତେ ଶୀଘ୍ର ପାରୁଛନ୍ତି, ଏସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ । ନହେଲେ ଭବିଷ୍ୟତରେ ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ବିପଜ୍ଜନକ ପ୍ରମାଣିତ ହୋଇପାରେ ।
ଆଜିକାଲି ଅଧିକାଂଶ ଲୋକ ସକାଳୁ ଉଠିବା ମାତ୍ରେ ଚା’ ସହିତ ବିସ୍କୁଟ, ଚିପ୍ସ ଏବଂ କୁକିଜ୍ ଖାଇବା ଆରମ୍ଭ କରିଦିଅନ୍ତି । ଏସବୁ ଖାଦ୍ୟ ସ୍ୱାଦିଷ୍ଟ ଲାଗୁଥିଲେ ବି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଚିପ୍ସ, କୁକିଜ ଏବଂ ଥଣ୍ଡା ପାନୀୟ ଆଦି ଅଲ୍ଟ୍ରା- ପ୍ରୋସେସ ଖାଦ୍ୟ । ଏହି ଖାଦ୍ୟ ବିଷୟରେ ଏକ ଅଧ୍ୟୟନ ସାମ୍ନାକୁ ଆସିଛି, ଯେଉଁଥିରେ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କଥା କୁହାଯାଇଛି । ବୈଜ୍ଞାନିକମାନେ ନୂତନ ଅଧ୍ୟୟନରେ କହିଛନ୍ତି ଯେ ଚିପ୍ସ, କୁକିଜ୍, ଥଣ୍ଡା ପାନୀୟ ଭଳି ଅଲ୍ଟ୍ରା-ପ୍ରୋସେସ୍ ଫୁଡ୍ ନିଶା ଲୋକଙ୍କୁ ମଦ କିମ୍ବା ନିଶା ପରି ଆକର୍ଷିତ କରୁଛି । ଏହି ଖାଦ୍ୟଗୁଡ଼ିକୁ ଅତ୍ୟଧିକ ସେବନ କରିବା ଦ୍ୱାରା ଲୋକମାନେ ଏହି ଖାଦ୍ୟ ପ୍ରତି ଆକର୍ଷିତ ହେଉଛନ୍ତି, ଯାହା ଖୁବ୍ ବିପଜ୍ଜନକ । ଲୋକଙ୍କୁ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ । ଏହି ପ୍ରକ୍ରିୟାକୃତ ଖାଦ୍ୟଗୁଡ଼ିକ ମସ୍ତିଷ୍କର ସେହି ଅଂଶକୁ ସକ୍ରିୟ କରନ୍ତି ଯାହା ଆମକୁ ଖୁସି ଅନୁଭବ କରାଏ । ଯଦିଓ ଏହା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ । କିନ୍ତୁ, ବାରମ୍ବାର ଏସବୁ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ଏହି ଗବେଷଣା ନେଚର ମେଡିସିନ୍ ନାମକ ଏକ ବୈଜ୍ଞାନିକ ପତ୍ରିକାରେ ପ୍ରକାଶିତ ହୋଇଛି । ଏଥିରେ ୩୬ଟି ଦେଶରେ ହୋଇଥିବା ପ୍ରାୟ ୩୦୦ ଗବେଷଣାକୁ ବିଶ୍ଳେଷଣ କରାଯାଇଥିଲା ।
ଅଧ୍ୟୟନରେ ନ୍ୟୁରୋଇମେଜିଂ ଅର୍ଥାତ ମସ୍ତିଷ୍କ ସ୍କାନିଂରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁମାନେ ଏସବୁ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତି, ସେମାନଙ୍କ ମସ୍ତିଷ୍କରେ ମଦ୍ୟପାନ କିମ୍ବା କୋକେନ ନିଶାଗ୍ରସ୍ତ ଲୋକଙ୍କ ଭଳି ପରିବର୍ତ୍ତନ ଦେଖାଯାଏ । କେବଳ ଏତିକି ନୁହେଁ, କିଛି ଔଷଧ ଏହି ଖାଦ୍ୟ ସାମଗ୍ରୀ ପ୍ରତି ଆଗ୍ରହକୁ ହ୍ରାସ କରେ ଏଥିସହ ଏହି ଖାଦ୍ୟ ପ୍ରତି ନିଶା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ନାଇଟ୍ରସ ଅକ୍ସାଇଡ ଏବଂ କ୍ୟାଫିନ ନିଶାକୁ ମାନସିକ ରୋଗ ବହିରେ ସାମିଲ କରାଯାଇଛି, ଅନ୍ୟପଟେ ଅନେକ ବୈଜ୍ଞାନିକଙ୍କ ପ୍ରମାଣ ସତ୍ତ୍ୱେ ପ୍ରକ୍ରିୟାକୃତ ଖାଦ୍ୟ ପ୍ରତି ନିଶାକୁ ଏପର୍ଯ୍ୟନ୍ତ ଗମ୍ଭୀରତାର ସହ ନିଆଯାଇନାହିଁ ।