ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୫ ଘୋଷଣା ହୋଇଛି । ବିଭିନ୍ନ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି । ଏହି ଅବସରରେ ଓଡ଼ିଆ ସିନେ ଜଗତକୁ ମିଳିଛି ବଡ଼ ଉପହାର । ଓଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଆସିଛି ଖୁସିର ଖବର । ସବ୍ୟସାଚୀ ମିଶ୍ର ଅଭିନୀତ ‘ପୁଷ୍କରା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଥିଲେ ।
‘ପୁଷ୍କରା’ ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ରମେଶ ବାରିକ । ଶଙ୍କର ତ୍ରିପାଠୀ ଏହାର କାହାଣୀ ଏବଂ ସଂଳାପ ଲେଖିଥିଲେ । ଏହା ସହ ଚିତ୍ରନାଟ୍ୟ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି, ଚିତ୍ରା ପଟ୍ଟନାୟକ ଓ ଜନ୍ମେଜୟ ସିଂହ । ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ଏହାର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବିଭୂତି ଭୂଷଣ ଗଡ଼ନାୟକ ସ୍ୱର ସଂଯୋଜନା କରିଥିଲେ ।
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ସୁପ୍ରିୟା ନାୟକ । ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର, ଶଙ୍କର ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି ଚଳଚ୍ଚିତ୍ରଟିର କାହାଣୀ ଉପନ୍ୟାସ ନାଦବିନ୍ଦୁ ଉପରେ ଆଧାରିତ । ଯାହାକି ପୁଷ୍କରା ପରମ୍ପରାକୁ ରୁଦ୍ଧିମନ୍ତ କରେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାସ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରରେ ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ପରମ୍ପରା ଦେଖାଯାଇଛି ।